ଚାଷୀଙ୍କ ଜମିରେ ଆପ୍ରୋଚ ରାସ୍ତା ନିର୍ମାଣ, କ୍ଷତିପୂରଣ ନଦେବାରୁ କାମ ବନ୍ଦ

Advertisment

ମାଲକାନଗିରି: ସୀମାନ୍ତ ମୋଟୁକୁ ଲାଗି ରହିଛି ସାବେରୀ ନଦୀ। ସାବେରୀ ନଦୀ ଆର ପାରିରେ ରହିଛି ଛତିଶଗଡ଼ର କୋଣ୍ଟା ସହର। ସାବେରୀ ନଦୀ ଉପରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ଏକ ସେତୁ ନିର୍ମାଣ କାମ ଦୀର୍ଘ ଦିନ ପରେ କାମ ସରିଛି। ପ୍ରାୟ ୩୦ କୋଟି ଟଂକା ବ୍ୟୟରେ ଏହି ସେତୁ ନିର୍ମାଣ ହୋଇଛି। କିନ୍ତୁ ଏହି ସେତୁର ଆପ୍ରୋଚ ରାସ୍ତା କାମ ସରିପାରୁ ନାହିଁ। ଏକ ବର୍ଷ ହେଲା ସେତୁ କାମ ସରିଥିଲେ ମଧ୍ୟ ଠିକାଦାରକୁ ଆପ୍ରୋଚ ରାସ୍ତା କାମ କରିବାକୁ ଦିଆଯାଉନାହିଁ।

ଛତିଶଗଡର ପୂର୍ତ୍ତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସେତୁ ନିକଟରେ ପହଞ୍ଚି ତଦାରଖ କରିଥିଲେ। ସେତୁ କାମ ନସରିବା ନେଇ ଉଠିଥିବା ବିବାଦ ସଂପର୍କରେ ଆଲୋଚନା କରିଥିଲେ। ୨୦୨୩ରେ ସେତୁ କାମ ସରିଥିବା ବେଳେ ଓଡ଼ିଶା ପଟେ ଆପ୍ରୋଚ ରାସ୍ତା ନିର୍ମାଣ କରିବା ପାଇଁ ଠିକାଦାର ଏବଂ ରାଜସ୍ବ ବିଭାଗର ଅଧିକାରୀମାନେ ମୋଟୁ ଅଂଚଳର ଚାରି ଜଣ ଚାଷୀଙ୍କ ଆଲୋଚନା କରିଥିଲେ। ସେମାନଙ୍କର ଜମିରେ ଆପ୍ରୋଚ ରାସ୍ତା ନିର୍ମାଣ ହେବା ସହ ସେମାନଙ୍କୁ ଏହାର କ୍ଷତିପୂରଣ ଦିଆଯିବ। ଚାଷୀମାନେ ରାଜି ହେବା ପରେ ଛତିଶଗଡ଼ର ଠିକାଦାର ତୁରନ୍ତ ଚାଷୀଙ୍କ ଜମିରେ ମୁରୁମ ଢାଳିଥିଲେ। କିନ୍ତୁ ଚାଷୀ କ୍ଷତିପୂରଣ ମାଗିଲେ ଠିକାଦାର ରାଜସ୍ବ ବିଭାଗର ଅଧିକାରଙ୍କ ସହ କଥା ହେବା ପାଇଁ କହୁଥିଲେ।

ଏହି ଖବର ପଢ଼ନ୍ତୁ: ହିଂସାତ୍ମକ ବିଚାରଧାରାରେ ଅତିଷ୍ଠ ହୋଇ ମାଓ ସଂଗଠନ ଛାଡ଼ିଲେ ମହିଳା

ଏପଟେ ଚାଷୀ କୋଣ୍ଟାର ରାଜସ୍ବ ବିଭାଗର ଅଧିକାରୀଙ୍କ ସହ ବାରମ୍ବାର ଆଲୋଚନା କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିଲା। ତୁରନ୍ତ ମୋଟୁର ଚାରି ଜଣ ଚାଷି କ୍ଷତିପୂରଣ ନମିଳିବା ଯାଏଁ ଆପ୍ରୋଚ ରାସ୍ତା କରାଇ ଦେବେ ନାହିଁ ବୋଲି ସଫା ସଫା ମନା କରିଦେିଥିଲେ। ଚାଷୀ ଏବଂ ଠିକାଦାର ମଧ୍ୟରେ ରହିଥିବା ବିବାଦ ତୁଟୁନଥିବାରୁ ଆଜି ପର୍ଯ୍ୟନ୍ତ ସେତୁ ସରିବା ପରେ ମଧ୍ୟ ମୋଟୁ-କୋଣ୍ଟାକୁ ରାସ୍ତା ଫିଟିପାରୁ ନାହିଁ।

ଏହି ଖବର ପଢ଼ନ୍ତୁ: ୧ ଲକ୍ଷ ୨୮ ହଜାର ପାଇଖାନା କାମରେ ଆସୁନି

ତେବେ ସେତୁ ତଦାରଖ କରିବାକୁ ଆସିଥିବା ପୂର୍ତ୍ତ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ତୁରନ୍ତ ଚାଷୀଙ୍କ କ୍ଷତିପୂରଣ ଦେବା ପାଇଁ ସରକାରଙ୍କ ନିକଟରେ ଦାବି କରିବେ ବୋଲି କହିଥିଲେ। ମୋଟୁ ଅଂଚଳର ଚାଷୀ ସୋମରାଜୁ ଏବଂ ବି.ସେଟ୍ଟିଙ୍କ କହିବା ଅନୁଯାୟୀ ଆମ ଜମିରେ ଆପ୍ରୋଚ ରାସ୍ତା ପାଇଁ ମୁରୁମ ପକାଗଲା। କିନ୍ତୁ ନା ଛତିଶଗଡ ସରକାର,ନା ଓଡ଼ିଶା ସରକାର କ୍ଷତିପୂରଣ ଦେଉଛନ୍ତି।

ଏହି ଖବର ପଢ଼ନ୍ତୁ: ୧୪ ଏକର ଜମିରୁ ୨୧ ହଜାର ଗଂଜେଇ ଗଛ ନଷ୍ଟ

ଏହି ଜମିରେ ଆମେ କୌଣସି ଚାଷ କରିପାରୁ ନାହୁଁ। ଆମକୁ ଜମି ଛାଡ଼ିବାକୁ କୋଣ୍ଟା ତହସିଲଦାର ସମେତ ଅନ୍ୟ ଅଧିକାରୀ ଆସିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଆମର କ୍ଷତି ପୂରଣ ଦିଆଯାଇ ନାହିଁ। ତେଣୁ ଆମେ ରାସ୍ତା ପାଇଁ ଅନୁମତି ଦେବୁ ନାହିଁ ବୋଲି ଯୁକ୍ତି ବାଢିଥିଲେ। ତୁରନ୍ତ ଛତିଶଗଡର ସରକାର ଓଡିଶାର ଚାଷୀଙ୍କ କ୍ଷତିପୂରଣ ଦେବାକୁ ଦାବି ହୋଇଛି।

ଏହି ଖବର ପଢ଼ନ୍ତୁ: ସ୍ୱାମୀ ପୁଅ କରିଆଣିଥିବା ଯୁବକ ସହ ସ୍ତ୍ରୀ ରଖିଲା ଅନୈତିକ ସମ୍ପର୍କ