ଅହମଦାବାଦ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟକୁ ଦୁଇ ମହାନ ଖେଳାଳି ରାହୁଲ ଦ୍ରାବିଡ଼ ଓ ଭି.ଭି.ଏସ. ଲକ୍ଷ୍ମଣଙ୍କୁ ସମର୍ପିତ କରିଛନ୍ତି। ରବିବାରର ବିଜୟ ପରେ ନିଜର ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ମୁଁ ଏହି ଟ୍ରଫିକୁ ରାହୁଲ ଦ୍ରାବିଡ଼ ଓ ଭି.ଭି.ଏସ.ଲକ୍ଷ୍ମଣଙ୍କୁ ଉତ୍ସର୍ଗ କରିବାକୁ ଚାହିଁବି। ଏକ ଶକ୍ତିଶାଳୀ ଭାରତୀୟ ଦଳକୁ ଗଢିବା ପାଇଁ ରାହୁଲ ଭାଇଙ୍କୁ ଓ ସିଓଇ (କ୍ରିକେଟ୍ ଅଫ ଏକ୍ସଲେନ୍ସ)ରେ ଦେଶର ଭବିଷ୍ୟତ ପ୍ରତିଭାମାନଙ୍କୁ ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ମଣଙ୍କୁ ଏହି ବିଜୟ ସମର୍ପିତ।
ସେ ମଧ୍ୟ ମୁଖ୍ୟ ଚୟନକର୍ତ୍ତା ଅଜିତ ଆଗରକର ଓ ଆଇସିସି ଅଧ୍ୟକ୍ଷ ଜୟ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସମାଲୋଚନା ସତ୍ତ୍ବେ ସଚ୍ଚୋଟତାର ସହ ନିଜ କର୍ତ୍ତବ୍ୟ ନିର୍ବାହ କରିବା ଲାଗି ସେ ଆଗରକରଙ୍କୁ ପ୍ରସଂଶା କରିଛନ୍ତି। ସେହିପରି ନ୍ୟୁଜିଲାଣ୍ଡ୍ ଓ ଦକ୍ଷିଣ ଆଫ୍ରିକାଠାରୁ ଘରୋଇ ମାଟରେ ଟେଷ୍ଟ ଶୃଙ୍ଖଳା ପରାଜୟ ପରି ନୈରାଶ୍ୟଜନକ ସମୟରେ ଫୋନ କରି ସମର୍ଥନ କରିଥିବାରୁ ସେ ଜୟ ଶାହାଙ୍କୁ ସମର୍ଥନ କରିଛନ୍ତି। ସମାଲୋଚକଙ୍କୁ ଜବାବ ଦେଇ ସେ କହିଛନ୍ତି ଯେ ତାଙ୍କର ଉତ୍ତରଦାୟିତ୍ବ କେବଳ ଡ୍ରେସିଂ ରୁମରେ ଥିବା ୩୦ ସଦସ୍ୟଙ୍କ ପ୍ରତି ରହିଛି, ସୋସିଆଲ୍ ମିଡିଆ ପ୍ରତି ନୁହେଁ। ଖେଳାଳିମାନେ ଭଲ ପ୍ରଶିକ୍ଷକଙ୍କୁ ତିଆରି କରନ୍ତି।
ଆହୁରି ପଢ଼ନ୍ତୁ: Indian women's cricket: ଭାରତୀୟ ମହିଳା କ୍ରିକେଟ୍ ଦଳର ଐତିହାସିକ ଶୃଙ୍ଖଳା ବିଜୟ:୨-୧ରେ ଅଷ୍ଟ୍ରେଲିଆକୁ ହରାଇଲା
ଭାରତୀୟ କ୍ରିକେଟ୍ ଦଳ ପୁଣି ଥରେ ବିଶ୍ବ ଦଖଲ କରିଛି। ନବୀନ ଇତିହାସ ରଚିଛି, ନୂଆ ଅଧ୍ୟାୟ ଯୋଡ଼ି ଲଗାତାର ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିବାର ଗୌରବ ଗାଥା ବି ଲେଖିଛି। ଆକ୍ରମଣ, ଆଧିପତ୍ୟ ଓ ଆତ୍ମବିଶ୍ବାସର ଅପୂର୍ବ ସମନ୍ବୟରେ ତୃତୀୟ ଥର ଫଟାଫଟ୍ କ୍ରିକେଟ୍ ବିଶ୍ବକପ୍ ଜିତିବାରେ କମାଲ କରିଛି। ହାଇଭୋଲ୍ଟେଜ୍ ଫାଇନାଲ୍ ଟକ୍କରରେ ଏକତରଫା ବିଜୟ ହାସଲ କରି ନିଜ ଶ୍ରେଷ୍ଠତ୍ବକୁ ଆଉ ଥରେ ପ୍ରମାଣିତ କରିଛି। ଅହମଦାବାଦର ମୋଟେରା ଷ୍ଟାଡିୟମ୍ରେ ରବିବାର ଖେଳାଯାଇଥିବା ଏହି ମହାମୁକାବିଲାରେ ନ୍ୟୁଜିଲାଣ୍ଡକୁ ୯୬ ରନ୍ରେ ହରାଇଛି ଟିମ୍ ଇଣ୍ଡିଆ। ତା’ ସହିତ ଆୟୋଜକ ଦେଶ ଭାବେ ଏବଂ ଲଗାତାର ବିଶ୍ବକପ୍ ଜିତିବାରେ ବିଶ୍ବର ପ୍ରଥମ ଦଳ ହୋଇଛି। ଟିମ୍ ଇଣ୍ଡିଆର ଏହି ସ୍ବର୍ଣ୍ଣିମ ଓ ସ୍ମରଣୀୟ ସଫଳତା ପରେ ସାରା ଭାରତ ଉତ୍ସବ ମୁଖର ହୋଇଉଠିଛି। ୧୪୫ କୋଟି ଭାରତୀୟଙ୍କ ହୃଦୟ ଖୁସିରେ ଗଦ୍ଗଦ୍ ହୋଇଯାଇଛି।
Follow Us