କଟକ: ଚୌଦ୍ବାର ଜେଲ୍ରୁ ଦୁଇ କଏଦୀ ମଧୁକାନ୍ତ ରାଣା, ରାଜା ସାହାଣି ଆଶ୍ଚର୍ଯ୍ୟଜନକ ଢଙ୍ଗରେ ଫେରାର ହେବା ପରେ ଜେଲ୍ ଭିତରର ଅନେକ କାର୍ଯ୍ୟକଳାପ ଏବେ ସନ୍ଦେହ ଘେରକୁ ଆସିଛି। କଏଦୀ ଫେରାର ପରେ ଦୁଇ ଗୋଷ୍ଠୀ କଏଦୀଙ୍କ ଭିତରେ ଗଣ୍ଡଗୋଳ ଓ ଜଣେ କଏଦୀ ଆତ୍ମହତ୍ୟା କରିଥିଲେ ମଧ୍ୟ ସେଭଳି କୌଣସି ବଡ଼ କାର୍ଯ୍ୟାନୁଷ୍ଠାନ ହୋଇନି। ଏହି ଘଟଣାରେ ଯେଉଁ ଦୁଇ ଜଣଙ୍କୁ ନିଲମ୍ବିତ କରାଯାଇଛି, ସେମାନଙ୍କ ପ୍ରତି ବି କର୍ତ୍ତୃପକ୍ଷଙ୍କ ଅହେତୁକ ଅନୁକମ୍ପା ଥିବା ଅନୁଭବ ହେଉଛି। କଏଦୀ ଫେରାର ଘଟଣାର ତଦନ୍ତ ଜେଲ୍ ଡିଆଇଜି ଅନସୂୟା ଜେନାଙ୍କୁ ଦିଆଯାଇଥିଲା। ସେ ଚୌଦ୍ବାର ଜେଲ୍ ପରିସରରେ ହିଁ ରହୁଛନ୍ତି। ଜେଲ୍ରେ ଦଶହରା ପାଳନ ପାଇଁ ସେ ଅନୁମତି ଦେଇ ଛୁଟିରେ ଚାଲିଯାଇଥିଲେ। ତେବେ ଶ୍ରୀମତୀ ଜେନା ଜେଲ୍ ଡିଜିଙ୍କୁ ଦେଇଥିବା ତଦନ୍ତ ରିପୋର୍ଟରେ ଜେଲ୍ ଅଧୀକ୍ଷକ, ଜେଲର୍ ଓ ଅନ୍ୟ କର୍ମଚାରୀଙ୍କୁ ଦାୟୀ କରିଥିଲେ। ଡିଆଇଜିଙ୍କ ରିପୋର୍ଟ ଆଧାରରେ ଦୁଇ ଜଣ ନିଲମ୍ବିତ ହୋଇଥିବା ବେଳେ ଜେଲର୍ଙ୍କୁ ବଦଳି କରାଯାଇଛି।
ତାଙ୍କ ବିରୋଧରେ ପୂର୍ବରୁ ଚିଠି ଲେଖିଥିଲେ ଦୁଇ ଜେଲର୍
ଜୁଲାଇ ୧୯ରେ ବି ଫେରାର କଏଦୀଙ୍କ ସେଲ୍ରୁ ମିଳିଥିଲା ଆରି
ନିଲମ୍ବିତ ମୁଖ୍ୟ ୱାର୍ଡର ଭଗତ ରାମଙ୍କ ବିରୋଧରେ ପୂର୍ବରୁ ଏକାଧିକ ସଙ୍ଗିନ ଅଭିଯୋଗ ରହିଛି। ଜଗତସିଂହପୁର ସବଜେଲ୍ର ଅଧୀକ୍ଷକ ୧୭.୯.୨୦୧୯ରେ ଚୌଦ୍ବାର ଜେଲ୍ ବରିଷ୍ଠ ଅଧୀକ୍ଷକଙ୍କ ନିକଟକୁ ପଠାଇଥିବା ଚିଠିରେ ଭଗତ ଜେଲ୍ର ଶୃଙ୍ଖଳା ଅଥବା ପରିଚାଳନା ବିରୋଧୀ କାର୍ଯ୍ୟକଳାପରେ ସଂପୃକ୍ତ ଥିଲେ ବୋଲି ଉଲ୍ଲେଖ କରିଥିଲେ। ସେହିଭଳି ୨୦୨୫ ମାର୍ଚ୍ଚ ୧ରେ କେନ୍ଦ୍ରାପଡ଼ା ଜେଲ୍ର ଅଧୀକ୍ଷକ ଚୌଦ୍ବାରର ବରିଷ୍ଠ ଅଧୀକ୍ଷକଙ୍କ ନିକଟକୁ ଚିଠି ଲେଖି କୌଣସି ପରିସ୍ଥିତିରେ ଭଗତଙ୍କୁ କେନ୍ଦ୍ରାପଡ଼ା ଜେଲ୍କୁ ନ ପଠାଇବାକୁ ଅନୁରୋଧ କରିଥିଲେ। ଚୌଦ୍ବାର ଜେଲରୁ ଦୁଇ କଏଦୀ ଫେରାର ପରେ ଭଗତ ରାମଙ୍କୁ ନିଲମ୍ବିତ କରାଯାଇ ଅକ୍ଟୋବର ୩ରେ ତାଙ୍କ ରିପୋର୍ଟିଂ ସ୍ଥାନ ବାଙ୍କୀ ସବଜେଲ୍ ଧାର୍ଯ୍ୟ କରାଗଲା। ଏହାପରେ ଅକ୍ଟୋବର ୧୮ରେ ଜେଲ୍ର ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ ଆଉ ଏକ ନିର୍ଦ୍ଦେଶନାମା ଜାରି କରି ଭଗତଙ୍କ ରିପୋର୍ଟିଂ ସ୍ଥାନ କେନ୍ଦ୍ରାପଡ଼ା ଜେଲ୍ ଧାର୍ଯ୍ୟ କଲେ। ଏଭଳି ନିର୍ଦ୍ଦେଶନାମାକୁ ବିରୋଧ ହେବାରୁ ପୁନର୍ବାର ଭଗତଙ୍କୁ ବାଙ୍କୀ ସବ୍ଜେଲ୍ ଧାର୍ଯ୍ୟ କରାଗଲା। ତେଣୁ ଏଭଳି ନିର୍ଦ୍ଦେଶନାମାର ଉଦ୍ଦେଶ୍ୟକୁ ନେଇ ଏବେ ଅନେକ ପ୍ରଶ୍ନ ମୁଣ୍ଡ ଟେକୁଛି।
ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଜଗତସିଂହପୁର ଜିଲ୍ଲାରେ ସୁଜିତଙ୍କ ସହିତ ଭଗତ ଏକାଠି କାର୍ଯ୍ୟ କରିଥିଲେ। ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ଫେରାର ଦୁଇ କଏଦୀଙ୍କ ସେଲ୍ରୁ ଜୁଲାଇ ୧୯ରେ ଆରି ଜବତ ହୋଇଥିଲା। କିନ୍ତୁ ସେହି ଆରି ସେଲ୍କୁ କିଭଳି ଗଲା, ତାହାର ତଦନ୍ତ ହେଲା ନାହିଁ। ଫଳରେ ଦୁଇ ମାସ ପରେ ଆରିରେ ସେଲ୍ କାଟି ଉଭୟ ଫେରାର ହୋଇଗଲେ। ଏହି ଦୁଇ କଏଦୀଙ୍କୁ ଆରି ଯୋଗାଇବାରେ କାହାର ହାତ ରହିଛି, ତାହାର ତଦନ୍ତ କରିବାକୁ ବୋଧେ ଜେଲ୍ ଉଚ୍ଚ କର୍ତ୍ତୃପକ୍ଷ ଉଚିତ ମନେ କରିନାହାନ୍ତି। କଏଦୀ ଫେରାର, ଗୋଷ୍ଠୀ ସଂଘର୍ଷ, କଏଦୀ ଆତ୍ମହତ୍ୟା ଭଳି ଘଟଣା ପରେ ବି ସେଲ୍ ଇନ୍ଚାର୍ଜଙ୍କଠାରୁ ଆରମ୍ଭ କରି ନାଇଟ୍ ରାଉଣ୍ଡ ଅଫିସର୍, ଜେଲ୍ର ବରିଷ୍ଠ ଅଧୀକ୍ଷକ, ଡିଆଇଜିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପରୋକ୍ଷରେ ଦୋଷମୁକ୍ତ ସାର୍ଟିଫିକେଟ୍ ଧରାଇ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/28/jail-2025-11-28-01-39-52.jpg)