ଭୁବନେଶ୍ବର: ପାଖାପାଖି ଦୁଇ ମାସର ବ୍ୟବଧାନ ପରେ ଓଡ଼ିଶା ପୁଣି ଥରେ ତା’ର ରଣଜୀ ଅଭିଯାନ ଆରମ୍ଭ କରିବ। ଗୁରୁବାରଠାରୁ ଷଷ୍ଠ ରାଉଣ୍ଡ୍ ମୁକାବିଲାରେ ତାମିଲନାଡ଼ୁକୁ ଭେଟିବ। ଏହି ମ୍ୟାଚ୍ କିଟ୍ ବିଶ୍ବବିଦ୍ୟାଳୟ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯିବ। ଏଲିଟ୍ ଗ୍ରୁପ୍-ଏ’ରେ ଓଡ଼ିଶା ସଂପ୍ରତି ୭ ପଏଣ୍ଟ୍ ପାଇ ଷଷ୍ଠ ସ୍ଥାନରେ ଥିଲା ବେଳେ ତାମିଲନାଡ଼ୁ ମାତ୍ର ୫ ପଏଣ୍ଟ୍ ପାଇ ସପ୍ତମ ସ୍ଥାନରେ ରହିଛି। ଉଭୟ ନକ୍ଆଉଟ୍ ପର୍ଯ୍ୟାୟରୁ ବାଦ୍ ପଡ଼ି ସାରିଥିବାରୁ ଏହି ମ୍ୟାଚ୍ ସହ ସପ୍ତମ ତଥା ଅନ୍ତିମ ରାଉଣ୍ଡ୍କୁ ଜିତି ସମ୍ମାନର ସହ ଅଭିଯାନ ଶେଷ କରିବା ଆଶାରେ ଅଛନ୍ତି ଦୁଇଟି ଯାକ ଦଳ।
କିଟ୍ରେ ଖେଳିଥିବା ଗତ ମ୍ୟାଚ୍ରେ ଓଡ଼ିଶା ୨୯୯ ରନ୍ର ବଡ଼ ବ୍ୟବଧାନରେ ନାଗାଲାଣ୍ଡକୁ ହରାଇଥିଲା। ଏଣୁ ପୁଣି ଥରେ ଏଠାରେ ବିଜୟର ମିଠାମିଠା ସ୍ବାଦ ଚାଖିବା ଲକ୍ଷ୍ୟରେ ରହିଛି। ଉଭୟ ଦଳ ଚଳିତ ଋତୁରେ ନିଜ ନିଜ ଦକ୍ଷତାମୂଳକ ମୂଳକ ପ୍ରଦର୍ଶନ ଦେଇ ପାରି ନଥିବା ସହ ଅସ୍ଥିର ପ୍ରଦର୍ଶନ କରି ଆସୁଛନ୍ତି। ଏଣୁ ୨୨ରୁ ୨୫ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ମୁକାବିଲାରେ ଦୁଇଟି ଯାକ ଦଳ ନିଜନିଜର ଶ୍ରେଷ୍ଠ ଦେବାକୁ ଚେଷ୍ଟା କରିବେ। ରେକର୍ଡ ଦେଖିଲେ କେହି କାହାକୁ କମ୍ ନାହାନ୍ତି। ୨୦୦୦ ମସିହା ପରଠାରୁ ଉଭୟ ଦଳ ୪ଥର ମୁହାଁମୁହିଁ ହୋଇଥିଲା ବେଳେ ସବୁ ମ୍ୟାଚ୍ ଡ୍ର’ ରହିଛି। ଏଣୁ ପଞ୍ଚମ ମୁକାବିଲାରେ ଉଭୟ ଦଳ ଫଳାଫଳ ବାହାରିବା ଆଶାରେ ରହିବେ।
ତାମିଲନାଡୁର ଲକ୍ଷ୍ୟ କ’ଣ?
ଅକ୍ଟୋବରରୁ ନଭେମ୍ବର ଭିତରେ ଖେଳିଥିବା ଗତ ୫ଟି ମ୍ୟାଚ୍ରେ ଓଡ଼ିଶା ଐତିହାସିକ ବାରବାଟୀରେ ଖେଳିଥିବା ପ୍ରଥମ ମ୍ୟାଚ୍ରେ ବରୋଦାଠାରୁ ୭ ୱିକେଟ୍ରେ ହାରିଥିଲା। ଦ୍ବିତୀୟ ମ୍ୟାଚ୍ କାନପୁରରେ ଖେଳି ଉତ୍ତର ପ୍ରଦେଶ ବିପକ୍ଷରେ ଡ୍ର’ କରିଥିଲା। ଏହା ପରେ ଆନ୍ଧ୍ର ଓ ବିଦର୍ଭ ବିପକ୍ଷରେ କଟକ ଓ ନାଗପୁରରେ ଖେଳି ଲଗାତାର ପରାଜୟ ବରଣ କରିଥିଲା। ପଞ୍ଚମ ମୁକାବିଲାରେ ଅଭିଜ୍ଞ ବିପ୍ଳବ ସାମନ୍ତରାୟଙ୍କୁ ଫେରାଇ ଆଣିବା ଦଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଥିଲା। ଘରୋଇ ପରିବେଶରେ ରାଜ୍ୟ ଦଳ ପ୍ରଥମ ବିଜୟ କିଟ୍ରେ ହାସଲ କରିଥିଲା। ଅନ୍ୟପକ୍ଷରେ ତାମିଲନାଡ଼ୁ ତା’ର ଗତ ପାଞ୍ଚ ମୁକାବିଲାରୁ ଦୁଇଟି ମ୍ୟାଚ୍ ହାରିଥିଲା ବେଳେ ତିନିଟିକୁ ଡ୍ର’ କରିଛି। ଏଣୁ ଋତୁର ପ୍ରଥମ ବିଜୟ ହାସଲ କରିବାକୁ ବ୍ୟଗ୍ର ରହିଛି। ଓଡ଼ିଶା ବିପକ୍ଷରେ ଏହି ପ୍ରତୀକ୍ଷିତ ବିଜୟ ହାସଲ କରିବାକୁ ତାଙ୍କ ଦଳ ଚେଷ୍ଟା କରିବ ବୋଲି ଅଧିନାୟକ ଏନ. ଜଗଦୀଶନ କହିଛନ୍ତି।
ଆହୁରି ପଢ଼ନ୍ତୁ: Bihar SIR: ବିହାରରେ ଭୋଟର ତାଲିକାରେ ଭୁଲ୍ ନାମ ଯୋଡା ଯାଇନି କି ଠିକ୍ ନାମ ହଟାଯାଇନି...
ଓଡ଼ିଶାର ବିଜୟ ଲକ୍ଷ୍ୟ
ଘରୋଇ ପରିବେଶରେ ଆଉ ଏକ ବିଜୟ ହାସଲ କରିବାକୁ ମଧ୍ୟ ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ସେନାପତି ଲକ୍ଷ୍ୟ ରଖିଛନ୍ତି। ଉଭୟ ଦଳ ଏହି ମ୍ୟାଚ୍ ଲାଗି ଜୋରଦାର ଅଭ୍ୟାସ ମଧ୍ୟ ଜାରି ରଖିଛନ୍ତି। ଏହି ମ୍ୟାଚ୍ ସହ ଝାଡ଼ଖଣ୍ଡ ବିପକ୍ଷରେ ଚଳିତ ଜାନୁଆରି ୨୯ରୁ ଆରମ୍ଭ ହେବାକୁ ଥିବା ସପ୍ତମ ତଥା ଶେଷ ରାଉଣ୍ଡ୍ ଲାଗି ଘୋଷଣା କରାଯାଇଥିବା ଦଳରେ ବଡ଼ ଧରଣର ପରିବର୍ତ୍ତନ କରାଯାଇନି। ନାଗାଲଣ୍ଡକୁ ହରାଇଥିବା ଦଳ ଏହି ମ୍ୟାଚ୍ରେ ଅପରିବର୍ତ୍ତିତ ରଖିବାର ଆଶା ଅଧିକ ରହିଛି। ଓପନର୍ ସ୍ବସ୍ତିକ ସାମଲ ବିଜୟ ହଜରେ ଟ୍ରଫିରେ ସୌରାଷ୍ଟ୍ର ବିପକ୍ଷରେ ଦ୍ବିଶତକ ହାସଲ କରି ଚମତ୍କାର ଫମରେ ଅଛନ୍ତି। ଅଭିଜ୍ଞ ବିପ୍ଳବ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାର, ଅଧିନାୟକ ଶୁଭ୍ରାଂଶୁଙ୍କ ଉପରେ ଦଳ ଅଧିକ ନିର୍ଭରଶୀଳ ରହିବ। ବୋଲିଂ ରାଜେଶ ମହାନ୍ତି ଘରୋଇ ଦଳର ନେତୃତ୍ବ ନେବେ।
ଆହୁରି ପଢ଼ନ୍ତୁ: Mohan Charan Majhi: ବିଗତ ସରକାର ଚାଷୀଙ୍କ ମାସିକ ଆୟକୁ ଗୁରୁତ୍ବ ଦେଇ ନଥିଲେ: ମୁଖ୍ୟମନ୍ତ୍ରୀ
ସମ୍ଭାବ୍ୟ ଓଡ଼ିଶା: ଗୌରବ ଚୌଧୁରୀ, ସ୍ବସ୍ତିକ ସାମଲ, ଶୁଭ୍ରାଂଶୁ ସେନାପତି (ଅଧିନାୟକ), ଗୋବିନ୍ଦ ପୋଦ୍ଦାର, ବିପ୍ଳବ ସାମନ୍ତରାୟ, ଅନିଲ ପରିଡ଼ା, ସମ୍ବିତ ବରାଳ, ସାୱନ ପାହାଡ଼ିଆ, ରାଜେଶ ମହାନ୍ତି, ସୁନିଲ କୁମାର ରାଉଳ, ବାଦଲ ବିଶ୍ବାଳ।
ସମ୍ଭାବ୍ୟ ତାମିଲନାଡ଼ୁ: ବାଲସୁବ୍ରମଣ୍ୟମ ସଚିନ, ଏନ୍ ଜଗଦୀଶନ, ପ୍ରଦୋଶ ରଞନ ପଲ୍, ବାବା ଇନ୍ଦ୍ରଜିତ, ପି ବିଦ୍ୟୁତ, ସି ଆନ୍ଦ୍ରେ ସିଦ୍ଧାର୍ଥ, ଗୁରୁସ୍ବାମୀ ଅଜିତେଶ, ସୋନୁ ଯାଦବ, ସାଇ କିଶୋର (ଅଧିନାୟକ), ସର୍ବଣ କୁମାର, ସନ୍ଦୀପ ୱାରିୟର।
Follow Us