ଫାଲଗୁନ ମାସ ଶୁକ୍ଳପକ୍ଷ ଏକାଦଶୀର ନାମ ‘ଆମଳକୀ’ ଏକାଦଶୀ। ‘ପଦ୍ମପୁରାଣ’ ଅନୁସାରେ- ଯୁଧିଷ୍ଠିରଙ୍କ ପ୍ରଶ୍ନରେ ଶ୍ରୀକୃଷ୍ଣ ତାଙ୍କୁ ଏହି ଏକାଦଶୀର ମାହାତ୍ମ୍ୟ କହିଛନ୍ତି। ପୂର୍ବେ ମାନ୍ଧାତାଙ୍କୁ ବଶିଷ୍ଠ ଏହା କହିଥିଲେ ବୋଲି ସେ ସୂଚନା ଦେଇଛନ୍ତି। ଏହି ଏକାଦଶୀ ପବିତ୍ର ଓ ପାପନାଶକ ଏବଂ ଏହାଦ୍ବାରା ବିଷ୍ଣୁଲୋକ ପ୍ରାପ୍ତ ହୁଏ ବୋଲି ମଧ୍ୟ ସେ କହିଛନ୍ତି।

Advertisment

ଏହି ଏକାଦଶୀରେ ଅଁଳା ବୃକ୍ଷ ମୂଳରେ ଜାଗର ପାଳି ବ୍ରତ କରାଯାଏ। ଅଁଳାବୃକ୍ଷର ଉତ୍ପତ୍ତି ସଂପର୍କରେ କୁହାଯାଇଛି- ଯେତେବେଳେ ଏକାର୍ଣ୍ଣବ ବା ମହାପ୍ରଳୟ ହେଲା, ସେତେବେଳେ ସମସ୍ତ ସ୍ଥାବର, ଜଙ୍ଗମ ଏବଂ ଦେବତା, ଅସୁର, ଉରଗ (ସର୍ପ) ଓ ରାକ୍ଷସ ଆଦି ନଷ୍ଟ ହୋଇଗଲେ। ଭଗବାନ ବିଷ୍ଣୁ ମଧ୍ୟ ନିଜର ଅବ୍ୟୟଧାମକୁ ଯାଇ ନିଦ୍ରାଗତ ହେଲେ। ସେ ଯେତେବେଳେ ନିଦରୁ ଉଠିଲେ, ତାଙ୍କର ମୁଖରୁ ଚନ୍ଦ୍ରଙ୍କ ତୁଲ୍ୟ ଶୁଭ୍ର ପଦାର୍ଥ ପୃଥିବୀରେ ପଡ଼ିଲା। ସେଥିରୁ ଅଁଳା ବୃକ୍ଷର ଉତ୍ପତ୍ତି ହେଲା। ‌େସହି ବୃକ୍ଷ ଘଞ୍ଚ ଓ ଫଳଭାରରେ ଅବନତ ଥିଲା। ତାହା ଥିଲା ସମସ୍ତ ବୃକ୍ଷଙ୍କ ମଧ୍ୟରେ ପ୍ରଥମ। ତାହା ପରେ ଯାଇ ବ୍ରହ୍ମା ଦେବ, ଦାନବ, ଯକ୍ଷ, ଗନ୍ଧର୍ବ, ରାକ୍ଷସ ଓ ପନ୍ନଗ (ସର୍ପ) ଆଦିଙ୍କୁ ସୃଷ୍ଟି କଲେ।

Cricket: ବଧିର କ୍ରିକେଟ୍‌ ଏସିଆ କପ୍‌ ଉଦ୍‌ଘାଟିତ: ବିଜୟରୁ ଭାରତର ଅଭିଯାନ

ଏଣୁ ଆଦିବୃକ୍ଷ ଭାବରେ ଅଁଳା ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ। ଏହା ବୈଷ୍ଣବୀ ବୃକ୍ଷ। ଏହାର ମୂଳରେ ବିଷ୍ଣୁ, ସ୍କନ୍ଧରେ ଶିବ ଏବଂ ଶିଖରରେ ବ୍ରହ୍ମା ନିବାସ କରନ୍ତି। ଏହାର ଶାଖାରେ ମୁନିମାନେ ଓ ପ୍ରଶାଖାରେ ଦେବତାମାନେ ବାସ କରନ୍ତି। ଏହାର ପୁଷ୍ପରେ ମରୁତ୍‌ ଦେବତା ଏବଂ ଫଳରେ ପ୍ରଜାପତିଗଣ ବାସ କରନ୍ତି। ଏଣୁ ଅଁଳାବୃକ୍ଷକୁ ସର୍ବଦେବମୟୀ କୁହାଯାଏ। ବିଷ୍ଣୁଭକ୍ତଙ୍କ ପାଇଁ ଏହା ‌ସବୁଠୁ ବେଶୀ ପୂଜନୀୟ ବୃକ୍ଷ।

Viksit Bharat 2047: ସମଗ୍ର ବିଶ୍ୱରେ ଡିଜିଟାଲ ପରିବର୍ତ୍ତନ ଦ୍ରୁତ ଗତିରେ ଘଟୁଛି: ଅଖିଳ କୁମାର ମିଶ୍ର

ଶ୍ରୀକୃଷ୍ଣ ଆହୁରି ମଧ୍ୟ କହିଛନ୍ତି–ଏକଦା ବି‌ଷ୍ଣୁଙ୍କୁ ପ୍ରକଟ ରୂପରେ ଦେଖି ଋଷିଗଣ ପଚାରିଲେ–ଆମକୁ ଏପରି ଏକ ବ୍ରତ କଥା କହନ୍ତୁ, ଯାହା କଲେ କମ୍‌ ଚେଷ୍ଟାରେ ବେଶୀ ଫଳ ମିଳେ। ତାହା ଶୁଣି ବିଷ୍ଣୁ କହିଲେ- ଆଶ୍ବିନ ମାସ ଶୁକ୍ଳପକ୍ଷ ଏକାଦଶୀ ଯଦି ପୁଷ୍ୟା ନକ୍ଷତ୍ରଯୁକ୍ତ ହୁଏ, ତେବେ ସେହି ଏକାଦଶୀ ତିଥି ମହାପାପ ବିନାଶକ ଓ ମହାପୁଣ୍ୟପ୍ରଦ ହୁଏ। ଏହି ତିଥିରେ ଅଁଳା ବୃକ୍ଷ ତଳେ ଜାଗର ପାଳିଲେ ସମସ୍ତ ପାପରୁ ମୁକ୍ତି ମିଳେ। ସେହି ତିଥିରେ ବିଷ୍ଣୁଙ୍କୁ ପୂଜା କଲେ ବୈକୁଣ୍ଠ ପ୍ରାପ୍ତି ହୁଏ। ଏହା କହି ସେ ଋଷିଗଣଙ୍କୁ ବ୍ରତର ବିଧି କହିଥିଲେ। ଋଷିମାନଙ୍କୁ ସେହି ବ୍ରତପାଳନର ବିଧି ବିଶେଷ ଭାବରେ କହି ଭଗବାନ ବିଷ୍ଣୁ ଅନ୍ତର୍ଦ୍ଧାନ ହୋଇଗଲେ। ତାହା ଅନୁସାରେ ଋଷିଗଣ ‘ଆମଳକୀ ଏକାଦଶୀ’ ବ୍ରତ ପାଳନ କରି ବୈକୁଣ୍ଠ ଲାଭ କଲେ। ଶ୍ରୀକୃଷ୍ଣ ଏହି ବ୍ରତକଥା ଯୁଧିଷ୍ଠିରଙ୍କୁ କହିବା ସହିତ, ଶେଷରେ କହିଲେ- ହେ ରାଜା! ତୁମ୍ଭେ ଏହି ବ୍ରତକୁ ବିଧି ଅନୁସାରେ ପାଳନ କର। କାରଣ ଏହା ସମସ୍ତ ପାପରୁ ମୁକ୍ତି ଦିଏ।