Drama lecturer Suspend. Photograph: (sambad.in)
ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ କର୍ତ୍ତୃପକ୍ଷ ଶୁଣିଛନ୍ତି। ଅଭିଯୋଗ କ୍ରମେ, ପ୍ରାଥମିକ ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଶେଷରେ ଡ୍ରାମା ବିଭାଗର ଅଧ୍ୟାପକ ବହିଷ୍କୃତ ଓ ଗିରଫ ହୋଇଛନ୍ତି। ଆମେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ଡ୍ରାମା ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କ କଥା କହୁଛେ, ଯାହାଙ୍କ ବିରୋଧରେ ପିଲାମାନେ ଗୁରୁତର ଅଭିଯୋଗ ଆଣିଥିଲେ। ଛାତ୍ରୀମାନେ ଅଭିଯୋଗ ଆଣିଥିଲେ ଯେ, ଶତ୍ରୁଘ୍ନ ସାର ସେମାନଙ୍କୁ ନିର୍ଯାତନା ଦେଉଥିଲେ।
ଉତ୍କଳ ସଂଗୀତ ମହାବିଦ୍ୟାଳୟର ଛାତ୍ରୀମାନେ ଡ୍ରାମା ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କ ନାମରେ ଅଭିଯୋଗ ଆଣିଥିଲେ। ଅଭିଯୋଗ ପରେ ସେମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ ସହିତ ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିଥିଲେ। ଏହା ପରେ କଲେଜ କର୍ତ୍ତୃପକ୍ଷ ଅଧ୍ୟପାକ ଶତ୍ରୁଘ୍ନ ସାମଲଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ କହିଛନ୍ତି, ପୂର୍ବରୁ ଛାତ୍ରଛାତ୍ରୀମାନେ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ କରିନଥିଲେ। ଆଜି ଅଭିଯୋଗ ହେଲା ପରେ କଲେଜ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଶତ୍ରୁଘ୍ନ ସାମଲଙ୍କୁ ବହିଷ୍କାର କରିଛନ୍ତି। ଯିଏ ଆଗକୁ ଏପରି କରିବ, କାର୍ଯ୍ୟାନୁଷ୍ଠାନର ଶିକାର ହେବ।
ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ: ସଂସ୍କୃତି ବିଭାଗ
ସଂସ୍କୃତି ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାଶ ଗଣମାଧ୍ୟମକୁ କହିଛନ୍ତି, ଆମ ପାଖକୁ ଅଭିଯୋଗ ଆସିଲା ପରେ ଏନେଇ ଆମେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଛୁ। ତଦନ୍ତ ପରେ ଅଧିକ କାର୍ଯ୍ୟାନୁଷ୍ଠାନ ନିଆଯିବ। ସଂପୃକ୍ତ ଅଧ୍ୟାପକଙ୍କୁ ବ୍ଲାକଲିଷ୍ଟ କରାଯିବ। ଏହା ଦ୍ବାରା ସେ ଅନ୍ୟ କୌଣସି ଶିକ୍ଷାନୁଷ୍ଠାନରେ କାମ କରିପାରିବେ ନାହିଁ। ସ୍ଥାୟୀ ଶିକ୍ଷକ ନଥିବାରୁ ଅତିଥି ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ। ଡ୍ରାମା ଅଧ୍ୟାପକ ପାଇଁ ଅନ୍ୟମାନେ ମଧ୍ୟ ଚୟନ ପ୍ରକ୍ରିୟାରେ ସାମିଲ ଥିଲେ। ତାଲିକାରେ ଥିବା ଅନ୍ୟ ପ୍ରାର୍ଥୀଙ୍କୁ ଅତିଥି ଅଧ୍ୟାପକ ଭାବେ ନିଯୁକ୍ତି ମିଳିବ। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ। ନୂଆ ଅଧ୍ୟାପକ ନିଯୁକ୍ତି ପାଇଁ ଖୁବ୍ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ।
ଆହୁରି ପଢ଼ନ୍ତୁ: Cold Wave: ତଳମୁହାଁ ପାରଦ: ଦିନ ୧୦ଟାରେ ସୂର୍ଯ୍ୟ ଦୃଶ୍ୟମାନ, ସଂଜ ନଇଁଲେ ଶୀତର ରାଜୁତି
ଆମେ ଡରୁଥିଲୁ
ଜଣେ ଛାତ୍ରୀ କହିଛନ୍ତି, ଶତ୍ରୁଘ୍ନ ସାରଙ୍କୁ ଆମର ଡର। ଆମେ ଡରୁଥିଲୁ। ସେଥିପାଇଁ ଅଭିଯୋଗ କରିପାରୁ ନଥିଲୁ। ସ୍ବର ଉତ୍ତୋଳନ କଲେ ମାର୍କ କଟିଯିବ ବୋଲି ଭୟ ଲାଗୁଥିଲା। ଆମକୁ ଭଲ ଶିକ୍ଷକ ଦିଆଯାଉ। ମହାବିଦ୍ୟାଳୟରୁ ବହିଷ୍କୃତ ଡ୍ରାମା ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କୁ ପୁଲିସ ଗିରଫ କରିଛି। ପ୍ରାୟ ୧୦ରୁ ୧୨ ଜଣ ପିଲାଙ୍କ ଅଭିଯୋଗ କ୍ରମେ ପୁଲିସ ଶ୍ରୀ ସାମଲଙ୍କୁ ଗିରଫ କରିଛି।
ଆହୁରି ପଢ଼ନ୍ତୁ: Vladimir Putin India Visit: ପୁଟିନଙ୍କୁ ପସନ୍ଦ ନୁହେଁ ଭାରତୀୟ ରୋଷେୟାଙ୍କ ଖାଦ୍ୟ ଓ ମସଲା
Follow Us