ପୂର୍ବ ହିମାଳୟ ପାଦଦେଶ ଅନ୍ତର୍ଗତ ବଣପାହାଡ଼ ଘେରା ସହର କାଲିମ୍ପଙ୍ଗ୍‌ ହେଉଛି ପଶ୍ଚିମବଙ୍ଗର ଅନ୍ୟତମ ଶୈଳନିବାସ ତଥା ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ଅପୂର୍ବ ପ୍ରାକୃତିକ ଦୃଶ୍ୟରାଜି ପରିବେଷ୍ଟିତ ଏଠାକାର ଗାଁଗଣ୍ଡା ଏବଂ ନଗରୀରେ ତିବ୍ବତ, ଭୁଟାନ୍‌, ନେପାଳ ଓ ବ୍ରିଟିସ୍‌ ସ୍ଥାପତ୍ୟ ବି ଦେଖିବାକୁ ମିଳେ। ଦୂର୍‌ପିନ୍‌ ଓ ଡେଲୋ ପର୍ବତ ମଧ୍ୟରେ ସଂଯୋଗ ସ୍ଥାପନ କରୁଥିବା ଗୋଟାଏ ଲମ୍ବାଳିଆ ପାହାଡ଼ ଉପରେ କାଲିମ୍ପଙ୍ଗ୍‌ ନଗରୀ ଅବସ୍ଥିତ ଏବଂ ଏହାକୁ ବେଢ଼ି ରହିଛି ରେଲି ଉପତ୍ୟକାର ଗାଁଗଣ୍ଡା ଓ ତିସ୍ତା ନଦୀ।

Advertisment

Nimapara Mahotsav: ୨୫ତମ ନିମାପଡ଼ା ମହୋତ୍ସବ ଉଦଯାପିତ: ମନ ମୋହିଲା ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ ଗୀତ, ମତୁଆଲା ହେଲେ ହଜାର ହଜାର ଦର୍ଶକ...

ବହୁ ଶତାବ୍ଦୀ ପୁରାତନ କାଲିମ୍ପଙ୍ଗ୍‌ର ଇତିହାସ ଯେତିକି ସମୃଦ୍ଧ, ସେତିକି କୌତୂହଳପ୍ରଦ। ସମ୍ପ୍ରତି କାଲିମ୍ପଙ୍ଗ୍‌ କୁହାଯାଉଥିବା ଅଞ୍ଚଳ ଚତୁଃର୍ପାଶ୍ବସ୍ଥ ଇଲାକାର ମୂଳ ଅଧିବାସୀ ଥିଲେ ଲେପ୍‌ଚା ସମ୍ପ୍ରଦାୟ। ପରେ ଏଠାକୁ ଆସି ବସବାସ କଲେ ଭୁତିଆ ଓ ଲିମ୍ବୁ ସମ୍ପ୍ରଦାୟ। ତେଣୁ, ଏବେ ବି ସେଠାରେ ସେମାନଙ୍କ ପ୍ରଭାବ ପରିଲକ୍ଷିତ ହୁଏ। ‘କାଲିମ୍ପଙ୍ଗ୍‌’ ନାମଟି ବି ଲେପ୍‌ଚା ଶବ୍ଦ ‘କାଲିମ୍‌-ପଙ୍ଗ୍‌’ରୁ ଆସିଛି, ଏହାର ପ୍ରକୃତ ଅର୍ଥ ‘ସମତଳ ଭୂଇଁ’। ଏହାର ଅଭିନବ ଆକର୍ଷଣ ଯେକୌଣସି ପର୍ଯ୍ୟଟକଙ୍କ ନିମନ୍ତେ ନିଃସନ୍ଦେହ ମନୋମୁଗ୍ଧକର।

ବୁଲାବୁଲି ଓ ବଣଭୋଜି ପାଇଁ ବର୍ଷକ ବାରମାସ ଉନ୍ମୁକ୍ତ ଥିଲେ ବି ଅକ୍ଟୋବରରୁ ଫେବ୍ରୁଆରି ମାସ ପର୍ଯ୍ୟନ୍ତ କାଲିମ୍ପଙ୍ଗ୍‌ରେ ପର୍ଯ୍ୟଟକଙ୍କ ଗହଳି ସବୁଠୁ ଅଧିକ। ଶାନ୍ତ ପରିବେଶ, ତାଜା ହାୱା ଓ ରଙ୍ଗିନ ପୁଷ୍ପ ଉଦ୍ୟାନ କାହାର ବା ମନ ମୋହି ନ ନେବ! ଏଠାକାର ବିଶେଷ ଦର୍ଶନୀୟ ସ୍ଥାନଗୁଡ଼ିକ ମଧ୍ୟରେ ରହିଛି ଡେଲୋ ପର୍ବତ, ଦୂର୍‌ପିନ୍‌ ପର୍ବତ, ଥୋଙ୍ଗ୍‌ସା ଗୋମ୍ପା, ସନ୍ଥ ତେରେସା କ୍ୟାଥୋଲିକ୍‌ ଗୀର୍ଜା, ଗ୍ରାହାମ୍‌ସ୍‌ ହାଉସ୍‌, ମୋର୍ଗାନ୍‌ ହାଉସ୍‌, ଶିଝୁ ନର୍ସରି, ଆର୍ମି ଗଲ୍‌ଫ୍‌ କ୍ଲବ୍‌ ଓ ଫୁଲ ନର୍ସରି ଇତ୍ୟାଦି।

ଫୁଲ ଓ ଶିଝୁ ନର୍ସରି: କାଲିମ୍ପଙ୍ଗ୍‌ରେ ଅନେକ ଦେଶୀ ଓ ବିଦେଶୀ ଫୁଲଗଛ ନର୍ସରି ରହିଛି। ଏସବୁ ଅର୍କିଡ୍‌, ଲିଲି, ଗ୍ଲାଡିଓଲି, ଗୋଲାପ ଓ ଅନ୍ୟାନ୍ୟ ଫୁଲ ପାଇଁ ପ୍ରସିଦ୍ଧ। ସେମିତି ପାଇନ୍‌ ଭିୟୁ ନର୍ସରି ଭିନ୍ନ ଭିନ୍ନ ପ୍ରଜାତିର କଣ୍ଟାଶିଝୁ ନିମନ୍ତେ ପ୍ରଖ୍ୟାତ।

ଉପନିବେଶୀୟ ସ୍ଥାପତ୍ୟ: ବ୍ରିଟିସ୍‌ ଉପନିବେଶୀୟ ଶାସନ ଓ ସ୍କଟ୍‌ଲାଣ୍ଡ୍‌ ମିସ୍‌ନାରିମାନଙ୍କ ପ୍ରଭାବ ଯୋଗୁଁ କାଲିମ୍ପଙ୍ଗ୍‌ରେ ଅନେକ ଗୀର୍ଜାଘର ଓ ମିସ୍‌ନାରି ସ୍କୁଲ୍‌ ନିର୍ମିତ ହୋଇଥିଲା। ସେ ମଧ୍ୟରୁ ସବୁଠୁ ଲୋକପ୍ରିୟ ସ୍ଥାପତ୍ୟ ହେଉଛି ଗ୍ରାହାମ୍‌ସ୍‌ ହାଉସ୍‌। ଇଂରେଜମାନଙ୍କର କୃଷି ଇଷ୍ଟେଟ୍‌ଗୁଡ଼ିକର ପରିଚାଳକ ଓ କର୍ମଚାରୀମାନଙ୍କ ପିଲାମାନେ ଏଠାରେ ପଢୁଥିଲେ। ସେହିପରି ସନ୍ଥ ତେରେସାଙ୍କ ଗୀର୍ଜା ମଧ୍ୟ ଅନ୍ୟତମ ଆକର୍ଷଣୀୟ ବ୍ରିଟିସ୍‌ ସ୍ଥାପତ୍ୟ। କାଲିମ୍ପଙ୍ଗ୍‌ର ଆଉ ଗୋଟାଏ ଦର୍ଶନୀୟ ସ୍ଥାପତ୍ୟ ହେଉଛି ମୋର୍ଗାନ୍‌ସ୍‌ ହାଉସ୍‌। ଏହା ସମ୍ମୁଖସ୍ଥ ଦୂର୍‌ପିନ୍‌ ପାହାଡ଼ ପାର୍ଶ୍ବରେ ରହିଛି  ଆର୍ମି ଗଲ୍‌ଫ୍‌ କୋର୍ସ। ଆର୍ମି କ୍ୟାଣ୍ଟିନ୍‌ରେ ବସି ଚା ପିଇବା ସହିତ ଚତୁଃପାର୍ଶ୍ବରେ ଥିବା ପାହାଡ଼ପର୍ବତ ଓ ଗାଁ’ ଗଣ୍ଡା ଦେଖିହେବ। 

Aravali Case : ସୋମବାର ଆରାବଳୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ବୌଦ୍ଧକୀର୍ତ୍ତି: ୧୯୭୬ରେ ଦଲାଇଲାମାଙ୍କ ଦ୍ବାରା ଦୂର୍‌ପିନ୍‌ ପର୍ବତ ଶିଖରରେ ନିର୍ମିତ ବୌଦ୍ଧାଳୟ କାଲିମ୍ପଙ୍ଗ୍‌ର ଅନ୍ୟତମ ଦର୍ଶନୀୟ ସ୍ଥାନ। ଏଥିରେ ଅଙ୍କିତ ମଣ୍ଡଳ ଚିତ୍ରରାଜି ଓ ପ୍ରାଚୀର ଚିତ୍ର ଅତୀବ ଚିତ୍ତାକର୍ଷକ। ଏଠାରେ ତିବ୍ବତୀୟ ବୌଦ୍ଧବାଦର ଗେଲୁଗ୍‌ପା ସମ୍ପ୍ରଦାୟଙ୍କ ଥାର୍ପା ଚୋଲିଙ୍ଗ୍‌ ଗୋମ୍ପା ରହିଛି। ପର୍ବତ ଉପରେ ନିର୍ମିତ ଏହି ବୌଦ୍ଧକୀର୍ତ୍ତି ଅତ୍ୟନ୍ତ ଆକର୍ଷଣୀୟ। ୧୬୭୮ରେ ନିର୍ମିତ କାଲିମ୍ପଙ୍ଗ୍‌ର ସର୍ବପୁରାତନ ବୌଦ୍ଧାଳୟ ଥୋଙ୍ଗ୍‌ସା ଗୋମ୍ପା ଅବଶ୍ୟ ଦର୍ଶନୀୟ। ଏହାକୁ ଭୁଟାନୀୟ ବୌଦ୍ଧାଳୟ ବି କୁହାଯାଏ। କିନ୍ତୁ, ସ୍ଥାନୀୟ ଯୁଦ୍ଧ ସମୟରେ ଏହାର ମୂଳ ସ୍ଥାପତ୍ୟ ନଷ୍ଟ ହୋଇଯାଇଥିଲା। ସମ୍ପ୍ରତି ଏଠାରେ ଥିବା ବୌଦ୍ଧାଳୟଟି ଊନବିଂଶ ଶତାବ୍ଦୀରେ ନିର୍ମିତ। ଏଥିରେ ଦୁଇଟି ସ୍ତୂପ ଓ ଦୁଇଶତରୁ ଅଧିକ ପ୍ରାର୍ଥନା ଚକ୍ର ରହିଛି। 

ଡେଲୋ ପର୍ବତ: କାଲିମ୍ପଙ୍ଗ୍‌ ଅଞ୍ଚଳର ସର୍ବୋଚ୍ଚ ଭିୟୁ ପଏଣ୍ଟ୍‌ ହେଉଛି ଡେଲୋ ପର୍ବତ। ଏହା ମଥା ଉପରକୁ ଯିବା ପାଇଁ ରହିଛି କୁଣ୍ଡଳାକାର ପଥ। ପର୍ବତ ଚୂଡ଼ାରେ ରହିଛି ବିଶାଳ ଉଦ୍ୟାନ। ପାହାଡ଼ ଚଢ଼ିବା ପଥରେ ଥିବା ଅନ୍ୟତମ ଭିୟୁ ପଏଣ୍ଟ୍‌ ହେଉଛି ‌େସର୍ପା। ଡେଲୋରେ ସ୍ଥାପନା କରାଯାଇଥିବା ବିଶାଳ ବୁଦ୍ଧ ପ୍ରତିମା ବି ପର୍ଯ୍ୟଟକଙ୍କୁ ଆମୋଦିତ କରେ। ପୁଣି ଆଡ୍‌ଭେଞ୍ଚର୍‌ ସଉକୀମାନେ ଏଠାରେ ଟ୍ରେକିଙ୍ଗ୍‌ରେ ଯାଇ ପାରିବେ, ଡେଲୋ ପର୍ବତରୁ ପାରାଗ୍ଲାଇଡିଙ୍ଗ୍‌ କରିପାରିବେ ଏବଂ ତିସ୍ତା ନଦୀରେ ରାଫ୍‌ଟିଙ୍ଗ୍‌ ବି କରିପାରିବେ। ଏସବୁ ବାଦ୍‌ ସ୍ଥାନୀୟ ବଜାରରୁ ପାରମ୍ପରିକ ପୋଷାକ, ହସ୍ତଶିଳ୍ପ ସାମଗ୍ରୀ ଓ ବିଭିନ୍ନ ମସଲା ଖରିଦ କରିହେବ। ଏସବୁ ବଜାରରେ ଥିବା ଭୋଜନାଳୟ ଓ ରେସ୍ତୋରାଁରେ ତିବ୍ବତୀୟ ମୋମୋ, ନେପାଳୀ ଥୁକ୍‌ପା ଭଳି ସ୍ଥାନୀୟ ବ୍ୟଞ୍ଜନ ଓ ପାରମ୍ପରିକ ବଙ୍ଗୀୟ ବ୍ୟଞ୍ଜନ ମଧ୍ୟ ଖିଆଯାଇ ପାରିବ।

ଗମନାଗମନ ଓ ରହଣି: କାଲିମ୍ପଙ୍ଗ୍‌ରେ ପହଞ୍ଚିବା ପାଇଁ ନିକଟତମ ବିମାନବନ୍ଦର ହେଉଛି ବାଗ୍‌ଡୋଗ୍‌ରା ଏବଂ ରେଳଷ୍ଟେସନ୍‌ ନିୟୁ ଜଲ୍‌ପାଇଗୁଡ଼ି। ଟ୍ରେନ୍‌ରେ ଭୁବନେଶ୍ବରରୁ କୋଲ୍‌କାତା ଯାଇ ସେଠାରୁ ନିୟୁ ଜଲ୍‌ପାଇଗୁଡ଼ି ଯାଇହେବ। ଭୁବନେଶ୍ବରରୁ ନିୟୁ ଜଲ୍‌ପାଇଗୁଡ଼ିକୁ ମଧ୍ୟ ସିଧା ରେଳ ଯୋଗାଯୋଗ ରହିଛି। ଦାର୍ଜିଲିଙ୍ଗ୍‌ ଓ ସିଲିଗୁଡ଼ିରୁ ସଡ଼କ ପଥରେ ଯିବା ପାଇଁ ଘରୋଇ ଟ୍ୟାକ୍ସି ଓ ଜିପ୍‌ ରହିଛି। ରହଣି ପାଇଁ ଏଠାରେ ଅନେକ ଦାମୀ ଓ ଶସ୍ତା ହୋଟେଲ୍‌ ଉପଲବ୍ଧ।