ସୱାଇ ମାନସିଂହ ଷ୍ଟାଡିୟମ୍‌ରୁ ସୁରେଶ ସ୍ବାଇଁ
ଜୟପୁର(ରାଜସ୍ଥାନ): ରାଜସ୍ଥାନ ରାଜଧାନୀ ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମ୍‌ ଅଧିକାଂଶ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଅପରିଚିତ କି ଅଜ୍ଞାତ ନୁହେଁ। ସାମ୍ପ୍ରତିକ ସମୟରେ ଭିନ୍ନ କିଛି କାରଣ ପାଇଁ ଏହା ଅନ୍ତର୍ଜାତୀୟ କ୍ରିକେଟ୍‌ଠାରୁ ଦୂରେଇ ରହିଥିଲେ ମଧ୍ୟ ପ୍ରମୁଖ କ୍ରିକେଟ୍‌କେନ୍ଦ୍ର ଭାବେ ଜଣାଶୁଣା। ପଶ୍ଚିମ ଭାରତର ଅନ୍ୟତମ କ୍ରିକେଟ୍‌କେନ୍ଦ୍ର ଭାବେ ଜଣାଶୁଣା ଏହି ଷ୍ଟାଡିୟମ୍‌ ଏବେ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଛି। ସପ୍ତାହେରୁ ଅଧିକ ଦିନ ହେଲାଣି ଏହାର ପରିବେଶ ଅଣକ୍ରିକେଟର୍‌ଙ୍କ କୋଳାହଳ ଭିତରେ କଟିଛି। ଆହୁରି ୩ ଦିନ ମଧ୍ୟ କଟିବ। ସ୍ପଷ୍ଟ ଭାବେ କହିଲେ ଚଳିତ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ପଞ୍ଚମ ସଂସ୍କରଣ ରାଜସ୍ଥାନର ୭ଟି ସହରରେ ହେଉଥିଲେ ମଧ୍ୟ ଅଧିକାଂଶ ଇଭେଣ୍ଟ୍‌ ଜୟପୁରର ସେଇ ସୱାଇ ମାନସିଂହ ଷ୍ଟାଡିୟମ୍ ପରିସରରେ ଖେଳାଯାଉଛି। କିନ୍ତୁ କ୍ରିକେଟ୍ ଷ୍ଟାଡିୟମ୍‌ ଭିତରେ କିଭଳି ସନ୍ତରଣ, ଦୌଡ଼କୁଦ, ହକି, ବ୍ୟାଡ୍‌ମିଣ୍ଟନ୍‌, ବାସ୍କେଟ୍‌ବଲ୍‌, ସ୍କ୍ବାସ୍‌, ହ୍ୟାଣ୍ଡବଲ୍‌, ସାଇକ୍ଲିଂ ଭେଲୋଡ୍ରମ୍‌, ଟେନିସ୍‌, ଫୁଟ୍‌ବଲ୍‌ଆଦି ‌ଖେଳ ବି ହେଉଛି। ଏହି ସବୁ ଅଲିମ୍ପିକ୍ସ ପାଇଁ ଭିତ୍ତିଭୂମି ବି ରହିଛି ସୱାଇ ମାନସିଂହ ଷ୍ଟାଡିନୟମ୍‌ ଚତୁଃପାର୍ଶ୍ବରେ। ଅଣକ୍ରିକେଟର୍‌ ତଥା ଏହି ବିଶ୍ବବିଦ୍ୟାଳୟ ସ୍ତରର ଖେଳାଳିମାନେ ବି ଗୋଟିଏ କ୍ରୀଡ଼ା କଂପ୍ଲେକ୍ସ ଭିତରେ ଏତେ ଖେଳ ସୁବିଧା ଦେଖି ଚକିତ ହୋଇଛନ୍ତି।

Advertisment

Virat Kohli : ୧୬ ବର୍ଷ ପରେ ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ

ସୱାଇ ମାନସିଂ ଷ୍ଟାଡିୟମ୍‌ ବି ନୂଆ ବେଶରେ ସଜେଇ ହୋଇଛି। ଏକକାଳୀନ ବିବିଧ ଖେଳ ଆୟୋଜନ କରି ଏସ୍‌ଏମ୍‌ଏସ୍‌ଷ୍ଟାଡିୟମ୍‌ବି ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି। ସୂଚନା‌‌ଯୋଗ୍ୟ, ଗୋଟିଏ ଟେଷ୍ଟ୍ ମ୍ୟାଚ୍‌ମାତ୍ର ଖେଳାଯାଇଛି ସୱାଇ ମାନସିଂହ ଷ୍ଟାଡିୟମ୍‌ରେ। ୧୯୮୩ରେ ପ୍ରଥମ ଦିନିକିଆ ପରେ ୧୯୮୭ରେ ଏହି ଟେଷ୍ଟ୍ ମ୍ୟାଚ୍‌‌ଖେଳାଯାଇଥିଲା। ଉଭୟ ମ୍ୟାଚ୍‌ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିଲା। ୨୦୧୩ ପରେ ଦିନିକିଆ ଏବଂ ୨୦୨୧ ପରେ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ବି ଖେଳାଯାଇନାହିଁ। ରାଜସ୍ଥାନ ସରକାରଙ୍କ ଅଧିନରେ ଥିବାରୁ ଏବଂ ମାତ୍ର ୨୫/୩୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ହୋଇଥିବାରୁ ଏହା ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍‌ ଦୌଡ଼ରେ ପଛରେ ପଡ଼ିଯାଇଛି। କିନ୍ତୁ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍ସର ଘରୋଇ ପଡ଼ିଆ ଭାବେ କ୍ରିକେଟପ୍ରେମୀ ସେମାନଙ୍କ ପ୍ରିୟ ଖେଳର ରୋମାଞ୍ଚରୁ ବଞ୍ଚିତ ରହିନାହାନ୍ତି।

ପୋଲୋ ବିଶ୍ବକପ୍‌ ବିଜେତାଙ୍କ ନାମରେ?
ଭାରତରେ ସମ୍ଭବତଃ ଜୟପୁର ଏକମାତ୍ର ଷ୍ଟାଡିୟମ୍‌ଯାହା ଜଣେ ମହାନ ଅଣକ୍ରିକେଟରଙ୍କ ନାମରେ ରହିଛି। ଲେଫ୍ଟନାଣ୍ଟ୍‌ ଜେନେରାଲ୍‌ ଏଚ୍‌ଏଚ୍‌ସୱାଇ ସାର୍ ମାନସିଂହ-୨ ‌ଜଣେ ପୋଲୋ ବିଶ୍ବକପ୍‌ବିଜୟୀ ଖେଳାଳି। ଏକ ରାଜ ପରିବାରରୁ ଆସିଥିବା ବେଳେ ସେ ମଧ୍ୟ ଏକଦା ଜୟପୁର ରାଜା ହୋଇଥିଲେ। ୨୦୧୮ରେ ସୱାଇ ସାର୍ ମାନସିଂହଙ୍କ ନାମରେ ଏହା ନାମିତ ହୋଇଛି। ତଥାପି ଏହି ପଡ଼ିଆ ନୂଆ ପିଢ଼ିର କ୍ରିକେଟପ୍ରେମୀଙ୍କ ମାନସପଟରେ ମହେନ୍ଦ୍ର ସିଂହ ଧୋନିଙ୍କ ସର୍ବୋଚ୍ଚ ଦିନିକିଆ ପାଳି (୧୮୩*), ବିରାଟ କୋହଲିଙ୍କ ଦ୍ରୁତତମ ଦିନିକିଆ ଶତକ, ୧୯୮୭ ଓ ୧୯୯୬ ଦିନିକିଆ ବିଶ୍ବକପ୍‌ଆୟୋଜନ ଏବଂ ୧୯୮୭ରେ ‘ଶାନ୍ତି ପାଇଁ କ୍ରିକେଟ୍‌’ର ଅଂଶବିଶେଷ ଭାବେ ଭାରତ-ପାକିସ୍ତାନ ଟେଷ୍ଟ୍‌ଦେଖିବାକୁ ପୂର୍ବତନ ପାକିସ୍ତାନ ରାଷ୍ଟ୍ରପତି ଜିଆ ଉଲ୍ ହକ୍ ଆସିବା ଭଳି ଘଟଣା ସ୍ମରଣୀୟ ରହିଛି।

ପ୍ରତିଭା ଖୋଜୁଛନ୍ତି ଗଡ଼ନାୟକ
ସୱାଇ ମାନସିଂହ ଷ୍ଟାଡିୟମ୍ ଆଥ୍‌ଟେଲିକ୍ସ ଟ୍ରାକ୍‌ରେ ମଙ୍ଗଳବାରଠାରୁ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଓଡ଼ିଶାର କିଟ୍‌ବିଶ୍ବବିଦ୍ୟାଳୟ ଖେଳାଳିମାନେ କିନ୍ତୁ ବୁଧବାରଠାରୁ ଅଭିଯାନ ଆରମ୍ଭ କରିବେ। ମଙ୍ଗଳବାର ମଧ୍ୟ ଆଥଲେଟିକ୍ସ ଟ୍ରାକ୍‌ରେ ଦେଖାହୋଇଗଲେ ଭାରତୀୟ ଦୌଡ଼କୁଦ ଦୁନିଆର ଅନ୍ୟତମ ସଫଳ ପ୍ରଶିକ୍ଷକ ତଥା ଅଘୋଷିତ ଦ୍ରୋଣାଚାର୍ଯ୍ୟ ସଂଜୟ ଗଡ଼ନାୟକ। ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରୁ ପ୍ରତିଭା ଅନ୍ବେଷଣ ଦାୟିତ୍ବରେ ରହିଛନ୍ତି ଶ୍ରୀ ଗଡ଼ନାୟକ। ଭାରତ ସରକାରଙ୍କ ଭାରତୀୟ କ୍ରୀଡ଼ା ପ୍ରାଧୀକରଣ (ସାଇ) ପକ୍ଷରୁ ସେ ଏହି ଭୂମିକାରେ ଥିଲେ ମଧ୍ୟ କିଟ୍‌ରେ ନିଯୁକ୍ତ ଥିବାରୁ ଏହି ସଫଳ ବିଶ୍ବବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗୀଙ୍କ ମନୋବଳ ବି ବଢ଼ାଉଛନ୍ତି।

କବୀରଙ୍କ ସଫଳତା ପଛରେ ଅଷ୍ଟ୍ରେଲୀୟ ପ୍ରଶିକ୍ଷକ

ଭୁବନେଶ୍ବର: ଓଡ଼ିଶାର ଏକ ନମ୍ବର ଟେନିସ୍ ଖେଳାଳି କବୀର ହଂସ ଏବେ ଚଳିତ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଭଲ ଫର୍ମରେ ରହି ସେମ‌ିଫାଇନାଲ୍ ପ୍ରବେଶ କରିଛନ୍ତି। କିଟ୍‌ ବିଶ୍ବବିଦ୍ୟାଳୟ ପାଇଁ ଖେଳୁଥିବା କବୀରଙ୍କ ସଫଳତା ପଛରେ ରହିଛନ୍ତି ଜଣେ ଅଷ୍ଟ୍ରେଲୀୟ ପ୍ରଶିକ୍ଷକ ଯାହାକି ଅନେକଙ୍କ ପାଇଁ ଅଜଣା ଥିଲା। ପ୍ରାୟ ୩ ଦଶନ୍ଧି ଧରି ପ୍ରଶିକ୍ଷଣରେ ଥିବା ଏହି ଅଷ୍ଟ୍ରେଲୀୟ ବ୍ୟକ୍ତିତ୍ବ ଜଣଙ୍କ ହେଲେ ଟଡ୍ କ୍ଳାର୍କ। ଚଳିତବର୍ଷ ଭାରତୀୟ ବିଶ୍ବବିଦ୍ୟାଳୟ ଦଳକୁ ଜର୍ମାନୀରେ ଅନୁଷ୍ଠିତ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ କାଂସ୍ୟ ବିଜୟୀ ବି କରାଇଥିଲେ। ୨୦୦୮ ମସିହାରୁ ଭାରତକୁ ଦ୍ବିତୀୟ ଘର କରିଥିବା ଟଡ୍‌ ଏବେ କିଟ୍‌ ବିଶ୍ବବିଦ୍ୟାଳୟରେ ଟେନିସ୍ ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି। ଖେଲୋ ଇଣ୍ଡିଆ ଲମ୍ବା ସମୟ ପରେ ନିଶ୍ଚିତ ଭାରତୀୟ ଖେଳକୁ ଉପକାରୀ ହେବ।

FIR Against Pradeep Majhi: ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଫାଇରିଂ କରିଦେବି କହିବା ମାମଲାରେ ପୂର୍ବତନ ସାଂସଦଙ୍କ ନାମରେ ଏତଲା

ଫିଟ୍‌ ଇଣ୍ଡିଆ ଅଭିଯାନ ମାଧ୍ୟମରେ ଭାରତ ସରକାର ଯୁବ ସମ୍ପ୍ରଦାୟ ଭିତରେ ସ୍ବାସ୍ଥ୍ୟ ଓ ସୁସ୍ଥତାର ବାର୍ତା ଦେଉଛନ୍ତି ବୋଲି ଟଡ୍ ପ୍ରକାଶ କରିଛନ୍ତି। କିଟ୍‌ ଆସିବା ପୂର୍ବରୁ ଟଡ୍‌ ଗୁଜରାଟ, ହରିୟାଣା, ପଞ୍ଜାବରେ ବି ଏକାଧିକ ଏକାଡେମି ଓ ଅନୁଷ୍ଠାନରେ ପ୍ରଶିକ୍ଷଣ ଦେଇଛନ୍ତି। ଭାରତରେ ପ୍ରତିଭାର ଅଭାବ ନାହିଁ ବୋଲି ବିଶ୍ବାସ ରଖିଛନ୍ତି ଟଡ୍‌। ଏଥି ପାଇଁ କୌଣସି ନିର୍ଦ୍ଦିଷ୍ଟ ଉଚ୍ଚତାର ଖେଳାଳିଙ୍କ ଆବଶ୍ୟକତା ରହିଛି ଏବଂ ପ୍ରତିଭା ଚିହ୍ନଟ ଠିକଣାା ସମୟରେ ହେବା  ଉଚିତ ବୋଲି ସେ କହିଛନ୍ତି। ଅନ୍ୟୂନ ୬ ଫୁଟ୍‌ ଖେଳାଳି ଥିଲେ ନିଶ୍ଚିତ ଫାଇଦା ହୁଏ ବୋଲି ସେ ପରୋକ୍ଷରେ କହିଛନ୍ତି। ସୂଚନା‌ଯୋଗ୍ୟ, ଟଡ୍‌ କ୍ଲାର୍କଙ୍କ ତତ୍ତ୍ବାବଧାନରେ କିଟ୍‌ ବିଶ୍ବବିଦ୍ୟାଳୟ ଦଳ ଚଳିତ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। କବୀରଙ୍କ ସହ ଅଂଶୁମାନ ସିଂହ, ଦେବାଶିଷ ସାହୁଙ୍କ ଦଳ କିଟ୍‌ର ଟେନିସ୍ ପଦକ ଆଶା କାଏମ ରଖିଛନ୍ତି।