ସହସ୍ର ଦିବ୍ୟ ଜ୍ୟୋତି ମଣିଏ ପ୍ରକାଶନ୍ତି
ହୀରାଚିତାକୁ ଲୟ ରଖ ରେ ପାପନେତ୍ର।
ଦୁଇ ପାରୁଶେ ତାର ଶୋଭା ରାଶି ଭଣ୍ଡାର
ଅଳକାପନ୍ତି କି ବିଚିତ୍ର
ରେ ପାପନେତ୍ର।
-‘ଆରେ ପାପ ଈକ୍ଷଣ’, ଚନ୍ଦନ ହଜୁରୀ
ଚନ୍ଦନ ହଜୁରୀ ଉଭୟ କବି ଓ ବିପ୍ଳବୀ ଭାବରେ ଓଡ଼ିଶାରେ ସୁପରିଚିତ। ତାଙ୍କର ଲୋକପ୍ରିୟ ନାମ ଚାଖି ଖୁଣ୍ଟିଆ। ପୁରୀର ହରଚଣ୍ଡୀ ସାହିରେ ଶ୍ରୀଜଗନ୍ନାଥଙ୍କ ଛାମୁଖୁଣ୍ଟିଆ ସେବକ ପରିବାରରେ ତାଙ୍କର ଜନ୍ମ। ତାଙ୍କର ପ୍ରକୃତ ଜନ୍ମ ତାରିଖ ଓ ତିଥି ସଂପର୍କରେ ସାଧାରଣରେ ଭିନ୍ନ ତଥ୍ୟ ଥିଲେ ମଧ୍ୟ, ତାଙ୍କ ପରିବାରର ନଥିପତ୍ର ଅନୁସାରେ- ସେ ଜନ୍ମଗ୍ରହଣ କରିଥିଲେ ୧୮୨୨ ମସିହା, ଜାନୁଆରୀ ୨୨ ତାରିଖ, ଶାମ୍ବଦଶମୀ ତିଥିରେ। ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଲାଗି ସମୟରେ ସେ ଜନ୍ମ ହୋଇଥିବାରୁ ତାଙ୍କର ପିତା ରଘୁନାଥ ଭୀମସେନ ଖୁଣ୍ଟିଆ ଓ ମାତା ଲାବଣ୍ୟଦେବୀ ତାଙ୍କର ନାମ ରଖିଥିଲେ ଚନ୍ଦନ। ତାହା ଫଳରେ, ତାଙ୍କର ନାମ ହୋଇଥିଲା- ହଜୁରୀ ଚନ୍ଦନ ଖୁଣ୍ଟିଆ। ପରେ ସେ ‘ଚନ୍ଦନ ହଜୁରୀ’ ଓ ‘ଚାଖି ଖୁଣ୍ଟିଆ’ ଉଭୟ ନାମରେ ପ୍ରସିଦ୍ଧ ହୋଇଥିଲେ। ଶ୍ରୀଜଗନ୍ନାଥଙ୍କ ସେବା ଓ ଦାୟିତ୍ବ ସୁଚାରୁରୂପେ ସଂପନ୍ନ କରି ତାଙ୍କ ପରିବାର ‘ହଜୁରୀ’ ଉପାଧି ପାଇଥିଲେ।
New Year: ନୂଆବର୍ଷରେ ଧର୍ମପୀଠରେ ପ୍ରବଳ ଭିଡ଼
୧୮୫୭ର ସ୍ବାଧୀନତା ସଂଗ୍ରାମ କାଳରେ ସେଥିରେ ଚାଖି ଖୁଣ୍ଟିଆଙ୍କର ଯୋଗଦାନ ଭାରତ ଇତିହାସରେ ସ୍ମରଣୀୟ। ମେରା ପନ୍ତ ଓ ଭାଗୀରଥି ବାଈଙ୍କ କନ୍ୟା ମନୁବାଈ ଛାବେଲୀ ଓରଫ ଲକ୍ଷ୍ମୀବାଈଙ୍କ ପରିବାରର ସେ ଥିଲେ ତୀର୍ଥଗୁରୁ। କୈଶୋରରେ ଲକ୍ଷ୍ମୀବାଈଙ୍କୁ ସେ ଯୁଦ୍ଧକୌଶଳ ଶିଖାଇଥିଲେ ଏବଂ ସ୍ବାଧୀନତା ସଂଗ୍ରାମ କାଳରେ ତାଙ୍କର ପରାମର୍ଶଦାତା ହୋଇଥିଲେ। ସେବକ ପରିବାରରେ ଜନ୍ମିତ ଚନ୍ଦନ ହଜୁରୀ ଥିଲେ ଶ୍ରୀଜଗନ୍ନାଥଙ୍କର ଭକ୍ତ ତଥା କବି। ତାଙ୍କ ରଚିତ ଭଜନ ‘‘ଚକାନୟନକୁ ପତିତ କେହି...’’ ଅତ୍ୟନ୍ତ ଲୋକପ୍ରିୟ। ତାଙ୍କ ରଚିତ ଭଜନାବଳୀର ପୋଥି ବା ପାଣ୍ଡୁଲିପିଟି ନଷ୍ଟ ହୋଇଯିବା ପରେ, ଆଉ ଯେଉଁ ଭଜନଟି ନଷ୍ଟ ନ ହୋଇ ରହିଯାଇଛି, ତାହା ହେଉଛି- ‘ଆରେ ପାପ ଈକ୍ଷଣ’। ‘ଈକ୍ଷଣ’ ମାନେ ଦୃଷ୍ଟି। ତେଣୁ ‘‘ରେ ନେତ୍ର...’’ ସମ୍ବୋଧନରେ ସେ ନିଜପାଇଁ ଏହି ଭଜନଟି ଲେଖିଛନ୍ତି। ଉପରୋକ୍ତ ସୁଭାଷିତ ଏହାର ଏକ ଅଂଶ।
Winter: ଶୀତରେ ଥରୁଛନ୍ତି ୫୨ହଜାର ଅନ୍ତେବାସୀ
ଏଥିର ସେ ନିଜର ନେତ୍ରତ୍କୁ ସମ୍ବୋଧନ କରି କହିଛନ୍ତି- ରେ ପାପନେତ୍ର! ଶ୍ରୀଜଗନ୍ନାଥଙ୍କ ହୀରାଚିତାକୁ ଲୟ ରଖ। ତାହା ସହସ୍ର ଦିବ୍ୟଜ୍ୟୋତି ସଂପନ୍ନ ମଣି ପରି ବିଭାସିତ। ତାହାର ଦୁଇ ପାର୍ଶ୍ବରେ ଅଦ୍ଭୁତ ଓ ସୁନ୍ଦର ଅଳକାପନ୍ତି ଶୋଭା ପାଉଛି। ଏଣୁ ଆଜି, ଇଂରେଜୀ ନୂଆବର୍ଷରେ ଆମେ ପ୍ରାର୍ଥନା କରିବା- ଶ୍ରୀଜଗନ୍ନାଥଙ୍କ ସେହି ହୀରାଚିତାର ଜ୍ୟୋତି ଆମ ଭିତରର କାଳିମାକୁ ଦୂର କରୁ!
Follow Us