ଭବାନୀପାଟଣା: ଉଦନ୍ତୀ ନଦୀରେ ଛତିଶଗଡ଼ ବ୍ୟାରେଜ୍‌ ନିର୍ମାଣ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ଓଡ଼ିଶା ସରକାର ଏ ପର୍ଯ୍ୟନ୍ତ ଜାଣି ପାରିନାହାନ୍ତି। ଉପର ଉଦନ୍ତୀ ଓ ତଳ ଉଦନ୍ତୀରେ ଜଳସେଚନ ପ୍ରକଳ୍ପ ପାଇଁ ଓଡ଼ିଶା ପୂର୍ବରୁ କେନ୍ଦ୍ରୀୟ ଜଳ କମିସନଙ୍କ ନିକଟରେ ଫେରାଦ ହୋଇଥିଲା। ହେଲେ ଏ ନେଇ ଅନୁମତି ମିଳିନାହିଁ। ଫଳରେ ପ୍ରକଳ୍ପ କାର୍ଯ୍ୟକାରିତାରେ ଅନିଶ୍ଚିତତା ଦେଖାଦେଇଛି। ଏଭଳି ପରିସ୍ଥିତିରେ ଛତିଶଗଡ଼ ପକ୍ଷରୁ ବ୍ୟାରେଜ୍‌ ନିର୍ମାଣ କରାଗଲେ, ଓଡ଼ିଶାରେ ପ୍ରବାହିତ ପ୍ରାୟ ୮୦ କିମି ଉଦନ୍ତୀ ନଦୀର ଜଳସ୍ରୋତ ଶୁଖିଯିବ ଏବଂ ଏହା ଉପରେ ନିର୍ଭର କରୁଥିବା ଚାଷୀ ଓ ଲୋକେ ପାଣି ମୁନ୍ଦିଏ ପାଇବାରୁ ବଞ୍ଚିତ ହେବେ।

Advertisment

Family Conflict: କୀଟନାଶକ ପିଇ ଦମ୍ପତି ମୃତ,୫ ବର୍ଷର ଶିଶୁପୁତ୍ର ଗୁରୁତର

ଛତିଶଗଡ଼ ଗରିଆବନ୍ଧର ଦଣ୍ଡକାରଣ୍ୟ ସଂରକ୍ଷିତ ଜଙ୍ଗଲରୁ ଉଦନ୍ତୀ ନଦୀ ବାହାରି ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ସେପୁରଠାରେ ତେଲ ନଦୀରେ ମିଶିଛି। ଓଡ଼ିଶାର ନୂଆପଡ଼ା ଜିଲ୍ଲାରେ ୩୧.୨୪ କିମି ଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ପ୍ରାୟ ୫୦ କିମି ନଦୀପଥ ଲମ୍ବିଛି। ଛତିଶଗଡ଼ ସରକାର ଉଦନ୍ତୀ ସୀତାନଦୀ ସଂରକ୍ଷିତ ଜଙ୍ଗଲକୁ ୨୦୦୩ ମସିହାରେ ବ୍ୟାଘ୍ର ଅଭୟାରଣ୍ୟ ରୂପେ ଘୋଷଣା କରିଥିଲେ। ଏଠାରେ ପକ୍ଷୀ ଅଭୟାରଣ୍ୟ ଓ ବଣ ମଇଁଷିଙ୍କ ନିମନ୍ତେ ଉଦନ୍ତୀ ନଦୀରେ ବ୍ୟାରେଜ୍‌ ନିର୍ମାଣ ପାଇଁ ଛତିଶଗଡ଼ର ବନ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏହି ବ୍ୟାରେଜ୍‌ କେବଳ ପରୋକ୍ଷରେ ଓଡ଼ିଶାକୁ ଅକଳରେ ପକାଇବା ପାଇଁ ପ୍ରୟାସ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ୧୯୬୫ ମସିହାରୁ ଉଦନ୍ତୀ ନଦୀ ଉପରେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ର ଗୋର୍ଲାଠାରେ ଏକ ବ୍ୟାରେଜ୍‌ ଏବଂ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଲକ୍‌ ବୋର୍ଡାଠାରେ ବ୍ୟାରେଜ୍‌ ନିର୍ମାଣ ପାଇଁ ପ୍ରୟାସ ହୋଇ ବର୍ତ୍ତମାନ ସୁଦ୍ଧା ପୂର୍ଣ୍ଣାଙ୍ଗ ଭାବରେ କାର୍ଯ୍ୟକ୍ଷମ ହୋଇ ପାରିନାହିଁ।

Obscene Dancing In Opera: ଅପେରାର ଅଶ୍ଳୀଳ ନୃତ୍ୟ ଭିଡିଓ ଭାଇରାଲ, ସାଧାରଣରେ ନିନ୍ଦା

ଉପର ଉଦନ୍ତୀ ପ୍ରକଳ୍ପ ହେଲେ ନୂଆପଡ଼ା ଜିଲ୍ଲାର ପ୍ରାୟ ୮୫୦୦ ହେକ୍ଟର ଓ କଳାହାଣ୍ଡି ଜିଲ୍ଲାର ବୋର୍ଡାଠାରେ ୯୩୦୦ ହେକ୍ଟର ଜମି ଜଳସେଚିତ ହେବାର ପ୍ରସ୍ତାବ ରହିଛି। ଏହି ପ୍ରକଳ୍ପ ଦ୍ବାରା କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର ଜିଲ୍ଲାର ପ୍ରାୟ ୪ ହଜାର ଏକର ଜମିରେ ଜଳସେଚନ ସୁବିଧା ହୋଇପାରିବ। ୨୦୧୮ ମସିହାରୁ କେନ୍ଦ୍ରୀୟ ଜଳ ଆୟୋଗଙ୍କ ନିକଟରେ ଓଡ଼ିଶା ସରକାର ଫେରାଦ ହୋଇଥିବା ବେଳେ ମହାନଦୀ ଅବବାହିକା ବିବାଦ ଯୋଗୁଁ ଏହାର ଅନୁମତି ମିଳି ପାରୁନାହିଁ। ତେବେ ଏହି ଅନୁମତି ମିଳିବା ପୂର୍ବରୁ ଛତିଶଗଡ଼ ଚାଲାକି କରି ବନ୍ୟଜନ୍ତୁ ସଂରକ୍ଷଣ ପ୍ରକଳ୍ପ ଆଳରେ ଉଦନ୍ତୀ ଉପରେ ବ୍ୟାରେଜ୍‌ ନିର୍ମାଣ କରିବାକୁ ଉଦ୍ୟମ ଚଳାଇଛି, ଯାହାକି ଓଡ଼ିଶାକୁ ଅସୁବିଧାରେ ପକାଇବାକୁ ଉଦ୍ଦିଷ୍ଟ ବୋଲି ଜଣାପଡ଼ୁଛି।