ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ରହିବାର ମାନସିକତାଠାରୁ ଢେର ଊର୍ଦ୍ଧ୍ବରେ ସେ। ଅଞ୍ଚଳର ବିକାଶ, ଅଞ୍ଚଳବାସୀଙ୍କ ସୁଖସ୍ବାଚ୍ଛନ୍ଦ୍ୟ ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି। କେବଳ ଲୋକପ୍ରତିନିଧି ଭାବେ ନୁହେଁ, ବରଂ ଜଣେ ସୁଖଦଃଖର ସାଥୀ ଭାବେ ସେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଛନ୍ତି। ସେଥିପାଇଁ ତାଙ୍କୁ ମିଳିଛି ଅନେକ ସମ୍ମାନ ଓ ପୁରସ୍କାର। ସେ ହେଉଛନ୍ତି ୫୦ ବର୍ଷୀୟା ପ୍ରେରଣାଦାୟୀ ଲୋକପ୍ରତିନିଧି ସୁକାନ୍ତି ଜୟପୁରିଆ।
ଝାରସୁଗୁଡ଼ା ଜିଲ୍ଲା ଲୋଇକେରା ବ୍ଲକ୍ ସାହସପୁର ପଞ୍ଚାୟତ ନାଏକବନ୍ଧପାଲି ଗ୍ରାମରେ ସୁକାନ୍ତିଙ୍କ ଜନ୍ମ। ବାପା ସ୍ବର୍ଗତ ଲଛମନ କାକ ଓ ମାଆ ମହରଗୀ କାକ। ଭାଇଭଉଣୀ ୪ ଜଣ। ଗରିବ ପରିବାର ହୋଇଥିବା ବେଳେ ଅନେକ ଦୁଃଖକଷ୍ଟରେ ବିତିଛି ସେମାନଙ୍କ ପିଲାଦିନ। ଗରିବୀ ସୁକାନ୍ତିଙ୍କ ପାଠପଢ଼ା ଛଡ଼ାଇନେଲା। ପରିସ୍ଥିତି ତାଙ୍କୁ କଅଁଳ ବୟସରେ ଶ୍ରମିକ ସଜାଇ ଦେଇଥିଲା। ଛୋଟ ପିଲା, କେହି କାମ ଦେବେନି ବୋଲି ସେ ଦେହରୁ ଜାମା କାଢ଼ି ଶାଢ଼ି ପିନ୍ଧିଥିଲେ।
Elephant: ବେତନଟୀ ରେଞ୍ଜରେ ଚିନ୍ତା ବଢ଼ାଉଛି ୨୪ଟିକିଆ ହାତୀପଲ
ଗୋଟିଏ ପଟେ ଅଭାବଅନଟନ ସହ ସଂଘର୍ଷ ଚାଲିଥିବା ବେଳେ ଅନ୍ୟ ପଟେ ସୁକାନ୍ତିଙ୍କ ବୟସ ବଢ଼ିଚାଲିଥିଲା। ୧୮ ବର୍ଷ ବେଳକୁ ସେ ଶାରୀରିକ ଓ ମାନସିକ ଭାବେ ଏତେ ପରିପକ୍ବ ହୋଇଯାଇଥିଲେ ଯେ ପରିବାର କଥା ବୁଝିବା ସହ ନିଜ ଅଞ୍ଚଳର ଲୋକଙ୍କ ସୁଖଦୁଃଖରେ ଛିଡ଼ା ହେଲେ। ଧାଈ ତାଲିମ ନେଇ ମହିଳାମାନଙ୍କ ସୁରକ୍ଷିତ ପ୍ରସବ କରାଇଲେ, ଯାହା ତାଙ୍କ ପାଇଁ ସୁନାମ ଆଣିଦେଲା। ସେ ଝାରସୁଗୁଡ଼ା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମ୍ମାନିତ ହେଲେ।
ବାଶ୍, ଏହା ପରେ ସୁକାନ୍ତି ଆଉ ପଛକୁ ଚାହିଁ ନାହାନ୍ତି। ବାମରା ବ୍ଲକ୍ ଗଡ଼େପାସର ଲକ୍ଷ୍ମଣ ଜୟପୁରିଆଙ୍କ ସହ ବିବାହ ତାଙ୍କ ଗୋଡ଼ରେ କେବେ ବେଡ଼ି ହୋଇନି। ନିଜେ ରୋଜଗାର କରିବା ସହ ଅନ୍ୟ ମହିଳାମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ସୁକାନ୍ତି ସ୍ବୟଂସହାୟିକା ଗୋଷ୍ଠୀ ଗଢ଼ିଛନ୍ତି। ୪୦୦ ଗୋଷ୍ଠୀର ନେତୃତ୍ବ ନେଇଛନ୍ତି। ଝାରସୁଗୁଡ଼ାର ଅନେକ ଆଦିବାସୀ ଜଙ୍ଗଲଜମି ଅଧିକାର ଦାବି ନେଇ ଦିଲ୍ଲୀର ଯନ୍ତରମନ୍ତରଠାରେ ଅଠର ଦିନ ଧରି ଦେଇଥିବା ଧାରଣାର କର୍ଣ୍ଣଧାର ସାଜିଛନ୍ତି। ଧମକ ପରେ ମଧ୍ୟ ଗାଁ’ରେ ମଦ ବିରୋଧୀ ଆନ୍ଦୋଳନ କରିଛନ୍ତି। ଏମିତି କି ହକ୍ ପାଇଁ ଲଢ଼ି ସୁକାନ୍ତି ଜେଲ୍ ମଧ୍ୟ ଯାଇଛନ୍ତି।
ସାମାଜିକ ଜୀବନରେ ମିଳିଥିବା ଆଦରସମ୍ମାନ ୨୦୦୭ ମସିହାରେ ସୁକାନ୍ତିଙ୍କୁ ସରପଞ୍ଚ ପଦରେ ବସାଇଛି। ସେ ୨୦୧୧ ଓ ୨୦୧୭ ମସିହାରେ ସମିତିସଭ୍ୟ ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି। ଆଉ ଏବେ ପୁଣି ସରପଞ୍ଚ ପଦରେ ଥାଇ ଲୋକଙ୍କ ସେବା ଜାରି ରଖିଛନ୍ତି।
Horoscope 2026 March 2: ଜାଣନ୍ତୁ ଆଜିର ରାଶିଫଳ
ଜଣେ ଉତ୍ସର୍ଗୀକୃତ ସମାଜସେବୀ ଏବଂ ଦାୟିତ୍ବସମ୍ପନ୍ନ ଲୋକପ୍ରତିନିଧି ଭାବେ ସୁକାନ୍ତିଙ୍କୁ ଅନେକ ଜାତୀୟ, ରାଜ୍ୟ ଓ ଜିଲ୍ଲା ସ୍ତରୀୟ ପୁରସ୍କାର ତଥା ସମ୍ମାନ ମିଳିଛି। ତେବେ ୨୦୦୮ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ସିଂହ ପାଟିଲଙ୍କଠାରୁ ଗୌହାଟିରେ ଗ୍ରହଣ କରିଥିବା ପୁରସ୍କାର ଏବଂ ୨୦୦୯ ମସିହାରେ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ପୁରସ୍କାର ତାଙ୍କ ଜୀବନର ସମ୍ବଳ ବୋଲି ସୁକାନ୍ତି ‘ସମ୍ବାଦ’କୁ କହିଛନ୍ତି।
Follow Us