ମୁମ୍ବାଇ: ଚଳିତ ଜାନୁଆରି ୧୧ ତାରିଖରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଘରୋଇ ଶୃଙ୍ଖଳା ଲାଗି ଶନିବାର ୧୫ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଓପନର୍‌ ଶୁବମନ ଗିଲ୍‌ ତାଙ୍କ ନିୟମିତ ଅଧିନାୟକ ପଦକୁ ଫେରିଛନ୍ତି। ସେହିଭଳି ଦ୍ରୁତ ବୋଲର ମହମ୍ମଦ ସିରାଜ ଦୁଇ ମାସ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅଷ୍ଟ୍ରେଲିଆରେ ଆହତ ହୋଇ ଢେର୍‌ କିଛି ଦିନ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଦୂରେଇ ରହିଥିବା ମଧ୍ୟକ୍ରମ ବ୍ୟାଟର୍‌ ଶ୍ରେୟସ୍‌ ଆୟରଙ୍କୁ ଚୟନକର୍ତ୍ତାମାନେ ସର୍ତ୍ତମୂଳକ ଭାବେ ଦଳରେ ନେଇଛନ୍ତି। ଫିଟ୍‌ନେସ୍‌ ଟେଷ୍ଟ୍‌ରେ ଉତ୍ତୀର୍ଣ୍ଣ ହେଲେ ଯାଇ ସେ ଚୂଡ଼ାନ୍ତ ଦଳରେ ସାମିଲ ହୋଇ ଉପଅଧିନାୟକ ଦାୟିତ୍ବ ତୁଲାଇବେ। ଦୁଇ ବରିଷ୍ଠ ଖେଳାଳି ଦ୍ରୁତ ବୋଲର୍‌ ଯଶପ୍ରୀତ୍‌ ବୁମ୍‌ରା ଏବଂ ଅଲ୍‌ରାଉଣ୍ଡର୍‌ ହାର୍ଦିକ ପାଣ୍ଡ୍ୟାଙ୍କୁ କିନ୍ତୁ ବିଶ୍ରାମ ଦିଆଯାଇଛି। ଆଗାମୀ ଟ୍ବେଣ୍ଟି-୨୦ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। 

Advertisment

Neha Singh Rathod : ଲୋକ ଗାୟିକା ନେହା ସିଂ ରାଠୋରଙ୍କୁ ଅଟକ ରଖିଲା ପୁଲିସ

କୋଲକାତା ଟେଷ୍ଟ୍‌ରେ ବେକ ମୋଡ଼ି ହୋଇଯିବା‌ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଦିନିକିଆ ଶୃଙ୍ଖଳା ଗିଲ୍ ଖେଳି ପାରି ନଥିଲେ। ଏହି ଦଳ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଫେରିଥିଲେ ମଧ୍ୟ ଆଶାଜନକ ପ୍ରଦର୍ଶନ କରିପାରି ନଥିଲେ। ଫଳରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ଘୋଷିତ ଭାରତୀୟ ଦଳରେ ସୁଯୋଗ ପାଇ ନଥିଲେ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଗସ୍ତରେ ଆହତ ହେବା ପରଠାରୁ ଆୟର ଆଉ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ କ୍ରିକେଟ୍ ଖେଳି ନାହାନ୍ତି। ଏଣୁ ତାଙ୍କ ଫିଟନେସ୍‌କୁ ନେଇ ବିସିସିଆଇ ନିଶ୍ଚିତ ହେବାକୁ ଚାହୁଛି।  ଆୟରଙ୍କ ଭଳି ଯୁବ ଓପନର୍‌ ଯଶସ୍ବୀ ଜୟସ୍ବାଲଙ୍କୁ ମଧ୍ୟ ଶୃଙ୍ଖଳା ପୂର୍ବରୁ ଫିଟ୍‌ନେସ୍‌ର ପ୍ରମାଣ ଦେବାକୁ ହେବ।  ଦ୍ରୁତ ବୋଲର ମହମ୍ମଦ ସିରାଜ ଶେଷ ଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ଗତ ଅକ୍ଟୋବର ମାସରେ ଦିନିକିଆ ଖଳିଥିଲେ। ଏହା ପରଠାରୁ ଟେଷ୍ଟ୍‌ ଦଳର ସ୍ଥାୟୀ ସଦସ୍ୟ ଥିଲେ ମଧ୍ୟ ଦିନିକିଆରେ ସୁଯୋଗ ପାଇ ନଥିଲେ।  ସୟଦ ମୁସ୍ତାକ ଅଲୀ ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫି ଘରୋଇ ସୀମିତ ଓଭର କ୍ରିକେଟ୍‌ରେ ଭଲ କରି ସେ ଭାରତୀୟ ଦିନିକିଆ ଦଳରେ ନିଜ ସ୍ଥାନ ଫେରି ପାଇଛନ୍ତି।  ଗିଲ୍, ଆୟର ଓ ସିରାଜ - ଏମାନେ ପ୍ରତିଭାବାନ ବ୍ୟାଟର୍‌ ତିଳକ ବର୍ମା, ଧ୍ରୁବ ଜୁରେଲ ଓ ରୁତୁରାଜ ଗାଏକ୍ବାଡ୍‌ଙ୍କ ସ୍ଥାନ ନେଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତିଥିବା ଭାରତୀୟ ଦଳରେ ଏହି ତିନିଟି ପରିବର୍ତ୍ତନ ହିଁ କରାଯାଇଛି। 

Neglected: ସ୍ୱାଧୀନତାର ସାତ ଦଶନ୍ଧି ପରେ ବି ପହଞ୍ଚି ପାରିନି ଗ୍ରାମକୁ ପକ୍କା ରାସ୍ତା

ଗିଲ୍ ଓ ଆୟରଙ୍କ ଛଡ଼ା ଦୁଇ ଭେଟେରାନ୍‌ ବ୍ୟାଟର୍ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସହ ଯଶସ୍ବୀ ଜୟସ୍ବାଲ ବିଶେଷଜ୍ଞ ବ୍ୟାଟର୍‌ ଭାବେ ସ୍ଥାନ ପାଇଛନ୍ତି। ବିଜୟ ହାଜରେ ଟ୍ରଫିରେ ସେତେଟା ଭଲ ଖେଳି ନଥିଲେ ମଧ୍ୟ ଋଷଭ ପନ୍ତ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। ତାଙ୍କ ସହ ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର କାମଚଳା ଅଧିନାୟକ କେଏଲ୍‌ ରାହୁଲଙ୍କ ରୂପରେ ଦୁଇ ଜଣ ୱିକେଟ୍‌ରକ୍ଷକ ଭାବେ ଦଳରେ ଅଛନ୍ତି। ୱାସିଂଟନ୍‌ ସୁନ୍ଦର, ରବୀନ୍ଦ୍ର ଜାଡ଼େଜା ଓ ନୀତୀଶ କୁମାର ରେଡ୍ଡୀ ଅଲରାଉଣ୍ଡର୍ ଏବଂ କୁଲଦୀପ ଯାଦବ ଏକମାତ୍ର ବିଶେଷଜ୍ଞ ସ୍ପିନର ଭାବେ ନିଜ ସ୍ଥାନ ବଜାୟ ରଖିଛନ୍ତି। ପ୍ରତ୍ୟାବର୍ତ୍ତନକାରୀ ସିରାଜଙ୍କ ସହ ହର୍ଷିତ ରାଣା, ପ୍ରସିଦ୍ଧ କ୍ରିଷ୍ଣା, ଅର୍ଶଦୀପ ସିଂହ ଦ୍ରୁତ ବୋଲିଂ ବାହିନୀ ସମ୍ଭାଳିବେ। ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ଶୃଙ୍ଖଳା ବଡ଼ୋଦରାଠାରେ ଜାନୁଆରି ୧୧ରେ ଆରମ୍ଭ ହେବ। ପରବର୍ତ୍ତୀ ଦୁଇ ମୁକାବିଲା ରାଜକୋଟ (୧୪ ତାରିଖ) ଓ ଇନ୍ଦୋର (୧୮ ତାରିଖ)‌ରେ ଖେଳାଯିବ। ଉଭୟ ଦଳ ମଧ୍ୟ ଏକ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବେ। ଯାହା ଚଳିତ ଜାନୁଆରି ମାସ ୨୧ ତାରିଖରୁ ଆରମ୍ଭ ହେବ। 

ଭାରତୀୟ ଦିନିକିଆ ଦଳ: ଶୁବମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ ‌କୋହଲି, କେଏଲ୍‌ ରାହୁଲ (ୱିକେଟ୍‌ରକ୍ଷକ), ଶ୍ରେୟସ୍‌ ଆୟର (ଉପଅଧିନାୟକ, ଫିଟ୍‌ନେସ୍‌ ସର୍ତ୍ତରେ), ୱାସିଂଟନ୍‌ ସୁନ୍ଦର, ରବୀନ୍ଦ୍ର ଜାଡ଼େଜା, ମହମ୍ମଦ ସିରାଜ, ହର୍ଷିତ ରାଣା, ପ୍ରସିଦ୍ଧ କ୍ରିଷ୍ଣା, କୁଲଦୀପ ଯାଦବ, ଋଷଭ ପନ୍ତ (ୱିକେଟ୍‌ରକ୍ଷକ), ନୀତୀଶ କୁମାର ରେଡ୍ଡୀ, ଅର୍ଶଦୀପ ସିଂହ, ଯଶସ୍ବୀ ଜୟସ୍ବାଲ (ଫିଟ୍‌ନେସ୍‌ ସର୍ତ୍ତରେ)।