Advertisment

Gita: ଶ୍ରଦ୍ଧାଞ୍ଜଳି: ଗୀତାଙ୍କ ଗାୟନର ଗସାଗୁ

Advertisment

୧୯୭୦ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ଅଦିନ ମେଘ’ରେ ଥିଲା ଏକ ମନଛୁଆଁ ବୃନ୍ଦଗାନ। ଏହାକୁ ଗାଇଥିଲେ ଗୀତା, ତୃପ୍ତି, ବିଦ୍ୟୁତ୍‌, ଶୁକ୍ଳା ଓ ପ୍ରତିମା। ଗୀତଟି ଥିଲା- ‘ଏଇ ଆମରି ଗଁା...

୧୯୭୦ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ଅଦିନ ମେଘ’ରେ ଥିଲା ଏକ ମନଛୁଆଁ ବୃନ୍ଦଗାନ। ଏହାକୁ ଗାଇଥିଲେ ଗୀତା, ତୃପ୍ତି, ବିଦ୍ୟୁତ୍‌, ଶୁକ୍ଳା ଓ ପ୍ରତିମା। ଗୀତଟି ଥିଲା- ‘ଏଇ ଆମରି ଗଁା...

sfhhfshfsxvbvbbv

ଅଭିରାମ ବିଶ୍ବାଳ

୧୯୭୦ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ଅଦିନ ମେଘ’ରେ ଥିଲା ଏକ ମନଛୁଆଁ ବୃନ୍ଦଗାନ। ଏହାକୁ ଗାଇଥିଲେ ଗୀତା, ତୃପ୍ତି, ବିଦ୍ୟୁତ୍‌, ଶୁକ୍ଳା ଓ ପ୍ରତିମା। ଗୀତଟି ଥିଲା- ‘ଏଇ ଆମରି ଗଁା...।’ ଗୀତା ବା ଗୀତା ପଟ୍ଟନାୟକଙ୍କର ତାହା ଥିଲା ଓଡ଼ିଆ ଛବିରେ ପ୍ରଥମ କଣ୍ଠଦାନ। ସେହି ଚଳଚ୍ଚିତ୍ରରେ ତୃପ୍ତି ଦାସ ଗାଇଥିବା ‘ବୋଉଲୋ କି କହିବି ନୂଆ ଭାଉଜଙ୍କ କଥା...’ ଚହଳ ସୃଷ୍ଟି କରିଥିଲା। ଅତି କମ୍ ବୟସରୁ ଗୀତା ରଘୁ ନନ୍ଦ, ବାଳକୃଷ୍ଣ ଦାଶ, ରାଖାଲ୍‌ ମହାନ୍ତି ଓ କ୍ଷୀତିଶ ଚନ୍ଦ୍ର ମୈତ୍ରଙ୍କ ଭଳି ଦକ୍ଷ ଗୁରୁମାନଙ୍କ ଠାରୁ ଗୀତ-ସଂଗୀତରେ ତାଲିମ ପାଇଥିଲେ। ଛଅ ବର୍ଷ ଧରି ନିୟମିତ ଗୀତ ଶିଖିଥିଲେ କଟକ କଳା ବିକାଶ କେନ୍ଦ୍ରରେ।
ଓଡ଼ିଆ ଚଳଚ୍ଚିତ୍ର ଗୀତ ଗାୟନ କ୍ଷେତ୍ରରେ ଗୀତାଙ୍କ ଆବିର୍ଭାବ ଫଳରେ ତୃପ୍ତି ପାଇଗଲେ ଜଣେ ସାଥୀ, ତୃପ୍ତି ବି ଗୀତାଙ୍କୁ ମିଳିଗଲେ ଜଣେ ସତୀର୍ଥ ଭାବେ ଏବଂ ଦୁହେଁ ହୋଇଗଲେ ଅକ୍ଷୟ ମହାନ୍ତିଙ୍କର ପଟ୍ଟଶିଷ୍ୟା। ଗୀତା ଓ ତୃପ୍ତିଙ୍କ ପରିଚିତି ତଥା ପ୍ରତିଷ୍ଠା ପଛରେ ଖୋକାଭାଇଙ୍କର ଅବଦାନ ଥିଲା ଗୁରୁତ୍ବପୂର୍ଣ୍ଣ। ସେହିଭଳି ଅକ୍ଷୟ ମହାନ୍ତିଙ୍କୁ ଅଧିକ ଆଦୃତ, ଶ୍ରୋତାପ୍ରିୟ, ପ୍ରଭାବଶାଳୀ ଓ ପରୀକ୍ଷା-ନିରୀକ୍ଷାମନସ୍କ କରେଇବାରେ ଗୀତା-ତୃପ୍ତି ଯୋଡ଼ିର ଭୂମିକା ଥିଲା କାହିଁରେ କେତେ! ଏ ଦୁହିଁଙ୍କ ଯୋଡ଼ି ଓଡ଼ିଆ ଚଳଚ୍ଚିତ୍ରର ଇତିହାସରେ ନୂଆ ଯୁଗ ସୃଷ୍ଟିକାରୀ ଧାରା ସମ୍ଭବ କରେଇଥିଲା। କାରଣ ବିଂଶ ଶତାବ୍ଦୀର ଷାଠିଏ ଓ ସତୁରି ଦଶକରେ ଓଡ଼ିଆ ଚଳଚ୍ଚିତ୍ରର ଗାୟିକା କହିଲେ ଶୁଣିବାକୁ ମିଳୁଥିଲା ବଙ୍ଗୀୟ, ମରାଠୀ ଓ ଦକ୍ଷିଣ ଭାରତୀୟଙ୍କ କଣ୍ଠର ଗୀତ। ଏଇ ଯେମିତି- ନିର୍ମଳା ମିଶ୍ର, ଆରତି ମୁଖାର୍ଜୀ, ସିପ୍ରା ବୋଷ, ସନ୍ଧ୍ୟା ମୁଖାର୍ଜୀ, ଲତା ମଙ୍ଗେସକର୍, ଉଷା ମଙ୍ଗେସକର୍, ଆଶା ଭେଁାସ୍‌ଲେ, ବାଣୀ ଜୟରାମ୍‌, ପି. ସୁଶୀଳା, ସୁମନ୍‌ କଲ୍ୟାଣପୁର୍‌, ଏସ୍. ଜାନକୀ ଓ ଏଚ୍‌. ପି. ଗୀତା ପ୍ରମୁଖଙ୍କୁ। ସେମାନେ ସଭିଏଁ ଥିଲେ ବିଦୂଷୀ ଓ ଅତି ପ୍ରତିଭାବତୀ। ହେଲେ ସେମାନଙ୍କ ସ୍ବରରେ ବାରି ହେଉଥିଲା ପ୍ରଜାତିକ ଓ ସୂକ୍ଷ୍ମାତିସୂକ୍ଷ୍ମ ଓଡ଼ିଆ ପୁଟ ତଥା କାରୁକାର୍ଯ୍ୟର କିଛି କିଛି ଅଭାବ।

୩.୨୫ ଲକ୍ଷ କର୍ମୀଙ୍କୁ ନେଇ ବିଶ୍ୱର ସର୍ବବୃହତ ସିଏପିଏଫ୍ ସାଜିଛି ସିଆରପିଏଫ୍: ଶାହ

କି ପ୍ରକାରର ଅବଧାରଣା ପୋଷଣ କରିଥିଲା ‘ଅଦିନ ମେଘ’ର ସେଇ କୋରସ୍, ଯେଉଁଥିରେ ପ୍ରମୁଖ ଗାୟିକା ଥିଲେ ଗୀତା ପଟ୍ଟନାୟକ? ସମସ୍ତଙ୍କର ଗଁାର ମହିମା ବଖାଣିଥିଲା ସେ ଗୀତ। ଆରମ୍ଭରୁ ‘ଏଇ ଆମରି ଗଁା...’ ବୋଲା ଯାଇଥିଲା ଚାରିଥର। ଗଁାର ଚିତ୍ର ଥିଲା ଏକ ରମ୍ୟ, ପ୍ରାକୃତିକ ଓ ଆଦର୍ଶବାଦୀ ଗାଁର, ଯାହା ସୁଜଳା, ସୁଫଳା, ଶସ୍ୟଶ୍ୟାମଳା ଓ ସ୍ବର୍ଣ୍ଣପ୍ରସୂ। ସେଠି ନିତି ସଞ୍ଜବେଳା କନକ ଚମ୍ପା ଫୁଟେ। ଆମ୍ବତୋଟାର ପତ୍ରପୁଞ୍ଜେ କୋଇଲି ଡାକେ। ନଡ଼ିଆର କୁଞ୍ଜେ କୁଞ୍ଜେ ପରଶି ଯାଏ ବାଆ। ମୁଣ୍ଡ ଝାଳ ତୁଣ୍ଡରେ ମାରି ଚଷା ଭାଇ ବିଲ କାମରେ ଲାଗିଥାଏ। ଦା’ ଧରି କାଟେ ପୌଷ ମାସର ପାଚିଲା ଧାନ। ସେଇ ଗଁାର ସବୁ ପିଲା ଭଉଣୀ-ଭାଇ ଯେଉଁମାନେ ମନପ୍ରାଣ ଦେଇ ପାଠ ପଢ଼ିବେ ଓ ଦେଶ ଗଢ଼ିବେ। କର୍ମ ହେବ ସେମାନଙ୍କ ଧର୍ମ। ଯେଉଁ ଗଁାରେ ଜଣକର ମର ପିଣ୍ଡ ତିଆରି ହୋଇଛି ସେଇ ଗଁାର କୋଳରେ ଜଣେ ଶେଷରେ ସମର୍ପି ଦେବ ନିଜ ମୁଣ୍ଡ। କଲ୍ୟାଣମୟୀ ଓ ମମତାମୟୀ ସେହି ଗଁା ସର୍ବଦା ଦୁଃଖେସୁଖେ ସାହା। ସେଇ ଗୀତର ଗଁା କଦର୍ଯ୍ୟ କୁଡ଼ିଆର ସମାହାର ନ ଥିଲା; ନ ଥିଲା ବି ସହରର ବାଜେ ଜେରକ୍ସ କପି। ଥିଲା ଆଶା ଓ ସ୍ବପ୍ନର ଆତ୍ମନିଷ୍ଠ ଅଭୟାଶ୍ରୟ, ଯାହାକୁ ଅତି ଜୀବନ୍ତ କରି ଗାୟନରେ ଫୁଟେଇଥିଲେ ଗୀତା ଓ ତାଙ୍କ ସାଥୀ।

ଅକ୍ଷୟ ମହାନ୍ତିଙ୍କ ସଂଗୀତ ନିର୍ଦ୍ଦେଶନାରେ ୧୯୭୩ ମସିହାରେ ପ୍ରସ୍ତୁତ ହୋଇଥିବା ‘ସଂସାର’ ଚଳଚ୍ଚିତ୍ରରେ ତୃପ୍ତି ପ୍ରଭୃତିଙ୍କ ସହ ମିଶି ଗୀତା ଗାଇଥିଲେ ଏକ ଅତି ଚମତ୍କାର ଗୀତ ‘ଆଲୋ କଳାସାରି...’। ସେଥିରେ ବ୍ୟବହୃତ କଲିକତିଆ, କଟକିଆ ତାରକସିଆ, ପରବାସିଆ, ପ୍ରଜାପତିଆ ଓ ଲ‌କ୍ଷେଟଙ୍କିଆ ଖାଲି ଶବ୍ଦ ନ ଥିଲା; ଥିଲା ବରଂ ଧ୍ବନି, ପ୍ରତିଧ୍ବନି, ଅର୍ଥ, ଭାବ ଓ ମର୍ମଭରା ଅଦ୍ଭୁତ ଉଚ୍ଚାରଣ। ସେମିତି ଆଉ ଦୁଇଟି ସମବେତ ସ୍ବରର ଚର୍ଚ୍ଚିତ ଗୀତ- ‘ଜାଇ ଫୁଲରେ!’ ଓ ‘ଜାଣେ ଜୀବନରେ ସବୁଜ ସପନ’।  ୧୯୭୫ ମସିହାରେ ଆସିଥିଲା ‘ଯାଯାବର’, ଯାହାର ‘ଫୁର୍‌କିନା ଉଡ଼ିଗଲା ବଣି...’ ଗୀତ ଗୀତାଙ୍କୁ ଈର୍ଷଣୀୟ ଲୋକପ୍ରିୟତା ଆଣିଦେଇଥିଲା। ସାଙ୍ଗରେ ବି ଗାଇଥିଲେ ତୃପ୍ତି। ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ଖୋକାଭାଇ। ଫୁର୍‌କିନା ଉଡ଼ିଯାଏ ବଣି। ହେଲେ, ଶାଢ଼ି ଉଡ଼ିଯାଏ ଫର୍‌କିନା। ଫୁର୍‌କିନା ଓ ଫର୍‌କିନାର ଫରକ ସୂଚେଇଥିବା ସେ ଗୀତ କହିଦିଏ ଗୀତା କେମିତି ସୁସ୍ଥ ଫାଜିଲ୍‌ପଣ ଓ ଦୁଷ୍ଟାମିଭରା ସ୍ବରରେ ଗାଇବା ଜାଣିଥିଲେ; କିନ୍ତୁ ସେଥିରେ ଏତେ ସଣ୍ଠଣା ଓ ସଂଭ୍ରମ ଥିଲା ଯେ ତାହା ଅଶାଳୀନ ଓ ଅଶ୍ଳୀଳ ଲାଗିବା କି ହେବା ଆଦୌ ସମ୍ଭବ ନ ଥିଲା। ସେଇ ‘ଯାଯାବର’ର ଗୀତ ‘ଦନାଇ ଦାସ କହେରେ ଭାଇ...’କୁ ଗୀତା ଗାଇଥିଲେ ଅକ୍ଷୟଙ୍କ ସହ। ଏକକୁ ଆରେକ ବଳି। ସତରେ ଏ ଦୁନିଆରେ କିଏ କାହାର ଚାମ୍‌ଚା? ପୁଣି ୧୯୭୭ ମସିହାରେ ଆତ୍ମପ୍ରକାଶ କରିଥିଲା ‘ନାଗଫାଶ’, ଯାହାର ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ପୁନଶ୍ଚ ସେଇ ଅକ୍ଷୟ।

ସେଥିରେ ଗୀତା ସାମିଲ ହୋଇଥିବା ‘ମୋ କୋଳ ତୋ ଝୁଲଣା’, ‘ନଦୀ ଫେରେ ସାଗରକୁ’ , ‘ହେ ନାଥ! ମୋର ପ୍ରାଣନାଥ’ ଏବଂ ‘ବଡ଼ ବେଦରଦୀ ମୋ ନାଲିପାନ ରଜା’ ଗୀତ। ରେଡିଓର ଶ୍ରୋତାଗଣ ଥରକୁ ଥର ଶୁଣିବାକୁ ଅନୁରୋଧ ଜଣାଉଥିଲେ- କିଏ ଗୋରୁମହିଷାଣୀରୁ ତ ଆଉ କିଏ ଥୂଅାମୂଳ ରାମପୁରରୁ। ସେମିତି, ୧୯୭୮ ମସିହାର ‘ତଅପୋଇ’ ଛବିରେ ଅକ୍ଷୟ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଗୀତା ଗାଇଥିବା ଗୀତସବୁ ଭିତରୁ ତିନିଟି ଥିଲା ତୃପ୍ତିଙ୍କ ସହ; ଯଥା- ‘ଆ ବଉଳ! ବୋହୂ ବୋହୂକା ଖେଳ ଖେଳିବା’,‘କଥାଟିଏ କହୁଁ କଥାଟିଏ କହୁଁ’ ଏବଂ ‘ଜୟ ମା’ ମଙ୍ଗଳା’। ତିନିଟିଯାକ ଲେଖିଥିଲେ ବିନୋଦିନୀ ଦେବୀ ଯାହାଙ୍କୁ ଅନେକ ପ୍ରଥମ ଓଡ଼ିଆ ମହିଳା ଗୀତିକାର କହିଥାନ୍ତି। ସେଇ ବିନୋଦିନୀ ଲେଖିଥିଲେ ‘ରକତ ଟଳମଳ’ ସହ ‘ମଲାଜହ୍ନ’ (୧୯୬୫)ର ଆଉ ଦୁଇଟି ଗୀତ। ‘ବୋହୂବୋହୂକା’ ଗୀତ କହିଛି ଜଣେ ପିନ୍ଧିବେ ବସନ୍ତପତନୀ ତ ଆଉ ଜ‌େଣ ବଉଳପାଟ। ‘କଥାଟିଏ କହୁଁ’’ରେ ଉଲ୍ଲେଖ ଅଛି ନବନୀତା, ଜଗତଜିତା, ମଧୁମତୀ, ଫୁଲମତୀ, ଲାଜବତୀ, ମହୁଝର ଓ ମାନମୟୀ ସମ୍ବୋଧନର। ଆଉ, ‘ମା’ ମଙ୍ଗଳା’ ତ ବିପଦଭଞ୍ଜନା, ଆରତନାଶିନୀ ଓ ଦୟାମୟୀ।

ଗୀତିମୟ ଗୀତା

୧୯୫୪ ମସିହା ଡିସେମ୍ବର ୧୦ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ଗୀତା ପଟ୍ଟନାୟକ। ସୁରେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ ଓ ହେମଲତାଙ୍କ ସୁକନ୍ୟା ଗୀତାଙ୍କ ମାଆ ଓ ମାଉସୀ ଗୀତ ଶିଖିଥିଲେ ଓ ଗାଉଥିଲେ। ତେଣୁ ପିଲାଦିନୁ ଗୀତ ପ୍ରତି ତାଙ୍କର ଆଗ୍ରହ ଥିଲା। ପ୍ରଥମେ ରେଡିଓରୁ ଗୀତ ଶୁଣି ତାକୁ ଗାଇବାକୁ ଚେଷ୍ଟା କରୁଥିଲେ ଗୀତା। ସେହି ସମୟରେ ଗୀତ ଶିଖୁଥିବା ତାଙ୍କର ଜଣେ ସମ୍ପର୍କୀୟ ଭଉଣୀଙ୍କ ସହ ତାଙ୍କ ଗୁରୁଙ୍କ ନିକଟକୁ ଯାଇ ଗୀତଟି ଶୁଣାଇଥିଲେ ଗୀତା। ଗୁରୁ କହିଲେ, ତୁ ଭଲ ଗାଉଛୁ, ଅଭ୍ୟାସ କର। ତାଙ୍କର ଉତ୍ସାହ ବାଣୀ ଗୀତାଙ୍କୁ କଟକ କଳା ବିକାଶ କେନ୍ଦ୍ରକୁ ବାଟ କଢ଼ାଇନେଲା। ଆରମ୍ଭ ହେଲା ବିଧିବଦ୍ଧ ସଂଗୀତ ଶିକ୍ଷା। କ୍ରମେ ସେ କଟକ ଆକାଶବାଣୀର ଶିଶୁ ସଂସାର ଓ କିଶୋର ଚକ୍ରରେ ନିୟମିତ ଗାୟିକା ହୋଇଗଲେ। ୧୯୭୧ ମସିହାରେ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ହେବା ସହ ମାତ୍ର ୧୫ ବର୍ଷ ବୟସରେ ‘ଅଦିନ ମେଘ’ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ ଗାୟିକା ଭାବେ ସାମିଲ ହେଲେ। ତା’ପରେ ବହୁ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ଗୀତା। କେବଳ ଓଡ଼ିଆ ନୁହେଁ, ହିନ୍ଦୀ, ଗୁଜରାଟୀ, ରାଜସ୍ଥାନୀ ଓ ମରାଠୀ ଭାଷାରେ ମଧ୍ୟ ଗୀତ ଗାଇଛନ୍ତି ଗୀତା। ପୁଣି ଓଡ଼ିଶାରେ ନୁହେଁ, ଦେଶ ଓ ବିଦେଶରେ ମଧ୍ୟ ଗୀତ ଗାଇ ଶ୍ରୋତାଙ୍କୁ ଅଭିଭୂତ କରିଛନ୍ତି। ‘ଅଶାନ୍ତ ଗ୍ରହ’ ଚଳଚ୍ଚିତ୍ରର ‘ବିଶ୍ୱ ଦେଖ ମଧୁମୟରେ ଜୀବନ’ ଗୀତ ପାଇଁ ସେ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବି ପାଇଛନ୍ତି। ଏଥି ସହିତ ଏକାଧିକବାର ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଚାରକ ମଣ୍ଡଳୀର ସଦସ୍ୟ ମଧ୍ୟ ରହିଛନ୍ତି। ୨୦୨୬ ଫେବ୍ରୁ୍ଆରି ୧୫ ତାରିଖରେ ତାଙ୍କର ଦୀର୍ଘ ସଂଗୀତମୟ ଜୀବନର ଅବସାନ ଘଟିଛି।

Health: କିଡ୍‌ନି ରୋଗରେ ପୀଡ଼ିତ ଗାଆଁରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗ

କେବଳ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଗାଇ ନ ଥିଲେ ଗୀତା। ଗାଇଥିଲେ ବି ରେଡିଓ, ମଞ୍ଚ, ରେକର୍ଡ ଓ ଟେଲିଭିଜନ୍ ଆଦି ପାଇଁ। ଲଘୁ, ସୁଗମ, ସଜଫୁଲ, ଭଜନ, ଜଣାଣ, ପ୍ରାର୍ଥନା, ପଲ୍ଲୀ, ଆଧୁନିକ, ଏକକ, ଯୁଗଳ ଓ ସମବେତ ଗୀତ। ଅନେକ ପଚାରନ୍ତି- ଗୀତା ପଟ୍ଟନାୟକଙ୍କ ‘ଯୌତୁକ ନବ ଚଢ଼ା’ ଏବଂ ‘ଏମିତି ପୁଅକୁ ମୁଁ ବାହା ହୁଅନ୍ତି’ ଆଦି ଶୁଣିଛନ୍ତି ତ? ପୁଣି, ତାଙ୍କର ଆହୁରି ଅନେକ ଓଡ଼ିଆ ଚଳଚ୍ଚିତ୍ର ଗୀତ ଅଛି। ଅବଶ୍ୟ ବିବାହ ପରେ ଅନେକ ବର୍ଷ ସିଏ ଓଡ଼ିଶା ବାହାରେ ରହି ଯାଇଥିବାରୁ ତାଙ୍କର ଓଡ଼ିଆ ଗୀତ ଗାଇବା କମି ଯାଇଥିଲା। କିନ୍ତୁ, ଶେଷ ପର୍ଯ୍ୟନ୍ତ ଗୀତାଙ୍କ (୧୯୫୪-୨୦୨୬) ବ୍ୟକ୍ତିତ୍ବ ଓ ଗାୟନରେ ଝଲକୁଥିଲା ମାଧୁର୍ଯ୍ୟ, ସୌନ୍ଦର୍ଯ୍ୟ, ଲାବଣ୍ୟ, ଲାଳିତ୍ୟ, ସାହସ, ଉଦାର ଭଗିନୀଭାବ ଓ ଆଧୁନିକତାର ଧାତୁଗୁଣ। ଗୀତା ପଟ୍ଟନାୟକମାନେ ଆରମ୍ଭରୁ ଅମଡ଼ା ବାଟରେ ଯାଇ ନ ଥିଲେ ପରବର୍ତ୍ତୀ ପ୍ରଜନ୍ମ ପାଇଁ ସମ୍ଭବତଃ ଆହ୍ବାନ ଅଧିକ ଜଟିଳ ହୋଇଯାଇଥାନ୍ତା!
ମୋ: ୯୪୩୭୩୦୭୦୭୯

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe