ଛତିଶଗଡ଼:
ରାମ-ଗମନପଥ-ପରିଯୋଜନାରେ ଛତିଶଗଡ଼ ଏକ ବିଶେଷ ସ୍ଥାନ ଅଧିକାର କରେ। ଭଗବାନ ଶ୍ରୀରାମଙ୍କ ଗମନ ସମୟର ୨୪୮ଟି ସ୍ଥାନକୁ ବିେଶଷ ମହତ୍ତ୍ବ ଦିଆଯାଇ ସେ ସବୁକୁ ଏହି ପରିକ୍ରମା ପରିସରର ଅନ୍ତର୍ଭୁକ୍ତ କରାଯାଇଛି। ସେ ମଧ୍ୟରେ ସୀତାମାଢ଼ୀ ହରଚୌକା ଅନ୍ୟତମ।
ସୀତାମାଢ଼ୀ ହରେଚୗକା:
ବନବାସ କାଳରେ ଶ୍ରୀରାମ ପ୍ରଥମେ ଛତିଶଗଡ଼ ରାଜ୍ୟର କୋରିଆ ଜିଲାର ଭରତପୁରରେ ପ୍ରବେଶ କରିଥିଲେ। ଏହି ସ୍ଥାନର ନାମ ହରଚୌକା। ପରବର୍ତ୍ତୀ କାଳରେ ଏହାର ନାମ ସୀତାମାଢ଼ୀ ହୋଇଛି। କଥିତ ଅଛି, ଯେ ଶ୍ରୀରାମ ଏଠାକୁ ଆସିବାର ଜାଣି ବିଶ୍ବକର୍ମା ଏଠାରେ ରାତିକ ମଧ୍ୟରେ ପଥରକାଟି ୧୭ଟି ଗୁମ୍ଫା ନିର୍ମାଣ କରିଥିଲେ।
ଏହା ମବଇ ନଦୀକୂଳରେ ଅବସ୍ଥିତ। ଏହି ଗୁମ୍ଫା ମଧ୍ୟରେ ୧୨ଟି ଶିବଲିଙ୍ଗ ରହିଛି। ଯେଉଁ ଗୁମ୍ଫାରେ ସେ ରୋଷେଇ କରୁଥିଲେ ସେଠାରେ ସୀତା ଏବଂ ତାଙ୍କର ଭଉଣୀମାନଙ୍କର ପ୍ରତିମା ରହିଛି। ଏଠାରେ ରାମ ଚାରିମାସ ରହିଥିଲେ। ଏଠାରେ ଶ୍ରୀକୃଷ୍ଣଙ୍କର ଏକ ୨୫ଫୁଟର ମୂର୍ତ୍ତି ରହିଛି। ପ୍ରତିବର୍ଷ ଜାନୁଆରୀ ୨୨ ତାରିଖରେ ହରଚୌକାରେ ଏକ ବିରାଟ ଉତ୍ସବ ପାଳିତ ହୁଏ। ରାମାୟଣ ମଣ୍ଡଳୀ ଏଠାରେ ସେହିଦିନ ‘ରାମଚରିତ ମାନସ’ ପାଠ କରନ୍ତି। ମଧ୍ୟପ୍ରଦେଶ ଓ ଛତିଶଗଡ଼ ରାଜ୍ୟର ଲୋକମାନେ ଏହି ମେଳାରେ ଯୋଗ ଦିଅନ୍ତି। ମବଇ ନଦୀରେ ରାମ-ସୀତା ସ୍ନାନ କରିଥିବାରୁ ଏହାକୁ ଗଙ୍ଗାଜଳ ସଦୃଶ ପବିତ୍ର ବିବେଚନା କରାଯାଏ। ମାତା କୌଶଲ୍ୟାଙ୍କର ଏହା (ଦକ୍ଷିଣକୋଶଳ) ଜନ୍ମସ୍ଥଳ ହୋଇଥିବାରୁ ଏଠାରେ ରାମଙ୍କୁ ଭଣଜାର ସମ୍ମାନ ପ୍ରଦାନ କରାଯାଏ।
ଶବରୀ ନାରାୟଣ ମନ୍ଦିର:
ଛତିଶଗଡ଼ର ଜାଂଜଗୀର ଚମ୍ପା ଜିଲାରେ ଶବରୀ ନାରାୟଣ ମନ୍ଦିର ରହିଛି। ଏହା ମହାନଦୀ, ଶିବନାଥ ଏବଂ ଯୋକ ନଦୀର ସଂଗମ ସ୍ଥଳ। ଏହାକୁ ଛତିଶଗଡ଼ର ଗୁପ୍ତପ୍ରୟାଗ କୁହାଯାଏ।
ପୌରାଣିକ କଥା ଅନୁସାରେ, ରାମଚନ୍ଦ୍ର ଏଠାରେ ଶବରୀମାତାଙ୍କର ଅଇଁଠା ଫଳ ଖାଇଥିଲେ। ତେଣୁ ଏହାର ନାମ ଶବରୀନାରାୟଣ।
ଏକାଦଶ-ଦ୍ବାଦଶ ଶତାବ୍ଦୀ ମଧ୍ୟରେ ଏଠାରେ ଏକ ମନ୍ଦିର ନିର୍ମାଣ କରାଯାଇଥିଲା। ଶବରୀମାତା ମନ୍ଦିର ଓ କୃ୍ଷ୍ଣବଟବୃକ୍ଷ ପାଇଁ ଏହି ସ୍ଥାନ ପ୍ରସିଦ୍ଧ। କୃଷ୍ଣବଟବୃକ୍ଷର ବିଶେଷତ୍ବ ହେଉଛି, ଏହି ବଟବୃକ୍ଷର ସମସ୍ତ ପତ୍ର ଏକ ଏକ ପତ୍ରଠୋଲା ସଦୃଶ।
Silk: ସୁକିନ୍ଦା ରେଶମ ପୋକ ପ୍ରକଳ୍ପକୁ ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘର ସ୍ବୀକୃତି
Arrest: ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ, ଦୁଇ ଗିରଫ
ରାମଗଡ଼ ଅମ୍ବିକାପୁର:
ରାମଗଡ଼ର ଅନ୍ୟନାମ ରାମଗିରି ପର୍ବତ। ଅମ୍ବିକାପୁରରୁ ବିଳାସପୁରକୁ ଯାଇଥିବା ରାସ୍ତାକଡ଼ରେ ଏହି ପର୍ବତ ଅବସ୍ଥିତ। ସୀତାବେଙ୍ଗା ଓ ଯୋଗୀମରା ଗୁମ୍ଫା ପାଇଁ ଏହି ପର୍ବତ ପ୍ରସିଦ୍ଧ। ଏହାର ଆକାର ଏକ ଟୋପି ପରି। ଏହାକୁ ସର୍ବପୁରାତନ ଗୁମ୍ଫାର ମାନ୍ୟତା ଦିଆଯାଏ। କାରଣ ଏହି ଗୁମ୍ଫା ମଧ୍ୟରେ ଥିବା ପଥର ଖୋଦେଇ ଚିତ୍ରକଳା ଏହାର ପ୍ରାଚୀନତାର ନିଦର୍ଶନ। ସୀତାବେଙ୍ଗାର ଆକାର ଏକ ମଞ୍ଚ ସଦୃଶ। ବ୍ରାହ୍ମୀଲିପିରେ ଲିଖିତ କିଛି ଶିଳାଲିପି ଏଠାରେ ଅଛି। ଯୋଗୀମରା ଅପେକ୍ଷାକୃତ ଛୋଟ। ଏଠାରେ କେତେକ ଭିତ୍ତିଚିତ୍ର ଅଙ୍କିତ। ଏହି ଗୁମ୍ଫା ନିକଟରେ ଏକ ଭଗ୍ନ ମନ୍ଦିରର ଅବଶେଷ ଦେଖିବାକୁ ମିଳେ। ବନବାସ କାଳରେ ରାମ-ଲକ୍ଷ୍ମଣ-ସୀତା ଏଠାରେ ଆଶ୍ରୟ ନେଇଥିବା କୁହାଯାଏ।
ତୁରୁତୁରିଆ:
ବାଲୋଦା ବଜାର ଜିଲାର ବାଲାମ ଦେହୀ ନଦୀ କୂଳରେ ତୁରୁତୁରିଆ ବାଲ୍ମୀକି ଆଶ୍ରମ ବିଦ୍ୟମାନ। ନଦୀ ଜଳର କୁଳୁକୁଳୁ ଧ୍ବନି ନିମିତ୍ତ ଏହି ସ୍ଥାନର ନାମ ତୁରୁତୁରିଆ। କୁହାଯାଏ ଏକଦା ଏଠାରେ ବାଲ୍ମୀକିଙ୍କର ଆଶ୍ରମ ଥିଲା। ଲବ-କୁଶ ଏଠାରେ ଜନ୍ମଗ୍ରହଣ କରିଥିଲେ। ତୁରୁତୁରିଆ ବାଲ୍ମୀକି ଆଶ୍ରମର ଗୁମ୍ଫା ମଧ୍ୟରେ ଲବ ଓ କୁଶ ଶ୍ରୀରାମଙ୍କର ଯଜ୍ଞଅଶ୍ବକୁ ବାନ୍ଧିରଖିଥିବାର ଏକ ପ୍ରତିମା ରହିଛି।
ତୁରୁତୁରିଆ ଧାମର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ଆକର୍ଷଣୀୟ।
ଚନ୍ଦ୍ରଖୁରି:
କୁହାଯାଏ ବନଗମନ କାଳରେ ରାମ ଛତିଶଗଡ଼ର ପ୍ରାୟ ୭୫ଟି ସ୍ଥାନରେ ବିଶ୍ରାମ ନେଇଥିଲେ। ସେହି ସ୍ଥାନମାନଙ୍କୁ ରାମାୟଣ ସହିତ ସଂଯୋଗ କରି ରାଜ୍ୟ ସରକାର ଏହାର ବିକାଶ କରୁଛନ୍ତି। ଅନ୍ୟ କେତେକ ସ୍ଥାନ ମଧ୍ୟ ଅନ୍ୟ କେତେକ କାରଣରୁ ରାମଙ୍କ ସହିତ ଜଡ଼ିତ। ସେଥିପାଇଁ ସେସବୁର ବିକାଶ ମଧ୍ୟ କରାଯାଉଛି। ଚନ୍ଦ୍ରଖୁରି ତାହାମଧ୍ୟରୁ ଗୋଟିଏ। ଏହା ରାୟପୁର ଜିଲାର ଏକ ଗ୍ରାମ। ଏଠାରେ କୌଶଲ୍ୟାମାତାଙ୍କର ମନ୍ଦିର ରହିଛି। କାରଣ ଏହି ଗ୍ରାମ କୌଶଲ୍ୟାଙ୍କର ଜନ୍ମଭୂମି ଥିଲା।
ରାୟପୁରଠାରୁ ପ୍ରାୟ ୨୫ କିଲୋମିଟର ଦୂରବର୍ତ୍ତୀ ଏହି ଗ୍ରାମରେ ରହିଛି ପ୍ରାୟ ୧୨୬ଟି ପୁଷ୍କରିଣୀ। କୌଶଲ୍ୟାମାତା ଓ ରାମଚନ୍ଦ୍ରଙ୍କ ମନ୍ଦିରକୁ ସାତଟି ସରୋବର ବେଷ୍ଟନ କରିଛି।
ରାଜିମ-ଗରିୟାବନ୍ଦ:
ଏହା ରାୟପୁର ଜିଲାର ଏକ ମନ୍ଦିରମାଳିନୀ ନଗରୀ। ଏଠାରେ ରାଜୀବଲୋଚନ ମନ୍ଦିର, ରାଜେଶ୍ବରମ୍ ମନ୍ଦିର, ରାମଚନ୍ଦ୍ର ମନ୍ଦିର, ଦାନେଶ୍ବର ମନ୍ଦିର, ଜଗନ୍ନାଥ ମନ୍ଦିର, କୁଳେଶ୍ବର ମନ୍ଦିର, ଓ ଚମ୍ପାରାମ ମନ୍ଦିର ଆଦି ରହିଛି। ରାଜିମକୁ ଛତିଶଗଡ଼ ପ୍ରୟାଗ କହନ୍ତି। ଏଠାର ମହାନଦୀ, ପାଇଲି ଓ ସୁନ୍ଦରାର ସଂଗମ ସ୍ଥଳୀରେ ପ୍ରତିବର୍ଷ କୁମ୍ଭମେଳା ଅନୁଷ୍ଠିତ ହୁଏ। ରାଜୀବଲୋଚନ ମନ୍ଦିରରେ ମଧ୍ୟ ପ୍ରତିବର୍ଷ ଫେବ୍ରୁଆରୀ ୧୬ ତାରିଖରେ ରାଜୀବଲୋଚନ ମହୋତ୍ସବ ଅନୁଷ୍ଠିତ ହୁଏ। ଏହା ଏକ ବିଷ୍ଣୁ ମନ୍ଦିର। ରାଜୀବଲୋଚନ ହେଉଛନ୍ତି ରାମଚନ୍ଦ୍ର।
-ଡକ୍ଟର ତୁଳସୀ ଓଝା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/28/rama-2025-11-28-01-20-09.jpg)