ପ୍ରଦୀପ କୁମାର ପାଢ଼ୀ 

କୋରାପୁଟ: କୋରାପୁଟ ଜିଲ୍ଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀରୁ ତିନୋଟିରେ କଂଗ୍ରେସ ଏବଂ ଦୁଇଟି ଆସନରେ ବିଜେପି ବାଜିମାତ କରିଛି। ୨୫ବର୍ଷ ଧରି ଶାସନରେ ଥିବା ବିଜେଡି ଗୋଟିଏ ବି ଆସନ ନ ପାଇ ମାଟି କାମୁଡ଼ିଛି। ୨୦୨୪ ସାଧାରଣ ନିର୍ବାଚନ ସରି ୧୭ ମାସ ବିତିଲାଣି। ଅଥଚ କଂଗ୍ରେସ ଓ ବିଜେପି ଜିତିଥିବା ଆସନକୁ ଛାଡ଼ିଲେ ଅନ୍ୟଠି ସଂଗଠନ ସଜାଡ଼ିବାରେ ବିଫଳ ହୋଇଛି। ବିଜେଡି ମଧ୍ୟ ସରକାରକୁ ଯେଉଁଭଳି ଭାବେ ଚେକ୍‌ ଦେବା କଥା ନେତା ଓ କର୍ମୀଙ୍କ ମଧ୍ୟରେ ସେଭଳି ତତ୍ପରତା ଦେଖିବାକୁ ମିଳୁନି। ୨୦୨୭ ପଞ୍ଚାୟତ ନିର୍ବାଚନକୁ ଫୋକସ୍‌ କରି ଦଳୀୟ ରଣନୀତି ଆରମ୍ଭ କରିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ। ୨୦୨୪ ସାଧାରଣ ନିର୍ବାଚନରେ ଜିଲ୍ଲାରେ କଂଗ୍ରେସ ସର୍ବାଧିକ ୩୪ ପ୍ରତିଶତ ଭୋଟ ପାଇ ଜୟପୁର, ଲକ୍ଷ୍ମୀପୁର ଓ ପଟାଙ୍ଗି ବିଧାନସଭା ଆସନକୁ ହାତେଇଥିଲା। କୋରାପୁଟ ଲୋକସଭା କ୍ଷେତ୍ର ବି କଂଗ୍ରେସ ହାତରେ ରହିଛି। କଂଗ୍ରେସର ଗଡ଼ କୁହାଯାଉଥିବା କୋରାପୁଟ ଜିଲ୍ଲାରେ ସଂଗଠନକୁ ଅଧିକ ସୁଦୃଢ଼ ପାଇଁ ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ପଦ ଦେଇଛି। ୩ ବିଧାୟକ, ସାଂସଦ, କଂଗ୍ରେସ ବିଧାୟକ ଦଳ ନେତା ପଦବି ପାଇବା ପରେ ମଧ୍ୟ ଜିଲ୍ଲାସ୍ତରରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଯେପରି ରଣନୀତି ହେବା କଥା ସେପରି ଦେଖାଯାଉନାହିଁ।

Advertisment

Sand Art: ଖଣି କର୍ମଚାରୀଙ୍କ ନବବର୍ଷ ବାଲୁକା କଳା

ବିଜେଡି ୩୦ ପ୍ରତିଶତ ‌ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିଲେ ମଧ୍ୟ ଗୋଟିଏ ବି ଆସନରେ ଜିତିପାରିନଥିଲା। କୋରାପୁଟ ଓ ପଟାଙ୍ଗି ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଅଳ୍ପ ଭୋଟ ବ୍ୟବଧାନରେ ହାରିଥିଲେ। ଗୋଷ୍ଠୀ ବିବାଦ ବିଜେଡି ପାଇଁ ଭାରି ପଡ଼ିଥିଲେ ମଧ୍ୟ ସେଥିରେ ସୁଧାର ଆସିପାରୁନି। ପରବ ମହୋତ୍ସବରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କୋରାପୁଟ ଗସ୍ତରେ ଆସିଥିବା ବେଳେ ବିଜେଡିର ବରିଷ୍ଠ ନେତା ରବି ନାରାୟଣ ନନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ମିଶିଥିଲେ। ରବିଙ୍କ ମିଳାମିଶା ନୂଆ ଚର୍ଚ୍ଚାକୁ ଖୋରାକ ଯୋଗାଇଥିବା ବେଳେ ପୁରୁଣା ସମ୍ପର୍କ ଓ ଜୟପୁର ପେପର ମିଲ୍‌ ସମସ୍ୟା ନେଇ ସାକ୍ଷାତ କରିଥିବା ରବି ପ୍ରକାଶ କରିଥିଲେ। ୨୦୨୨ ଜିଲ୍ଲା ପରିଷଦ ଓ ୨୦୨୩ ପୌର ନିର୍ବାଚନରେ ବିଜେପି ନିରାଶ ହୋଇଥିଲା। ପଞ୍ଚାୟତ ସମିତି ସହ ପୌର ପରିଷଦ ହାତେଇବାରେ ବିଫଳ ସତ୍ତ୍ବେ ୨୦୨୪ ନିର୍ବାଚନରେ ୨୭ ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନରେ ରହି କୋରାପୁଟ ଓ କୋଟପାଡ଼ ବିଧାନସଭା ଆସନରେ ଜିତିଥିଲା। ରାଜ୍ୟ ବିଜେପି କୋରାପୁଟ ଲୋକସଭା ଆସନ ସମେତ ୫ ବିଧାନସଭା ଆସନକୁ ଟାର୍ଗେଟ କରି ରଣନୀତି କରିଛି। ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ୩ ଥର କୋରାପୁଟ ଗସ୍ତ କଲେଣି। ପ୍ରତି ମାସରେ ମନ୍ତ୍ରୀ ବି ଗସ୍ତରେ ଆସୁଛନ୍ତି। ହେଲେ ସଂଗଠନ ଅଭାବରୁ ଦଳୀୟ ନେତା ଓ କର୍ମୀଙ୍କ ମନରେ କେହି ବି ଇନ୍ଧନ ଭରିପାରୁ ନାହାନ୍ତି। କୋରାପୁଟ, କୋଟପାଡ଼ ବିଧାନସଭା ଆସନକୁ ଛାଡ଼ିଲେ ଅନ୍ୟ କେଉଁଠି ବିଜେପି ସଂଗଠନ ସୁଦୃଢ଼ ହୋଇପାରୁନି।

Accident: ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ; ଅଧୁରା ରହିଲା ଜଗାଦର୍ଶନ, ବାହାଘର