ଭୁବନେଶ୍ବର: ବିସିସିଆଇ ଘରୋଇ ଦିନିକିଆ କ୍ରିକେଟ୍ ପ୍ରତିଯୋଗିତା ‘ବିଜୟ ହଜାରେ ଟ୍ରଫି’ ଆରମ୍ଭରୁ ଓଡ଼ିଶା ଓପନର୍ ସ୍ବସ୍ତିକ ସାମଲ ଇତିହାସ ରଚିଛନ୍ତି। ପ୍ରଥମ ଓଡ଼ିଆ ଖେଳାଳି ଭାବେ ଲିଷ୍ଟ୍-ଏ’ କ୍ରିକେଟ୍ରେ ଦ୍ବିଶତକ ହାସଲ କରିବାର କୀର୍ତ୍ତିମାନ ନିଜ ନାମରେ କରି ନେଇଛନ୍ତି ଏହି ୨୫ବର୍ଷୀୟ ଯୁବ ବ୍ୟାଟର୍। ଫଳରେ ବିଗତ କିଛି ବର୍ଷ ହେବ ସଂଘର୍ଷ କରୁଥିବା ଓଡ଼ିଶା କ୍ରିକେଟ୍ରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ସ୍ବସ୍ତିକଙ୍କ ବିସ୍ଫୋରକ ବ୍ୟାଟିଂ ମଧ୍ୟ ରାଜ୍ୟ କ୍ରିକେଟ୍କୁ ନୂଆ ଆଶା ଓ ଦିଶା ଦେଇଛି। ସ୍ବସ୍ତିକ ତାଙ୍କର ଏହି ଐତିହାସିକ ପାଳି ବୁଧବାରର ସୌରାଷ୍ଟ୍ର ବିପକ୍ଷ ଏଲିଟ୍ ଗ୍ରୁପ୍ ମ୍ୟାଚ୍ରେ ହାସଲ କରିଛନ୍ତି। ପାଳି ଆରମ୍ଭ କରିଥିବା ସ୍ବସ୍ତିକ ଆରପଟୁ ଓଡ଼ିଶାର ୱିକେଟ୍ ପତନ ଧାରାର ଚାପକୁ ସଫଳତାର ସହ ପ୍ରତିହତ କରି ନିଜ ଜୀବନର ସର୍ବଶ୍ରେଷ୍ଠ ପାଳି ଖେଳିଥିଲେ। ମାତ୍ର ୧୬୯ ବଲ୍ରୁ ୨୧ ଚୌକା ଓ ୮ ଦର୍ଶନୀୟ ଛକା ବଳରେ ୨୧୨ ରନ୍ ସଂଗ୍ରହ କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଶେଷ ଓଭରରେ ଚିରାଗ ଜାନି ତାଙ୍କ ପାଳିରେ ପୂର୍ଣ୍ଣଛେଦ ଟାଣିବା ପୂର୍ବରୁ ସ୍ବସ୍ତିକ ନିଜ ନାଁକୁ ରେକର୍ଡ ବୁକ୍ରେ ସ୍ଥାନିତ କରିସାରିଥିଲେ। ତାଙ୍କ ସହ ଓଡ଼ିଶା ଅଧିନାୟକ ବିପ୍ଳବ ସାମନ୍ତରାୟ ମଧ୍ୟ ୯୧ ବଲ୍ରୁ ୭ ଚୌକା ଓ ୩ ଛକା ବଳରେ ଶତକୀୟ ପାଳି ଖେଳିଥିଲେ।
How will prison reform be done: କେମିତି ହେବ ଜେଲ୍ ସଂସ୍କାର? ଅଭିଯୋଗ ଥିବା ଅଧିକାରୀଙ୍କୁ ପ୍ରୋତ୍ସାହନ
ତେବେ ସ୍ବସ୍ତିକଙ୍କ ପାଳି ବିଜୟ ହଜାରେ ଟ୍ରଫି ଇତିହାସର ପଞ୍ଚମ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍ ଥିଲା। ପୁଣି ଏହି ପ୍ରତିଯୋଗିତାରେ ଦ୍ବିଶତକ ହାସଲ କରିବାରେ ଅଷ୍ଟମ ଖେଳାଳି ହୋଇଥିଲେ ସେ। ଚଳିତବର୍ଷର ଆଇପିଏଲ୍ ନିଲାମରେ ବିକ୍ରି ହୋଇ ନଥିବା ସ୍ବସ୍ତିକ ନିଜ ଅଧିନାୟକ ବିପ୍ଳବଙ୍କ ସହ ମିଶି ୨୬୧ ରନ୍ର ମହତ୍ତ୍ବପୂର୍ଣ୍ଣ ଭାଗୀଦାର କରିଥିଲେ। ଯାହା ମଧ୍ୟ ଏକ ରେକର୍ଡ ଥିଲା। ଏକାଦଶ ଲିଷ୍ଟ୍-ଏ’ ମ୍ୟାଚ୍ ଖେଳୁଥିବା ସ୍ବସ୍ତିକ ଚତୁର୍ଦଶ ଭାରତୀୟ ଖେଳାଳି ଭାବେ ଲିଷ୍ଟ୍-ଏ’ କ୍ରିକେଟ୍ରେ ଦ୍ବିଶତକ ହାସଲ କରିବା ମଧ୍ୟ ନିଆରା ସଂଯୋଗ ଥିଲା। ଏହା ଦ୍ବାରା ତାଙ୍କୁ ନକିଣି ଆଇପିଏଲ୍ ଫ୍ରାଞ୍ଚାଇଜ ଯେ ଭୁଲ୍ କରିଛନ୍ତି, ତାହା ପ୍ରମାଣିତ କରିଥିଲେ ସ୍ବସ୍ତିକ। ସୂଚନାଯୋଗ୍ୟ ଯେ ଶୀର୍ଷକ୍ରମ ବ୍ୟାଟର୍ ସସ୍ତିକ ୨୦୧୯ ମସିହାରେ ହରିୟାଣା ବିପକ୍ଷରେ ଲିଷ୍ଟ-ଏ’ ପଦାର୍ପଣ କରିଥିଲେ। ଏପର୍ଯ୍ୟନ୍ତ ସେ ୧୧ଟି ଲିଷ୍ଟ.ଏ’ ମ୍ୟାଚ୍ ଖେଳି ତିନିଟି ଅର୍ଦ୍ଧଶତକ ଓ ଗୋଟିଏ ଦ୍ବିଶତକ ବଳରେ ୫୨୧ ରନ୍ କରିଛନ୍ତି। ସେହିଭଳି ୨୦୨୨ ମସିହାରେ ହରିୟାଣା ବିପକ୍ଷରେ ପ୍ରଥମ ଶ୍ରେଣୀ ପଦାର୍ପଣ କରିଥିବା ସ୍ବସ୍ତିକ ୧୨ ମ୍ୟାଚ୍ ଖେଳି ଦୁଇଟି ଶତକ ଓ ତିନିଟି ଅର୍ଦ୍ଧଶତକ ସହାୟତାରେ ୬୮୬ ରନ୍ କରିଛନ୍ତି। ଅନ୍ୟପକ୍ଷରେ ୨୦୧୯ରେ ମିଜୋରାମ ବିପକ୍ଷରେ ଟ୍ବେଣ୍ଟି-୨୦ ପଦାର୍ପଣ କରି ୧୩ ମ୍ୟାଚ୍ରୁ ୩୬୨ ରନ୍ କରିଛନ୍ତି। ସେଥିମଧ୍ୟରେ ରହିଛି ଗୋଟିଏ ଶତକ ଓ ଦୁଇଟି ଅଦ୍ଧର୍ଶତକ।
ବିଶାଳ ସ୍କୋର୍କୁ ସୁରକ୍ଷିତ ରଖି ପାରି ନଥିଲେ ବୋଲର୍
ସ୍ବସ୍ତିକଙ୍କ ରେକର୍ଡ ଭରା ଦ୍ବିଶତକ ସହ ବିପ୍ଳବଙ୍କ ସପ୍ତମ ଶତକ ବଳରେ ଓଡ଼ିଶା ବୁଧବାର ସୌରାଷ୍ଟ୍ର ବିପକ୍ଷରେ ୬ ୱିକେଟ୍ ହରାଇ ୩୪୫ ରନ୍ର ବିଶାଳ ସ୍କେର୍ କରିଥିଲା। ତେବେ ଓଡ଼ିଶା ବୋଲର୍ ଏହାକୁ ସୁରକ୍ଷିତ ରଖି ପାରି ନଥିଲେ। ପ୍ରତିପକ୍ଷ ସୌରାଷ୍ଟ୍ର ୨୮ ରନ୍ରେ ୨ ୱିକେଟ୍ ହରାଇ ସଂଘର୍ଷ କରୁଥିଲା ବେଳେ ବିଶ୍ବରାଜ ଜାଡ଼େଜା ଦ୍ରୁତ ଅର୍ଦ୍ଧଶତକ ଅର୍ଜନ କରି ନିଜ ଦଳର ସ୍ଥିତିକୁ କିଛିଟା ସୁଧାରି ଥିଲେ। ପରେ ସମର ଗଜରଙ୍କ ୧୩୨, ଚିରାଗ ଜାନିଙ୍କ ୮୬ ଓ ପ୍ରେରକ ମଙ୍କଡ଼ଙ୍କ ଦ୍ରୁତ ୪୭ ରନ୍ ବଳରେ ସୌରାଷ୍ଟ୍ର ୭ଟି ବଲ୍ ପୂର୍ବରୁ ୫ ୱିକେଟ୍ ବିନିମୟରେ ୩୪୭ ରନ୍ କରି ମ୍ୟାଚ୍ ଜିତି ନେଇଥିଲା। ପରାଜୟ ସତ୍ତ୍ବେ ସ୍ବସ୍ତିକ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହେବା ଓଡ଼ିଶା ପାଇଁ ଏକମାତ୍ର ସାନ୍ତ୍ବନା ଥିଲା। ସମ୍ବିତ ବରାଳ, ବାଦଲ ବିଶ୍ବାଳ ଓ ଓମ୍ ଟି ମୁଣ୍ଡେଙ୍କ ଲିଷ୍ଟ-ଏ’ ପଦାର୍ପଣ କିନ୍ତୁ ଫିକା ପଡ଼ିଯାଇଥିଲା। ଓଡ଼ିଶା ପକ୍ଷରୁ ଦେବବ୍ରତ ପ୍ରଧାନ ୩ ୱିକେଟ୍ ନେଇଥିଲେ ବି ଦଳର ପରାଜୟକୁ ରୋକି ପାରି ନଥିଲେ।
Chief Secretary: ଅନୁ ଗର୍ଗ ପ୍ରଥମ ମହିଳା ମୁଖ୍ୟ ସଚିବ: ଜାନୁଆରି ପହିଲାରୁ ନୂଆ ଦାୟିତ୍ବ ସମ୍ଭାଳିବେ
ଗନିଙ୍କ ଦ୍ରୁତତମ ଶତକ, ବିହାରର ସର୍ବୋଚ୍ଚ ସ୍କୋର୍
ରାଞ୍ଚି: ବିଜୟ ହଜାରେ ଟ୍ରଫି ପ୍ଲେଟ୍ ଗ୍ରୁପ୍ର ଅରୁଣାଚଳପ୍ରଦେଶ ବିପକ୍ଷ ମ୍ୟାଚ୍ରେ ବିହାର ବୁଧବାର ନୂଆ ଇତିହାସ ରଚିଛି। ୫୦ ଓଭରରେ ୬ ୱିକେଟ୍ ହରାଇ ୫୭୪ ରନ୍ କରିଛି। ଯାହା ଲିଷ୍ଟ୍-ଏ’ କ୍ରିକେଟ୍ରେ ସର୍ବୋଚ୍ଚ ଦଳଗତ ସ୍କୋର୍ ହୋଇଛି। ବିହାର ଏହିକ୍ରମରେ ସେହି ଅରୁଣାଚଳପ୍ରଦେଶ ବିପକ୍ଷରେ ତାମିଲନାଡ଼ୁ ୨୦୨୨ରେ କରିଥିବା ୫୦୬/୨କୁ ଟପିଛି। ଏହି ମ୍ୟାଚ୍ରେ ବିହାର ଅଧିନାୟକ ସାକିବୁଲ୍ ଗନି ମାତ୍ର ୩୨ଟି ବଲ୍ରୁ ଶତକ ଅର୍ଜନ କରିଛନ୍ତି। ଯାହା ଲିଷ୍ଟ୍-ଏ’ କ୍ରିକେଟ୍ରେ ହେଉଛି କୌଣସି ଭାରତୀୟ ହାସଲ କରିଥିବା ଦ୍ରୁତତମ ଶତକ। ଏହି ମ୍ୟାଚ୍ରେ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ମାତ୍ର ୮୪ ବଲ୍ରୁ ୧୯୦ ରନ୍ର ଅବିଶ୍ବସନୀୟ ପାଳି ଖେଳିଥିଲେ। ବୈଭବ ୨୫ ବଲ୍ରୁ ଅର୍ଦ୍ଧଶତକ, ୩୬ ବଲ୍ରୁ ଶତକ ଏବଂ ୫୯ ବଲ୍ରୁ ୧୫୦ ରନ୍ ଛୁଇଁଥିଲେ। ପରେ ଅରୁଣାଚଳପ୍ରଦେଶକୁ ୧୭୭ ରନ୍ରେ ଅଲଆଉଟ୍ କରି ବିହାର ୩୯୭ ରନ୍ର ବୃହତ୍ ବ୍ୟବଧାନରେ ଏହି ମ୍ୟାଚ୍କୁ ଜିତି ନେଇଥିଲା। ଆଜି ମଧ୍ୟ କର୍ଣ୍ଣାଟକ ବିପକ୍ଷ ଏଲିଟ୍ ଗ୍ରୁପ୍ ମ୍ୟାଚ୍ରେ ଝାଡ଼ଖଣ୍ଡ ଅଧିନାୟକ ଈଶାନ କିଶନ ୩୩ ବଲ୍ରୁ ଶତକ ପୂରଣ କରିଥିଲେ।
‘ରୋକୋ’ ବି ଚମକିଲେ
ବହୁବର୍ଷର ବ୍ୟବଧାନ ପରେ ବିଜୟ ହାଜରେ ଟ୍ରଫିକୁ ଫେରିଥିବା ଦୁଇ ମହାନ ଭାରତୀୟ ବ୍ୟାଟର୍ ରୋହିତ ଶର୍ମା ଓ ବିରାଟ କୋହଲି ମଧ୍ୟ ବୁଧବାର ନିଜ ଚମକ ଛାଡ଼ିଛନ୍ତି। ମୁମ୍ବାଇର ପ୍ରତିନିଧିତ୍ବ କରି ରୋହିତ, ସିକିମ ବିପକ୍ଷରେ ୯୪ ବଲ୍ରୁ ୧୫୫ ରନ୍ର ପାଳି ଖେଳିଥିଲେ। ତାଙ୍କ ଧମାକାଦାର ବ୍ୟାଟିଂ ବଳରେ ମୁମ୍ବାଇ ଏହି ମ୍ୟାଚ୍କୁ ୮ ୱିକେଟ୍ରେ ଜିତି ନେଇଥିଲା। ୧୮ ଚୌକା ଓ ୯ଟି ବିଶାଳ ଛକା ମାରିଥିବା ରୋହିତ ମଧ୍ୟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ସେହିଭଳି ଦିଲ୍ଲୀ-ଆନ୍ଧ୍ରପ୍ରଦେଶ ଏଲିଟ୍ ଗ୍ରୁପ୍ ମ୍ୟାଚ୍ରେ ୧୦୧ ବଲ୍ରୁ ୧୩୧ ରନ୍ କରିଥିଲେ ବିରାଟ କୋହଲି। ତା’ ଭିତରେ ୧୪ ଚୌକା ଓ ୩ ଛକା ମାରିଥିଲେ। ଏହି ମ୍ୟାଚ୍କୁ ଦିଲ୍ଲୀ ୪ ୱିକେଟ୍ରେ ଜିତି ନେଇଥିଲା।
Follow Us