ଲୋମଶମୁନି ଆଶ୍ରମ: ଭାରତୀୟ ଧର୍ମୀୟ ଓ ସାଂସ୍କୃତିକ ଇତିହାସରେ ମହର୍ଷି ଲୋମଶ ଏକ ସଶ୍ରଦ୍ଧ ଉଚ୍ଚାରଣ। ରାମାୟଣ ଓ ମହାଭାରତ ଅର୍ଥାତ୍ ତ୍ରେତୟା ଓ ଦ୍ବାପର ଉଭୟ ଯୁଗରେ ସେ ଅତ୍ୟନ୍ତ ପ୍ରଭାବଶାଳୀ ମୁନି ଭାବରେ ବର୍ଣ୍ଣିତ। ଶରୀରରେ ଅତ୍ୟଧିକ ଲୋମ ଥିବାରୁ ତାଙ୍କର ନାମ ଲୋମଶ ହୋଇଥିବାର ଜଣାଯାଏ। ଅନ୍ୟ କିଂବଦନ୍ତି ଅନୁଯାୟୀ, ଲୋମଶଙ୍କର ଅନ୍ୟ ନାମ ଥିଲା ଲୋମହର୍ଷଣ। ସେ ସର୍ବଦା ତୀର୍ଥାଟନ କରୁଥିଲେ। ସେ ଥିଲେ ‘ରାମାୟଣ’ର ପ୍ରବାଚକ। ସେ ଯେତେବେଳେ ପ୍ରବଚନ ଦେଉଥିଲେ, ଶ୍ରୋତାମାନଙ୍କର ଶରୀରରେ ରୋମାଞ୍ଚ ସୃଷ୍ଟି ହେଉଥିଲା ଏବଂ ସେମାନେ ପୁଲକିତ ହୋଇ ଉଠୁଥିଲେ। ତେଣୁ ଲୋମଶ ମୁନିଙ୍କୁ ଲୋମହର୍ଷଣ ମୁନି କୁହାଯାଉଥିଲା। ବନବାସ କାଳରେ ରାମ, ଲକ୍ଷ୍ମଣ ଓ ସୀତା ଲୋମଶ ମୁନିଙ୍କ ଆଶ୍ରମରେ କିଛି ଦିନ ଅବସ୍ଥାନ କରିଥିଲେ। ଛତିଶଗଡ଼ର ଗରିୟାବନ୍ଦ ଜିଲାର ରାଜିମ ନଗର, ଚିତ୍ରୋତ୍ପଳା (ମହାନଦୀ), ପୈରୀ ଓ ସୌଢ଼ୁର ନଦୀର ସଂଗମ ନିକଟରେ ରହିଛି କୁଳେଶ୍ବରଶିବ ମନ୍ଦିର ଓ ଲୋମଶମୁନିଙ୍କ ଆଶ୍ରମ। ପୂର୍ବରୁ ଏହି ସ୍ଥାନ କମଳ କ୍ଷେତ୍ର, ପଦ୍ମାବତୀପୁର ନାମରେ ନାମିତ ଥିଲା। ଏଠାରେ ଥିବା କୁଳେଶ୍ବର ଶିବଲିଙ୍ଗଙ୍କୁ କୁହାଯାଏ ପୃଥିବୀର ପ୍ରଥମ ପଞ୍ଚମୁଖୀ ମହାଦେବ। କିଂବଦନ୍ତି ଅନୁସାରେ, ଏହି ଶିବଲିଙ୍ଗଙ୍କୁ ମାତା ସୀତା ସ୍ଥାପନା କରିଥିଲେ। ଲୋମଶ ମୁନିଙ୍କ ଆଶ୍ରମରେ ରହଣି କାଳରେ ମାତା ସୀତା ଚିତ୍ରୋତ୍ପଳାର ତ୍ରିବେଣୀ ସଂଗମରେ ସ୍ନାନ କରି, ନିଜର କୁଳ ଦେବତାଙ୍କୁ ସ୍ମରଣ କରି, ନଈବାଲିରେ ଏକ ଶିବଲିଙ୍ଗ ସ୍ଥାପନା କରିଥିଲେ। ଯେତେବେଳେ ସେହି ଲିଙ୍ଗଙ୍କୁ ଅଭିଷେକ କରିବାପାଇଁ ସେ କ୍ଷୀର ଢାଳିଲେ, ତାହା ଚାରିଧାରରେ ବହିଗଲା। ସେହି ଚାରିଧାରରୁ ଚାରିଟି ଶିବଲିଙ୍ଗ-ମୁଖ ଉତ୍ପନ୍ନ ହେଲେ ଏବଂ ଗୋଟିଏ ମୁଖ ଉପରକୁ ରହିଲା। ଏହିପରି ପାଞ୍ଚଟି ମୁଖ ହେତୁ ଶିବ ହେଲେ ପଞ୍ଚମୁଖୀ କୁଳେଶ୍ବରନାଥ।
Encounter:କନ୍ଧମାଳ ପୁଲିସକୁ ବଡ଼ ସଫଳତା,ଦୁଇ ଦିନରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ସମେତ ୬ ମାଓ ନେତା ନିହତ
ପରବର୍ତ୍ତୀ କାଳରେ, ପ୍ରାୟ ଷଷ୍ଠ ଶତାବ୍ଦୀରେ, ଚିତ୍ରୋତ୍ପଳା ନଦୀ ମଧ୍ୟରେ ସତରଫୁଟର ଜଗତି ଉପରେ କୁଳେଶ୍ବରନାଥଙ୍କର ମନ୍ଦିର ନିର୍ମାଣ ହେଲା। ମନ୍ଦିର ମଧ୍ୟରେ ରହିଛି ଦୁଇଟି ଗର୍ଭଗୃହ। ଗୋଟିଏରେ ଭଗବାନ କୃଷ୍ଣନାଥ ମହାଦେବ ଶିବଲିଙ୍ଗ ଓ ଅନ୍ୟଟିରେ ଦେବୀ ଦୁର୍ଗା ବିରାଜମାନ। ନଦୀ ମଧ୍ୟରେ ଏହି ମନ୍ଦିର ନିର୍ମିତ ହେଲେ ମଧ୍ୟ, ଏ ପର୍ଯ୍ୟନ୍ତ ମନ୍ଦିରଟି ଅକ୍ଷତ ରହିଛି। ଏହି ମନ୍ଦିରର ପରିସର ମଧ୍ୟରେ ଏକ ବିଶାଳ ଅଶ୍ବତ୍ଥ ବୃକ୍ଷ ରହିଛି। ସମୟାନ୍ତରରେ ଏଠାରେ ଥିବା ଅନେକ ପ୍ରାଚୀନ ସ୍ଥଳ ଲୋପ ପାଇଗଲେ ମଧ୍ୟ, ସଂଗମ ତଟଦେଶରେ ଥିବା ଲୋମଶମୁନିଙ୍କର ଆଶ୍ରମ ରହିଛି। ଆଶ୍ରମ ପରିସରରେ ରହିଛି ଅନେକ ବେଲଗଛ ଏବଂ ଲୋମଶ ମୁନିଙ୍କର ଏକ ପ୍ରତିମା। ଲୋମଶ ମୁନି ଓ କୁେଳଶ୍ବରନାଥ ମହାଦେବ ପରସ୍ପର ସହିତ ଯେପରି ଜଡ଼ିତ, ସେହିପରି ରାମଙ୍କ ବନବାସ ସହିତ ମଧ୍ୟ ସଂପୃକ୍ତ।
ରାଜିମ କୁଳେଶ୍ବର ମନ୍ଦିର ସଂପର୍କରେ କୁହାଯାଏ, ଭଗବାନ ବିଷ୍ଣୁ ବ୍ରହ୍ମାଣ୍ଡ ନିର୍ମାଣ କାଳରେ ନିଜ ନାଭିରୁ ଯେଉଁ ପଦ୍ମପୁଷ୍ପ ଉତ୍ପନ୍ନ କରିଥିଲେ, ସେଥିରୁ ଯେଉଁ ପଦ୍ମ ପାଖୁଡ଼ା ଯେଉଁଠି ପଡ଼ିଲା, ତାହା ଏକ ପଦ୍ମକ୍ଷେତ୍ରରେ ପରିଣତ ହେଲା ଏବଂ ରାଜିମ୍ର କୁଳେଶ୍ବର ଶିବ ମନ୍ଦିର ସେ ସମସ୍ତ କ୍ଷେତ୍ରର କେନ୍ଦ୍ର।
ରାମ ବନଗମନ ପଥ ପରିଯୋଜନାରେ ସଂପ୍ରତି କୁଳେଶ୍ବରନାଥ ମନ୍ଦିର ଓ ମହର୍ଷି ଲୋମଶଙ୍କ ଆଶ୍ରମ ଏକ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି। ରାମଚନ୍ଦ୍ର ଏହି ମହର୍ଷିଙ୍କ ଆଶ୍ରମକୁ ଆସିଥିଲେ। ପ୍ରମାଣ ସ୍ବରୂପ ଏଠାରେ ରାଜୀବଲୋଚନ ମନ୍ଦିର ରହିଛି। ପ୍ରତିବର୍ଷ ଏଠାରେ ବିରାଟ ମେଳା ଅନୁଷ୍ଠିତ ହୁଏ। ଭକ୍ତମାନେ ରାଜୀବଲୋଚନଙ୍କୁ ଦର୍ଶନ କରି କୁଳେଶ୍ବର ଯାଆନ୍ତି। ନଦୀରେ ଜଳସ୍ରୋତ ଅଧିକ ଥିବା ସମୟରେ ଭକ୍ତମାନେ ଲକ୍ଷ୍ମଣ ସେତୁ ଉପରେ ଯାଇ କୁଳେଶ୍ବରଙ୍କୁ ଦର୍ଶନ କରନ୍ତି। ତା’ ପରେ ଯାଇ ଲୋମଶ ମୁନିଙ୍କ ଆଶ୍ରମରେ ବିଶ୍ରାମ ନିଅନ୍ତି। ଲୋକକଥା ଅନୁସାରେ, ବେଳେ ବେଳେ ପ୍ରଭାତରୁ ନଦୀ ବାଲିରେ ଲମ୍ବାଲମ୍ବା ପଦଚିହ୍ନ ଦେଖାଯାଏ। ତାହା ସମ୍ଭବତଃ ଲୋମଶମୁନିଙ୍କ ପଦଚିହ୍ନ। କାରଣ ଶିବଙ୍କ ବର ଅନୁଯାୟୀ ଲୋମଶ ମୁନି ଦୀର୍ଘଜୀବୀ। ତାଙ୍କ ଶରୀରର ସମସ୍ତ ଲୋମ ଝଡ଼ିଗଲା ପରେ ହିଁ ତାଙ୍କର ମୃତ୍ୟୁ ହେବ। ତେଣୁ ସେ ଏବେବି ତାଙ୍କ ଆଶ୍ରମରେ ଅବସ୍ଥାନ କରୁଛନ୍ତି ବୋଲି ବିଶ୍ବାସ କରାଯାଏ।
-ଡକ୍ଟର ତୁଳସୀ ଓଝା
Follow Us