CM Mohan Charan Majhi delivers speech on Vigilance Awareness Week on Tuesday. Photograph: (sambad.in)
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଦିନ କହିଛନ୍ତି, ଆଜି ଆୟୋଜିତ ଏହି କାର୍ଯ୍ୟକ୍ରମ ଦୁର୍ନୀତି ନିବାରଣ ପାଇଁ କେବଳ ଏକ ପ୍ରତିକାତ୍ମକ କାର୍ଯ୍ୟକ୍ରମ ନୁହେଁ, ଏହା ଦୁର୍ନୀତିଖୋର୍ ଅଧିକାରୀଙ୍କୁ ଏବଂ ଦୁର୍ନୀତିରେ ଲିପ୍ତ ସିଷ୍ଟମକୁ ଦୁର୍ନୀତି ପ୍ରତି ଆମ ସରକାର ଶୂନ୍ୟ ସହନଶୀଳ କଠୋର ବାର୍ତ୍ତା ଦେବା ପାଇଁ ଉଦ୍ଦିଷ୍ଟ। ରାଜ୍ୟ ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ମାଝୀ ଏହା କହିଛନ୍ତି। ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟର ଠାରେ ଏହି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯେତେବେଳେ ଦୁର୍ନୀତି ଆମ ବ୍ୟବସ୍ଥାରେ ପ୍ରବେଶ କରେ, ସେତେବେଳେ ସାଧାରଣ ଲୋକଙ୍କର ବିଶ୍ୱାସ ଭାଙ୍ଗି ଯାଇଥାଏ। ଦୁର୍ନୀତି ଆମ ଶାସନର ମୂଳଦୁଆକୁ ଦୁର୍ବଳ କରିଥାଏ। ତେଣୁ ଦୁର୍ନୀତି ବିରୋଧରେ ଲଢ଼ିବା କେବଳ ଏକ କର୍ତ୍ତବ୍ୟ ନୁହେଁ, ଏହା ଆମ ସମସ୍ତଙ୍କର ଏକ ନୈତିକ ଦାୟିତ୍ୱ ।
ସେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ଦୃଢ଼ ଇଛା ଶକ୍ତି ବଳରେ ଦୁର୍ନୀତି ରୋକିବା ପାଇଁ ଅନେକ ଆଧୁନିକ ଟେକ୍ନୋଲୋଜିର ଉପଯୋଗ କରାଯାଇଛି। ହ୍ୟୁମାନ ଇଣ୍ଟରଫରେନ୍ସକୁ ଦୂର କରି ଜନଧନ, ଆଧାର ଏବଂ ମୋବାଇଲର ଏକତ୍ରିକରଣରେ JAM ବ୍ୟବସ୍ଥା ହିତାଧିକାରୀଙ୍କ ପାଇଁ କାର୍ଯ୍ୟକାରୀ କରାଯାଇଛି। ଏହି ବ୍ୟବସ୍ଥାରେ ବାଟମାରଣାର ପ୍ରଶ୍ନ ହିଁ ନାହିଁ। ସେ ପୁଣି କହିଥିଲେ ଦୁର୍ନୀତି ଆମ ସମାଜର ପ୍ରଗତି ଓ ଉନ୍ନତିରେ ବାଧା ସୃଷ୍ଟି କରିଥାଏ। ତେଣୁ, ଆମ ସରକାର ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିଛନ୍ତି। ଏହା ଫଳରେ ବିଭିନ୍ନ ଯୋଜନାର ସୁଫଳ ନ୍ୟାୟ ପୂର୍ଣ୍ଣ ଓ ସ୍ୱଚ୍ଛତାର ସହିତ ଉପଯୁକ୍ତ ଲାଭାର୍ଥୀଙ୍କ ପାଖରେ ପହଞ୍ଚାଯାଇ ପାରୁଛି। ଦୁର୍ନୀତିକୁ ରୋକିବା ପାଇଁ ଏକ ସ୍ୱଚ୍ଛ, ପାରଦର୍ଶୀ, ଗତିଶୀଳ ଏବଂ ଅତ୍ୟନ୍ତ ସଚ୍ଚୋଟ ବ୍ୟବସ୍ଥା ଓ ଅଧିକାରୀ ଏକାନ୍ତ ଆବଶ୍ୟକ।
ଆହୁରି ପଢ଼ନ୍ତୁ: Cyclone In Odisha: ସେବେ ମହାବାତ୍ୟା, ଏବେ ମୋନ୍ଥା...ଅଶୁଭ ଅକ୍ଟୋବର, ୨୬ ବର୍ଷ ପରେ ପୁଣି ସେହି ୨୯ ତାରିଖକୁ ନେଇ ଏ କି ସଂଯୋଗ !
ଦୁର୍ନୀତି ନିବାରଣ ବିଭାଗକୁ ପ୍ରଶଂସା
ରାଜ୍ୟ ଦୁର୍ନୀତି ନିବାରଣ ବିଭାଗକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ଗଠନ ହେବା ପରେ ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲି। ପୂର୍ବ ବ୍ୟବସ୍ଥାକୁ ପରିବର୍ତ୍ତନ କରି ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଛୋଟରୁ ବଡ ସମସ୍ତ ଦୁର୍ନୀତି ଗ୍ରସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦେଶର ଅଗ୍ରଣୀ ଦୁର୍ନୀତି ବିରୋଧୀ ସଂସ୍ଥା ଭାବେ ସୁନାମ ଅର୍ଜନ କରିଛି। ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପର୍ଯ୍ୟନ୍ତ କାହାରିକୁ ଛଡାଯାଇନାହିଁ। ଏସବୁ ସମ୍ଭବ ହୋଇଛି ଭିଜିଲାନ୍ସ ଅଧିକାରୀମାନଙ୍କୁ ସ୍ୱାଧୀନ ଭାବେ କାର୍ଯ୍ୟକରିବାର ଅଧିକାର ପ୍ରଦାନ ଫଳରେ। ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ଦଣ୍ଡ ବିଧାନ ହାର ମଧ୍ୟ ୫୦ ପ୍ରତିଶତରୁ ଅଧିକ ରହିଛି। ଦୁର୍ନୀତି ନିବାରଣ ବିଭାଗ ଆଜିର ଦିନରେ କାହାକୁ କ୍ଷମା କରିବ ନାହିଁ ଏବଂ କାହାକୁ ଛାଡିବ ନାହିଁ ବୋଲି ସେ କହିଥିଲେ।
୩୦ ଜଣ ସରକାରୀ କର୍ମଚାରୀଙ୍କୁ ବହିଷ୍କାର
ସେ ଆହୁରି କହିଥିଲେ ଶୂନ୍ୟ ସହନଶୀଳ ନୀତିର ଅଂଶ ଭାବରେ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ୩୦ ଜଣ ସରକାରୀ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି ଓ ୬୮ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍ସନ୍ ବନ୍ଦ କରଯାଇଛି। ଏକ ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ ପ୍ରଶାସନ ଆମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ଏହି ଲକ୍ଷ୍ୟକୁ ଆଖି ଆଗରେ ରଖି ଆମ ସମସ୍ତଙ୍କୁ କାମ କରିବାକୁ ପଡ଼ିବ। ଦୁର୍ନୀତି ନିବାରଣ ଆମ ସାମୁହିକ ଦାୟିତ୍ୱ। ଏଥିପାଇଁ ଆମେ ସମସ୍ତେ ଦୁର୍ନୀତି ବିରୋଧରେ ଲଢେଇ କରିବା ଆବଶ୍ୟକ। ବିଭିନ୍ନ ସରକାରୀ ବିଭାଗରେ Preventive Vigilance ବା ପ୍ରତିରୋଧକ ସତର୍କତା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସେ କହିଥିଲେ। ଏହାଦ୍ୱାରା ଦୁର୍ନୀତି ହେଉଥିବା ସ୍ଥାନ ଓ ଦୁର୍ନୀତି ଗ୍ରସ୍ତଙ୍କୁ ଚିହ୍ନଟ କରାଯାଇ ଶାସନ ବ୍ୟବସ୍ଥାକୁ ଆହୁରି ସ୍ୱଚ୍ଛ ଓ ପାରଦର୍ଶୀ କରାଯାଇ ପାରିବ।
ଆହୁରି ପଢ଼ନ୍ତୁ: Cyclone Montha LIVE UPDATES: ସମୁଦ୍ରରୁ ମାଡ଼ି ଆସୁଛି ବାତ୍ୟା ମୋନ୍ଥା... ବଢୁଛି ପବନ, କାକିନାଡ଼ାରୁ ୧୫୦ କିମି ଦୂରରେ ବାତ୍ୟା
ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ
ଗତ ୧୬ ମାସ ମଧ୍ୟରେ ଦୁର୍ନୀତି ନିବାରଣ ବିଭାଗକୁ ଅଧିକ ଦକ୍ଷ, ଲୋକାଭିମୁଖୀ ଓ ସୁଦୃଢ଼ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଭାଗକୁ ଅଧିକ ଦକ୍ଷ କରିବା ପାଇଁ ଯାହା ଯାହା ଆବଶ୍ୟକ ସବୁ ଯୋଗାଇ ଦିଆଯିବ। ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କୁ ଲୋଭ ଓ ଦୁର୍ନୀତିରୁ ଦୂରେଇ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସଚ୍ଚୋଟତା ଓ ସାଧୁତାର ଶପଥ ପାଠ କରାଇଥିଲେ। ଶ୍ରେଷ୍ଠ ଦୁର୍ନୀତି ନିବାରଣ ଡିଭିଜନ ଭାବେ କଟକ ଡିଭିଜନ, ଶ୍ରେଷ୍ଠ ୟୁନିଟ୍ ଭାବେ ସୁବର୍ଣ୍ଣପୁର ୟୁନିଟ୍, ଶ୍ରେଷ୍ଠ ତଦନ୍ତକାରୀ ପୁରୁଷ ଅଧିକାରୀ ଭାବେ ମନୋରଞ୍ଜନ ପାଇକରାୟ, ଶ୍ରେଷ୍ଠ ତଦନ୍ତକାରୀ ମହିଳା ଅଧିକାରୀ ଭାବେ ପ୍ରଣୀତା ରାୟ ଏବଂ ଶ୍ରେଷ୍ଠ ପବ୍ଲିକ ପ୍ରୋସିକ୍ୟୁଟର ଭାବେ ବ୍ରହ୍ମପୁରର ସୁରେନ୍ଦ୍ର ପଣ୍ଡାଙ୍କୁ ପୁରସ୍କୃତ କରିଥିଲେ।
ଦୁର୍ନୀତି ନିବାରଣ: ଆମ ସାମୁହିକ ଦାୟିତ୍ୱ
ଦୁର୍ନୀତି ନିବାରଣ ବିଭାଗର ମହାନିର୍ଦ୍ଦେଶକ ଯଶୱନ୍ତ କୁମାର ଜେଠୱା କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ୱାଗତ କରି କହିଥିଲେ ଯେ, ଚଳିତ ବର୍ଷ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ପାଳନ କରାଯାଉଛି। ଏଥିପାଇଁ ସବୁ ବିଭାଗର ସହଯୋଗରେ ବ୍ୟାପକ ସଚେତନତା ମୂଳକ କାର୍ଯ୍ୟକ୍ରମ ରାଜ୍ୟବ୍ୟାପୀ ଆୟୋଜନ କରାଯାଉଛି। ସେ କହିଥିଲେ ଚଳିତ ବର୍ଷ ସଚେତନତା ସପ୍ତାହର ବିଷୟବସ୍ତୁ ହେଉଛି ଦୁର୍ନୀତି ନିବାରଣ: ଆମ ସାମୁହିକ ଦାୟିତ୍ୱ। ଏହି ଲକ୍ଷ୍ୟନେଇ ଆମ ସମସ୍ତଙ୍କୁ କାମ କରିବାକୁ ପଡ଼ିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦୁର୍ନୀତି ବିରୋଧରେ ନିରବଛିନ୍ନ ଅଭିଯାନ ଜାରି ରଖିଛି ବୋଲି କହି ଗତ ଜୁନ୍ ୧୨ ତାରିଖରୁ ଚଳିତ ବର୍ଷ ୨୭ ଅକ୍ଟୋବର ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ଦୁର୍ନୀତି ବିରୋଧରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ।
Follow Us