ବ୍ରହ୍ମପୁର: ଗଣମାଧ୍ୟମ ସାମନାରେ ବିଭାଗୀୟ ମନ୍ତ୍ରୀ ମୁହଁ ଫୁଟାଣି ମାରିଲେ। ଗୋଟିଏ ପରେ ଗୋଟିଏ କଣ୍ଟ ଦେଲେ। ଇ-କେୱାଇସି ନ କଲେ ରାସନ୍ ମିଳିବନି ବୋଲି ନାଲିଆଖି ଦେଖାଇଲେ। ତା’ ପରେ ମଧ୍ୟ ଇ-କେୱାଇସି ଶତ ପ୍ରତିଶତ ହୋଇପାରୁନି। କଣ୍ଟ ଯାଉଛି ସିନା ଫଳ ଶୂନ। କିଛି ଦିନ ତଳେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପୁଣି ଫେବ୍ରୁଆରି ଶେଷ ଯାଏଁ କଣ୍ଟ ଦେଇଥିଲେ। ହେଲେ ଏଥର ବି ଟାର୍ଗେଟ୍ ପୂରଣ ହେଲାନି। ରାଜ୍ୟରେ ଆହୁରି ୧୦ ଲକ୍ଷ ୬୧ ହଜାର ୨୦୧ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ଏହି ତାଲିକାର ଏକ ନମ୍ବରରେ ରହିଛି ଗଞ୍ଜାମ। ଜିଲ୍ଲାର ୧ ଲକ୍ଷ ୩୦ ହଜାର ୩୭୮ ହିତାଧିକାରୀ ଇ-କେୱାଇସି କରି ନଥିବା ଜଣାପଡ଼ିଛି। ଫେବ୍ରୁଆରି ଶେଷ ସୁଦ୍ଧା ଯୋଗାଣ ବିଭାଗ ଇ-କେୱାଇସି ସମ୍ପର୍କିତ ଏକ ତାଲିକା ପ୍ରସ୍ତୁତ କରିଛି। ଯେଉଁଥିରେ ରାଜ୍ୟର ସବୁ ଜିଲ୍ଲାର ଇ-କେୱାଇସି କରି ନଥିବା ହିତାଧିକାରୀଙ୍କ ତଥ୍ୟ ରହିଛି। ସେହି ଅନୁସାରେ ଗଞ୍ଜାମରେ ସର୍ବାଧିକ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ଜିଲ୍ଲାରେ ମୋଟ୍ ୨୬ ଲକ୍ଷ ୫୫ ହଜାର ୩୬୨ ହିତାଧିକାରୀ ରହିଛନ୍ତି। ସେମାନଙ୍କ ଭିତରୁ ୨୫ ଲକ୍ଷ ୨୪ ହଜାର ୯୮୪ ଜଣ ଇ-କେୱାଇସି କରି ସାରିଛନ୍ତି। ତଥାପି ୧ ଲକ୍ଷ ୩୦ ହଜାର ୩୭୮ ହିତାଧିକାରୀ ଏହା କରିନାହାନ୍ତି। ବାରମ୍ବାର ସୁଯୋଗ ଦିଆଯିବା ସତ୍ତ୍ବେ କାହିଁକି ଇ-କେୱାଇସି ହେଉନାହିଁ, ସେ ନେଇ ଯୋଗାଣ ବିଭାଗ ରିପୋର୍ଟ ମାଗିଥିବା ଜଣାଯାଇଛି।
Shuttle: ଅଲ୍ଇଂଲଣ୍ଡ ବ୍ୟାଡ୍ମିଣ୍ଟନ୍: କ୍ବାର୍ଟରରେ ଲକ୍ଷ୍ୟ ସେନ୍
ସୂଚନା ଅନୁସାରେ, ମୁଖ୍ୟତଃ ୨ଟି କାରଣ ପାଇଁ ଅଧିକାଂଶ ହିତାଧିକାରୀ ଇ-କେୱାଇସି କରି ପାରୁନାହାନ୍ତି। ପ୍ରଥମତଃ ବହୁ ବୟସ୍କ ହିତାଧିକାରୀଙ୍କ ଆଖି ଓ ଆଙ୍ଗୁଠି ଛାପ ମେସିନ୍ ନେଉନି। ଯାହାଫଳରେ ସେମାନେ ଇ-କେୱାଇସି କରିନାହାନ୍ତି। ତା’ ଭିତରେ ଛୋଟ ପିଲା ବି ରହିଛନ୍ତି। ଦ୍ବିତୀୟରେ, ଦାଦନପ୍ରବଣ ଜିଲ୍ଲା ତାଲିକାରେ ଗଞ୍ଜାମ ରହିଛି। ଏହି ଜିଲ୍ଲାର ବହୁ ଗ୍ରାମାଞ୍ଚଳରୁ ଶ୍ରମିକମାନେ ଅନ୍ୟ ରାଜ୍ୟକୁ ରୋଜଗାର ସନ୍ଧାନରେ ଯାଉଛନ୍ତି। ସେମାନଙ୍କ ସଂଖ୍ୟା ୫୦ ହଜାରରୁ ଅଧିକ ହେବ ବୋଲି କୁହାଯାଉଛି। ପର୍ବପର୍ବାଣି ସମୟରେ ସେମାନେ ଗାଁକୁ ଆସିଥାନ୍ତି। ଆଗକୁ ଗାଁ ମେଳଣଠାରୁ ରଜ ପର୍ଯ୍ୟନ୍ତ ପର୍ବ ଥିବାରୁ ବିଭିନ୍ନ ରାଜ୍ୟରୁ ଶ୍ରମିକମାନେ ଘରକୁ ଫେରିଲେ ଇ-କେୱାଇସି କରିବେ ବୋଲି ଆଶା କରାଯାଉଛି।
Health: ବଣ୍ଡା ଯୁବକଙ୍କ ଚିକିତ୍ସା ପାଇଁ ବିଭିନ୍ନ ମହଲରୁ ସହଯୋଗ ଆସିଲା
ସୂଚନାଯୋଗ୍ୟ, ଇ-କେୱାଇସି କରି ନଥିବା ତାଲିକାରେ ଖଲ୍ଲିକୋଟ, ସାନଖେମୁଣ୍ଡି, ବେଗୁନିଆପଡ଼ା, ପୁରୁଷୋତ୍ତମପୁର, ରଙ୍ଗେଇଲୁଣ୍ଡା, କୁକୁଡ଼ାଖଣ୍ଡି ଓ ପୋଲସରା ବ୍ଲକ୍ର ହିତାଧିକାରୀଙ୍କ ସଂଖ୍ୟା ଅଧିକ ରହିଛି। ବିକଳ୍ପ ବ୍ୟବସ୍ଥା ଗ୍ରହଣ ନ କଲେ ଆଖି ଓ ଟିପ ନେଉନଥିବା ଯୋଗୁଁ ଇ-କେୱାଇସି ସମ୍ଭବ ହୋଇପାରୁନି। ଯଦି ଏହି ଆଳରେ ହିତାଧିକାରୀଙ୍କୁ ରାସନ୍ ସୁବିଧାରୁ ବଞ୍ଚିତ କରାଯାଏ, ତେବେ ପରିସ୍ଥିତି ଭଲ ହେବନାହିଁ ବୋଲି ହିତାଧିକାରୀ ଚେତାବନୀ ଦେଇଛନ୍ତି।
Follow Us