ରାଉରକେଲା: ନଭେମ୍ବର ୨୮ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ତାମିଲନାଡ଼ୁର ଚେନ୍ନାଇ ଓ ମଦୁରାଇରେ ୧୪ତମ କନିଷ୍ଠ ପୁରୁଷ ହକି ବିଶ୍ବକପ୍ ଆୟୋଜନ କରାଯାଉଛି। ଏହି ଅନ୍ତର୍ଜାତୀୟ ହକି ମହାକୁମ୍ଭରେ ୨୪ଟି ଦେଶ ଅଂଶଗ୍ରହଣ କରିବେ। ଭାରତ ୨୦୧୩ରେ ଦିଲ୍ଲୀ, ୨୦୧୬ରେ ଲକ୍ଷ୍ନୌ ଓ ୨୦୨୧ରେ ଭୁବନେଶ୍ୱର ପରେ ଚତୁର୍ଥଥର ପାଇଁ ଏହାର ଆୟୋଜନ କରୁଛି। ଏଯାଏ ଭାରତ ଦୁଇଥର (୨୦୦୧-ଅଷ୍ଟ୍ରେଲିଆ) ଓ (୨୦୧୬-ଭାରତ) ବିଶ୍ୱକପ୍ ଜିତିଛି। ଗତ ଦୁଇ ସଂସ୍କରଣ ୨୦୨୧ ଓ ୨୦୨୩ ରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଏଣୁ ଘରୋଇ ଦଳ ତୃତୀୟ ଥର କପ୍ ହାତେଇବା ପାଇଁ ପୂରା ଦମ୍ ଲଗାଇବ। ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଘୋଷିତ ୧୮ଜଣିଆ ଭାରତୀୟ ଦଳରେ ଓଡ଼ିଶାର ୩ ଜଣ ଖେଳାଳି ସାମିଲ ହୋଇଛନ୍ତି। ତା’ ଛଡ଼ା ଅନ୍ୟତମ ଓଡ଼ିଆ ରୋହିତ କୁଲୁ ବଦଳ ଖେଳାଳି ଭାବେ ୨୦ ଜଣିଆ ଦଳରେ ଅଛନ୍ତି।
ରୋଶନ କୁଜୁର୍
କନିଷ୍ଠ ହକି ବିଶ୍ୱକପ୍ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଭାଶାଳୀ ମଧ୍ୟଭାଗ ଖେଳାଳି ରୋଶନ କୁଜୁର ଖେଳିବେ। ରାଜଗାଙ୍ଗପୁର ବ୍ଲକ୍ ଡାମପୋଷ ଗାଁର ଇସାକ କୁଜୁରଙ୍କ ୨୦ ବର୍ଷୀୟ ପୁଅ ୨୦୧୫ ପାନପୋଷ ହକି ଛାତ୍ରାବାସରେ ଯୋଗ ଦେଇଥିଲେ। ଗତବର୍ଷ ନେଦରଲ୍ୟାଣ୍ଡ ଗସ୍ତରୁ ଅନ୍ତର୍ଜାତୀୟ ହକି କ୍ୟାରିୟର ଆରମ୍ଭ କରିବା ପରେ ସେ କନିଷ୍ଠ ଏସିଆ କପ୍ ହକି, ସୁଲତାନ ଅଫ୍ ଜୋହର କପ୍ (୨୦୨୪ ଓ ୨୦୨୫) ପରେ ଏବେ ବିଶ୍ୱକପ୍ରେ ଖେଳିବେ। ସେ ବର୍ତ୍ତମାନ ଭୁବନେଶ୍ୱର ନାଭାଲ ଟାଟା ହକି ଏକାଡେମିରେ ପ୍ରଶିକ୍ଷଣ ନେଉଛନ୍ତି। ହକି ଇଣ୍ଡିଆ ଲିଗ୍ରେ ସେ କଳିଙ୍ଗ ଲାନ୍ସର୍ସ ଦଳରେ ଅଛନ୍ତି।
Imran Khan Death Mystery: ଇମ୍ରାନଙ୍କ ମୃତ୍ୟୁ ଗୁଜବକୁ ନେଇ ପାକିସ୍ତାନ ସଂସଦରେ ହଙ୍ଗାମା
ଅନମୋଲ୍ ଏକ୍କା
ରାଜଗାଙ୍ଗପୁର ବ୍ଲକ୍ କେସରମାଲ(ଫର୍ସାଢିପା) ଗାଁର ତୋଷିଲ ଏକ୍କାଙ୍କ ୧୯ ବର୍ଷୀୟ ପୁଅ ଅନମୋ ରକ୍ଷଣଭାଗ ଖେଳାଳି। ସେ ୨୦୧୮ରେ ସୁନ୍ଦରଗଡ଼ ସାଇକେନ୍ଦ୍ରରେ ମନୋନୀତ ହୋଇ ହକିକୌଶଳ ଶିଖିବା ଆରମ୍ଭ କଲେ। ୨୦୨୦ରେ ନାଭାଲ ଟାଟା ଏକାଡେମି (ଭୁବନେଶ୍ୱର)କୁ ମନୋନୀତ ହୋଇଥିଲେ। ଗତବର୍ଷ ନେଦରଲାଣ୍ଡ୍ସ ଗସ୍ତରୁ ଅନ୍ତର୍ଜାତୀୟ ହକି କ୍ୟାରିୟର ଆରମ୍ଭ କରିବା ପରେ ସେ କନିଷ୍ଠ ଏସିଆ କପ୍ ହକି, ସୁଲତାନ୍ ଅଫ୍ ଜୋହର କପ୍(୨୦୨୪ ଓ ୨୦୨୫) ପରେ ଏବେ ବିଶ୍ୱକପ୍ରେ ଖେଳିବା ପାଇଁ ସୁଯୋଗ ପାଇଛନ୍ତି। ସେ ହକି ଇଣ୍ଡିଆ ଲିଗ୍ରେ ରାଞ୍ଚି ରୟାଲ୍ସ ପକ୍ଷରୁ ଖେଳିବେ।
ଆଦ୍ରୋହିତ ଏକ୍କା
୧୯ ବର୍ଷୀୟ ଆଦ୍ରୋହିତ ଏକ୍କା ଜଣେ ପ୍ରତିଭାଶାଳୀ ମଧ୍ୟଭାଗ ଖେଳାଳି। କୁତ୍ରା ବ୍ଲକ୍ ସମଲାଇମୁଣ୍ଡା ଗ୍ରାମର ବେଞ୍ଜାମିନ ଏକ୍କାଙ୍କ ପୁଅ ଆଦ୍ରୋହିତ ୨୦୧୭ରେ ପାନପୋଷ ହକି ଛାତ୍ରାବାସରେ ପ୍ରବେଶ ହୋଇଥିଲେ। ସେଇଠି ସେ ପ୍ରଥମେ ପିଟର ସୋରେନ ଓ ପରବର୍ତ୍ତୀ ସମୟରେ ପ୍ରଫୁଲ ତିର୍କି, ଲକ୍ଷ୍ମୀନାରାୟଣ ଓ ବି ଜେ କାରିୟପ୍ପାଙ୍କଠାରୁ ହକିକୌଶଳ ଶିଖିଛନ୍ତି। ଚଳିତବର୍ଷ ଜୁନ୍ ମାସରେ ସେ ପ୍ରଥମକରି କନିଷ୍ଠ ଭାରତୀୟ ଦଳରେ ମନୋନୀତ ହୋଇ ଜର୍ମାନୀରେ ଅନୁଷ୍ଠିତ ୪ ରାଷ୍ଟ୍ର ପ୍ରତିଯୋଗିତାରେ ଭାଗ ନେଇଥିଲେ। ପରେ ସେ ସୁଲତାନ ଅଫ୍ ଜୋହର କପ୍ରେ ଭାରତୀୟ ଦଳ ସହ ରୌପ୍ୟ ପଦକ ଜିତିଛନ୍ତି। ଆସନ୍ତା ହକି ଇଣ୍ଡିଆ ଲିଗ୍ରେ ସେ ତାମିଳନାଡୁ ଡ୍ରାଗନ୍ସ ପକ୍ଷରୁ ଖେଳିବେ।
Follow Us