ଭୁବନେଶ୍ବର: ଚଳିତ ବିଜୟ ହଜାରେ ଟ୍ରଫି ବିସିସିଆଇ ଘରୋଇ ଦିନିକିଆ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ଲଗାତାର ବିଜୟ ହାସଲ କରିଛି। ବେଙ୍ଗାଲୁରୁ ନିକଟସ୍ଥ ଆଲୁର କେଏସ୍‌ସିଏ ଗ୍ରାଉଣ୍ଡ୍‌ରେ ଖେଳାଯାଇଥିବା ଏକ ଏଲିଟ୍‌ ‘ଡି’ ମ୍ୟାଚ୍‌ରେ ଓଡ଼ିଶା ୬ ୱିକେଟ୍‌ରେ ଆନ୍ଧ୍ରପ୍ରଦେଶକୁ ପରାସ୍ତ କରିଛି। ଏଥି ସହ ଚଳିତ ବର୍ଷ ବାରବାଟୀରେ ରଣଜୀ ଟ୍ରଫିରେ ଓଡ଼ିଶାକୁ ହରାଇଥିବା ଆନ୍ଧ୍ରପ୍ରଦେଶ ବିପକ୍ଷରେ ବିପ୍ଳବ ସାମନ୍ତରାୟଙ୍କ ଦଳ ପ୍ରତିଶୋଧମୂଳକ ବିଜୟ ବି ପାଇଛି। ସୋମବାର ଓଡ଼ିଶା ବିଜୟରେ ଅଭିଜ୍ଞ ଅଲ୍‌ରାଉଣ୍ଡର୍‌ ଗୋବିନ୍ଦ ପୋଦ୍ଦାର ଏବଂ ଯୁବ ବ୍ୟାଟର୍‌ ଓମ୍‌ ଟି ମୁଣ୍ଡେଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା। ଓଡ଼ିଶା ତୃତୀୟ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ସହ ପଏଣ୍ଟ୍ ଟେବୁଲ୍‌ର ଦ୍ବିତୀୟ ସ୍ଥାନରେ ରହିଛି। ଦିଲ୍ଲୀ ହ୍ୟାଟ୍ରିକ୍‌ ବିଜୟ ସହ ଶୀର୍ଷରେ ରହିଛି। 

Advertisment

World Record  : ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ନେଲେ ୮ ୱିକେଟ୍ ନେଲେ ଭୁଟାନ ବୋଲର୍

ଟସ୍‌ ଜିତି ଓଡ଼ିଶା କ୍ଷେତ୍ରରକ୍ଷଣ କରିଥିଲା। ଗତ ମ୍ୟାଚ୍‌ରେ ପ୍ରଥମ ଓଡ଼ିଆ ଭାବେ ହ୍ୟାଟ୍ରିକ୍ ଅର୍ଜନ କରିଥିବା ଦ୍ରୁତ ବୋଲର ରାଜେଶ ମହାନ୍ତି ସୋମବାର ପ୍ରଥମ ଓଭରରେ ହିଁ ୱିକେଟ୍‌ ନେଇଥିଲେ। ଅଶ୍ବିନ ହେବରଙ୍କୁ ପଞ୍ଚମ ବଲ୍‌ରେ ସେ ବୋଲ୍ଡ କରି ଦେଇଥିଲେ। କିଛି ସମୟ ପରେ ସେକ୍‌ ରସିଦ୍‌ ରିଟାର୍ଡ ହର୍ଟ ହେବା ଆନ୍ଧ୍ରପ୍ରଦେଶର ଚିନ୍ତା ବଢ଼ାଇଥିଲା। ଅନ୍ତର୍ଜାତୀୟ ଖେଳାଳି ତଥା ଅଧିନାୟକ ନୀତୀଶ କୁମାର ରେଡ୍ଡୀଙ୍କୁ ସମ୍ବିତ ବରାଳ ବୋଲ୍ଡ କରିଦେଇଥିଲେ। ଏହା ପରେ ଆନ୍ଧ୍ରପ୍ରଦେଶ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇବାରୁ ବଡ଼ ସ୍କୋର୍‌ କରିପାରିନଥିଲା। ତଥାପି ୨୨ ବର୍ଷୀୟ ଏସ୍‌ଡିଏନ୍‌ଭି ପ୍ରସାଦ ଅର୍ଦ୍ଧଶତକ (୬୪ ବଲ୍‌ରୁ ୬୬ ରନ୍) ହାସଲ କରି ଦଳର ସମ୍ମାନ ରଖିଥିଲେ। ପ୍ରସାଦଙ୍କୁ ପୋଦ୍ଦାରଙ୍କ ହାତରେ କ୍ୟାଚ୍‌ କରାଇ ଦେବବ୍ରତ ପ୍ରଧାନ ବିଦାୟ ରାସ୍ତା ଦେଖାଇଥିଲେ। ନବମ ୱିକେଟ୍‌ ଭାବେ ସେ ଆଉଟ୍ ହେବାବେଳକୁ ଆନ୍ଧ୍ରପ୍ରଦେଶ ୧୭୪/୯ରେ ଥିଲା। କିନ୍ତୁ ସ୍ପିନ୍‌ ଅଲ୍‌ରାଉଣ୍ଡର୍‌ ସୌରଭ କୁମାର ଏକ ଛୋଟ ତଥା ବିସ୍ଫୋରକ ପାଳି (୨୬ ବଲ୍‌ରୁ ୪୭ ରନ୍, ୩ ଚୌକା, ୪ ଛକା) ଖେଳି ଦଳକୁ କିଛିଟା ସୁଯୋଗ ପ୍ରଦାନ କରିଥିଲେ। ଦଶମ ୱିକେଟ୍‌ ଭାଗୀଦାର ପାଇଁ ସଂଗୃହିତ ସମସ୍ତ ୪୭ ରନ୍‌ ତାଙ୍କ ବ୍ୟାଟ୍‌ରୁ ଆସିଥିଲା। ଆନ୍ଧ୍ରପ୍ରଦେଶର ଶେଷ ୬ ୱିକେଟ୍‌କୁ ଗୋବିନ୍ଦ ପୋଦ୍ଦାର (୮-୧-୩୬-୩) ଓ ବିପ୍ଳବ ସାମନ୍ତରାୟ (୭.୨-୦-୩୬-୩) ଦଖଲ କରିନେଇଥିଲେ।

ଓଡ଼ିଶା ପାଇଁ ୨୨୨ ରନ୍‌ ବିଜୟ ଲକ୍ଷ୍ୟ ସହଜ ହୋଇଥିଲେ ମଧ୍ୟ ଦଳ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପାଳିର ପ୍ରଥମ ବଲ୍‌ରେ ସ୍ବସ୍ତିକ ସାମଲ ବୋଲ୍ଡ ହୋଇଯିବା ପରେ ସନ୍ଦୀପ ପଟ୍ଟନାୟକ ୧୯ ବଲ୍‌ରୁ ୧୯ ରନ୍‌ କରି ବିଦାୟ ନେବାରୁ ଓଡ଼ିଶାକୁ ଭଲ ଆରମ୍ଭ ମିଳି  ନ ଥିଲା। କିନ୍ତୁ ଯୁବ ତାରକା ଓମ୍‌ ଟି ମୁଣ୍ଡେ ଏବଂ ଅଭିଜ୍ଞ ଗୋବିନ୍ଦ ପୋଦ୍ଦାର ତୃତୀୟ ୱିକେଟ୍‌ ପାଇଁ ୩୨.୪ ଓଭରରେ ୧୬୬ ରନ୍ ଯୋଡ଼ି ଓଡ଼ିଶାର ବିଜୟ ପଥକୁ ସୁଗମ କରିଥିଲେ। ବରିଷ୍ଠ ଦଳରୁ ପଦାର୍ପଣ କରିବାର ଚତୁର୍ଥ ମ୍ୟାଚ୍‌ (୧ ଟ୍ବେଣ୍ଟି-୨୦ ଓ ୩ ଦିନିକିଆ)ରେ ମୁଣ୍ଡେ ନିଜ ପ୍ରଥମ ପ୍ରଭାବୀ ପାଳି ଖେଳିଥିଲେ। ୧୧୧ ବଲ୍‌ରୁ ୭ ଚୌକା ସହ ୯୧ ରନ୍‌ ସଂଗ୍ରହ କରି ଶତକରୁ ବଞ୍ଚିତ ହୋଇଥିଲେ। ପୋଦ୍ଦାର ୧୦୫ ବଲ୍‌ରୁ ୯ ଚୌକା ବଳରେ ୮୯ ରନ୍ କରି ନିଜ ଚତୁର୍ଥ ଲିଷ୍ଟ୍‌-ଏ ଶତକ ସୁଯୋଗ ହାତଛଡ଼ା କରିଥିଲେ। ଉଭୟଙ୍କ ବିଦାୟ ପରେ ଆଶୀର୍ବାଦ ସ୍ବାଇଁ (୧୧*) ଓ ବିପ୍ଳବ ସାମନ୍ତରାୟ (୭*) ୩୮ ବଲ୍‌ ପୂର୍ବରୁ ମ୍ୟାଚ୍‌ ଶେଷ କରିଥିଲେ। ଗୋବିନ୍ଦ ପୋଦ୍ଦାର (୮୯, ୩/୩୬, ୨ କ୍ୟାଚ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଓଡ଼ିଶା ନିଜ ପରବର୍ତୀ ମ୍ୟାଚ୍‌ ବୁଧବାର ଦିଲ୍ଲୀ ବିପକ୍ଷରେ ଖେଳିବ।

ସଂକ୍ଷିପ୍ତ ସ୍କୋର: ଆନ୍ଧ୍ରପ୍ରଦେଶ ୪୯.୨ ଓଭରରେ ୨୨୧/୧୦ (ଏସ୍‌ଡିଏନ୍‌ଭି ପ୍ରସାଦ-୬୬,‌ ସୌରଭ କୁମାର-୪୭, ଗୋବିନ୍ଦ ପୋଦ୍ଦାର-୩/୩୬, ବିପ୍ଳବ ସାମନ୍ତରାୟ-୩/୩୬, ବାଦଲ ବିଶ୍ବାଳ-୧/୨୨, ସମ୍ବିତ ବରାଳ-୧/୩୧, ଦେବବ୍ରତ ପ୍ରଧାନ-୧/୩୪, ରାଜେଶ ମହାନ୍ତି-୧/୫୮)। ଓଡ଼ିଶା ୪୩.୪ ଓଭରରେ ୨୨୩/୪ (ଓମ୍‌ ଟି ମୁଣ୍ଡେ-୯୧, ଗୋବିନ୍ଦ ପୋଦ୍ଦାର-୮୯, ସନ୍ୟନାରାୟଣ ରାଜୁ-୨/୪୯)।

Russia-Ukraine War : ପୁଟିନଙ୍କ ଘର ଉପରେ ଡ୍ରୋନ ଆକ୍ରମଣ !

ମିଧାଂଶୁଙ୍କ ଶତକ: ଓଡ଼ିଶା ୨୪୮/୪
ମଧ୍ୟପ୍ରଦେଶର ଗ୍ବାଲିୟରସ୍ଥିତ ଶ୍ରୀମନ୍ତ ମାଧବ ରାଓ ସିନ୍ଧିଆ କ୍ରିକେଟ୍‌ ଷ୍ଟାଡିୟମଠାରେ ଚାଲିଥିବା ଓଡ଼ିଶା-ପୁଡୁଚେରୀ ୧୬ ବର୍ଷରୁ କମ୍ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ଘରୋଇ କ୍ରିକେଟ୍‌ ପ୍ରତିଯୋଗିତାର ପ୍ରଥମ ଦିନରେ ଓଡ଼ିଶା ୪ ୱିକେଟ୍‌ ହରାଇ ୨୪୮ ରନ୍‌ କରି ନେଇଛି। ସୋମବାର ପୁଡ଼ୁଚେରୀ ଟସ୍ ଜିତି ଓଡ଼ିଶାକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା।  ଓପନର ମିଧାଂଶୁ ଦାସ ୧୩୬ ରନ୍‌ର ଶତକୀୟ ପାଳି ଖେଳି ଓଡ଼ିଶା ସ୍ଥିତିକୁ ସୁଦୃଢ଼ କରିଥିଲେ। ଖେଳ ବନ୍ଦ ବେଳକୁ  ଅରୋବିନ୍ଦ ମୁଦୁଲି ୪୦* ଏବଂ ୱିକେଟ୍‌ ରକ୍ଷକ ଓମପ୍ରକାଶ ଦାସ ୧୦* ରନ୍‌ରେ ବ୍ୟାଟିଂ କରୁଥିଲେ। ପ୍ରକାଶ ଥାଉକି, ଲିଗ୍ ପର୍ଯ୍ୟାୟରେ ଓଡ଼ିଶା ୪ଟି ମ୍ୟାଚ୍‌ରୁ ୨ଟି ବିଜୟ ଏବଂ ୨ଟି ଅମୀମାସିଂତ ଫଳାଫଳ ବଳରେ ୪ ପଏଣ୍ଟ୍‌ ହାସଲ କରି ଗ୍ରୁପ-ବି ଟେବୁଲର ୪ର୍ଥ ସ୍ଥାନରେ ରହିଛି ।