ଜବାହରଲାଲ୍ ନେହରୁ ବିଶ୍ବବିଦ୍ୟାଳୟର ପ୍ରାକ୍ତନ ପ୍ରୋ-ଭାଇସ୍ ଚାନ୍ସେଲର୍ ତଥା ଜଣାଶୁଣା ବୈଦେଶିକ ବ୍ୟାପାର ବିଶେଷଜ୍ଞ ପ୍ରଫେସର୍ ଡକ୍ଟର୍ ଚିନ୍ତାମଣି ମହାପାତ୍ରଙ୍କର ଅର୍ନ୍ତରାଷ୍ଟ୍ରୀୟ ସମ୍ପର୍କ, ପ୍ରତିରକ୍ଷା ଓ ବାଣିଜ୍ୟ କ୍ଷେତ୍ରରେ ବିଶେଷ ଦକ୍ଷତା ରହିଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ମୂଳ ବାସିନ୍ଦା ପ୍ରଫେସର୍ ମହାପାତ୍ର ୧୯୭୭ ମସିହାରୁ ଭାରତ-ଆମେରିକା ବିଦେଶ ନୀତି ଓ କୂଟନୈତିକ ସଂପର୍କ ଉପରେ ଗବେଷଣା କରିଆସୁଛନ୍ତି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ଭାରତ ଗସ୍ତ ଭାରତ-ଆମେରିକା ଦ୍ବିପାକ୍ଷିକ ବାଣିଜ୍ୟିକ ଓ ସାମରିକ ସଂପର୍କ ଉପରେ କିଭଳି ପ୍ରଭାବ ପକାଇବ, ସେ ପ୍ରସଙ୍ଗରେ ତାଙ୍କୁ ନୂଅାଦିଲ୍ଲୀରେ ଭେଟି ଆଲୋଚନା କରିଛନ୍ତି ବରିଷ୍ଠ ପ୍ରତିନିଧି ବିଭୂତି ପତି
ସଂକ୍ଷେପରେ ଚିନ୍ତାମଣି
ଡକ୍ଟର ଚିନ୍ତାମଣି ମହାପାତ୍ରଙ୍କର ଜନ୍ମ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରରେ। ଭବାନୀପାଟଣାର ବ୍ରଜମୋହନ ଦେଓ ହାଇସ୍କୁଲ୍ ଓ କଳାହାଣ୍ଡି କଲେଜ୍ରେ ପାଠ ପଢ଼ିବା ପରେ ସେ ୧୯୭୮ରେ ଭାରତର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଜବାହର୍ଲାଲ୍ ନେହରୁ ବିଶ୍ବବିଦ୍ୟାଳୟର ‘ସ୍କୁଲ୍ ଅଫ୍ ଇଣ୍ଟର୍ନ୍ୟାସ୍ନାଲ୍ ଷ୍ଟଡିଜ୍’ରେ ଏମ୍.ଏ. କରିବା ପରେ ଏମ୍.ଫିଲ୍ ଓ ପିଏଚ୍ଡି କରିଥିଲେ। ଏହାପରେ ସେ ଆମେରିକାନ୍ ଷ୍ଟଡିଜ୍ରେ ଅଧ୍ୟୟନ କରିଥିଲେ। ଏ ବିଷୟରେ ସେ ବହୁ ଗବେଷଣାଭିତ୍ତିକ ସନ୍ଦର୍ଭ ଲେଖିଛନ୍ତି। ଉଚ୍ଚତର ଅଧ୍ୟୟନ ଓ ଗବେଷଣା ପାଇଁ ସେ ଆମେରିକାରେ ଦୀର୍ଘବର୍ଷ ବିତାଇଥିଲେ। ଅଧ୍ୟୟନ ଓ ଗବେଷଣା କରିବା ପାଇଁ ସେ ବିଭିନ୍ନ ସମୟରେ ଲଣ୍ଡନ୍ ଗସ୍ତ କରିଥିଲେ। ସେ ‘ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡିଫେନ୍ସ୍ ଷ୍ଟଡିଜ୍ ଆଣ୍ଡ୍ ଆନାଲିସିସ୍’ରେ ମଧ୍ୟ ଗବେଷଣା କରିଥିଲେ। ୧୯୯୯ରେ ସେ ‘ଜେଏନ୍ୟୁ’ର ‘ସ୍କୁଲ୍ ଅଫ୍ ଇଣ୍ଟର୍ନ୍ୟାସ୍ନାଲ୍ ଷ୍ଟଡିଜ୍’ରେ ଆସୋସିଏଟ୍ ପ୍ରଫେସର୍ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଦୀର୍ଘ ୬ବର୍ଷ ଧରି ‘ଜେଏନ୍ୟୁ’ର ରେକ୍ଟର୍ ବା ପ୍ରୋ-ଭାଇସ୍ ଚାନ୍ସେଲର୍ ପଦବିରେ ରହି ନିଜର ପ୍ରାଶାସନିକ ଦକ୍ଷତା ଓ ଛାତ୍ରବତ୍ସଳ ନୀତି ପାଇଁ ସେ ସୁନାମ ଅର୍ଜନ କରିଛନ୍ତି। ବର୍ତ୍ତମାନ ‘କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡୋ-ପ୍ୟାସିଫିକ୍ ଷ୍ଟଡିଜ୍’ର ଫାଉଣ୍ଡର୍ ଚେୟାରମ୍ୟାନ୍ ରହିଛନ୍ତି। ଏହାସହିତ ବିଶ୍ବର ପ୍ରଖ୍ୟାତ ଜର୍ଣ୍ଣାଲ୍ ‘ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ୱାର୍ଲଡ୍ ଆଫେୟାର୍ସ’ର ସଂପାଦକ ଭାବେ ଦାୟିତ୍ବ ବି ତୁଲାଉଛନ୍ତି। ଭାରତର ଅନେକ ପ୍ରତିଷ୍ଠିତ ଦୈନିକ ଓ ସାପ୍ତାହିକ ଇଂରାଜୀ ଖବରକାଗଜ ତଥା ପତ୍ରିକାରେ ବୈଦେଶିକ ବ୍ୟାପାର ଉପରେ ତାଙ୍କର ମତାମତ ସବୁବେଳେ ପ୍ରକାଶିତ ହୋଇଥାଏ।
Education sambad: ଖୁବ୍ଶୀଘ୍ର ପ୍ରକାଶ ପାଇବ ‘ଶିକ୍ଷା ସମ୍ବାଦ’
ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ଭାରତ ଗସ୍ତ ଅବସରରେ ଭାରତ-ରୁଷ୍ ସମ୍ପର୍କକୁ ଆପଣ କିପରି ବିଶ୍ଳେଷଣ କରୁଛନ୍ତି?
ଦେଖନ୍ତୁ, ଭାରତ-ରୁଷ୍ ସଂପର୍କ ଓ ବନ୍ଧୁତ୍ବ ଦୀର୍ଘଦିନରୁ ରହିଆସିଛି। ଏହି ସଂପର୍କ ବିଶ୍ବର ଅନ୍ୟତମ ସୁଦୃଢ଼ ବନ୍ଧୁତ୍ବ ଓ ବିଶ୍ବସନୀୟ ସଂପର୍କର ଉଦାହରଣ ସୃଷ୍ଟିକରିଛି। ଭାରତ ଓ ରୁଷ୍ ମଧ୍ୟରେ କେବେ ଅବୁଝାମଣା ହୋଇନାହିଁ। ସୋଭିଏତ୍ ସଂଘ ସମୟରୁ ମଧ୍ୟ ଏହା ରହିଆସିଛି। ଏହା ଆମ ବୈଦେଶିକ ନୀତିର ଏକ ସଫଳତା। ଅନ୍ୟପକ୍ଷରେ ସମଗ୍ର ବିଶ୍ବକୁ ଧ୍ବଂସ କରିଦେବା ଭଳି ଅସୀମ ଶକ୍ତି ରୁଷ୍ ନିକଟରେ ରହିଛି। ଆଜି ବି ଆମେରିକାକୁ ଧମକ ଦେବାର କ୍ଷମତା ଓ ସାହସ କେବଳ ରୁଷ୍ର ଅଛି। ଅବଶ୍ୟ ରୁଷ୍ର ଅର୍ଥନୀତି ଯଦିଓ ସେତେଟା ଶକ୍ତିଶାଳୀ ନୁହେଁ, କିନ୍ତୁ ଆମେରିକା ପାଇଁ ସେ ସବୁବେଳେ ଆହ୍ବାନ ସୃଷ୍ଟି କରିଛି। ପୁଟିନ୍ଙ୍କ ଗସ୍ତ ଭାରତ-ରୁଷ୍ର ପୁରୁଣା ସଂପର୍କକୁ ଅଧିକ ସୁଦୃଢ଼ କରିବ। ଯଦିଓ ରୁଷ୍ ଚୀନ୍ ସହିତ ସମାନ୍ତରାଳ ସଂପର୍କ ରଖିଆସିଛି, କିନ୍ତୁ ଭାରତ ଉପରେ ତାହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଭାରତ ତା’ର ଜାତୀୟ ସ୍ବାର୍ଥ ଉପରେ ଗୁରୁତ୍ବ ଦେବ ଏବଂ ତାହା ବଜାୟ ରଖିବାକୁ ରୁଷ୍ ମଧ୍ୟ ଭାରତ ପ୍ରତି ବିଶେଷ ଯତ୍ନବାନ୍ ହେବ। ତେବେ ବାଣିଜ୍ୟିକ ଟାରିଫ୍କୁ ନେଇ ଯଦି ଟ୍ରମ୍ପ୍ ମନ୍ମାନୀ କରନ୍ତି ତା’ହେଲେ ଭାରତ ଦୃଢ଼ ଆଭିମୁଖ୍ୟ ପୋଷଣ କରିବ।
ବର୍ତ୍ତମାନ ଭାରତ-ଆମେରିକା ସଂପର୍କକୁ ଆପଣ କିପରି ଦେଖୁଛନ୍ତି? ଟ୍ରମ୍ପ୍ଙ୍କ ଅତ୍ୟଧିକ ଟାରିଫ୍ ବୃଦ୍ଧି ଓ ତାଙ୍କ ବ୍ୟକ୍ତିତ୍ବକୁ ଆପଣ କିପରି ପରଖୁଛନ୍ତି?
ଭାରତ-ଆମେରିକା ପ୍ରତିରକ୍ଷା ବୁଝାମଣା ଓ ସାମରିକ ରଣନୀତି ଭଲ ରହିଛି। ମୋଟାମୋଟି ଭାରତ-ଆମେରିକା ମୌଳିକ ସାମରିକ ସଂପର୍କ ସୁଦୃଢ଼ ଅଛି। କିନ୍ତୁ, ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ ଦ୍ବିତୀୟ ପାଳିର ବୈଦେଶିକ ସଂପର୍କ ପ୍ରସଙ୍ଗ ବହୁତ ଅଣ-ପାରମ୍ପରିକ ନୀତି ଉପରେ ପର୍ଯ୍ୟବସିତ। କାରଣ ସେ ଆମେରିକାର ପାରମ୍ପରିକ ବୈଦେଶିକ ସଂପର୍କ ଓ ନୀତିକୁ ବିଶ୍ବାସ କରନ୍ତି ନାହିଁ। ତେଣୁ ଟ୍ରମ୍ପ୍ଙ୍କ ବୈଦେଶିକ ନୀତି ରକ୍ଷଣଶୀଳ ନୁହେଁ। ତାଙ୍କର ଭାରତ ପ୍ରତି ରହିଥିବା ମନୋଭାବ ଓ ବ୍ୟବହାର ଅନୁଚିତ ବୋଲି ମୁଁ ଅନୁଭବ କରୁଛି। ରୁଷ୍-ଭାରତ ସଂପର୍କ ନେଇ ଟ୍ରମ୍ପ୍ ବିଚଳିତ ହେବା ସ୍ବାଭାବିକ। ଶକ୍ତି କ୍ଷେତ୍ରରେ ଭାରତ-ରୁଷ୍ ବୁଝାମଣାକୁ ନେଇ ଟ୍ରମ୍ପଙ୍କ ପ୍ରତିକ୍ରିୟା, ଟ୍ରମ୍ପ୍ଙ୍କ ଟାରିଫ୍ ଧମକ ଏବଂ ତୈଳ ଆମଦାନିକୁ ନେଇ ଟ୍ରମ୍ପ୍ଙ୍କ ନୀତି ଭାରତ ପାଇଁ ଗ୍ରହଣୀୟ ନୁହେଁ। ଚୀନ୍ ଅଧିକ ତୈଳ ଅାମଦାନି କରୁଛି। ତା’ ଉପରେ ଟ୍ରମ୍ପ୍ ଟାରିଫ୍ ଲଗାଉ ନାହାନ୍ତି କାହିଁକି? ହଙ୍ଗେରୀ ୮୦ ପ୍ରତିଶତ ଗ୍ୟାସ୍ ରୁଷ୍ରୁ ଆମଦାନି କରିଥାଏ। ୟୁରୋପୀୟ ରାଷ୍ଟ୍ରସମୂହ ମଧ୍ୟ ରୁଷ୍ରୁ ତୈଳ ଓ ଗ୍ୟାସ୍ ଆମଦାନି କରୁଛନ୍ତି। ସେମାନଙ୍କ ଉପରେ ଆମେରିକା କାହିଁକି ଟାରିଫ୍ ଲଗାଉ ନାହିଁ? ଏସବୁ ଦେଖିଲେ ଲାଗୁଛି ଟ୍ରମ୍ପ୍ଙ୍କ ଟାରିଫ୍ ଭାରତକୁ ଦଣ୍ଡ ଦେବା ପାଇଁ ପ୍ରଯୁଜ୍ୟ। ଟ୍ରମ୍ପ୍ଙ୍କ ଆଚରଣ ଅତ୍ୟନ୍ତ ଅପରିଣାମଦର୍ଶୀ। ସବୁବେଳେ ଅନ୍ୟକୁ ଅପମାନିତ କଲାଭଳି କଥା କହିବା ତାଙ୍କର ଅଭ୍ୟାସ। ଏହାଦ୍ବାରା ସେ ନିଜକୁ ସର୍ବଶ୍ରେଷ୍ଠ ବୋଲି ସାବ୍ୟସ୍ତ କରିବାକୁ ଚାହାନ୍ତି। ସେ ଜଣେ ଅହଙ୍କାରୀ ବ୍ୟକ୍ତି।
Cold in Jharsuguda and Angul: ୧୦ ଡିଗ୍ରି ତଳେ ୬ ସହର: ଝାରସୁଗୁଡ଼ା ଓ ଅନୁଗୁଳରେ ପ୍ରବଳ ଜାଡ଼
ଆପଣ ଆମେରିକାନ୍ ଷ୍ଟଡିଜ୍ରେ ଅଧ୍ୟୟନ କରିବାକୁ ଆଗ୍ରହୀ ହେଲେ କାହିଁକି?
ଜେଏନ୍ୟୁରେ ପାଠ ପଢ଼ିବା ବେଳେ ମୁଁ ଜାଣିଲି ଯେ ବିଭିନ୍ନ ରାଷ୍ଟ୍ର ମଧ୍ୟରେ ବୈଦେଶିକ ସଂପର୍କ ରହିଛି। ସେତେବେଳେ ଆମେରିକାର ସାମରିକ ଓ ବୈଦେଶିକ ନୀତି ମୋତେ ଆକୃଷ୍ଟ କରିଥିଲା। ଆମେରିକାର ଗଣତନ୍ତ୍ର ପ୍ରକ୍ରିୟା ମୋତେ ଭଲ ଲାଗିଥିଲା। ମୁଁ ଅନୁଭବ କରିଥିଲି, ଯଦି ଆମେରିକା କୌଣସି ପଦକ୍ଷେପ ଗ୍ରହଣ କରେ, ତା’ର ପ୍ରଭାବ ସମଗ୍ର ବିଶ୍ବରେ ପଡ଼ିବ। ଆମେରିକାର କୂଟନୀତିଠାରୁ ନେଇ ଅାନ୍ତଃରାଷ୍ଟ୍ରୀୟ ସଂପର୍କର ଗଭୀରତା ଜାଣିଲେ ବିଶ୍ବର ସମସ୍ତ ଧନୀ ଓ ଶକ୍ତିଶାଳୀ ଦେଶର ଭୂ-ରାଜନୈତିକ ପ୍ରସଙ୍ଗ ବୁଝି ହୋଇଥାଏ। ଏହାଦ୍ବାରା ଅନେକ ଜ୍ଞାନ ଲାଭହୁଏ। ଏଭଳି ବିଭିନ୍ନ କାରଣ ମୋତେ ଆମେରିକାନ୍ ଷ୍ଟଡିଜ୍ରେ ପଢ଼ିବା ଏବଂ ଗେବଷଣା କରିବାକୁ ଅଧିକ ଆଗ୍ରହ ସୃଷ୍ଟି କରାଇଥିଲା।
ଆପଣଙ୍କ ପିଲାଦିନ କଳାହାଣ୍ଡିରେ ବିତିଛି। ବାଲ୍ୟଜୀବନରୁ ନେଇ ମହାବିଦ୍ୟାଳୟ ପର୍ଯ୍ୟନ୍ତ ସମୟର ସ୍ମୃତି କିଭଳି ଥିଲା?
ମୁଁ ଭବାନୀପାଟଣାରେ ପଢୁଥିଲା ବେଳେ କଳାହାଣ୍ଡି ବିଶେଷ ଉନ୍ନତ ନ ଥିଲା। ମୋର ବାଲ୍ୟକାଳର ଅନୁଭୂତି ମଧ୍ୟ ସେତେଟା ଭଲନୁହେଁ। ଘରଠୁ ବହୁତ ଦୂର ଏକ ଜଙ୍ଗଲିଆ ଗଁା ସ୍କୁଲ୍କୁ ଆମେ ମାଟ୍ରିକ୍ ପରୀକ୍ଷାଦେବାକୁ ଯାଇଥିଲୁ। ବାପା ହରେକୃଷ୍ଣ ମହାପାତ୍ର ଜଗନ୍ନାଥ ମନ୍ଦିରର ପୂଜାରୀ ଓ ବିଦ୍ୟାଳୟ ଶିକ୍ଷକ ଥିଲେ। ଆମ ଘର ସମ୍ମୁଖରେ ଜଗନ୍ନାଥ ମନ୍ଦିର ଥିଲା। ତେଣୁ ସକାଳ ଓ ସଞ୍ଜରେ ପୂଜାପାଠ, ଶଙ୍ଖ ଓ ଘଣ୍ଟଧ୍ବନି ଆମେ ଶୁଣୁଥିଲୁ, କୀର୍ତ୍ତନ କରୁଥିଲୁ। ସେତେବେଳେ ଘରେ ବିଜୁଳି ଆଲୁଅ ନ ଥିଲା। ଘରର ଲଣ୍ଠନ ଓ ମନ୍ଦିରର ଦୀପ ଆଲୋକରେ ମୁଁ ପାଠ ପଢ଼ିଥିଲି। ମନ୍ଦିରକୁ ବିଜୁଳି ଆସିବାପରେ ପାଠପଢ଼ିବା ଟିକେ ସହଜ ହୋଇଥିଲା। ଛୁଟିଦିନରେ ଆମେ ବିଦ୍ୟୁତ୍ ଅଫିସ୍ରେ ଥିବା ଟେଲିଫୋନ୍ ଦେଖିବାକୁ ଯାଉଥିଲୁ। ଥରେ ପିଜୁଳିଗଛରେ ଚଢ଼ି ପିଜୁଳି ଖାଇବାକୁ ନେଇ ମା’ଙ୍କଠାରୁ ମାଡ଼ ଖାଇଥିଲି। ସେହିପରି, ଫୁଟବଲ୍ ଖେଳିବା ଥିଲା ମୋର ନିଶା। ଥରେ ମ୍ୟାଚ୍ ଖେଳି ଘରକୁ ଫେରିଲାବେଳକୁ ସନ୍ଧ୍ୟା ହୋଇଯାଇଥିଲା। ତେଣୁ ବାପା ମୋତେ ବାଡ଼େଇଥିଲେ। ଶିକ୍ଷକମାନଙ୍କ ସହିତ ସାଇକେଲ୍ରେ ବସି ମୁଁ ଜଙ୍ଗଲ ଓ କଳାହାଣ୍ଡି ଜନଜାତି ମଣିଷଙ୍କ ବାସ୍ତବ ସ୍ଥିତି ଅତି ନିକଟରୁ ପରଖିଛି। ଅଧିକ ସମୟ ଲଣ୍ଠନ ଆଲୋକରେ ପାଠ ପଢ଼ିଲେ ବାପା କହୁଥିଲେ, ସେତିକି ପଢ଼, ବିଶ୍ରାମ ନେ, ପରୀକ୍ଷାରେ ତୋ’ର ବହୁତ ଭଲ ହେବ। ପରୀକ୍ଷାଦେଇ ଘରକୁ ଆସିଲା ବେଳକୁ ମନ୍ଦିରରେ ବାପା ପଚାରୁଥିଲେ, ପରୀକ୍ଷା କିପରି ହୋଇଛି? ମୁଁ କହୁଥିଲି, ଭଲ ହୋଇଛି। ଏହା ପରେ ମୋତେ ବାପା କେବେ ଦ୍ବିତୀୟ ପ୍ରଶ୍ନ ପଚାରୁ ନଥିଲେ। ଜୀବନର ଏସବୁ ସ୍ମୃତିକୁ ମୁଁ ଭୁଲିପାରିନି କି, ପାରିବିନି।
Follow Us