ରାଜନଗର: ଅଙ୍ଗନବାଡ଼ି କେନ୍ଦ୍ରକୁ ସୋମବାରଠାରୁ ପିଲାମାନଙ୍କୁ ଛାଡ଼ିବୁ। ସେମାନେ ପାଠ ପଢ଼ିବେ ଓ ଖାଦ୍ୟ ଗ୍ରହଣ କରିବେ। ଶିଶୁଙ୍କୁ ସେମାନଙ୍କ ଅଧିକାରରୁ କେହି ବଞ୍ଚିତ କରିବେ ନାହିଁ। ପ୍ରଶାସନିକ ଅଧିକାରୀ, ମହିଳା କମିସନ୍ ସଦସ୍ୟା, ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ଓ ଲୋକ ପ୍ରତିନିଧିଙ୍କ ନିକଟରେ ଏଭଳି ଶପଥ ନେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ଘଡ଼ିଆମାଳ ପଞ୍ଚାୟତର ନୂଆଗାଁ ଗ୍ରାମବାସୀ। ଏଭଳି ସ୍ଥିତିରେ ଗଲା ୮୬ ଦିନ ଧରି ଜାତିପ୍ରଥାକୁ ନେଇ ଚାଲିଥିବା ଅଚଳାବସ୍ଥା ଦୂର ହେବାକୁ ଯାଉଛି।
Yogi Adityanath: ଉତ୍ତର ପ୍ରଦେଶରେ ବିକାଶ ହେଉଛି, ଶ୍ବାସରୁଦ୍ଧ ନୁହେଁ: ଯୋଗୀ
ନୂଆଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଅନୁସୂଚିତ ଜାତିବର୍ଗର ଯୁବତୀ ଶର୍ମିଷ୍ଠା ସେଠୀ ୨୦୨୫ ନଭେମ୍ବର ୨୦ ତାରିଖରେ ସହାୟିକା ଭାବେ ନିଯୁକ୍ତି ପାଇବା ପରଠାରୁ ଶିଶୁମାନେ ପଢ଼ିବାକୁ ଆସୁ ନ ଥିଲେ। ସହାୟିକାଙ୍କ ହାତରୁ ଗର୍ଭବତୀ, ପ୍ରସୂତି ଓ ଶିଶୁ ଖାଦ୍ୟ ଗ୍ରହଣ କରୁ ନ ଥିଲେ। ‘ସମ୍ବାଦ’ରେ ଏ ସଂକ୍ରାନ୍ତରେ ଖବର ପ୍ରକାଶ ପାଇବା ପରେ ଏହା ଚର୍ଚ୍ଚା ସୃଷ୍ଟି କରିଥିଲା। ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଏହି ପ୍ରସଙ୍ଗ ଉଠାଇବା ପରେ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଆଜି ମହିଳା କମିସନ୍ ସଦସ୍ୟା କଳ୍ପନା ମଲ୍ଲିକ, ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ସୁଜାତା ନାୟକ କେନ୍ଦ୍ରାପଡ଼ାରେ ପହଞ୍ଚି ଜିଲ୍ଲାପାଳ, ଏସ୍ପି ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ସେମାନେ ନୂଆଗାଁ ଯାଇଥିଲେ। ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଅରୁଣ ନାୟକ, ଅତିରିକ୍ତ ଏସ୍ପି ସୁଧାକର ସାହୁ, ଜିଲ୍ଲା କଲ୍ୟାଣ ଅଧିକାରୀ ଅରବିନ୍ଦ ରାୟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ତହସିଲଦାର ଯୀଶୁକ୍ରିଷ୍ଣ ଦାସ, ଆଇଆଇସି ନରେଶ ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ସରପଞ୍ଚ ଶୈଳେନ୍ଦ୍ର ମିଶ୍ର, ସିଡିପିଓ ଦୀପାଳି ମିଶ୍ର ପ୍ରମୁଖ ମଧ୍ୟ ଗାଁରେ ପହଞ୍ଚିଥିଲେ। ଗାଁରେ ଜାତିଭେଦ ଦୂର କରିବା ଉପରେ ଆଧାରିତ ପାଲା ପରିବେଷଣ କରାଯାଇଥିଲା।
ରୋଷେଇ କଲେ ସହାୟିକା
ସମସ୍ତେ ଏକାଠି ଖାଇଲେ
ପରିବେଷଣ ହେଲା ପାଲା
ପ୍ରଶାସନିକ ଅଧିକାରୀମାନେ ତଳେ ବସି ପାଲା ଉପଭୋଗ କରିଥିଲେ। ପରେ ଘରକୁ ଘର ବୁଲି ଲୋକଙ୍କୁ ଡାକିଥିଲେ। ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ଗ୍ରାମବାସୀ ଜାତିଭେଦ ପ୍ରସଙ୍ଗ ନ ଉଠାଇ ପଥରବନ୍ଧ ନ ଥିବାରୁ ନଦୀର ଜୁଆର ପାଣି ଗାଁକୁ ମାଡ଼ି ଆସୁଛି, ଗାଁରେ ରାସ୍ତା ନାହିଁ, ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଘର ନାହିଁ, ବାର୍ଦ୍ଧକ୍ୟ ଭତ୍ତା ମିଳୁ ନଥିବା ପ୍ରସଙ୍ଗ ଉଠାଇଥିଲେ। ପ୍ରଶାସନ ଦାବି ନ ଶୁଣିବାରୁ ସେମାନେ ଏପରି ପଦକ୍ଷେପ ନେଇଥିବା କହିଥିଲେ। ସେମାନଙ୍କ ଦାବି ପ୍ରଶାସନ ପୂରଣ କରିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ଗ୍ରାମବାସୀ ମିଳିତ ଭାବେ ଶପଥ ପାଠ କରିଥିଲେ। ଏହାପରେ ଅଙ୍ଗନବାଡ଼ି ସହାୟିକା ଶର୍ମିଷ୍ଠା ସେଠୀ ରୋଷେଇ କରିଥିବା ଖାଦ୍ୟ ପ୍ରଶାସନିକ ଅଧିକାରୀ ଓ ଗାଁର ଦୁଇଜଣ ମୁରବି ଖାଇଥିଲେ।
Football: ଦେବେନ୍ଦ୍ର ପ୍ରଧାନ ସ୍ମାରକୀ ଫୁଟ୍ବଲ୍ ପ୍ରତିଯୋଗିତା: ଭାଗନେବେ ୮ ଦଳ
ଏହି ଆଲୋଚନା ସମ୍ପୂର୍ଣ୍ଣ ସଫଳ ହୋଇଛି ବୋଲି ଉପଜିଲ୍ଲାପାଳ ଅରୁଣ ନାୟକ କହିଛନ୍ତି। ସେ କହିଛନ୍ତି, ଗାଁ ଲୋକଙ୍କର ଅସନ୍ତୋଷ ଦୂର କରିବାକୁ ଚେଷ୍ଟା କରାଯିବ। ଏହାର ଆଉ ପୁନରାବୃତ୍ତି ହେବ ନାହିଁ ବୋଲି ଆଶା କରୁଛୁ। ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ସୁଜାତା ନାୟକ କହିଛନ୍ତି ଯେ ଗାଁ ଅବହେଳିତ ଅବସ୍ଥାରେ ଥିବାରୁ ଶିଶୁମାନଙ୍କୁ ନେଇ ଏ ପ୍ରକାର ପ୍ରତିବାଦ କରିଥିଲେ ବୋଲି ଗ୍ରାମବାସୀ କହିଛନ୍ତି। ସୋମବାରଠାରୁ ଶିଶୁ ଆସିବେ ଓ ଖାଦ୍ୟ ଗ୍ରହଣ କରିବେ ବୋଲି ଗାଁ ଲୋକ ଶପଥ ନେଇଛନ୍ତି। ମହିଳା କମିସନ୍ ସଦସ୍ୟା କଳ୍ପନା ମଲ୍ଲିକ କହିଛନ୍ତି ଯେ ଘଟଣାର ସମାଧାନ ହୋଇଛି। ନକାରାତ୍ମକ ଚିନ୍ତାଧାରା ଦୂର ହୋଇଛି।
Follow Us