ମୁମ୍ବାଇ: ଫେବ୍ରୁଆରି ୭ରୁ ଭାରତ ଓ ଶ୍ରୀଲଙ୍କାରେ ସମାନ୍ତରାଳ ଭାବେ ଆୟୋଜିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍-୨୦୨୬ ଏବଂ ଏହା ପୂର୍ବରୁ ଘରୋଇ ପରିବେଶରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ଶନିବାର ୧୫ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏକ ଉଲ୍ଲେଖନୀୟ ତଥା ବିତର୍କିତ ନିଷ୍ପତ୍ତିକ୍ରମେ ଅଜିତ ଅଗରକରଙ୍କ ନେତୃତ୍ବାଧୀନ ଜାତୀୟ ଚୟନ ସମିତି ଦଳର ଉପଅଧିନାୟକ ତଥା ଦିନିକିଆ ଓ ଟେଷ୍ଟ୍ ଦଳର ଅଧିନାୟକ ଶୁବମନ୍ ଗିଲ୍ଙ୍କୁ ବାଦ୍ ଦେଇଛି। ଅନ୍ୟପକ୍ଷରେ ଝାଡ଼ଖଣ୍ଡକୁ ସୟଦ ମୁସ୍ତାଦ ଅଲୀ ଟ୍ରଫି ବିଜୟୀ କରାଇଥିବା ୱିକେଟ୍ ରକ୍ଷକ ବ୍ୟାଟର୍ ଈଶାନ କିଶନଙ୍କୁ ଦଳକୁ ଫେରାଇ ଆଣିଛନ୍ତି ଚୟନକର୍ତ୍ତା। ସେ ଜିତେଶ ଶର୍ମାଙ୍କ ସ୍ଥାନ ନେଇଛନ୍ତି। ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ଖେଳି ନଥିବା ରିଙ୍କୁ ସିଂହ ମଧ୍ୟ ଖାସ୍ ବିଶ୍ବକପ୍ ଲାଗି ଫେରିଛନ୍ତି। ତେବେ ଲଗାତାର ଖରାପ ପ୍ରଦର୍ଶନ ସତ୍ତ୍ବେ ସୂର୍ଯ୍ୟକୁମାର ଯାଦବ ଦଳର ଅଧିନାୟକ ପଦ ବଜାୟ ରଖିଛନ୍ତି।
I&PR Office: ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ବନ୍ଦ କରିବାକୁ ଚାଲିଛି ଯୋଜନା
ଅନ୍ୟଏକ ଚକିତ କଲା ଭଳି ନିଷ୍ପତ୍ତି କ୍ରମେ ସ୍ପିନ୍ ଅଲ୍ରାଉଣ୍ଡର୍ ଅକ୍ଷର ପଟେଲଙ୍କୁ ପୁଣି ଥରେ ଟିମ୍ ଇଣ୍ଡିଆର ଉପଅଧିନାୟକ ନିଯୁକ୍ତ କରାଯାଇଛି। ଗତ ଜାନୁଆରି-ଫେବ୍ରୁଆରିରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ପର୍ଯ୍ୟନ୍ତ ଅକ୍ଷର ଟିମ୍ ଇଣ୍ଡିଆର ଉପଅଧିନାୟକ ଥିଲେ। ଏସିଆ କପ୍ରେ କିନ୍ତୁ ଗିଲ୍ଙ୍କୁ ଅଚାନକ ଉପଅଧିନାୟକ କରିଦିଆଯାଇଥିଲା। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ବି ସେ ଏହି ପଦରେ ରହିଥିଲେ। ତେବେ ଲଗାତାର ବିଫଳତା ପରେ ଏବେ ଉପଅଧିନାୟକ ପଦ ସହ ବିଶ୍ବକପ୍ ଟିକଟ୍ ମଧ୍ୟ ତାଙ୍କ ହାତରୁ ଖସି ଯାଇଛି। ଗିଲ୍ ଉପଅଧିନାୟକ ହୋଇ ପାଳି ଆରମ୍ଭ କରିବା ପରେ ସଞ୍ଜୁ ସାମସନ୍ଙ୍କ ସ୍ଥାନ ଆଶଙ୍କା ଘେରକୁ ଚାଲିଯାଇଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ଶୃଙ୍ଖଳା ସହ ବିଶ୍ବକପ୍ ଲାଗି ଚୟନକର୍ତ୍ତା ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ପଞ୍ଚମ ତଥା ଶେଷ ଟ୍ବେଣ୍ଟି-୨୦ରେ ସଂଜୁ ସୁଯୋଗ ପାଇ ୩୭ ରନ୍ର ଦ୍ରୁତ ପାଳି ଖେଳିବା ପରେ ବିଶ୍ବକପ୍ ଦଳରେ ସ୍ଥାନ ପାଇଛନ୍ତି।
ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ୍, ତିଳକ ବର୍ମା, ରିଙ୍କୁ ସିଂହ ଓ ଈଶାନ କିଶନ ବ୍ୟାଟର୍ ଭୂମିକାରେ ରହିବେ। ଅକ୍ଷରଙ୍କ ସହ ଶିବମ ଦୁବେ, ୱାସିଂଟନ୍ ସୁନ୍ଦର ଓ ହାର୍ଦିକ ପାଣ୍ଡ୍ୟା ହେଉଛନ୍ତି ଦଳରେ ଥିବା ୪ ଅଲ୍ରାଉଣ୍ଡର୍। ବୋଲିଂ ବାହିନୀରେ ଯଶପ୍ରୀତ୍ ବୁମ୍ରା, ଅର୍ଶଦୀପ ସିଂହ ଓ ହର୍ଷିତ ରାଣାଙ୍କ ରୂପରେ ୩ଜଣ ବିଶେଷଜ୍ଞ ପେସର୍ ଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀଦ ଯାଦବଙ୍କ ରୂପରେ ଦୁଇ ଜଣ ଦକ୍ଷ ସ୍ପିନର ଅଛନ୍ତି। ଈଶାନ ଓ ସାମସନ୍ଙ୍କ ରୂପରେ ଦୁଇ ଜଣ ୱିକେଟ୍ ରକ୍ଷକ ଦଳରେ ଅଛନ୍ତି। ରିଙ୍କୁ ସିଂହ ଫିନିସର୍ ଭୂମିକାରେ ଦେଖିବାକୁ ମିଳିପାରନ୍ତି। ୧୫ଜଣିଆ ଦଳ ବାଦ୍ କାହାରିକୁ ଷ୍ଟାଣ୍ଡବାଏ ରଖାଯାଇନି।
ସୂଚନାଯୋଗ୍ୟ, ଭାରତ ଫେବ୍ରୁଆରି ୭ରୁ ମୁମ୍ବାଇଠାରେ ଆମେରିକା ବିପକ୍ଷରେ ତା’ର ବିଶ୍ବକପ୍ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଶେଷ ଶୃଙ୍ଖଳା ଭାବେ ନ୍ୟୁଜିଲାଣ୍ଡକୁ ଭେଟିବ। ଏହି ଶୃଙ୍ଖଳା ଜାନୁଆରି ୨୧ରୁ ୩୧ ମଧ୍ୟରେ ଖେଳାଯିବ। ଏହା ପୂର୍ବରୁ ଭାରତ-ନ୍ୟୁଜିଲାଣ୍ଡ ଜାନୁଆରି ୧୧ରୁ ୧୮ ଭିତରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବେ। ଏହି ଶୃଙ୍ଖଳା ଲାଗି ଭାରତୀୟ ଦଳ ଘୋଷଣା ପରବର୍ତ୍ତୀ ସମୟରେ କରାଯିବ। ଶନିବାର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଉପସ୍ଥିତିରେ ଚୟନ ସମିତିର ଦୁଇ ଓଡ଼ିଆ ସଦସ୍ୟ ପ୍ରଜ୍ଞାନ ଓଝା, ଶିବ ସୁନ୍ଦର ଦାସ ଏବଂ ରୁଦ୍ରପ୍ରତାପ ସିଂହ, ଅଜୟ ରାତ୍ରାଙ୍କ ସହ ବିଚାର ବିମର୍ଷ ପରେ ବିସିସିଆଇ ସଂପାଦକ ଦେବଜିତ ସାଇକିଆ ଦଳ ଘୋଷଣା କରିଥିଲେ। ଗିଲ୍ଙ୍କୁ ବିଶ୍ବକପ୍ ଦଳରୁ ବାଦ୍ ଦେବା ନେଇ ଅଗରକର କହିଥିଲେ ଯେ ଆମେ ଚାରିଆଡ଼ୁ ଚିନ୍ତା କରି ଦଳ ଘୋଷଣା କରିଛୁ। ଦଳୀୟ ସମନ୍ବୟ ଓ ସନ୍ତୁଳନ ଦୃଷ୍ଟିରୁ ଗିଲ୍ଙ୍କୁ ଏଥିରେ ରଖିହେଲାନି। ଈଶାନ ଚମତ୍କାର ଫର୍ମରେ ଥିବାରୁ ଏବଂ ଶୀର୍ଷକ୍ରମରେ ବ୍ୟାଟିଂ କରିବାର ଦକ୍ଷତା ଥିବାରୁ ଦଳରେ ନିଆଯାଇଛି। ଅନ୍ୟପକ୍ଷରେ ଗତ କିଛି ମ୍ୟାଚ୍ରେ ଆଶାଜନକ ପ୍ରଦର୍ଶନ କରିପାରି ନଥିଲେ ସୁଦ୍ଧା ଖୁବ୍ଶୀଘ୍ର ସେ ଫର୍ମକୁ ଫେରିବେ ବୋଲି ସୂର୍ଯ୍ୟକୁମାର ଯାଦବ ଏହି ଅବସରରେ ପ୍ରତିଶ୍ରୁତି ଦେଇଥିଲେ।
ଭାରତୀୟ ଟ୍ବେଣ୍ଟି-୨୦ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ୍ (ୱିକେଟ୍ ରକ୍ଷକ), ତିଳକ ବର୍ମା, ହାର୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ (ଉପଅଧିନାୟକ), ରିଙ୍କୁ ସିଂହ, ଯଶପ୍ରୀତ୍ ବୁମ୍ରା, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ୱାସିଂଟନ୍ ସୁନ୍ଦର, ଈଶାନ କିଶନ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/21/gfgdhfsxbvbv-2025-12-21-02-00-03.jpg)