ଜାନୁଆରି ୨୦୧୦ର ଏକ ଅନ୍ଧାର ରାତି। କାଶ୍ମୀରର ନିର୍ଜନ ଇଲାକାରେ ଥିବା ଗୋଟିଏ କାଠରେ ତିଆରି ଦୁଇ ମହଲା ଘର ସାମ୍ନାରେ ପହଞ୍ଚିଲେ ଜମ୍ମୁ ଓ କାଶ୍ମୀର ପୁଲିସର ଡଜନେ ଯବାନ। ସେମାନଙ୍କ ହାତରେ ଏଲ୍‌ଏମ୍‌ଜି ଠାରୁ ଏକେ୪୭, ଗ୍ରେନେଡ୍‌। ରାଜୌରିର ଜଙ୍ଗଲରେ କନକନିଆ ଶୀତର ଲହରୀ। କମାଣ୍ଡୋଙ୍କର ନିଃଶବ୍ଦ ଇସାରାରେ ତାଙ୍କୁ ଅନୁସରଣ କରି ଚାରିଜଣ ଯବାନ ପାହାଚ ଚଢ଼ି ଉପରକୁ ଯିବାକୁ ଲାଗିଲେ, ଅନ୍ୟମାନେ ଘରକୁ ଘେରାଉ କରି ପୋଜିସନ୍‌ ନେଲେ। ଉପର ମହଲାରେ ଥିବା ଗୋଟିଏ କୋଠରିର ଦରଜା ଭାଙ୍ଗି କମାଣ୍ଡୋଙ୍କ ସହିତ ଚାରିଜଣ ଯବାନ ଭିତରେ ପଶି ଦେଖିଲେ ଭିତରେ ଚାରିଜଣ ମଣିଷ ଘୋଡ଼ିଘାଡ଼ି ହୋଇ ବସିଛନ୍ତି। ସେମାନଙ୍କୁ ଦେଖିଲେ ଜଣାପଡୁଛି ଯେ ସେମାନେ ନିରୀହ ଗ୍ରାମବାସୀ। ଅଥଚ ପକ୍କା ଖବର ଥିଲା ଯେ ଏହି ଘରେ ଆଶ୍ରୟ ନେଇଛନ୍ତି ୧୧ଜଣ ଆତଙ୍କବାଦୀ।

Advertisment

Sports Awards : ୬ରେ ପ୍ରଦାନ କରାଯିବ ଏସଏସ୍ଆଇ କ୍ରୀଡ଼ା ପୁରସ୍କାର

କମାଣ୍ଡୋ ଭଲଭାବରେ ଜାଣନ୍ତି ଯେ ଏମାନେ କେହି ପାଟି ଖୋଲିବେ ନାହିଁ। ପୁଲିସକୁ ଆତଙ୍କବାଦୀମାନଙ୍କର ଖବର ଦେବା ଅର୍ଥ ହିଁ ମୃତ୍ୟୁକୁ ଡାକି ନେଇ ଆସିବା। ହତାଶ ହୋଇ ତଳକୁ ଓହ୍ଲେଇ ଆସିବା ପରେ କମାଣ୍ଡୋ ଅଫିସର ଜଣକ ଦେଖନ୍ତି ତଳେ କିଶୋରୀଟିଏ ଛିଡ଼ା ହୋଇରହିଛି, ତା’ ହାତରେ ଗୋଟିଏ କଞ୍ଚା ଭୁଟ୍ଟ୍ରା (ମକା)। ଅଫିସରଙ୍କୁ ଦେଖି ପଥର ପରି ମୁହଁର କିଶୋରୀଟି କହିଲା, ‘‘ଭୁଟ୍ଟା ଖାଓଗେ?’’ ରାଗରେ ବ୍ରହ୍ମତାଳୁ ଜଳି ଉଠୁଥିଲେ ମଧ୍ୟ ନିଜକୁ ସମ୍ବରଣ କଲେ। ବ୍ୟର୍ଥ ମିସନ୍, ଆଉ ଝିଅଟି ଥଟ୍ଟା କରୁଛି ଗୋଟିଏ କଞ୍ଚା ମକା ହାତରେ ଧରି! ଯବାନମାନଙ୍କୁ ସାଥିରେ ଧରି ଫେରିବାକୁ ଲାଗିଲେ। ବାଟରେ ପଡ଼ିଲା ଗୋଟିଏ ଛୋଟ କେନାଲ। ଆଉ କେନାଲର ଅପରପାର୍ଶ୍ବରେ ଗୋଟିଏ ବିରାଟ ମକା କ୍ଷେତ। ତା’ପଛକୁ ବିରାଟ ଘାସବଣ। ହଠାତ୍‌ ଅଫିସର୍‌ ଛିଡ଼ା ହୋଇପଡ଼ିଲେ। ତାଙ୍କ ମୁହଁରେ ଖେଳିଗଲା ସ୍ମିତହାସ୍ୟ। ସେ ଯବାନମାନଙ୍କୁ ଇସାରାରେ ଗୁରୁଣ୍ଡି ଗୁରୁଣ୍ଡି ମକା କ୍ଷେତକୁ ଘେରାଉ କରିବା ପାଇଁ ନିର୍ଦ୍ଦେଶ ଦେଲେ। ଅଧଘଣ୍ଟା ଫାୟାରିଂ ପରେ ୧୧ଜଣ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହେଲେ ସେମାନେ। କିଶୋରୀ ଝିଅଟିର ବୁଦ୍ଧିର ପ୍ରଶଂସା ନକରି ରହିପାରିଲେ ନାହିଁ ଅଫିସର।

International Sand Art: ଅନ୍ତର୍ଜାତୀୟ ବାଲୁକା କଳା, ନୃତ୍ୟ ଉତ୍ସବକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ସେଦିନ ଏଗାର ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିବା ସେହି ସାହସିନୀ ଅଫିସର୍ କିଏ ଜାଣିଛନ୍ତି? ସେ ହେଉଛନ୍ତି ସାଈଦା ପରଵିନ୍‌। ୪ ବର୍ଷ ବୟସରେ ଯେତେବେଳେ ବାପାଙ୍କର ମୃତ୍ୟୁ ହୋଇଥିଲା, ସେତେବେଳେ ପୁଞ୍ଚର ଝିଅ ସାଈଦା ପରଵିନ୍‌ ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ ଯେ ଦିନେ ତାଙ୍କର ନାମ ଶୁଣିବା ମାତ୍ରେ ଆତଙ୍କବାଦୀମାନଙ୍କର ରକ୍ତ ଶୀତଳ ହୋଇଯିବ। ପିଲାଦିନରୁ ୬ ଜଣ ଭାଇଭଉଣୀ ବଞ୍ଚି ରହିବା ପାଇଁ ସଂଗ୍ରାମ କରି ଚାଲିଥିଲେ। ଏମ୍‌.ଏସ୍‌ସି ପଢ଼ିବାର ଇଚ୍ଛା ଥିଲା; କିନ୍ତୁ ପରିବାରକୁ ସମ୍ଭାଳିବା ପାଇଁ ଗ୍ରାଜୁଏଟ୍‌ ହେବା ପରେ ଶ୍ରୀନଗର ରେଡିଓ ଷ୍ଟେସନ୍‌ରେ ଚାକିରି କରିବାକୁ ଲାଗିଲେ। ଏକଦା ରେଡିଓ ପାଇଁ ଜଣେ ପୁଲିସ ଅଫିସର୍‌ଙ୍କ ସାକ୍ଷାତ୍‌କାର ନେବା ସମୟରେ ପୁଲିସ ଅଫିସର୍‌ ଜଣକ ହଠାତ୍‌ ସାଈଦାଙ୍କୁ ପ୍ରଶ୍ନ କରିଥିଲେ, ‘‘ତମେ ଝିଅମାନେ କାହିଁକି ପୁଲିସ ଚାକିରି କରିବାକୁ ଇଚ୍ଛା କରନାହିଁ!” କଥାଟି ସାଈଦାଙ୍କ ହୃଦୟରେ ଗଭୀର ରେଖାପାତ କରିଥିଲା। ତା’ପରେ ପରୀକ୍ଷା ଦେଇ ସାଈଦା ପୁଲିସ ଇନ୍ସପେକ୍ଟର ଚାକିରି କରନ୍ତି। ଆରମ୍ଭ ହୁଏ ତାଙ୍କ ଜୀବନର ନୂତନ ଯାତ୍ରା। ଏହାପରେ ୧୯୯୭ ମସିହାରେ ପ୍ରଥମ କାଶ୍ମୀରୀ ମହିଳା ଆଇପିଏସ୍‌ ଭାବେ ନିଜର ନାମ ପଞ୍ଜୀକୃତ କରନ୍ତି।

କାଶ୍ମୀର ପୁଲିସ୍‌ର କାଉଣ୍ଟର୍‌ ଟେରୋରିଜମ୍‌ ବାହିନୀ ବା ଏସ୍‌ଟିଏଫ୍‌ର ପୁଲିସ୍‌ ଡେପୁଟି ସୁପରିଟେ‌େଣ୍ଡଣ୍ଟ ସାଈଦା ପରଵିନ୍‌ଙ୍କ ନାମ ଶୁଣିଲେ ଅଳ୍ପ ସମୟ ପାଇଁ ହେଲେ ମଧ୍ୟ ଥରି ଉଠନ୍ତି ହିଜବୁଲ୍‌ ବା ଲସ୍କର୍‌ ଆତଙ୍କବାଦୀମାନେ। ଆଜିପର୍ଯ୍ୟନ୍ତ ତାଙ୍କ ହାତରେ ମୃତ୍ୟୁବରଣ କରିଛନ୍ତି ୮୦ରୁ ଅଧିକ ପାକିସ୍ଥାନୀ ଆତଙ୍କବାଦୀ। ଏହି ଦୁର୍ଦ୍ଦାନ୍ତ ଅଫିସର୍‌ଙ୍କୁ ହତ୍ୟା କରିବା ପାଇଁ ୪ଥର ତାଙ୍କ ଉପରେ ହମଲା କରିଛି ମାସୁଦ୍‌ ଆଜହାର୍‌ ଦଳ, କିନ୍ତୁ ଉପସ୍ଥିତ ବୁଦ୍ଧି ହେତୁ ବଞ୍ଚି ଯାଇଛନ୍ତି ସେ। ୨୦୦୯ ମସିହାରେ ଏହି ସାହସିନୀ କାଶ୍ମୀରୀ କନ୍ୟା ଜେଏକେ ରାଇଫଲସ୍‌ର କର୍ଣ୍ଣେଲ୍ ଗୌତମ ଗାଙ୍ଗୁଲିଙ୍କ ପ୍ରେମରେ ବନ୍ଧାପଡ଼ି ବିବାହ ସୂତ୍ରରେ ଆବଦ୍ଧ ହୁଅନ୍ତି। ଅଶାନ୍ତ କାଶ୍ମୀର ଉପତ୍ୟକାରେ ବହୁ ଆଣ୍ଟି ଟେରୋରିଷ୍ଟ ଅପରେସନ୍‌ସ୍‌ର ସଫଳ ନାୟିକା ସାଈଦା ପରଵିନ୍‌ ଗାଙ୍ଗୁଲି। ସମ୍ପ୍ରତି ଦିଲ୍ଲୀର ଲାଲ୍‌କିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣର ତଦନ୍ତ କରିବା ପାଇଁ ଏନ୍‌ଆଇଏର ନିର୍ଦ୍ଦେଶରେ ଦାୟିତ୍ବଗ୍ରହଣ କରିଛନ୍ତି ରାଷ୍ଟ୍ରପତି ପଦକପ୍ରାପ୍ତ କାଶ୍ମୀର ଉପତ୍ୟକାର ବାଘୁଣୀ ସାଈଦା ପରଵିନ୍‌ ଗାଙ୍ଗୁଲି।
ସମ୍ପର୍କ: ୯୪୩୭୫୩୪୭୭୩

ଉପସ୍ଥାପନା: ପ୍ରଦୀପ କୁମାର ରାୟ

Jammu & Kashmir | Army