Court (file) Photograph: (smabad.in)
କଟକ: ସର୍ବଭାରତୀୟ ସ୍ତରର ଧର୍ମଘଟରେ ସାମିଲ ହୋଇଥିବା ଗ୍ରାମୀଣ ଡାକ ସେବକଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଓ ଅଭିଯୋଗ ଫର୍ଦ୍ଦ ଦାଖଲକୁ ଅଦାଲତୀ ଝଟକା ଲାଗିଛି। ଗ୍ରାମୀଣ ଡାକ ସେବକ(ଜିଡିଏସ)ଙ୍କ ବିରୋଧରେ ଏପରି ଅଭିଯୋଗ ଫର୍ଦ୍ଦ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବୁନାଲ(କ୍ୟାଟ୍) କହିଛନ୍ତି।
ଏଥି ସହିତ ଆବେଦନକାରୀ ଜିଡିଏସଙ୍କ ବିରୋଧରେ ଦାଖଲ ଅଭିଯୋଗ ଫର୍ଦ୍ଦକୁ କ୍ୟାଟ୍ ରଦ୍ଦ କରିଛନ୍ତି। ବିଚାରବିଭାଗୀୟ ସଦସ୍ୟ ଏସ.ଆର.ମିଶ୍ର ଓ ପ୍ରଶାସନିସକ ସଦସ୍ୟ ପି.କେ.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୋଲକ ବିହାରୀ ସାହୁ ଓ ଅନ୍ୟ ୧୦ଜଣଙ୍କ ଆବେଦନର ଏକତ୍ର ଶୁଣାଣି କରି ଏପରି ରୟ ପ୍ରଦାନ କରିଛନ୍ତି। କ୍ୟାଟ୍ଙ୍କ ରାୟରେ ଉଲ୍ଲେଖ କରାଯାଇଛି ଯେ ଧର୍ମଘଟ ବେଳେ କୌଣସି ଭଙ୍ଗାରୁଜା ବା ଅନ୍ତର୍ଘାତୀ କାର୍ଯ୍ୟ ନେଇ ଅଭିଯୋଗ ନଥିବା ସ୍ପଷ୍ଟ।
ଆବେଦନକାରୀଙ୍କ ମୁଣ୍ଡ ଉପରେ ଡେମୋକ୍ଲେସ ଖଣ୍ଡା
ଏଭଳି ସ୍ଥିତିରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ଅନୁମୋଦନ ଦେବା ଆବେଦନକାରୀଙ୍କ ମୁଣ୍ଡ ଉପରେ ଡେମୋକ୍ଲେସ ଖଣ୍ଡା ସଦୃଶ ହେବ, ଯାହାର ଫଳ ନିର୍ଯାତନା ଓ ଉତ୍ପୀଡ଼ନ ହେବ। ଆବେଦନକାରୀ ଜିଡିଏସଙ୍କ କ୍ଷେତ୍ରରେ ଏହି ନିର୍ଦ୍ଦେଶ ଲାଗୁ ହେବ ବୋଲି କ୍ୟାଟ୍ଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷରେ ୨୦୨୩ର ଧର୍ମଘଟ ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ଜିଡିଏସଙ୍କ ପାଇଁ କ୍ୟାଟ୍ଙ୍କ ଆଦେଶ ଆଶ୍ବସ୍ତି ଆଣି ଦେଇଛି।
ଧର୍ମଘଟ ଯୋଗୁ ଡାକ ସେବା ପ୍ରଭାବିତ ହୋଇଥିଲା
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୩ରେ ଜିଡିଏସଙ୍କ ସର୍ବଭାରତୀୟସ୍ତରର ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳପାଇଁ ଧର୍ମଘଟ ଡକରା ଦିଆଯାଇଥିଲା। ଧର୍ମଘଟ ପୂର୍ବରୁ ଏ ନେଇ ଡାକ ବିଭାଗ କର୍ତ୍ତୃପକ୍ଷଙ୍କୁ ସଂଘ ତରଫରୁ ନୋଟିସ ମଧ୍ୟ ଦିଆଯାଇଥିଲା। ୨୦୨୩, ଡିସେମ୍ବର ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ଜିଡିଏସ ଶାନ୍ତିପୂର୍ଣ୍ଣ ଧର୍ମଘଟରେ ସାମିଲ ହୋଇଥିଲେ। ଏଥି ପାଇଁ ଡାକ ସେବା ପ୍ରଭାବିତ ହୋଇଥିଲା। ଧର୍ମଘଟରେ ସାମିଲ ଜିଡିଏସଙ୍କ ଦରମା ମଧ୍ୟ କାଟି ଦିଆଯାଇଥିଲା। ଏଥି ସହିତ ଧର୍ମଘଟ/ଧାରଣା/ପ୍ରତିବାଦରେ ସାମିଲ ହେବା, ବିନା ଅନୁମତିରେ କାର୍ଯ୍ୟକ୍ଷେତ୍ରରୁ ଅନୁପସ୍ଥିତ ରହିବା, ଦାୟିତ୍ବ ସଂପାଦନ ନ କରିବା କାରଣରୁ ଡାକ ସେବା ପ୍ରଭାବିତ ହେବା ଅଭିଯୋଗରେ ଜିଡିଏସଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା।
ଏହାପରେ ଜିଡିଏସଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଥିଲା। ଏପରି କାର୍ଯ୍ୟାନୁଷ୍ଠାନ ଓ ଅଭିଯୋଗ ଫର୍ଦ୍ଦକୁ ବିରୋଧ କରି ଆବେଦନକାରୀ ଜିଡିଏସମାନେ କ୍ୟାଟ୍ଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାରେ ଡାକ ମହାନିର୍ଦ୍ଦେଶକ, ଓଡ଼ିଶା ସର୍କଲ ସିପିଏମଜି, ଅଧୀକ୍ଷକ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଧର୍ମଘଟ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଥିଲା, କୌଣସି ଭଙ୍ଗାରୁଜା ବା ଅନ୍ତର୍ଘାତୀ କାର୍ଯ୍ୟ ନେଇ ଅଭିଯୋଗ ନାହିଁ। ଏଥି ସହିତ ଦରମା ମଧ୍ୟ କଟା ଯାଇଥିଲା।
ଆହୁରି ପଢ଼ନ୍ତୁ:Israeli Airstrike: ଲେବାନନର ପାଲେଷ୍ଟାଇନ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍: ୧୩ ମୃତ
ଏଭଳି ସ୍ଥିତିରେ ଦାବି ପୂରଣ ପାଇଁ ସଂଘର ଡକରାରେ ଶାନ୍ତିପୂର୍ଣ୍ଣ ଧର୍ମଘଟରେ ସାମିଲ ହୋଇଥିବା ଜିଡିଏସଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରାଯିବା ଓ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଗୋଲକ ବିହାରୀ ସାହୁ ଓ ଅନ୍ୟ ୪ଜଣଙ୍କ ତରଫରୁ ଆଇନଜୀବୀ ଶଶିଭୂଷଣ ଜେନା ମାମଲା ପରିଚାଳନା କରଥିଲେ।
Follow Us