ମାତ୍ର ୧୬ ବର୍ଷ ହୋଇଥିବା ବେଳେ ବିଜୁଳି ଆଘାତ ହେତୁ ବାମ୍ସି କୋଲାପାକାଙ୍କ ଗୋଟାଏ ବାହୁର ନିମ୍ନାଂଶ କଟାଗଲା। ଏ ଅଘଟଣ ତାଙ୍କ ଜୀବନକୁ ଛାରଖାର କରିଦେଲା କହିଲେ ଅତ୍ୟୁକ୍ତି ହେବନାହିଁ। ବାପା ମହେନ୍ଦ୍ର ଗୋଟାଏ ଆପାର୍ଟମେଣ୍ଟ୍ କମ୍ପ୍ଲେକ୍ସ୍ରେ ସିକ୍ୟୁରିଟି ଗାର୍ଡ ଚାକିରି କରୁଥିଲା ବେଳେ ମାଆ ଭାରତୀ ଥିଲେ ଗୃହାଙ୍ଗନା। ସହପାଠୀମାନେ ବାଧିଲା ଭଳି କଥା କହିବାରୁ ବାମ୍ସି ସ୍କୁଲ୍ ଛାଡ଼ିଲେ। ଘରୁ ଆଉ ପଦାକୁ ବାହାରିଲେ ନାହିଁ। ମିଳୁଥିବା ମାସିକ ୨୦୦୦ ଟଙ୍କା ଭତ୍ତାରେ ସେ ବଡ଼ ଟାଣଟୁଣ ହୋଇ ଚଳିଲେ। ମାଆଙ୍କ ଉପରେ ନିର୍ଭରଶୀଳ ବାମ୍ସୀଙ୍କର ମନୋବଳ ଭାଙ୍ଗିଯାଇଥିଲା। ଜୀବନ ଏଇଠି ହିଁ ସମ୍ପୂର୍ଣ୍ଣ ଅଟକିଗଲା ବୋଲି ତାଙ୍କୁ ପ୍ରତୀୟମାନ ହେଲା।
Weekly Horoscope 2026 Feb 22 To Feb 28: ଜାଣନ୍ତୁ ଏ ସପ୍ତାହର ରାଶିଫଳ
ସେହି ବାମ୍ସୀଙ୍କୁ ଏବେ ୨୪ ବର୍ଷ ଏବଂ ତାଙ୍କ ଜୀବନ ବି ଭିନ୍ନ ମୋଡ଼ ନେଇଛି। ତାହା ସମ୍ଭବ ହୋଇଛି ତାଙ୍କ କଟାବାହୁ ସ୍ଥାନରେ ସଂଯୋଗ କରାଯାଇଥିବା କୃତ୍ରିମ ବାହୁ ‘କଲ୍ଆର୍ମ’ ଯୋଗୁଁ। ମାଂସପେଶୀରୁ ସଙ୍କେତ ଗ୍ରହଣକରି କାର୍ଯ୍ୟ କରୁଥିବା ଏହି ‘ବାେୟାନିକ୍ ଆର୍ମ’ର ନିର୍ମାତା ହାଇଦ୍ରାବାଦସ୍ଥିତ ଡିପ୍-ଟେକ୍ ଷ୍ଟାର୍ଟ-ଅପ୍ ମେକର୍ସ ହାଇଭ୍। ଏହି କଲ୍ଆର୍ମ ଯୋଗୁଁ ବାମ୍ସି ଆଉ ପର ଉପରେ ନିର୍ଭର ନ କରି ଇଚ୍ଛାମତେ ଚଳୁଛନ୍ତି। ସେ ନିଜେ ରୋଷେଇବାସ କରୁଛନ୍ତି, ବୋତଲ ଠିପି ଖୋଲିପାରୁଛନ୍ତି, ଲେଖିପାରୁଛନ୍ତି। ସର୍ବୋପରେ ସାଇକେଲ୍ ଚଢ଼ି କର୍ମକ୍ଷେତ୍ରକୁ ବି ଯାଇପାରୁଛନ୍ତି। ଲୋକଲଜ୍ଜା କାରଣରୁ ଦିନେ ଘରେ ପଶି ରହୁଥିବା ବାମ୍ସିଙ୍କଠାରେ ଏବେ ପ୍ରବଳ ଆତ୍ମବିଶ୍ବାସ। ମାସକୁ ସେ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଉପାର୍ଜନ ବି କରିପାରୁଛନ୍ତି।
ସେମିତି ଭୟାବହ ଅଗ୍ନିକାଣ୍ଡ ହେତୁ ଦୁଇବାହୁ ହରାଇଥିବା ଅଜିମ୍ ପଟେଲ୍ଙ୍କ ଜୀବନ କାହାଣୀ ବି ଠିକ୍ ବାମ୍ସିଙ୍କ ପରି। ଜୀବନ ରକ୍ଷା କରିବା ପାଇଁ ଆଜିମ୍ଙ୍କୁ ୧୬ଥର ଅସ୍ତ୍ରୋପଚାର ଯନ୍ତ୍ରଣା ସହ୍ୟ କରିବାକୁ ପଡ଼ିଥିଲା। ତେଣୁ, ଶାରୀରିକ ସୁସ୍ଥତା ଫେରିପାଇବାକୁ ତାଙ୍କୁ ଦୀର୍ଘଦିନ ଲାଗିଥିଲା। ଆଉ ସ୍ବଚ୍ଛନ୍ଦରେ ଚଳିପାରିବେ ନାହିଁ ବୋଲି ମୋଟାମୋଟି ନିଶ୍ଚିତ ହୋଇଯାଇଥିବା ଆଜିମ୍ କିନ୍ତୁ କଲ୍ଆର୍ମ ଲଗାଇ ନୂଆ ଜୀବନ ପାଇଲା ଭଳି ଅନୁଭବ କରୁଛନ୍ତି। ନିଷ୍ଠା ଓ ତାଲିମ ବଳରେ ଆଜିମ୍ ଦୈନନ୍ଦିନ କାର୍ଯ୍ୟକଳାପ ସବୁ ଶିଖିଲେ। ଆଜି ସେ ଗୋଟାଏ ଅଟୋ-ରିକ୍ସା ଚଳାଉଛନ୍ତି। ଏହାଦ୍ବାରା ସେ ଖାଲି ଜୀବିକା ନୁହେଁ ଆତ୍ମସମ୍ମାନ ବି ଫେରିପାଇଛନ୍ତି।
PMAY: ସହରାଞ୍ଚଳ ଗୃହନିର୍ମାଣ ମିସନକୁ ସୁଦୃଢ଼ କରିବ ‘ପିଏମଏୱାଇ-ଅର୍ବାନ ବନ୍ଧୁ’
ବାୟୋନିକ୍ ଆର୍ମ ଦ୍ବାରା ଅକ୍ଷମମାନଙ୍କୁ ସମର୍ଥ କରାଉଥିବା ମେକର୍ସ ହାଇଭ୍ର ଦୁଇ ପ୍ରତିଷ୍ଠାତା ହେଉଛନ୍ତି ପ୍ରଣବ ବେମ୍ପତି ଓ ଚାଣକ୍ୟ ଗୋନେ। ଏହି ଷ୍ଟାର୍ଟ-ଅପ୍ର ସିଇଓ ପ୍ରଣବ ଇଲେକ୍ଟ୍ରୋନିକ୍ ବିଦ୍ୟାରେ ପ୍ରବୀଣ ହୋଇଥିବା ବେଳେ ସିଟିଓ ଚାଣକ୍ୟ ପ୍ରଯୁକ୍ତିଗତ ବିଦ୍ୟାରେ ବେଶ୍ ବିଚକ୍ଷଣ। ଡକ୍ଟର୍ ଏ ପି ଜେ ଅବ୍ଦୁଲ୍ କଲାମ୍ଙ୍କ ଦ୍ବାରା ଉଦ୍ବୁଦ୍ଧ ହୋଇ ପ୍ରଣବ ତାଙ୍କ ସମ୍ମାନାର୍ଥେ ଉତ୍ପାଦିତ ବାୟୋନିକ୍ ବାହୁର ନାମ କଲ୍ଆର୍ମ ଦେଇଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମତରେ, ବିଶ୍ବବ୍ୟାପୀ ୩୫ରୁ ୪୦ ନିୟୁତ ବ୍ୟକ୍ତି କୃତ୍ରିମ ଅବୟବ ଆବଶ୍ୟକ କରୁଛନ୍ତି। ମାତ୍ର ସେମାନଙ୍କ ମଧ୍ୟରୁ ପ୍ରାପ୍ତ ହେଉଛନ୍ତି ମାତ୍ର ୧୦ ପ୍ରତିଶତ। ଅତ୍ୟଧିକ ମହଙ୍ଗା, ସୀମିତ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଓ ତାଲିମପ୍ରାପ୍ତ ବିଶେଷଜ୍ଞ ସଙ୍କଟ ଆଦି କୃତ୍ରିମ ଅବୟବ ନିମନ୍ତେ ପ୍ରତିବନ୍ଧକ ସୃଷ୍ଟି କରୁଛି। ବିଶେଷକରି, ସ୍ବଳ୍ପ ଆୟକାରୀ ଦେଶମାନଙ୍କରେ ଅବୟବ କଟିଯାଇଥବା ଲୋକେ ଉନ୍ନତ କୃତ୍ରିମ ଅବୟବ କିଣିବାକୁ ସମର୍ଥ ହେଉନାହାନ୍ତି।
ଏ ସଙ୍କଟ ପ୍ରସଙ୍ଗରେ ପ୍ରଣବ କହନ୍ତି, ‘‘ବିକଶିତ ଦେଶମାନଙ୍କରେ ନିର୍ମିତ କୃତ୍ରିମ ଅବୟବ ଖୁବ୍ ମହଙ୍ଗା। ତାହା କିଣିବା, ଚଳାଇବା, ମରାମତି କରିବା ଓ ବଦଳାଇବା ପାଇଁ ସାଧାରଣ ଲୋକଙ୍କ ପାଖରେ ଆର୍ଥିକ ସମ୍ବଳ ନାହିଁ। କିନ୍ତୁ, ସେସବୁ କୃତ୍ରିମ ଅବୟବ ମୂଲ୍ୟଠାରୁ ଦଶଗୁଣ କମ୍ ମୂଲ୍ୟରେ ଆମେ ଏଆଇଚାଳିତ ରୋବୋଟିକ୍ ଓ ଥ୍ରି-ଡି ପ୍ରିଣ୍ଟେଡ୍ କଲ୍ଆର୍ମ ଯୋଗାଇ ଦେଉଛୁ। ସେନ୍ସର ଓ ମୋଟୋର୍ ସମେତ ଏଥିପାଇଁ ଆବଶ୍ୟକ ଉପକରଣ ସବୁ ଆମେ ନିଜେ ପ୍ରସ୍ତୁତ କରୁଥିବାରୁ ଉତ୍ପାଦ ଶସ୍ତାରେ ମିଳିପାରୁଛି।’’
Follow Us