ଚେନ୍ନାଇ: ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଗ୍ରୁପ୍‌ ପର୍ଯ୍ୟାୟରେ ଅପରାଜିତ ଭାରତ ଏବେ ଅପ୍ରତ୍ୟାଶିତ ସଙ୍କଟରେ ପଡ଼ିଛି। ସୁପର୍‌-୮ର ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକାଠାରୁ ହାରିଯିବା ପରେ ଭାରତ ‘କର ବା ମର’ ପରିସ୍ଥିତିର ସମ୍ମୁଖୀନ ହୋଇଛି। ଗୁରୁବାର ଭାରତ ନିଜ ଦ୍ବିତୀୟ ମ୍ୟାଚ୍‌ ଜିମ୍ବାୱେ ବିପକ୍ଷରେ ଖେଳିବ। ଅପ୍ରୀତିକର ପରିସ୍ଥିତିରେ ପଡ଼ିଥିବା ଭାରତ ପାଇଁ କିନ୍ତୁ ଚେପକ୍‌ର ନୂଆ ପିଚ୍‌ ଆଶ୍ବସ୍ତି ଆଣିଛି। ଚେନ୍ନାଇର ପିଚ୍‌ ସାଧାରଣତଃ ମନ୍ଥର ରହୁଥିବାରୁ ଏହା ଜିମ୍ବାୱେର ସିକନ୍ଦର ରାଜା ଓ ବ୍ଲେସିଙ୍ଗ୍‌ ମୁଜାରବାନୀଙ୍କୁ ସୁହାଇଥାନ୍ତା। କିନ୍ତୁ ନୂଆ ପିଚ୍‌ ବ୍ୟାଟିଂ ଅନୁକୂଳ ହେବ ବୋଲି ବିଶ୍ବାସ ହେଉଛି। ଫଳରେ ପେସ୍‌ ବୋଲିଂ ଉପରେ ନିର୍ଭର କରୁଥିବା ଜିମ୍ବାୱେ ବିପକ୍ଷରେ ଏହା ରହିବ। ତଥାପି ଭାରତୀୟ ବ୍ୟାଟର୍‌ଙ୍କୁ ଏହାର ଫାଇଦା ଉଠାଇ ବଡ଼ ସ୍କୋର୍‌ କରିବାର ଆବଶ୍ୟକତା ରହିବ। ବିଶ୍ବକପ୍‌ ପୂର୍ବରୁ ଚେପକ୍‌ ପିଚ୍‌ ପୁନଃସ୍ଥାପିତ ହୋଇଥିବାରୁ ଘରୋଇ ଦଳ ସପକ୍ଷରେ ଯିବ ବୋଲି କୁହାଯାଉଛି। 

Advertisment

Poverty: ଘରର ଆର୍ଥିକ ଅଭାବ ପୂରା କରିବାକୁ ବାହାର ରାଜ୍ୟ ଗଲେ ଦଶମ ଶ୍ରେଣୀ ଛାତ୍ର

ମାତ୍ର ୫ ମାସ ତଳେ ଏମ୍‌ଏ ଚିଦାମ୍ବରମ୍‌ ପିଚ୍‌ ଅବସ୍ଥାପିତ ହେବା ପରଠାରୁ ଏଠାରେ ରନ୍‌ ବର୍ଷା ବି ଦେଖିବାକୁ ମିଳିଛି। ଚଳିତ ବିଶ୍ବକପ୍‌ରେ ଆଫଗାନିସ୍ତାନର ୧୮୨ ରନ୍‌କୁ ନ୍ୟୁଜିଲାଣ୍ଡ୍‌ ୧୭.୫ ଓଭରରେ ପିଛା କରି ଦେଇଥିଲା। ସେହିଭଳି ୟୁଏଇ ବିପକ୍ଷ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ୍‌ ୧୫.୧ ଓଭରରେ ୧୭୬ ରନ୍‌ କରି ବିଜୟୀ ହୋଇଥିଲା। କାନାଡ଼ାର ଯୁଦ୍ଧବୀର ସମ୍‌ରା ୬୫ ବଲ୍‌ରୁ ୧୧୦ ରନ୍‌ କରିଥିଲେ।। ଉଭୟ ମ୍ୟାଚ୍‌ ଦିନବେଳା ଖେଳାଯାଇଥିଲା। ଏପର୍ଯ୍ୟନ୍ତ ଖେଳାଯାଇଥିବା ୨ଟି ରାତି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୧୯୬ ଓ ୨୦୦ ରନ୍‌କୁ ଡିଫେଣ୍ଡ୍‌ କରି ଜିତିଛି।ଭାରତ ପାଇଁ କିନ୍ତୁ ଶୀର୍ଷକ୍ରମ ବ୍ୟାଟିଂ ବିଫଳତା ବଡ଼ ଚିନ୍ତାର କାରଣ ହୋଇଛି। ପ୍ରାରମ୍ଭିକ ଯୋଡ଼ିଙ୍କ ହାରାହାରି ଚଳିତ ବର୍ଷରେ ସବୁ ଦଳ ମଧ୍ୟରେ ଖରାପ। ପ୍ରତିଦ୍ବନ୍ଦ୍ବୀ ଦଳ ଅଭିଷେକ ଶର୍ମା, ଈଶାନ କିଶନ, ତିଳକ ବର୍ମାଙ୍କ ଦୁର୍ବଳତାକୁ ଧରିନେଲେଣି। ଭାରତ ପାଇଁ ଏକ ଅନାଲୋଚିତ ସମସ୍ୟା ବି ଉଭା ହୋଇଛି। ଏହା ହେଉଛି ଏକାଧିକ ବାମହାତୀ ଖେଳାଳି ଦଳ ପାଇଁ ଏବେ ବୋଝ ‌ଭଳି ହୋଇଗଲେଣି।

‘ଆମେ ଏବେ ଏଭଳି ଏକ ପଏଣ୍ଟ୍‌ରେ ପହଞ୍ଚିଯାଇଛୁ ଯେ କିଛି ଭିନ୍ନ ସମନ୍ବୟ ବିଷୟରେ ଚିନ୍ତା କରିବାକୁ ପଡ଼ିବ, ନ‌ ହେଲେ ସମାନ ସମନ୍ବୟ ସହ ଯିବାକୁ ହେବ।’ ଏଭଳି କହିଛନ୍ତି ଭାରତୀୟ ଦଳ ବ୍ୟାଟିଂ ପ୍ରଶିକ୍ଷକ ସୀତାଂଶୁ କୋଟାକ। ଶୀର୍ଷକ୍ରମରେ ବାମ-ଡାହାଣ ସମନ୍ବୟ ଏକ କୌଶଳ, ପରବର୍ତ୍ତୀ ୨ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଏ ବିଷୟରେ ଚିନ୍ତା କରିବାକୁ ପଡ଼ିବ’ ବୋଲି କହିଛନ୍ତି ଭାରତୀୟ ଦଳର ସହକାରୀ ପ୍ରଶିକ୍ଷକ ରୢାନ୍‌ ଟେନ୍‌ ଡଶ୍ଚେଟ୍‌। ତେବେ ବାମ-ଡାହାଣ ସମନ୍ବୟ ପାଇଁ ସଞ୍ଜୁ ସାମ୍‌ସନ୍‌ଙ୍କୁ ଡାକିବା ନିଶ୍ଚିତ ସାହସିକ ନିଷ୍ପତ୍ତି ହେବ। ସୂଚନାଯୋଗ୍ୟ, ଅକ୍ଷର ପଟେଲ୍‌ଙ୍କୁ ମିଶାଇଲେ ୭ ଜଣ ବ୍ୟାଟର୍‌ ବାମହାତୀ ରହିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅକ୍ଷର ପଟେଲ୍‌ ଖେଳି ନଥିଲେ।

ଭାରତ କେମିତି ଖେଳିପାରିବ ସେମିଫାଇନାଲ୍‌?

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାଠାରୁ ଭାରତ ୭୬ ରନ୍‌ରେ ହାରିବା ଏବଂ ଜିମ୍ବାୱେ ବିପକ୍ଷରେ ୱେଷ୍ଟଇଣ୍ଡିଜ୍‌ ୧୦୭ ରନ୍‌ ବ୍ୟବଧାନରେ ଜିତିବା ଏବେ ଭାରତୀୟ ଦଳର ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ଦୁଇ ଦିନରେ ଦୁଇଟି ଝଟ୍‌କା ସଦୃଶ ହୋଇଛି। ଭାରତୀୟ ଦଳ କେମିତି ସେମିଫାଇନାଲ୍‌ ଖେଳିବ ଏବେ ଗୋଟିଏ ଚର୍ଚ୍ଚା କେବଳ ଭାରତୀୟ ଦଳର ମ୍ୟାନେଜ୍‌ମେଣ୍ଟ୍‌ ଓ ପ୍ରଶଂସକଙ୍କୁ ଘାରିଛି। ସୁପର୍‌-୮ର ଗ୍ରୁପ୍‌-୧ରେ ସ୍ଥାନ ପାଇଥିବା ୪ ଦଳ ମଧ୍ୟରେ ଭାରତ ତୃତୀୟ ସ୍ଥାନରେ ରହିଛି। ଦଳର ନେଟ୍‌ ରନ୍‌ ରେଟ୍‌ (ଏନ୍‌ଆର୍‌ଆର୍‌) ସଂଘାତିକ ଭାବେ ବିଯୁକ୍ତାତ୍ମକ ସ୍ଥିତିରେ (-୩.୮୦୦) ଥିବାରୁ ଅଧିକ ବିପଦ ଘନେଇଛି। ଭାରତର ସେମିଫାଇନାଲ୍‌ ଏବେ କେବଳ ପରବର୍ତ୍ତୀ ୨ ମ୍ୟାଚ୍‌ରେ ବିଜୟ ନୁହେଁ, ଅନ୍ୟ ଗ୍ରୁପ୍‌-୧ ମୁକାବିଲା ଫଳାଫଳ ଉପରେ ବି ନିର୍ଭର କରିବ। ଭାରତକୁ ପ୍ରଥମେ ଗୁରୁବାର ଜିମ୍ବାୱେ ବିପକ୍ଷରେ ବିଜୟୀ ହେବା ସହ ରବିବାର ୱେଷ୍ଟଇଣ୍ଡିଜ୍‌କୁ ବି ମାତ୍‌ ଦେବାକୁ ପଡ଼ିବ। କେବଳ ସାଧାରଣ ବିଜୟ ବି ଦଳ ପାଇଁ ଯଥେଷ୍ଟ ହୋଇ ନପାରେ। କାରଣ ଦୁଇଟି ବଡ଼ ବଡ଼ ବିଜୟ ସହିତ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଦୁଇ ସ୍ଥାନକୁ ଦଖଲରେ ରଖିଥିବାରୁ ସେମାନଙ୍କୁ ହଟାଇବାକୁ ଏବେ ସୂର୍ଯ୍ୟସେନାଙ୍କୁ ବହୁ କସରତ କରିବାକୁ ପଡ଼ିବ।

Maoists: ଆମେ ଆତ୍ମସମର୍ପଣ କରିବାକୁ ଚାହୁଁଛୁ, ରେଡିଓରେ ନିଜ ବାର୍ତ୍ତା ରଖନ୍ତୁ

ପ୍ରଥମ ଦୃଶ୍ୟପଟ୍ଟରେ ଭାରତ ଯଦି ଉଭୟ ମ୍ୟାଚ୍‌ ଜିତିଯିବ ଏବଂ ଦକ୍ଷିଣ ଆଫ୍ରିକା ନିଜର ସମସ୍ତ ମ୍ୟାଚ୍‌ ଜିତିବ ତେବେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ସେମିଫାଇନାଲ୍‌ ପହଞ୍ଚି ପାରିବେ। ଭାରତ ଉଭୟ ମ୍ୟାଚ୍‌ ଜିତିଲେ ଏବଂ ଦକ୍ଷିଣ ଆଫ୍ରିକା ନିଜର ଅବଶିଷ୍ଟ ୨ ମ୍ୟାଚ୍‌ ହାରିଲେ ଭାରତ ଓ ୱେଷ୍ଟଇଣ୍ଡିଜ୍ ସେମିଫାଇନାଲ୍‌ ଯିବେ। ଭାରତ ଦୁଇଟି ଜିତିଥିଲେ ଏବଂ ଦକ୍ଷିଣ ଆଫ୍ରିକା ଅବଶିଷ୍ଟ ଦୁଇଟିରୁ ଗୋଟିଏ ଜିତିଲେ ୩ ଦଳ ୪ ପଏଣ୍ଟ୍‌ରେ ପହଞ୍ଚିବା ସମ୍ଭାବନା ରହିଛି, ଏଭଳି ପରିସ୍ଥିତିରେ ଏନ୍‌ଆର୍‌ଆର୍‌ ନିର୍ଣ୍ଣାୟକ ହେବ। ଦ୍ବିତୀୟ ଦୃଶ୍ୟପଟ୍ଟରେ ଭାରତ ଯଦି ଅବଶିଷ୍ଟ ଦୁଇଟିରୁ ଗୋଟିଏ ଜିତିବ ତେବେ ସିଧାସଳଖ ବିଦାୟ ନେଇଯିବ। ଭାରତର ଭାଗ୍ୟ ଏବେ ସୂତାଖିଅରେ ଝୁଲୁଥିବାରୁ ପରବର୍ତ୍ତୀ ମ୍ୟାଚ୍‌ ଦ୍ବୟରେ ସାମାନ୍ୟ ଭୁଲ୍‌ ବି ଦଳ ପାଇଁ ମହଙ୍ଗା ପଡ଼ିବ। ‌ବିଜେତା ଭାରତୀୟ ଦଳର ଭାଗ୍ୟ ଉଦୟ ହେବ କି ସୂର୍ଯ୍ୟ ସେନାର ଅସ୍ତ ହେବ, ତାହାକୁ ପ୍ରତୀକ୍ଷା କରିଛନ୍ତି କ୍ରିକେଟ୍‌ପ୍ରେମୀ।