ଭୁବନେଶ୍ବର: ସରକାର ଦକ୍ଷ ଓ ପ୍ରଶିକ୍ଷିତ ଅଧିକାରୀଙ୍କ ସେବା ଉପରେ ଗୁରୁତ୍ବାରୋପ କରୁଛନ୍ତି। ଦୁର୍ନୀତିଗ୍ରସ୍ତ, ଅପାରଗ, ଦାୟିତ୍ୱହୀନ ଅଧିକାରୀ ଓ କର୍ମଚାରୀଙ୍କର ପ୍ରଶାସନରେ ସ୍ଥାନ ନାହିଁ। ସେମାନଙ୍କୁ ଚିହ୍ନଟ କର। ସମ୍ବିଧାନର ୩୧୧ ଧାରା ଏବଂ ଓଡ଼ିଶା ସର୍ଭିସେସ୍‌ ରୁଲ୍‌ ଅନୁଯାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କର। ଏପରିକି ସେମାନଙ୍କୁ ବାଧ୍ୟତାମୂଳକ ସେବା ନିବୃତ୍ତ କରିବା ପାଇଁ ପଦକ୍ଷେପ ନିଅ। ନୂଆ ବର୍ଷ ଅବସରରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମା‌ଝୀ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଏହା ସହ ଦୁଇ ବର୍ଷ ମଧ୍ୟରେ ସବୁ ସରକାରୀ ପଦ ପୂରଣ କରିବାକୁ ପଦକ୍ଷେପ ନେବା ଲାଗି କହିଛନ୍ତି। 

Advertisment

SIR : ଏସଆଇଆର ଯୋଗୁଁ ୨୮ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧ

ନୂଆ ବର୍ଷରେ ଶାସନ-ପ୍ରଶାସନକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଣ୍ଟା ଭିଡ଼ିଛନ୍ତି। ଶାସନ-ପ୍ରଶାସନକୁ ଲୋକାଭିମୁଖୀ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଏକ ପନ୍ଦର-ଦଫା ନିର୍ଦ୍ଦେଶାବଳୀ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି। ଓଡ଼ିଶା ଭିଜନ୍‌ ଡକ୍ୟୁମେଣ୍ଟରେ ଆସନ୍ତା ଦୁଇବର୍ଷ ପାଇଁ ସରକାରଙ୍କ ମୁଖ୍ୟ ଲକ୍ଷ୍ୟକୁ ହାସଲ କରିବା ପାଇଁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୩୬ ସୁଦ୍ଧା ୫୦୦ ବିଲିୟନ୍‌ ଆମେରିକୀୟ ଡଲାର ଅର୍ଥନୀତି ସହିତ ସମୃଦ୍ଧ ଓଡ଼ିଶା ଗଠନ ଏବଂ ଓଡ଼ିଶାକୁ ଶ୍ରେଷ୍ଠ ପାଞ୍ଚଟି ବିକଶିତ ରାଜ୍ୟ ମଧ୍ୟରେ ଆଣିବା ଲାଗି ରାଜ୍ୟକୁ ଏକ ‘ମିଶ୍ରିତ ଅର୍ଥନୀତି’ ଆଡ଼କୁ ନେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ଜ୍ଞାନ-ପରିଚାଳିତ ଶିଳ୍ପ ତଥା ସେବା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟରେ ଶିଳ୍ପାୟନର ଦ୍ରୁତ ବିକାଶ ପାଇଁ ସବୁ ଜିଲ୍ଲାପାଳଙ୍କୁ ବିଭିନ୍ନ ପ୍ରକ୍ରିୟାକୁ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶାବଳୀରେ କୁହଯାଇଛି। 

ପ୍ରଶାସନକୁ ଦକ୍ଷ, କ୍ରିୟାଶୀଳ କରିବାକୁ ଯୋଜନା
୧୫ ଦଫା ନିର୍ଦ୍ଦେଶାବଳୀ ଜାରି କଲେ
ସବୁ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କର

ବିଭିନ୍ନ ପ୍ରକଳ୍ପର ସଫଳ ରୂପାୟନ ପାଇଁ ନିୟମିତ ଭାବେ ସମୀକ୍ଷା ଓ ମୂଲ୍ୟାୟନ କରିବା, ଗବେଷଣା ଏବଂ ମୂଲ୍ୟାୟନକୁ ଜୋର୍ ଦେବା ପାଇଁ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରକୁ ଏକ ଉତ୍କର୍ଷ କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ନିର୍ଦ୍ଦେଶ ଦିଆଯାଇଛି। ସବୁପ୍ରକାର ସରକାରୀ କାର୍ଯ୍ୟ, ବିଶେଷ ଭାବେ ନୋଟିସ୍‌, ବିଜ୍ଞପ୍ତି, ପତ୍ର ବିନିମୟକୁ କେବଳ ଓଡ଼ିଆ ଭାଷାରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସଚିବାଳୟଠାରୁ ବ୍ଲକ୍‌ ସ୍ତର ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କୁ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ କୁହାଯାଇଛି। ଏହି ଦିଗରେ ଖିଲାପକାରୀଙ୍କୁ କୈଫିୟତ ତଲବ କରାଯିବ। ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ ବ୍ୟବହାର କରିବା ପାଇଁ ପ୍ରତିବଦ୍ଧତାର ବାର୍ତ୍ତା ମୁଖ୍ୟମନ୍ତ୍ରୀ ଦେଇଛନ୍ତି। 

Winter: ଶୀତରେ ଥରୁଛନ୍ତି ୫୨ହଜାର ଅନ୍ତେବାସୀ

ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣାଣିକୁ ଅତ୍ୟନ୍ତ ଗୁରୁତ୍ବର ସହିତ ବିଚାରକୁ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଚିବାଳୟଠାରୁ ଆରମ୍ଭ କରି ବ୍ଲକ୍‌ ଓ ତହସିଲ ସ୍ତର ପର୍ଯ୍ୟନ୍ତ ସବୁ ଅଧିକାରୀଙ୍କୁ ଲୋକଙ୍କ ଅଭିଯୋଗ ଶୁଣି ତାକୁ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ଶୁଣାଣି ପାଇଁ ସୋସିଆଲ ମିଡିଆକୁ ବହୁଳ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି। ଲୋକଙ୍କ ସମସ୍ୟାକୁ ନିଜ ଆଖିରେ ଦେଖି ତାହାର ସମାଧାନ କରିବା ପାଇଁ ସବୁ ସ୍ତରର ଅଧିକାରୀଙ୍କୁ କ୍ଷେତ୍ର ପରିଦର୍ଶନ ପାଇଁ କୁହାଯାଇଛି। କ୍ଷେତ୍ର ପରିଦର୍ଶନ ସହିତ ସବୁ ଅଧିକାରୀଙ୍କୁ ପରିଦର୍ଶନର ଫଳାଫଳ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି, ଯାହା ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନରେ ବିବେଚିତ ହେବ। ମୁଖ୍ୟମନ୍ତ୍ରୀଙ୍କର ଏହି ପନ୍ଦର-ସୂତ୍ରୀ ପରାମର୍ଶ ଓ ନିର୍ଦ୍ଦେଶାବଳୀ ଅଧିକାରୀ, କର୍ମଚାରୀ ମହଲରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ଏହା ଶାସନ-ପ୍ରଶାସନକୁ ନିଶ୍ଚିତ ଭାବେ ଚଳଚଞ୍ଚଳ କରିବ ବୋଲି କୁହାଯାଉଛି।