Advertisment

T20 World Cup: ଚାପରେ ଟିମ୍‌ ଇଣ୍ଡିଆ, ଚର୍ଚ୍ଚାରେ ଜିମ୍ବାୱେ

Advertisment

ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ୍‌ ଦଳ ବିଜେତା ହେବାର ପ୍ରମୁଖ ଦାବିଦାର ଥିଲା। ସୂର୍ଯ୍ୟକୁମାରଙ୍କ ସେନା ଯେତେବେଳେ ଲିଗ୍‌ ପର୍ଯ୍ୟାୟର ଚାରିଟିରୁ ଚାରିଟି ଯାକ ମ୍ୟାଚ୍‌ ଜିତିଲା ସେତେବେଳେ ଏହି ଦାବି ଆହୁରି ଦୃଢ଼ ହୋଇଯାଇଥିଲା।

ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ୍‌ ଦଳ ବିଜେତା ହେବାର ପ୍ରମୁଖ ଦାବିଦାର ଥିଲା। ସୂର୍ଯ୍ୟକୁମାରଙ୍କ ସେନା ଯେତେବେଳେ ଲିଗ୍‌ ପର୍ଯ୍ୟାୟର ଚାରିଟିରୁ ଚାରିଟି ଯାକ ମ୍ୟାଚ୍‌ ଜିତିଲା ସେତେବେଳେ ଏହି ଦାବି ଆହୁରି ଦୃଢ଼ ହୋଇଯାଇଥିଲା।

25bbs_52_25022026_112

ଚେନ୍ନାଇ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ୍‌ ଦଳ ବିଜେତା ହେବାର ପ୍ରମୁଖ ଦାବିଦାର ଥିଲା। ସୂର୍ଯ୍ୟକୁମାରଙ୍କ ସେନା ଯେତେବେଳେ ଲିଗ୍‌ ପର୍ଯ୍ୟାୟର ଚାରିଟିରୁ ଚାରିଟି ଯାକ ମ୍ୟାଚ୍‌ ଜିତିଲା ସେତେବେଳେ ଏହି ଦାବି ଆହୁରି ଦୃଢ଼ ହୋଇଯାଇଥିଲା। ବ୍ୟାଟିଂ ବିହିନୀର ପ୍ରଭାବହୀନ ପ୍ରଦର୍ଶନ ନେଇ ପ୍ରଶଂସକ ସାମାନ୍ୟ ଚିନ୍ତିତ ଥିଲେ। ହେଲେ ସମୟକ୍ରମେ ଘରୋଇ ପରିବେଶରେ ଖେଳୁଥିବା ଭାରତୀୟ ବ୍ୟାଟର୍‌ଙ୍କ ଆତ୍ମବିଶ୍ବାସ ବଢ଼ିବଢ଼ି ଚାଲିବ ଏବଂ ସେମାନେ ଆଧିପତ୍ୟ ବିସ୍ତାର କରିବେ ବୋଲି ସମସ୍ତଙ୍କ ବିଶ୍ବାସ ଓ ଭରସା ଥିଲା। ଏହି ଭରସା ହଠାତ୍‌ ତୁଟି ଯାଇଥିଲା।

ପ୍ରଶଂସକଙ୍କ ଚିନ୍ତା ଯେ ଅମୂଳକ ନଥିଲା ତାହା ମଧ୍ୟ ପ୍ରଥମ ସୁପର-୮ ମୁକାବିଲାରେ ସ୍ପଷ୍ଟ ହୋଇଯାଇଥିଲା। ଦକ୍ଷିଣ ଆଫ୍ରିକା ଭଳି ବଡ଼ ଦଳ ବିପକ୍ଷରେ ତାରକା ଖଚିତ ଭାରତୀୟ ବ୍ୟାଟିଂ ବାହିନୀ ପୂରା ବିଫଳ ହେଲା। ୭୬ ରନ୍‌ର ବଡ଼ ବ୍ୟବଧାନରେ ମ୍ୟାଚ୍‌ ହାରିବାର ଲଜ୍ଜା ସହ ଦଳର ନେଟ୍‌ ରନ୍‌ ରେଟ୍‌ ବିଯୁକ୍ତ ୩.୮ରେ ପହଞ୍ଚି ଗଲା। ବିଶ୍ବକପ୍‌ରେ ଭାରତର ୧୨ ମ୍ୟାଚ୍‌ ବିଜୟ ଧାରାରେ ବି ବ୍ରେକ୍‌ ଲାଗି ଯାଇଥିଲା। ଏଣୁ ଟିମ୍‌ ଇଣ୍ଡିଆର ସେମିଫାଇନାଲ୍‌ ପ୍ରବେଶ ଏବେ ସନ୍ଦେହ ଓ ସଂଶୟ ଭିତରକୁ ଚାଲି ଯାଇଛି। ବରଂ ଗୁରୁବାରର ଜିମ୍ବାୱେ ମ୍ୟାଚ୍‌ ସହ ମାର୍ଚ୍ଚ ପହିଲାରେ ଐତିହାସିକ ଇଡେନ୍‌ ଗାର୍ଡେନ୍ସରେ ଖେଳାଯିବାକୁ ଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଶେଷ ସୁପର-୮ ମ୍ୟାଚ୍‌ ଜିତିବା ଭାରତୀୟ ଦଳ ପାଇଁ ଏକାନ୍ତ ଅପରିହାର୍ଯ୍ୟ ହୋଇପଡ଼ିଛି। ଏହି ଦୁଇ ମ୍ୟାଚ୍‌ ଜିତିଲେ ମଧ୍ୟ ଅତ୍ୟନ୍ତ ଖରାପ ରନ୍‌ ରେଟ୍‌ ପାଇଁ ଭାରତୀୟ ଦଳର ଆଗକୁ ବଢ଼ିବା ଆଶା ସୁପର-୮-ରୁ ମଉଳି ଯିବାର ବି ଯ‌ଥେଷ୍ଟ ଆଶଙ୍କା ରହିଛି। ଏଣୁ ଆଗାମୀ ଦୁଇ ମ୍ୟାଚ୍‌କୁ ଘରୋଇ ଦଳକୁ କେବଳ ଜିତିବାକୁ ପଡ଼ିବନି, ବରଂ ବଡ଼ ବ୍ୟବଧାନରେ ବିଜୟ ହାସଲ କରିବାକୁ ହେବ। ଦକ୍ଷିଣ ଆଫ୍ରିକା ତା’ର ତିନିଟି ଯାକ ମ୍ୟାଚ୍‌ ଜିତିଲେ ଭାରତୀୟ ଦଳ ପାଇଁ ଗୋଟିଏ ବିଜୟରେ ଆଗକୁ ବଢ଼ିବାର ସମ୍ଭାବନା ଥିଲା। କିନ୍ତୁ ବିଯୁକ୍ତ ୩.୮ ରନ୍‌ ରେଟ୍‌ ପାଇଁ ଏହି ସମ୍ଭାବନା ମଧ୍ୟ ଭାରତୀୟ କ୍ରିକେଟ୍‌ ଦଳ ହାତରୁ ଖସି ଯାଇଛି। 

ଗୁରୁବାର ଭାରତ ମ୍ୟାଚ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକା-ୱେଷ୍ଟଇଣ୍ଡିଜ ମୁକାବିଲା ହେବାର ଅଛି। ଜିମ୍ବାୱେ ବିପକ୍ଷରେ ଏହି ମ୍ୟାଚ୍‌ର ଫଳାଫଳ ଅନୁଯାୟୀ ଯୋଜନା କରିବାକୁ ଭାରତୀୟ ଦଳ ପାଖରେ ଅବଶ୍ୟ ସୁଯୋଗ ରହିଛି। ସବୁଠୁ ମଜାଦାର କଥା ହେଲା ଭାରତୀୟ ଦଳର ନେଟ୍‌ ରନ୍‌ ରେଟ୍‌ଠାରୁ ଜିମ୍ବାୱେର ରନ୍ ରେଟ୍‌ (-୫.୩୫୦) ଆହୁରି ଖରାପ ରହିଛି। ତେବେ ଲିଗ୍‌ ପର୍ଯ୍ୟାୟରେ ଜିମ୍ବାୱେ ଦୁଇ ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କାକୁ ହରାଇ ଜାଏଣ୍ଟ୍‌ କିଲର ଭାବେ ଉଭା ହୋଇଥିବାରୁ ଭାରତକୁ ଏହି ଦଳକୁ ହାଲକା ଭାବେ ନେବାର ବିକଳ୍ପ ବି ଖୋଲା ନାହିଁ। ରିଙ୍କୁ ଘରକୁ ଫେରିବା ପରେ ସଞ୍ଜୁଙ୍କ ଉପ‌ରେ ନଜର

ପିତାଙ୍କ ଅସୁସ୍ଥତା ପାଇଁ ରିଙ୍କୁ ସିଂହ ଘରକୁ ଫେରିବା ପରେ ପୁଣି ଥରେ ସମସ୍ତଙ୍କ ନଜର ୱିକେଟ୍‌ ରକ୍ଷକ ସଞ୍ଜୁ ସାମସନଙ୍କ ଉପରେ କେନ୍ଦ୍ରୀଭୂତ ହୋଇଯାଇଛି। ‌ଚେପକ ଷ୍ଟାଡିୟମ୍‌ରେ ଭାରତୀୟ ଦଳର ଅଭ୍ୟାସ ଅଧିବେଶନରୁ ରିଙ୍କୁ ଅନୁପସ୍ଥିତ ରହିବା ମଧ୍ୟ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶରେ ସଞ୍ଜୁ ସାମିଲ ହେବାର ସମ୍ଭାବନାକୁ ଦୃଢ଼ କରିଛି। ସଞ୍ଜୁ ଫେରିଲେ କେଉଁ ସ୍ଥାନରେ ବ୍ୟାଟିଂ କରିବେ, ତାହା ମଧ୍ୟ ବିତର୍କର ବିଷୟ ହୋଇଛି। ଓପନିଂରେ ସେ ଖେଳିବାର ଆଶା ପ୍ରାୟ ନଥିଲା ବେଳେ ତିନି ନମ୍ବର ସ୍ଥାନରେ ବ୍ୟାଟିଂ କରିପାରନ୍ତି। ଏହା ହେଲେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନିଜ ବ୍ୟାଟିଂକ୍ରମରେ ତଳକୁ ଖସିବାକୁ ପଡ଼ିବ। ତିଳକ ବର୍ମା କେଉଁଠି ଖେଳିବେ କିମ୍ବା ଦଳରୁ ବାଦ୍‌ ପଡ଼ିବେ, ତାହା ମଧ୍ୟ ଚିନ୍ତାର କାରଣ ହୋଇପାରେ। ସାମସନ ମଧ୍ୟ ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଧରି ଲମ୍ବା ସମୟ ଅଭ୍ୟାସ କରି ନିଜ ଏକାଗ୍ରତା ବଢ଼ାଇବା ଉପରେ ଜୋର ଦେଇଛନ୍ତି। ଉପଅଧିନାୟକ ଅକ୍ଷର ପଟେଲ ମଧ୍ୟ ଢେର ସମୟ ନେଟ୍‌ସରେ ଉଭୟ ବୋଲିଂ ଓ ବ୍ୟାଟିଂ କରିବାରେ କଟାଇଛନ୍ତି। ଏଣୁ ସେ ମଧ୍ୟ ୱାସିଂଟନ୍‌ ସୁନ୍ଦରଙ୍କ ସ୍ଥାନରେ ଖେଳିବାର ଆଶା ଉପୁଜିଛି। ଅଧିକ ଚର୍ଚ୍ଚାରେ କିନ୍ତୁ ବିସ୍ମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ରହିଛନ୍ତି। ଚେନ୍ନାଇରେ ଖେଳି ଭାରତୀୟ ଦଳରେ ସ୍ଥାନ ପାଇଥିବା ବରୁଣ ପୁଣି ଥରେ ନିଜ ଘରୋଇ ପଡ଼ିଆରେ ଭାରତକୁ ବହୁ ଗୁରୁତ୍ବପୂର୍ଣ୍ଣ ବିଜୟ ଦେବାକୁ ଲକ୍ଷ୍ୟ ରଖିଛନ୍ତି।

ସେପଟେ ଭାରତୀୟ ବ୍ୟାଟର୍‌ଙ୍କୁ ଆରମ୍ଭରୁ ଅଡ଼ୁଆରେ ପକାଇବା ଲାଗି ଜିମ୍ବାୱେ ପାଖରେ ବ୍ଲେସିଂଗ୍‌ସ ବୁଜରବନୀ ଓ ରିଚାର୍ଡ ଏନ୍‌ଗାରାଙ୍କ ଭଳି ଦ୍ରୁତ ବୋଲର୍‌ ମଧ୍ୟ ଅଛନ୍ତି। ଗ୍ରେମ୍ କ୍ରେମର, ସିକନ୍ଦର ରାଜା ଓ ରିୟାନ ବର୍ଲଙ୍କ ଭଳି ସ୍ପିନ୍‌ ଅସ୍ତ୍ର ମଧ୍ୟ ଜିମ୍ବାୱେର ବୋଲିଂ ତୁଣିରେ ରହିଛନ୍ତି। ସମସ୍ତଙ୍କ ଛଡ଼ା ଭାରତୀୟ ଓପନର୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଶ୍ବକପ୍‌ର ପ୍ରଥମ ରନ୍‌ କରିବା ପରେ ଏମାନଙ୍କୁ କିଭଳି ଖେଳୁଛନ୍ତି, ‌ସେନେଇ ଉଭୟ ଆଶା ଓ ଆଶଙ୍କା ସୃଷ୍ଟି ହୋଇଛି। ନୂଆ ପିଚ୍‌ରେ ମ୍ୟାଚ୍‌ ଖେଳ ହେବା ଏବଂ ଚେନ୍ନାଇର ପାଗ ଓ ପରିବେଶ ଜିମ୍ବାୱେ ଖେଳାଳିଙ୍କ ପାଇଁ ସେତେଟା ଉପଯୋଗୀ ନହେବା ଅବଶ୍ୟ ଭାତୀୟ ଦଳ ସପକ୍ଷରେ ଯାଇପାରେ। ଭାରତରେ ଖେଳିବାକୁ ନେଇ ଜିମ୍ବାୱେ ଖେଳାଳିମାନେ ବେଶ୍‌ ଉତ୍ସାହିତ ଥିବା ଜିମ୍ବାୱେ ଅଧିନାୟକ ସିକନ୍ଦର ରାଜା ପୂର୍ବରୁ କହି ସାରିଛନ୍ତି।

ଆହୁରି ପଢ଼ନ୍ତୁ: Women's Twenty20 World Cup: ଜୁନ୍‌ ୧୨ରୁ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌

ଅତୀତ ରେକର୍ଡରେ ଭାରତ ୧୦-୩ରେ ଆଗୁଆ

ଟ୍ବେଣ୍ଟି-୨୦ରେ ଭାରତ ଓ ଜିମ୍ବାୱେ ପରସ୍ପରକୁ ୧୩ଥର ଭେଟିଛନ୍ତି। ଭାରତ ସେଥିମଧ୍ୟରୁ ୧୦ଟି ଜିତିଥିଲା ବେଳେ ଜିମ୍ବାୱେ ମାତ୍ର ୩ଟି‌ରେ ବିଜୟର ସ୍ବାଦ ଚାଖିଛି। ଏଣୁ ଅତୀତ ପରିସଂଖ୍ୟାନ ଦୃଷ୍ଟିରୁ ଭାରତ ପ୍ରତିପକ୍ଷ ଜିମ୍ବାୱେଠାରୁ ଢେର ଆଗରେ ରହିଛି। ଗତ ପାଞ୍ଚଟି ମ୍ୟାଚ୍‌ରୁ ଭାରତ ୪ଟି ଜିତିଥିଲା ବେଳେ ଜିମ୍ବାୱେ ମାତ୍ର ଗୋଟିଏ ଜିତିଛି। ଶେଷ ଥର ଲାଗି ଉଭୟ ଦଳ ୨୦୨୪ ମସିହା ଜୁଲାଇ ମାସରେ ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିଥିଲେ। ଜିମ୍ବାୱେରେ ଖେଳାଯାଇଥିବା ଏହି ଶୃଙ୍ଖଳାର ପ୍ରଥମ ମୁକାବିଲାକୁ ଜିମ୍ବାୱେ ଜିତି ନେଇଥିଲା। ଶୁବମନ ଗିଲ୍‌ଙ୍କ ନେତୃତ୍ବାଧୀନ ଭାରତ ପରବର୍ତ୍ତୀ ଚାରିଟି ମ୍ୟାଚ୍‌ ଜିତି ୪-୧ରେ ଶୃଙ୍ଖଳା ଜିତିଥିଲା। ଜିମ୍ବାୱେ ବିପକ୍ଷରେ ଭାରତ ପାଇଁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ରନ୍‌ କରିଛନ୍ତି। ଅନ୍ୟପକ୍ଷରେ ଅର୍ଶଦୀପ ସିଂହ ସର୍ବାଧିକ ୱିକେଟ୍‌ କରାୟତ୍ତ କରିଛନ୍ତି। ଜିମ୍ବାୱେ ପାଇଁ ଭାରତ ବିପକ୍ଷରେ ସିକନ୍ଦର ରାଜା ସର୍ବାଧିକ ରନ୍ ଓ ରିଚାର୍ଡ ଏନ୍‌ଗାରା ସବୁଠୁ ଅଧିକ ୱିକେଟ୍‌ ଅକ୍ତିଆର କରିଛନ୍ତି।

ସମ୍ଭାବ୍ୟ ଭାରତ: ଅଭିଷେକ ଶର୍ମା, ଈଶାନ କିଶନ, ତିଳକ ବର୍ମା, ସଞ୍ଜୁ ସାମସନ୍‌, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶିବମ ଦୁବେ, ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ/ୱାସିଂଟନ୍‌ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, ଯଶପ୍ରୀତ୍‌ ବୁମ୍‌ରା।
ସମ୍ଭାବ୍ୟ ଜିମ୍ବାୱେ: ତାଡ଼ିୱାନସେ ମରୁମନୀ, ବ୍ରାଏନ ବେନେଟ୍‌, ଡିଅନ ମାୟର୍ସ, ସିକନ୍ଦର ରାଜା (ଅଧିନାୟକ), ଟୋନି ମୁନୟୋଙ୍ଗା, ତାସିଙ୍ଗା ମୁସେକିୱା, ବ୍ରାଡ୍‌ ଇଭାନ୍ସ, ଗ୍ରେମ୍ କ୍ରେମର, ବ୍ଲେସିଂଗ୍‌ସ ମୁଜରବନୀ, ରିଚାର୍ଡ ଏନ୍‌ଗାରା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe