ଆବୁଧାବି: ଆବୁଧାବିଠାରେ ମଙ୍ଗଳବାର ଅନୁଷ୍ଠିତ ଆଇପିଏଲ୍‌ର ଦିନିକିଆ ମିନି ନିଲାମରେ ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର୍ କ୍ୟାମେରନ୍ ଗ୍ରିନ୍ ସବୁଠୁ ଦାମୀ ବିଦେଶୀ ଖେଳାଳି ହେବାର ଗୌରବ ଲାଭ କରିଛନ୍ତି। ରାଜସ୍ଥାନ ରୟାଲ୍‌ସ, ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହୋଇଥିବା ତ୍ରିମୁଖୀ ଲଢ଼େଇରେ କୋଲକାତା ନାଇଟ୍ ରାଇଡର୍ସ ବାଜି ମାରିନେବା ସହ ଗ୍ରିନ୍‌ଙ୍କୁ ଶେଷରେ ଆଖିଖୋସି ହୋଇଗଲା ଭଳି ୨୫.୨ କୋଟି‌ ଟଙ୍କାରେ କିଣି ନେଇଥିଲା। ଋଷଭ ପନ୍ତ (୨୭ କୋଟି) ଓ ଶ୍ରେୟସ୍ ଆୟର (୨୬.୭୫ କୋଟି)ଙ୍କ ପରେ ଗ୍ରିନ୍ ମଧ୍ୟ ଆଇପିଏଲ୍ ଇତିହାସର ତୃତୀୟ ଦାମୀ ଖେଳାଳି ହୋଇଛନ୍ତି। ତେବେ ସେଥିମଧ୍ୟରୁ ସେ କେବଳ ୧୮ କୋଟି ଟଙ୍କା ପାଇବେ। କାରଣ ବିସିସିଆଇର ନୂଆ ନିୟମ ଅନୁସାରେ ଜଣେ ବିଦେଶୀ ଖେଳାଳି ଆଇପିଏଲ୍‌ରେ ସବାଧିକ ୧୮ କୋଟି ଟଙ୍କା ପାଉଣା ପାଇପାରିବେ। ଏହାଠାରୁ ଅଧିକ ଟଙ୍କା‌ରେ ବିକ୍ରି ହେଲେ ଅବଶିଷ୍ଟ ଟଙ୍କା ବିସିସିଆଇର ‘ଖେଳାଳି ବିକାଶ ପାଣ୍ଠି’କୁ ଚାଲିଯିବ। ବିଦେଶୀ ଖେଳାଳି ଭାବେ ୨୦୨୩ ମସିହାରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କୁ ନେବାକୁ କୋଲକାତା ନାଇଟ୍ ରାଇଡର୍ସ ସର୍ବାଧିକ ୨୪.୭୫ କୋଟି ଖର୍ଚ୍ଚ କରିଥିଲା। ଏବେ କେକେଆର୍‌ ନିଜ ରେକର୍ଡ ନିଜେ ଭାଙ୍ଗିଛି। ତେବେ ସବୁଠୁ ବେଶି ଚର୍ଚ୍ଚାକୁ ଆସିଛନ୍ତି ଦୁଇ ଘରୋଇ କ୍ରିକେଟର୍ ପ୍ରଶାନ୍ତ ବୀର ଓ କାର୍ତ୍ତିକ ଶର୍ମା। ଉଭୟ ରାତାରାତି କୋଟିପତି ପାଲଟି ଯାଇଛନ୍ତି। ନିଜ ମୂଳଦର ୩୦ ଲକ୍ଷ ଟଙ୍କାର ପାଖାପାଖି ୪୯ଗୁଣ ଅର୍ଥାତ୍ ୧୪.୨ କୋଟି ଟଙ୍କା ଲେଖାଏଁରେ ବିକ୍ରି ହୋଇଛନ୍ତି ଉଭୟ। ଯାହା ଭାରତ ସହ ସମଗ୍ର କ୍ରିକେଟ୍ ଦୁନିଆରେ ଚହଳ ସୃଷ୍ଟି କରିଛି। ଉତ୍ତରପ୍ରଦେଶର ସ୍ପିନ୍ ଅଲରାଉଣ୍ଡର୍ ପ୍ରଶା‌ନ୍ତଙ୍କୁ ନେବାକୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍, ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟ‌ରେ ଢେର୍‌ ସମୟ ପର୍ଯ୍ୟନ୍ତ ବିଡ୍ ଯୁଦ୍ଧ ଲାଗିଥିଲା। ଶେଷରେ ଚେନ୍ନାଇ ତାଙ୍କୁ ୧୪.୨ କୋଟି ଟଙ୍କାରେ କିଣିଥିଲା।

Advertisment

Paddy: ଝରିଗାଁରେ ଆଜିଡୁ ଧାନ ମଣ୍ଡି ଆରମ୍ଭ; ଟୋକନ୍‌ ଆସିଲା ଟାର୍ଗେଟ୍‌ ନାହିଁ

ଚଳିତବର୍ଷର ସୟଦ୍‌ ମୁସ୍ତାକ୍‌ ଅଲୀ ଟ୍ରଫି ଘରୋଇ ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ୨୦ ବର୍ଷୀୟ ପ୍ରଶାନ୍ତ ୯ ୱିକେଟ୍ ନେବା ସହ ୧୭୦ ଷ୍ଟ୍ରାଇକ୍‌ରେଟ୍‌ରେ ରନ୍ କରିବା ତାଙ୍କ ସପକ୍ଷରେ ଯାଇଥିଲା। ସେହିଭଳି ରାଜସ୍ଥାନର ୧୯ବର୍ଷୀୟ ୱିକେଟ୍‌ରକ୍ଷକ ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ସମାନ ୧୪.୨ କୋଟିରେ କିଣିଥିଲା। ଏହି କ୍ରମରେ ଦଳ କୋଲକାତା ନାଇଟ୍ ରାଇଡର୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପଛରେ ପକାଇ ଦେଇଥିଲା। ଉଭୟ ଯୁଗ୍ମ ଭାବେ ଆଇପିଏଲ୍ ଇତିହାସର ସବୁଠୁ ଦାମୀ ଅଣଅନ୍ତର୍ଜାତୀୟ ଖେଳାଳି ହେବାର ରେକର୍ଡ କରିଛନ୍ତି।

Mandei: ମଣ୍ଡେଇ ଲୋକ ମହୋତ୍ସବ ଉଦ୍‌ଯାପିତ, ଲୋକନୃତ୍ୟରେ ଝୁମିଲେ ଦର୍ଶକ

ଅନ୍ୟମାନଙ୍କ ମଧ୍ୟରେ ସେହି ୩୦ ଲକ୍ଷର ମୂଳଦର ଥିବା ଜମ୍ମୁ କାଶ୍ମୀର ଦ୍ରୁତ ବୋଲର ଆକିବ ଦର୍‌ଙ୍କୁ ଦିଲ୍ଲୀ କ୍ୟାପିଟାଲ୍‌ସ ୮.୨ କୋଟି, ମଧ୍ୟପ୍ରଦେଶ ଅଲରାଉଣ୍ଡର୍ ମଙ୍ଗେସ ଯାଦବଙ୍କୁ ଆର୍‌ସିବି ୫.୨ କୋଟି, ରାଜସ୍ଥାନର ମୁକୁଲ ଚୌଧୁରୀଙ୍କୁ ୨.୬୦ କୋଟିରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍, ଦିଲ୍ଲୀ ୱିକେଟ୍‌ରକ୍ଷକ ତେଜସ୍ବୀ ସିଂହଙ୍କୁ କେକେଆର୍‌ ୩ କୋଟି ଏବଂ ମଧ୍ୟପ୍ରଦେଶ ବ୍ୟାଟର୍ ଅକ୍ଷର ରଘୁବଂଶୀଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ୨.୨ କୋଟିରେ କିଣିବା ଉଲ୍ଲେଖନୀୟ ରହିଥିଲା। ସେହିଭଳି ଶ୍ରୀଲଙ୍କାର ମଥିସା‌ ପଥିରଣାଙ୍କୁ କୋଲକାତା ୧୮ କୋଟି, ଲିୟାମ ଲିଭିଂଷ୍ଟୋନ୍‌ଙ୍କୁ ୧୩ କୋଟି ଟଙ୍କାରେ ସନ୍‌ରାଇଜର୍ସ ହାଇଦ୍ରାବାଦ, ରବି ବିଷ୍ଣୋଇଙ୍କୁ ରାଜସ୍ଥାନ ରୟାଲ୍‌ସ ୭.୨ କୋଟି, ଭେଙ୍କଟେଶ ଆୟରଙ୍କୁ ଆର୍‌ସିବି ୭ କୋଟି, କ୍ବିଣ୍ଟନ୍ ଡି’କକ୍‌ଙ୍କୁ ତାଙ୍କ ମୂଳଦର ୧ କୋଟିରେ ମୁମ୍ବାଇ ଇଣ୍ଡିଆନ୍ସ, ଡେଭିଡ୍ ମିଲରଙ୍କୁ ଦିଲ୍ଲୀ କ୍ୟାପିଟାଲ୍‌ସ ୨ କୋଟି, ୱାନିନ୍ଦୁ ହସରଙ୍ଗାଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ୨ କୋଟି ଏବଂ ଅନରିକ୍ ନର୍ଖିୟାଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ୨ କୋଟି ଟଙ୍କାରେ କିଣିଥିଲା। ଭେଙ୍କଟେଶଙ୍କୁ ଗତବର୍ଷ ୨୩.୫ କୋଟି ଟଙ୍କାରେ କେକେଆର୍‌ ନେଇଥିଲା। ଏଥର ତାଙ୍କର ଦର ହାରାହାରି ସାଢ଼େ ତିନି ଗୁଣ କମିଛି। 

ରାଜେଶ, ସ୍ବସ୍ତିକ ଅଲୋଡ଼ା 
ଆଇପିଏଲ୍ ନିଲାମରେ ପୁଣି ଥରେ ଓଡ଼ିଶାକୁ ନିରାଶ ହେବାକୁ ପଡ଼ିଛି। ରାଜ୍ୟର ୧୪ଜଣ ଖେଳାଳି ଏଥିଲାଗି ପଞ୍ଜୀକରଣ କରିଥିଲା ବେଳେ ସଂକ୍ଷିପ୍ତ ତାଲିକାରେ କେବଳ ଦ୍ରୁତ ବୋଲର ରାଜେଶ ମହାନ୍ତି  ଏବଂ ଶୀର୍ଷକ୍ରମ ବ୍ୟାଟର୍ ସ୍ବସ୍ତିକ ସାମଲ ସ୍ଥାନ ପାଇଥିଲେ। ହେଲେ ନିଲାମ ବେଳେ ଉଭୟଙ୍କୁ କିଣିବାକୁ କୌଣସି ଦଳ ଆଗ୍ରହ ପ୍ରକାଶ କରିନଥିଲେ। ଏଣୁ ୩୦ ଲକ୍ଷ ଟଙ୍କାର ମୂଳଦର ପାଇ ଉଭୟ ବିକ୍ରି ହୋଇ ନଥିବା ୨୯୨ଜଣ ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳିଙ୍କ ମଧ୍ୟରେ ରହିଥିଲେ। ପଞ୍ଜୀକରଣ କରିଥିବା ଓଡ଼ିଆ ଖେଳାଳିଙ୍କ ମଧ୍ୟରେ ଥିଲେ ସନ୍ଦୀପ ପଟ୍ଟନାୟକ, ଗୋବିନ୍ଦ ପୋଦ୍ଦାର, ପପୁ ରାୟ, ସ୍ବସ୍ତିକ ସାମଲ, ରାଜେଶ ମହାନ୍ତି, ଶୁଭମ ଶତ୍ରୁଜିତ, ବାଦଲ ବିଶ୍ବାଳ, ଆଶୁତୋଷ ଛୁରିଆ, ବିମଳ କୁମାର, ଅନିଲ ପରିଡ଼ା, ଶୁଭ୍ରାଂଶୁ ସେନାପତି, ଭାଗ୍ୟେସ୍ ଶର୍ମା, ପ୍ରୟାସ ସିଂହ, ଆଶୀର୍ବାଦ ସ୍ବାଇଁ ପ୍ରମୁଖ।