ଓଡ଼ିଶା ଧୀରେଧୀରେ ବୟସ୍କ ହେଉଛି। ୨୦୩୬ ବେଳକୁ ଏହି ଚିତ୍ର ଆହୁରି ବଦଳିଯିବ। ଏହାକୁ ଦେଖି ରାଜ୍ୟରେ ଭିନ୍ନକ୍ଷମ ଓ ତୃତୀୟଲିଙ୍ଗୀଙ୍କ ଚିହ୍ନଟ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। ରାଜ୍ୟରେ ଥିବା ବୟସ୍କ ସମ୍ମାନର ସହ ବଞ୍ଚିବେ, ଭିନ୍ନକ୍ଷମ ଓ ତୃତୀୟଲିଙ୍ଗୀ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ, ଏଥିପାଇଁ ସରକାରୀସ୍ତରରେ ବ୍ୟାପକ ଯୋଜନା ଆରମ୍ଭ ହୋଇଛି। ଏମାନେ ଦୟା ନୁହେଁ କରୁଣା ଲୋଡୁଛନ୍ତି। ଚଳିତବର୍ଷ ରାଜ୍ୟ ସରକାର ଏହି ୩ବର୍ଗ ପାଇଁ ଅନେକ ଗୁଡ଼ିଏ ନୂଆ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଭିନ୍ନକ୍ଷମ ଓ ବୟସ୍କଙ୍କ ଭତ୍ତା ବଢ଼ିଛି। ତୃତୀୟଲିଙ୍ଗୀଙ୍କ ପାଇଁ କଲ୍ୟାଣ ବୋର୍ଡ ଗଠନ ହୋଇଛି। ଶିଶୁଙ୍କଠାରେ କେଉଁ ପ୍ରକାର ଭିନ୍ନକ୍ଷମତା ରହିଛି ତାହାର ଚିହ୍ନଟ ପାଇଁ ପ୍ରସ୍ତୁତି ହୋଇଛି। ଏସବୁ ସତ୍ତ୍ବେ ସରକାରୀ ବ୍ୟବସ୍ଥାରେ ପରିବର୍ତ୍ତନ ଆସିନାହିଁ। ଭିନ୍ନକ୍ଷମମାନେ ଠିକ୍ ସମୟରେ ପ୍ରମାଣପତ୍ର ପାଇପାରୁ ନାହାନ୍ତି। ବୟସ୍କଙ୍କୁ ଭତ୍ତା ଟଙ୍କା ପାଇଁ ଘୁଷୁଡ଼ି ଘୁଷୁଡ଼ି ସରକାରୀ କାର୍ଯ୍ୟାଳୟ ଯିବାକୁ ପଡ଼ୁଛି। ଏମିତିକି ସେମାନଙ୍କ ଭତ୍ତା ଟଙ୍କା ହଡ଼ପ କରିଦିଆଯାଉଛି। ସରକାରୀ ବ୍ୟବସ୍ଥା ଓ ବାବୁମାନଙ୍କ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ନ ଆସିଲେ ଭିନ୍ନକ୍ଷମ ଓ ବୟସ୍କମାନେ ସମ୍ମାନର ସହ ସମାଜରେ ବଞ୍ଚିବା କଷ୍ଟକର ହୋଇପଡ଼ିବ।
Subhashit: ସୁଭାଷିତ: କେହି ବୁଝାଇ ପାରିବେନି
ଭତ୍ତା ବଢ଼ିଲା, ତଥାପି ଘୁଷୁଡ଼ିଲେ
ରାଜ୍ୟ ସରକାର ୮୦ବର୍ଷରୁ ଅଧିକ ବୃଦ୍ଧବୃଦ୍ଧା ଓ ୮୦%ରୁ ଅଧିକ ଭିନ୍ନକ୍ଷମଙ୍କ ଭତ୍ତା ପରିମାଣ ସାଢ଼େ ୩ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। ୮୦ବର୍ଷରୁ ଅଧିକ ଓ ୮୦%ରୁ ଅଧିକ ଭିନ୍ନକ୍ଷମତା ଥିବା ବ୍ୟକ୍ତିଙ୍କ ସଂଖ୍ୟା ରାଜ୍ୟରେ ୨.୯ଲକ୍ଷରୁ ଅଧିକ ରହିଛି। ସେହିପରି ଅତିରିକ୍ତ ୮୩ହଜାର ୧୩୫ ଜଣ ହିତାଧିକାରୀଙ୍କୁ ପ୍ରତିମାସ ୩୫ଶହ ଟଙ୍କା ବର୍ଦ୍ଧିତ ହାରରେ ସାମାଜିକ ସୁରକ୍ଷା ପେନ୍ସନ୍ ମଞ୍ଜୁର କରାଯାଇଛି। ଶାରୀରିକ ଅକ୍ଷମ ଓ ବୃଦ୍ଧବୃଦ୍ଧା ହିତାଧିକାରୀଙ୍କ ଘରେ ଭତ୍ତା ଟଙ୍କା ପହଞ୍ଚାଇବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାସତ୍ତ୍ବେ ରାଜ୍ୟର ବିଭିନ୍ନ ସ୍ଥାନରେ ବୟସ୍କମାନେ ଭତ୍ତା ପାଇଁ ଘୁଷୁଡ଼ି ଘୁଷୁଡ଼ି ରାସ୍ତାରେ ଯାଉଥିବାର ଚିତ୍ର ଜନସାଧାରଣଙ୍କୁ ବିଚଳିତ କରିଥିଲା। କେନ୍ଦ୍ରାପଡ଼ା ଜିଲ୍ଲାରେ ଏଭଳି ଜଣେ ବୃଦ୍ଧଙ୍କ କାହାଣୀ ଚର୍ଚ୍ଚାରେ ରହିଥିଲା। ସେହିପରି ରାୟଗଡ଼ା ଜିଲ୍ଲା କାଶୀପୁରରେ ଜଣେ ବୃଦ୍ଧା ଭତ୍ତା ଟଙ୍କା ପାଇଁ ଝୁଡ଼ିରେ ୩ କିମି ବୁହା ହେବା ଘଟଣା ମଧ୍ୟ ସରକାରୀ ବ୍ୟବସ୍ଥାର ବିକଳ ଚିତ୍ରକୁ ସାମନାକୁ ଆଣିଥିଲା। କେବଳ ସେତିକି ନୁହେଁ ଅନେକ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ମଧ୍ୟ ବଞ୍ଚିତ ହୋଇଥିବାର ଅଭିଯୋଗ ଆସୁଛି। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ରେ ଏଭଳି ଜଣେ ହିତାଧିକାରୀ ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ନଜରକୁ ଆସିଥିଲା। ରାଜ୍ୟର କେତେକ ସ୍ଥାନରେ ବୃଦ୍ଧବୃଦ୍ଧାଙ୍କ ଟଙ୍କା ହଡ଼ପ କରାଯାଇଥିବାର ଖବର ମଧ୍ୟ ବେଶ ଆଲୋଡ଼ନା ସୃଷ୍ଟି କରିଥିଲା।
Thick smog: ଦିଲ୍ଲୀରେ ଘନ ଧୂଆଁକୁହୁଡ଼ି
ପ୍ରମାଣପତ୍ର ପାଇଁ ହନ୍ତସନ୍ତ
ରାଜ୍ୟର ଭିନ୍ନକ୍ଷମମାନେ ପ୍ରମାଣପତ୍ର ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଭିନ୍ନକ୍ଷମଙ୍କୁ ଦିଆଯାଉଥିବା ସ୍ବତନ୍ତ୍ର କାର୍ଡ(ୟୁଡିଆଇଡି) ରାଜ୍ୟର ବହୁ ଜିଲ୍ଲାରେ ତ୍ବରାନ୍ବିତ ହୋଇପାରୁନାହିଁ। ବିଧାନସଭାର ଷ୍ଟାଣ୍ଡିଂ କମିଟି ଚିନ୍ତା ପ୍ରକଟ କରିବା ପରେ ଅଧିକ ମେଡିକାଲ ବୋର୍ଡ ଗଠନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ମେଡିକାଲ ବୋର୍ଡ ଗଠନ ପାଇଁ ସାମାଜିକ ସୁରକ୍ଷା ବିଭାଗ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ପ୍ରସ୍ତାବ ଦେଇଥିଲା। ମାତ୍ର ଏଥିରେ ବି ସମସ୍ୟା ଉପୁଜିଥିଲା। ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ୧୪ଟି ମେଡିକାଲ କଲେଜରେ ଏହି ବ୍ୟବସ୍ଥା ପାଇଁ ସାମାଜିକ ସୁରକ୍ଷା ବିଭାଗକୁ ପ୍ରସ୍ତାବ ଦେଇଥିଲା। କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ୟୁଜର ଆଇଡି ଓ ଲଗ୍ ଇନ୍ ବ୍ୟବସ୍ଥା କରାଯାଇଛି। ୟୁଡିଆଇଡି ପୋର୍ଟାଲରେ ଏସ୍ସିବି ମେଡିକାଲ, ଏମ୍କେସିଜି ବ୍ରହ୍ମପୁର, ଭିମ୍ସାର, ବୁର୍ଲା, ବାଲେଶ୍ବର, କୋରାପୁଟ, ବଲାଙ୍ଗୀର, କେନ୍ଦୁଝର, କଳାହାଣ୍ଡି, ଯାଜପୁର, ବାରିପଦା, ସୁନ୍ଦରଗଡ଼, ପୁରୀ, ଅନୁଗୁଳ ଓ କନ୍ଧମାଳମେଡିକାଲ କଲେଜକୁ ସାମିଲ କରାଯାଇଛି।
ଘର ପାଖରେ ୧୦୦ଦିନର କାମ
ରାଜ୍ୟରେ ଅନେକ ଭିନ୍ନକ୍ଷମ ପରିବାର ଚଳାଇବା ପାଇଁ ଭିକ୍ଷା ବୃତ୍ତି କରୁଛନ୍ତି। ଏହାର ବଦଳରେ ଭିନ୍ନକ୍ଷମଙ୍କୁ ୧୦୦ଦିନର କାମ ଦେବା ପାଇଁ ସରକାର ବଡ଼ ଯୋଜନା କରିଛନ୍ତି। ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ଦିବ୍ୟାଙ୍ଗଙ୍କ ସ୍ବାର୍ଥକୁ ଅଗ୍ରାଧିକାର ମିଳିବ। ସେମାନଙ୍କୁ ଜବ୍କାର୍ଡ ମିଳିବ। ସ୍ବାମୀ ଓ ସ୍ତ୍ରୀ ଉଭୟ ଭିନ୍ନକ୍ଷମ ଥିଲେ ସେମାନଙ୍କୁ ଗୋଟିଏ ଜବ୍କାର୍ଡ ମିଳିବ। ପଞ୍ଚାୟତ ଅଧିକାରୀ ଏଥିପାଇଁ ଯୋଜନା ପ୍ରସ୍ତୁତ କରିବେ। ଭିନ୍ନକ୍ଷମ ଶକ୍ତି ଗ୍ରୁପ୍ ଗଠନ ହେବ। ଏହି ଗ୍ରୁପ୍ ଜରିଆରେ ପଞ୍ଚାୟତ ଓ ବ୍ଲକ୍ ଅଧିକାରୀ ଭିନ୍ନକ୍ଷମଙ୍କ ଭଲ ମନ୍ଦ ବୁଝିବେ। ମହିଳା ଭିନ୍ନକ୍ଷମଙ୍କ ପିଲାଙ୍କ ଯତ୍ନ ପାଇଁ କ୍ରେଚ୍ ସୁବିଧା ମଧ୍ୟ ରହିବ। ଭିନ୍ନକ୍ଷମ ମା’ମାନେ କାମ କରିବାକୁ ଗଲେ ଗ୍ରୁପ୍ର ଜଣେ ମହିଳା ଭିନ୍ନକ୍ଷମ ଏହି କ୍ରେଚ୍ରେ ଆୟା ଭାବେ ରହିବେ। ପିଲାଙ୍କ ଯତ୍ନ ନେବା ପାଇଁ ସେମାନଙ୍କୁ ମନରେଗାରେ ମଜୁରି ମିଳିବ। ସବୁ ଜିଲ୍ଲାରେ ଜିଲ୍ଲାପାଳମାନେ ଏହି ଯୋଜନାର ଯେପରି ସଫଳ ରୂପାୟନ କରିବେ ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି।
/filters:format(webp)/sambad/media/media_files/2025/12/19/untitled-15-2025-12-19-08-20-11.jpg)
କମିଟି ଆଧାରରେ ଭିନ୍ନକ୍ଷମ ନୀତି
ରାଜ୍ୟରେ ଥିବା ଭିନ୍ନକ୍ଷମଙ୍କୁ ଗୁରୁତ୍ବ ମିଳିବ। ସେମାନଙ୍କ ପାଇଁ ଆସିବ ଭିନ୍ନକ୍ଷମ ନୀତି। ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ଆଇନ ୨୦୧୬ ଅନୁଯାୟୀ ଏହି ନୀତି ପ୍ରଣୟନ କରାଯିବ। ଏଥିପାଇଁ ଏକ ୧୬ଜଣିଆ ଚିଠା କମିଟି ଗଠନ କରାଯାଇଛି। ସାମାଜିକ ସୁରକ୍ଷା ବିଭାଗର ପ୍ରମୁଖ ସଚିବ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି। ଭିନ୍ନକ୍ଷମ ବ୍ୟକ୍ତିମାନେ ସମାଜରେ କିଭଳି ସମାନ ଅଧିକାର ପାଇବେ, ସଶକ୍ତ ହୋଇପାରିବେ ତାହା ଉପରେ ଏହି କମିଟି ବିଶେଷ ଧ୍ୟାନ ଦେବ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ହୋଇଥିବା ବିଭିନ୍ନ ପଦକ୍ଷେପକୁ ନେଇ ଏହି କମିଟି ନୀତି ପ୍ରଣୟନ କରିବେ।
ଭିନ୍ନକ୍ଷମ ଓ ବୟସ୍କଙ୍କୁ ସମ୍ଭାଳିବେ କର୍ପୋରେଟ୍
ଓଡ଼ିଶା ଧୀରେଧୀରେ ବୟସ୍କ ରାଜ୍ୟ ଆଡ଼କୁ ଗତି କରୁଛି। ରାଜ୍ୟରେ ବୟସ୍କ ବ୍ୟକ୍ତି ଓ ଭିନ୍ନକ୍ଷମଙ୍କ ଆଶ୍ରୟ ପାଇଁ ସରକାର ସମନ୍ବିତ ଭିତ୍ତିଭୂମି କମ୍ପ୍ଲେକ୍ସ(ଆଇଆଇସି) ନିର୍ମାଣ କରିଛନ୍ତି। ବର୍ତ୍ତମାନସୁଦ୍ଧା ୮ଟି ଆଇଆଇସି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଓ ୪ଟି ନିର୍ମାଣ ଜାରି ରହିଛି। ୩୦ଟି ଜିଲ୍ଲାରେ ଏହା ପ୍ରତିଷ୍ଠା ହେଲେ ୧୨ହଜାରରୁ ଅଧିକ ବୟସ୍କ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଏଥିରେ ଆଶ୍ରୟ ମିଳିବ। ଏଣିକି ଆଇଆଇସିକୁ ଏନ୍ଜିଓ ଓ କର୍ପୋରେଟ୍ ହାଉସ୍ ଦ୍ବାରା ପରିଚାଳନା କରାଯିବ। ଆଇଆଇସି ଗୁଡ଼ିକରେ ମେଡିକାଲ ଯତ୍ନ, ଥେରାପ୍ୟୁଟିକ ସେବା, କାଉନ୍ସେଲିଂ ଓ ଅନ୍ୟାନ୍ୟ ସେବା ଉପଲବ୍ଧ ହେବ। ଯେଉଁ କର୍ପୋରେଟ୍ ହାଉସ ଆଇଆଇସି ପରିଚାଳନା ପାଇଁ ଚୟନ ହେବ ସେମାନଙ୍କୁ ୩ ବର୍ଷ ପାଇଁ ପରିଚାଳନା ଦାୟିତ୍ବ ମିଳିବ। କାମକୁ ଦେଖି ଆଉ ୨ବର୍ଷ ପାଇଁ ଚୁକ୍ତିନାମାକୁ ବୃଦ୍ଧି କରାଯିବ। କର୍ପୋରେଟ୍ ହାଉସ୍ ଭଳି ଏନ୍ଜିଓଙ୍କୁ ମଧ୍ୟ ସମାନ ଅବଧି ପାଇଁ ପରିଚାଳନା ଦାୟିତ୍ବ ମିଳିବ। ରାଜ୍ୟରେ ଧୀରେଧୀରେ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସେମାନଙ୍କୁ ପୁନର୍ବାସ ଓ ଥଇଥାନ ଦିଗରେ ଆଇଆଇସି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି।
ତୃତୀୟଲିଙ୍ଗୀଙ୍କ ପାଇଁ ସ୍ବୟଂ ସହାୟକ ଗୋଷ୍ଠୀ
ତୃତୀୟଲିଙ୍ଗୀଙ୍କ ପାଇଁ ଖୁସି ଖବର। ଯୋଜନାର ସୁଫଳ ପହଞ୍ଚାଇବା ଲାଗି ଗଠନ ହେବ ତୃତୀୟଲିଙ୍ଗୀ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍ଏଚ୍ଜି)। ମହିଳା ଏସ୍ଏଚ୍ଜି ଢାଞ୍ଚାରେ ଏହାକୁ ଗଠନ କରାଯିବ। ତୃତୀୟଲିଙ୍ଗୀଙ୍କ ପାଇଁ କାମ କରୁଥିବା ଗୋଷ୍ଠୀ ଭିତ୍ତିକ ସଂଗଠନ(ସିବିଓ) କିମ୍ବା ଏନ୍ଜିଓଙ୍କ ଜରିଆରେ ଏହାକୁ ଗଠନ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷରୁ ୨୦୨୯-୩୦ ପର୍ଯ୍ୟନ୍ତ ‘ସ୍ବୀକୃତି’ ଯୋଜନାରେ ନିଆଯିବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ପୂର୍ବରୁ କାର୍ଯ୍ୟକାରୀ ହୋଇଥିବା କାର୍ଯ୍ୟକ୍ରମରେ କେତେକ ସଂଶୋଧନ କରାଯାଇଛି। ଯେଉଁ ଜିଲ୍ଲାରେ ତୃତୀୟଲିଙ୍ଗୀଙ୍କ ସଂଖ୍ୟା ଅଧିକ ରହିଛି ସେସବୁ ଜିଲ୍ଲାରେ ଆଶ୍ରୟସ୍ଥଳ ପ୍ରତିଷ୍ଠା କରାଯିବ।
ଖୁସି ଆଣିଲା ‘କଲ୍ୟାଣ ବୋର୍ଡ’
ରାଜ୍ୟରେ ଥିବା ତୃତୀୟଲିଙ୍ଗୀଙ୍କ ପୁନର୍ବାସ ଓ କଲ୍ୟାଣ ପାଇଁ ରାଜ୍ୟ ସରକାର ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ ଗଠନ କରିଛନ୍ତି। ପ୍ରତି ୩ମାସରେ ଥରେ ବୋର୍ଡର ବୈଠକ ବସିବ। ଏଥିରେ ୧୬ଜଣ ସଦସ୍ୟ ରହିଛନ୍ତି। ଆସନ୍ତା ୩ବର୍ଷ ପାଇଁ ଏହି ବୋର୍ଡ କାର୍ଯ୍ୟ କରିବ। ତୃତୀୟଲିଙ୍ଗୀମାନଙ୍କ ଶିକ୍ଷା, ନିଯୁକ୍ତି, ଗୃହ ଓ ସ୍ବାସ୍ଥ୍ୟ ଯୋଜନାର ତଦାରଖ କରିବା ସହ ସେମାନଙ୍କ ସାମ୍ବିଧାନିକ ଓ ମାନବିକ ଅଧିକାରର ସୁରକ୍ଷା କରିବା ଦିଗରେ ବୋର୍ଡ କାର୍ଯ୍ୟ କରିବ। ସେହିପରି ଜିଲ୍ଲାସ୍ତରରେ ତୃତୀୟଲିଙ୍ଗୀଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମର ଉପଯୁକ୍ତ କାର୍ଯ୍ୟକାରିତାର ତଦାରଖ, କେନ୍ଦ୍ର-ରାଜ୍ୟ ସରକାରଙ୍କ ଭିତରେ ସମନ୍ବୟ ରକ୍ଷା, ତୃତୀୟଲିଙ୍ଗୀଙ୍କ ପାଇଁ ଥିବା ଯୋଜନା ଠିକଣା ଢଙ୍ଗରେ କାର୍ଯ୍ୟକାରୀ କରିବା ଦିଗରେ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ ଦିଗରେ ପଦକ୍ଷେପ ନିଆଯିବ। ରାଜ୍ୟରେ ବର୍ତ୍ତମାନ ୩୧୭୨ଜଣ ତୃତୀୟଲିଙ୍ଗୀ ରହିଛନ୍ତି। ତୃତୀୟଲିଙ୍ଗୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ତଥା ଆର୍ଥିକ ଭାବେ ସୁଦୃଢ଼ କରିବା ପାଇଁ ସରକାର ‘ସ୍ବୀକୃତି’ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ ତୃତୀୟଲିଙ୍ଗୀଙ୍କୁ ଦକ୍ଷତା ବିକାଶ ତାଲିମ, ଛାତ୍ରବୃତ୍ତି, ବ୍ୟକ୍ତିତ୍ବ ବିକାଶ ପ୍ରଶିକ୍ଷଣ, ସ୍ବୟଂ ସହାୟକ ଗୋଷ୍ଠୀ ଗଠନ ସଚେତନତା କାର୍ଯ୍ୟକ୍ରମ କରିବାର ବ୍ୟବସ୍ଥା କରାଯାଇଛି। ଗତ ୨୦ବର୍ଷ ଧରି ରାଜ୍ୟରେ ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ ଗଠନ ପାଇଁ ବିଭିନ୍ନ ସମୟରେ ତୃତୀୟଲିଙ୍ଗୀ ସଂଗଠନମାନେ ଦାବି କରିଆସୁଥିଲେ।
ଜନ୍ମରୁ ଭିନ୍ନକ୍ଷମ ଶିଶୁଙ୍କୁ ଖୋଜିବେ ସରକାର
ରାଜ୍ୟରେ ଜନ୍ମରୁ ୬ବର୍ଷ ଭିତରେ କେତେ ସଂଖ୍ୟାରେ ଭିନ୍ନକ୍ଷମ ଶିଶୁ ରହିଛନ୍ତି ତାକୁ ସରକାର ଖୋଜିବେ। ସାମାଜିକ ସୁରକ୍ଷା ଓ ମହିଳା ଓ ଶିଶୁ ବିକାଶ ବିଭାଗ ମିଳିତଭାବେ ଏଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଯାହାଫଳରେ ଭିନ୍ନକ୍ଷମ ଶିଶୁଙ୍କ ଉପଯୁକ୍ତ ଯତ୍ନ, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଓ ପୁନର୍ବାସକୁ ଗୁରୁତ୍ବ ଦିଆଯାଇପାରିବ। ଶିଶୁଙ୍କ ନିକଟରେ କେଉଁ ପ୍ରକାରର ଭିନ୍ନକ୍ଷମତା ରହିଛି ତାହାର ଠିକ୍ ଓ ବ୍ୟାପକ ତଥ୍ୟ ସଂଗ୍ରହ କରାଯିବ। ଅଙ୍ଗନବାଡ଼ି କର୍ମୀ ଘରକୁ ଘର ବୁଲି ଭିନ୍ନକ୍ଷମ ଶିଶୁଙ୍କୁ ଚିହ୍ନଟ କରିବେ। ମେଡିକାଲ ରେକର୍ଡ ଅନୁସାରେ ଶିଶୁଠାରେ କେଉଁ ପ୍ରକାରର ଓ କେତେ ପରିମାଣର ଭିନ୍ନକ୍ଷମତା ରହିଛି ତାହାର ଚିହ୍ନଟ କରାଯିବ। ଯେଉଁ ଶିଶୁଙ୍କ ଭିନ୍ନକ୍ଷମତା ତଥ୍ୟ ସଂଗ୍ରହ କରାଯିବ ତାହାକୁ ସଂପୂର୍ଣ୍ଣ ଗୋପନୀୟ ରଖାଯିବ। ବିନା କୌଣସି ବାଛବିଚାର ଓ ପକ୍ଷପାତରେ ତଥ୍ୟ ସଂଗ୍ରହ ହେବ। ସର୍ଭେ ପାଇଁ ପ୍ରତି ଜିଲ୍ଲାକୁ ୧ଲକ୍ଷ ଟଙ୍କା ମିଳିବ।
ବାର୍ଷିକ ବଜେଟ୍ରେ ୫%
ଭିନ୍ନକ୍ଷମଙ୍କ ସଶକ୍ତୀକରଣ ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ସରକାରୀ ବିଭାଗଗୁଡ଼ିକ ନିଜର ବାର୍ଷିକ ବଜେଟ୍ରେ ଅତିକମ୍ରେ ୫% ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷିତ ରଖିବେ। ସରକାରଙ୍କ ୪୧ଟି ବିଭାଗ ଏହାକୁ କାର୍ଯ୍ୟକାରୀ କରିବା ଲାଗି କୁହାଯାଇଛି। ରାଜ୍ୟରେ ଏବେ ୧୨ଲକ୍ଷ ୪୪ହଜାର ୯୦୨ ଭିନ୍ନକ୍ଷମ ରହିଛନ୍ତି। ଜନସଂଖ୍ୟା ଦୃଷ୍ଟିରୁ ଏମାନଙ୍କ ସଂଖ୍ୟା କମ୍ ହୋଇଥିଲେ ହେଁ ଗ୍ରାମାଞ୍ଚଳ, ପାହାଡ଼ିଆ ଅଞ୍ଚଳ ଓ ଜଙ୍ଗଲରେ ବସବାସ କରୁଛନ୍ତି। ସେମାନଙ୍କ ଆର୍ଥିକ ଉନ୍ନତି ପାଇଁ ବିଭିନ୍ନ ବିଭାଗର ସହଯୋଗର ଆବଶ୍ୟକତା ରହିଛି। ୨୦୪୭ ମସିହାରେ ବିକଶିତ ଭାରତ ଯୋଜନାରେ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ରୋଡ୍ମ୍ୟାପ୍ର ଆବଶ୍ୟକତା ରହିଥିବାରୁ ସମସ୍ତ ବିଭାଗ ଜଣେ ନୋଡାଲ୍ ଅଧିକାରୀଙ୍କୁ ନିଯୁକ୍ତ କରିବା ଲାଗି ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
ହସ୍ପିଟାଲରେ ଧାଡ଼ିରେ ଆସିବାକୁ ବାରଣ
ଅନ୍ୟ ରୋଗୀଙ୍କ ପରି ଭିନ୍ନକ୍ଷମ ରୋଗୀମାନେ ହସ୍ପିଟାଲରେ ଧାଡ଼ିରେ ଆସୁଛନ୍ତି। ତେବେ ଭିନ୍ନକ୍ଷମ ରୋଗୀଙ୍କୁ ଧାଡ଼ିରେ ନ ଆସିବା ଲାଗି କୁହାଯାଉ। ସେମାନଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରିବା ଲାଗି ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏଭଳି ପ୍ରସ୍ତାବ ଦିଆଯାଇଛି। ଆଇନ ତଥା ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ଅଗ୍ରାଧିକାର ଦେବା, ଭିନ୍ନକ୍ଷମଙ୍କ ପାଇଁ ଡାକ୍ତରଖାନାରେ ଉପଲବ୍ଧ ବିଭିନ୍ନ ଯୋଜନା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି।
ବିବାହ ପ୍ରୋତ୍ସାହନରେ ଅବ୍ୟବସ୍ଥା
ଭିନ୍ନକ୍ଷମଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାର ଏକ ଅଭିନବ ପ୍ରୟାସ କରିଛନ୍ତି। ଭିନ୍ନକ୍ଷମଙ୍କୁ ସାଧାରଣ ବ୍ୟକ୍ତି ବିବାହ କଲେ ତାଙ୍କୁ ରାଜ୍ୟ ସରକାର ୨.୫ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ଦେବେ। ହିତାଧିକାରୀଙ୍କୁ ଏହି ପ୍ରୋତ୍ସାହନ ରାଶି ୩ଟି କିସ୍ତିରେ ପ୍ରଦାନ କରାଯିବ। ପ୍ରୋତ୍ସାହନ ରାଶି ପାଇଁ ଭିନ୍ନକ୍ଷମ ହିତାଧିକାରୀ ବିବାହର ରେଜିଷ୍ଟ୍ରେସନ୍ କରିବାର ବର୍ଷକ ମଧ୍ୟରେ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବେ। ବିବାହର ପ୍ରଥମ ବର୍ଷ ପୂରଣ ହେଲେ ୨୫ହଜାର(୧୦%), ଦ୍ବିତୀୟ ବର୍ଷ ପରେ ୨୫ହଜାର(୧୦%) ଓ ତୃତୀୟ ବର୍ଷ ପୂରଣ ପରେ ୨ଲକ୍ଷ ଟଙ୍କା ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ଏହି ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଓ ଏଚ୍ଡିଏଫ୍ସି ବ୍ୟାଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ହେଲେ ସମୀକ୍ଷା କରିବା ସମୟରେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଭିନ୍ନକ୍ଷମଙ୍କୁ ବିବାହ କରିଥିବା ଅନେକ ବ୍ୟକ୍ତି ଏଭଳି ଟଙ୍କା ପାଇ ନ ଥିବା ଜଣାପଡ଼ିଥିଲା। ଅନେକ ଲୋକ ବହୁଦିନ ଧରି ଏଥିପାଇଁ ଆବେଦନ କରିଛନ୍ତି। ମାତ୍ର ସେମାନଙ୍କୁ ଏହି ରାଶି ମିଳି ନ ଥିବା ନଜରକୁ ଆସିବା ପରେ ଏହି ବ୍ୟକ୍ତିମାନଙ୍କୁ ତୁରନ୍ତ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବା ଲାଗି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
/filters:format(webp)/sambad/media/media_files/2025/12/19/untitled-16-2025-12-19-08-21-46.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/19/untitled-14-2025-12-19-08-18-47.jpg)