ଦୁବାଇ: ପେପ୍ସି କମ୍ପାନିର ଅଧ୍ୟକ୍ଷା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଇନ୍ଦ୍ରା ନୁୟୀ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ)ର ପ୍ରଥମ ସ୍ୱାଧୀନ ମହିଳା ନିର୍ଦେଶିକା ନିଯୁକ୍ତ ହୋଇଛନ୍ତି। ଶୁକ୍ରବାର ତାଙ୍କ ନାମକୁ ସର୍ବସମ୍ମତକ୍ରମେ ଗ୍ରହଣ କରାଯାଇଛି। ଗତବର୍ଷ ଆଇସିସିର ସମ୍ପ୍ରସାରିତ ବୋର୍ଡରେ ୧୭ ନିର୍ଦେଶକଙ୍କୁ ରଖାଯିବାକୁ ନିଷ୍ପତ୍ତି ହୋଇଥିଲା। ୧୨ ସମ୍ପୂର୍ଣ୍ଣ ସଦସ୍ୟ, ୩ ଜଣ ସହଯୋଗୀ, ଜଣେ ଆଇଇସିସି ଅଧ୍ୟକ୍ଷ ଏବଂ ଜଣେ ମହିଳା ନିର୍ଦେଶିକା ରହିବେ ବୋଲି ଅନୁମୋଦିତ ହୋଇଥିଲା। ୨୦୧୭ ନଭେମ୍ବରରେ ମହିଳା ନିର୍ଦେଶିକା ପଦ ପାଇଁ ନିଯୁକ୍ତି ପ୍ରକି୍ରୟା ଆରମ୍ଭ ହେବା ପରେ ଏବେ ଚୂଡ଼ାନ୍ତ ହୋଇଛି। ‘ମୁଁ ଏଭଳି ସୁଯୋଗ ପାଇଥିବାରୁ ଉଲ୍ଲସିତ। କ୍ରିକେଟ୍ ପ୍ରତି ମୋ ଭଲ ପାଇବା ରହିଛି। ପିଲାଦିନେ ଏପରିକି ମହାବିଦ୍ୟାଳୟସ୍ତରରେ ଖେଳିଥିଲି। ଏହି ଖେଳ ମୋତେ ଦଳୀୟ ମନୋଭାବ, ସମ୍ମାନ, ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ଶିଖାଇଛି’ ବୋଲି ଇନ୍ଦ୍ରା ନୁୟୀ କହିଛନ୍ତି। ନୁୟୀ ଜୁନ୍ ୨୦୧୮ରେ କାର୍ଯ୍ୟରେ ଯୋଗ ଦେବେ। ଆଇସିସିରେ ସ୍ୱଚ୍ଛ ଶାସନର ଏହା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି ଅଧ୍ୟକ୍ଷ ଶଶାଙ୍କ ମନୋହର। ସୂଚନାଯୋଗ୍ୟ, ବିଶ୍ୱର ଜଣେ ବ୍ୟବସାୟୀ ନେତୃ ମଣ୍ଡଳିଭାବେ ପରିଚିତ ନୁୟୀ ନିରଂତର ଭାବେ ଫର୍ଚ୍ୟୁନ୍ ମାଗାଜିନ୍ ଦ୍ୱାରା ସବୁଠୁ କ୍ଷମତାଶାଳୀ ମହିଳା ଗୌରବ ପାଇ ଆସିଛନ୍ତି।
ଇନ୍ଦ୍ରା ଆଇସିସିର ପ୍ରଥମ ମହିଳା ନିର୍ଦେଶିକା
/sambad/media/post_attachments/wp-content/uploads/2018/02/1-Indra-Nooyi-becomes-ICCs-first-independent-woman-director.jpg)