ପୁରୀ : ପ୍ରଳୟଙ୍କରୀ ବାତ୍ୟା ‘ଫନି’ ସମୁଦ୍ର କୂଳରେ ଥିବା ବାଲୁଖଣ୍ଡ ଅଭୟାରଣ୍ୟରେ ମାଡ଼ ହେବା ପରେ ଅଭୟାରଣ୍ୟର ସବୁଜିମା ସଂପୂର୍ଣ୍ଣ ଉଜୁଡ଼ିଯାଇଥିଲା। ଘଞ୍ଚ ଜଙ୍ଗଲକୁ ଟାଙ୍ଗରା ଭୂଇଁ କରି ଦେଇଥିଲା ଏହି ପ୍ରଳୟଙ୍କରୀ ବାତ୍ୟା। ବିରାଟ ବିରାଟ ଝାମୁ, ଆକାଶିଆ ଭଳି ଗଛକୁ ଅଧାରୁ ମୋଡ଼ି ଭାଙ୍ଗି ଦେଇଥିଲା। ବନ୍ୟଜନ୍ତୁଙ୍କୁ ବି ମୃତ୍ୟୁ ଗର୍ଭକୁ ଟାଣି ନେଇଥିଲା। ତେବେ ମାସକ ତଳେ ଛାରଖାର ହୋଇଯାଇଥିବା ବାଲୁଖଣ୍ଡ ଅଭୟାରଣ୍ୟ ପୁଣିଥରେ ସବୁଜ ବଳୟକୁ ଫେରିବା ଆରମ୍ଭ କରିଛି। ବାତ୍ୟା ତାଣ୍ଡବର ମାସକରେ ତଳେ ଭାଙ୍ଗି ପଡ଼ିଥିବା ବିରାଟ ବିରାଟ ଗଛ ସବୁ କଅଁଳିବା ଆରମ୍ଭ କଲେଣି। ସତେ ଯେପରି ଗଛମାନଙ୍କ ଏଭଳି ପରିବେଶ ବାଲୁଖଣ୍ଡକୁ ନୂଆ ଜୀବନ ଦେଇଦେଇଛି। ବାତ୍ୟା ମାଡ଼ରେ ବାଲୁଖଣ୍ଡ ଅଭୟାରଣ୍ୟରେ ହଜାର ହଜାର ଗଛ ଭାଙ୍ଗି ପଡ଼ିଥିଲା। କିଏ ମୂଳରୁ ଉପୁଡ଼ି ପଡ଼ିଥିଲା ତ କିଏ ଅଧାରୁ ଭାଙ୍ଗି ପଡ଼ିଥିଲା, ପୁଣି କାହାକୁ ବାତ୍ୟା ଚିରି ଫିଙ୍ଗି ଦେଇଥିଲା। ଏବେ ବି ଅସଜଡ଼ା ଗଛ ସବୁ ସେହିଭଳି ଅଭୟାରଣ୍ୟ ଭିତରେ ପଡ଼ିରହିଛି। ଏଭଳି ପରିସ୍ଥିତିରେ ସବୁ ଗଛରେ ପତ୍ର କଅଁଳିବା ଆରମ୍ଭ କରିବା ପୁଣିଥରେ ନୂଆ ଆଶା ସଂଚାର କରିଛି। ପୁଣିଥରେ ବାଲୁଖଣ୍ଡ ଅଭୟାରଣ୍ୟର ସବୁଜିମା ଫେରିବ। ପୁଣିଥରେ ଏହି ଘଞ୍ଚ ଜଙ୍ଗଲ ହସି ଉଠିବ ଓ ପର୍ଯ୍ୟଟକଙ୍କୁ ମନୋରଂଜନର ଖୋରାକ୍ ଯୋଗାଇବ। କଅଁଳ ପତ୍ରର ଗାଢ଼ ସବୁଜିମା ଏହି ଆଶାକୁ ଆହୁରି ଦୃଢ଼ୀଭୂତ କରିଛି। ପରିବେଶବିତ୍ମାନେ ବି ଏହାକୁ ନେଇ ଦୃଢ଼ ଆଶାବାଦୀ ଅଛନ୍ତି। ମାସକ ପରର ଏହି ଚିତ୍ର ଅନେକ କଥା ବଖାଣୁଛି।
ବାଲୁଖଣ୍ଡର ସବୁଜିମା ଫେରୁଛି
/sambad/media/post_attachments/wp-content/uploads/2019/06/Balukhanda-Trees2.jpg)