ଭୁବନେଶ୍ବର: ରାଉରକେଲାରେ ଆୟୋଜିତ ନବମ ବରିଷ୍ଠ ପୁରୁଷ ଓ ମହିଳା ରାଜ୍ୟ ବକ୍ସିଂ ପ୍ରତିଯୋଗିତାରେ ଗୁରୁତର ବିଭ୍ରାଟ ସହ ବଡ଼ ଧରଣର ତଞ୍ଚକତା ଅଭିଯୋଗ ଓଡ଼ିଶା କ୍ରୀଡ଼ା ମହଲରେ ଆଲୋଡ଼ନ ଓ ଚହଳ ସୃଷ୍ଟି କରୁଛି। ଏହି ଅଭିଯୋଗ ପୁରୀ ଜିଲ୍ଲାର ବକ୍ସର ବିଶ୍ବନାଥ ସ୍ବାଇଁ କରିଛନ୍ତି। ଏହି ବିଷୟରେ ସେ ରାଜ୍ୟ ସୌଖୀନ ମୁଷ୍ଟିଯୁଦ୍ଧ ସଂଘ, ଭାରତୀୟ ମୁଷ୍ଟିଯୁଦ୍ଧ ସଂଘ ଏବଂ ରାଜ୍ୟ ଅଲମ୍ପିକ୍ ସଂଘ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ବିଶ୍ୱନାଥଙ୍କ ଅଭିଯୋଗ ଅନୁସାରେ ଗତ ୧୮-୧୯ ତାରିଖରେ ରାଉରକେଲା ସେକ୍ଟର-୫ ହକି ଷ୍ଟାଡିୟମ୍ରେ ହୋଇଥିବା ବାଉଟ୍ ନମ୍ବର ୩୬ ( ୬୫ କେଜିରୁ ୭୦ କେଜି ଓଜନ ବର୍ଗ)ର ଫାଇନାଲ୍ରେ ସେ ବାଲେଶ୍ୱର ଜିଲ୍ଲାର ଖେଳାଳି ଓଂକାର ଦେବ ସୂର୍ଯ୍ୟ ଜେନାଙ୍କ ସହ ମୁକାବିଲା କରିଥିଲେ। ମ୍ୟାଚ୍ ସ୍ପଷ୍ଟ ଭାବେ ତାଙ୍କ ପକ୍ଷରେ ଥିବା ସତ୍ତ୍ୱେ ପୂର୍ବ ଯୋଜନା ଭାବେ ତାଙ୍କୁ ପରାଜିତ ଘୋଷଣା କରାଯାଇଥିଲା।
ଅଭିଯୋଗର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି, ବାଲେଶ୍ୱର ଜିଲ୍ଲାର ଖେଳାଳିଙ୍କ ସହ ମ୍ୟାଚ୍ ସମୟରେ ବାଲେଶ୍ୱର ଜିଲ୍ଲାର ଜଜ୍ ଅଶୋକ କୁମାର ସେଠୀଙ୍କୁ ନିଯୁକ୍ତ କରାଯାଇଥିଲା, ଯାହା ଭାରତୀୟ ମୁଷ୍ଟିଯୁଦ୍ଧ ସଂଘ ଓ ବିଶ୍ୱ ମୁଷ୍ଟିଯୁଦ୍ଧର ନିୟମକୁ ଉଲ୍ଲଂଘନ କରୁଛି। ବିଶ୍ୱନାଥ ଆହୁରି ଅଭିଯୋଗ କରିଛନ୍ତି ଯେ, ମ୍ୟାଚ୍ ସମୟରେ ଜଣେ ଜଜ୍ ମୋବାଇଲ ଫୋନ୍ ବ୍ୟବହାର କରୁଥିଲେ ଓ ରାଜ୍ୟ ମୁଷ୍ଟିଯୁଦ୍ଧ ସଂଘ ସମ୍ପାଦକ ଅନିଲ କୁମାର ବୋହିଦାର ଓ କୋଷାଧ୍ୟକ୍ଷ ଶିଶିର କୁମାର ପାଣିଗ୍ରାହୀ ବାହାରୁ ରିଙ୍ଗ୍ରେ ଅବୈଧ ଭାବେ ହସ୍ତକ୍ଷେପ କରୁଥିଲେ। ଯାହା ସମ୍ପୂର୍ଣ୍ଣ ମ୍ୟାଚ୍କୁ ସନ୍ଦେହଜନକ କରିଥିଲା। ମଜାଦାର କଥା ହେଲା ବିଶ୍ବନାଥ ଏହି ଅନ୍ୟାୟ ନେଇ ଲିଖିତ ଅଭିଯୋଗ କରିବା ପରେ ତାଙ୍କୁ ଶାନ୍ତ କରିବା ସହ ମାମଲାକୁ ଚପାଇ ଦେବାକୁ ରାଜ୍ୟ ମୁଷ୍ଟିଯୁଦ୍ଧ ସଂଘ ଏକ ହାସ୍ୟାସ୍ପଦ ପଦକ୍ଷେପ ନେଇଛି। ବିଶ୍ୱନାଥଙ୍କୁ ରାଜ୍ୟ ବରିଷ୍ଠ ପୁରୁଷ ଓ ମହିଳା ମୁଷ୍ଟିଯୁଦ୍ଧ ଦଳର ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଯାହା ଫଳରେ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। କ୍ରୀଡ଼ା ମହଲରେ ଏହି ପଦକ୍ଷେପ ଅଭିଯୋଗକୁ ଦମନ କରିବା କିମ୍ବା ମାମଲାକୁ ଧ୍ୟାନ ଭ୍ରମିତ କରିବାର ଚେଷ୍ଟା ବୋଲି ଆଲୋଚନା କରାଯାଉଛି।
Orissa HC: ହାଇକୋର୍ଟରେ ଶୀତ ଅବକାଶ: ଜାନୁଆରି ୫ରେ ଖୋଲିବ, ଡିସେମ୍ବର ୩୦ରେ ଅବକାଶକାଳୀନ କୋର୍ଟ
‘ସମ୍ବାଦ’ ସହ କଥା ହୋଇ ବିଶ୍ବନାଥ ଏଥିନେଇ କ୍ଷୋଭର ସହ କହିଛନ୍ତି ଯେ ୨୦୨୨ ମସିହାରୁ ମୁଁ ରାଜ୍ୟ ସଂଘ ଦ୍ବାରା ଘୋର ଅନ୍ୟାୟର ଶିକାର ହୋଇ ଆସୁଛି। ଜିତିବା ମ୍ୟାଚ୍ରେ ମୋତେ ଜାଣିଶୁଣି ହରାଇ ଦିଆଯାଉଛି। ମୁଁ ଜଣେ ଖେଳାଳି, ମୋତେ କୋଚ୍ ନିଯୁକ୍ତ କାହିଁକି କରାଯାଇଛି ବୁଝି ହେଉନି। ଏନେଇ ରାଜ୍ୟ ସୌଖୀନ ମୁଷ୍ଟିଯୁଦ୍ଧ ସଂଘର ସମ୍ପାଦକ ଅନିଲ ବହିଦାରଙ୍କୁ ତାଙ୍କ ପ୍ରତିକ୍ରିୟା ପାଇଁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ।
Follow Us