ଭୁବନେଶ୍ବର: ଓଡ଼ିଶା ଅର୍ଥନୀତି ଦ୍ରୁତ ବେଗରେ ଆଗକୁ ବଢ଼ୁଛି। ଗତ ଦୁଇ ଦଶନ୍ଧିରେ ୧୦ ଗୁଣା ବଢ଼ି ୧୦ ଲକ୍ଷ କୋଟି ନିକଟତର ହୋଇଛି। ୨୦୦୫-୦୬ରେ ରାଜ୍ୟ ଅର୍ଥନୀତିର ଆକାର ୦.୯୫ ଲକ୍ଷ କୋଟି ଟଙ୍କା ଥିଲା। ୨୦୨୫-୨୬ରେ ଏହା ୯.୮୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏଥିସହିତ ବିତ୍ତୀୟ ସ୍ଥିତି, ଋଣ ଓ ଜିଏସ୍ଡିପି ଅନୁପାତଠାରୁ ଆରମ୍ଭ କରି ପୁଞ୍ଜିବ୍ୟୟ, ମୁଣ୍ଡ ପିଛା ଆୟ ଆଦିରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଓଡ଼ିଶାର ଜିଡିପି ୨୦୨୫-୨୬ରେ ୭.୯ ପ୍ରତିଶତ ହାରରେ ବଢ଼ିବା ନେଇ ଆକଳନ କରାଯାଇଛି, ଯାହାକି ଜାତୀୟହାର ୭.୪ ପ୍ରତିଶତ ତୁଳନାରେ ୦.୫ ପ୍ରତିଶତ ଅଧିକ। ସେହିଭଳି ୨୦୨୪-୨୫ରେ ରାଜ୍ୟ ହାସଲ କରିଥିବା ୭.୨ ପ୍ରତିଶତ ଅଭିବୃଦ୍ଧି ତୁଳନାରେ ୦.୭ ପ୍ରତିଶତ ଅଧିକ। ଗୁରୁବାର ବିଧାନସଭାରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୫-୨୬ରୁ ଏହି ତଥ୍ୟ ସାମନାକୁ ଆସିଛି।
Viksit Bharat 2047: ସମଗ୍ର ବିଶ୍ୱରେ ଡିଜିଟାଲ ପରିବର୍ତ୍ତନ ଦ୍ରୁତ ଗତିରେ ଘଟୁଛି: ଅଖିଳ କୁମାର ମିଶ୍ର
ରିପୋର୍ଟ ଅନୁଯାୟୀ, ରାଜ୍ୟବାସୀଙ୍କ ମୁଣ୍ଡପିଛା ଆୟ ୧,୮୬, ୭୬୧ ଟଙ୍କାକୁ ବୃଦ୍ଧି ପାଇଛି। ବର୍ଷକ ମଧ୍ୟରେ ମୁଣ୍ଡପିଛା ଆୟ ୯.୨ ପ୍ରତିଶତ ବୃଦ୍ଧି ହୋଇଛି। ଜାତୀୟ ମୁଣ୍ଡପିଛା ଆୟ ସହ ରାଜ୍ୟର ଥିବା ଅନ୍ତର ଦ୍ରୁତଗତିରେ ହ୍ରାସ ପାଉଛି। ରାଜ୍ୟର କୃଷି କ୍ଷେତ୍ର ଚମତ୍କାର ପ୍ରଦର୍ଶନ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅଭିବୃଦ୍ଧି ୨୦୨୫-୨୬ରେ ୫.୩ ପ୍ରତିଶତ ରହିବା ଆକଳନ କରାଯାଇଛି, ଯାହା ୨୦୨୪-୨୫ରେ ୩.୧ ପ୍ରତିଶତ ହାରରେ ଆଗକୁ ବଢ଼ିଥିଲା। କୃଷି କ୍ଷେତ୍ରର ପ୍ରଦର୍ଶନ ମଧ୍ୟ ଜାତୀୟ ହାରଠାରୁ ଅଧିକ ରହିଛି। ରାଜ୍ୟ ଅର୍ଥନୀତିକୁ କୃଷି କ୍ଷେତ୍ରର ଅବଦାନ ୧୬.୮ ପ୍ରତିଶତରୁ ବୃଦ୍ଧି ପାଇ ୧୯.୬ ପ୍ରତିଶତ ହୋଇଛି। ଖାଦ୍ୟଶସ୍ୟ ଉତ୍ପାଦନ ୫.୨ ପ୍ରତିଶତ ବୃଦ୍ଧି ପାଇ ୧୫୦.୫ ଲକ୍ଷ ମେଟ୍ରିକ୍ ଟନ୍ ହେବା ନେଇ ଆକଳନ କରାଯାଇଛି। ଚାଉଳ ଉତ୍ପାଦନ ୨.୮ ପ୍ରତିଶତ ବୃଦ୍ଧି ପାଇ ୧୧୮.୬ ଲକ୍ଷ ଟନ୍ ହେବ। ସମୃଦ୍ଧ କୃଷକ ଯୋଜନା, ସିଏମ୍-କିଷାନ, ଅଧିକ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଓ ଇନ୍ପୁଟ୍ ସବ୍ସିଡି ପାଇଁ ଚାଉଳ ଉତ୍ପାଦନ ବଢ଼ିଥିବା ରିପୋର୍ଟରେ କୁହାଯାଇଛି।
ରାଜ୍ୟରେ ବିବିଧ ଫସଲ ଚାଷ ଉପରେ ସରକାର ଗୁରୁତ୍ବ ଦେଉଥିବାରୁ କପା, ମକା, ପନିପରିବା ଓ ମସଲା ଜାତୀୟ ଫସଲ ଚାଷ ବଢ଼ିଛି, ଯାହା ଚାଷୀଙ୍କ ଆୟ ବଢ଼ାଇବାରେ ସହାୟକ ହୋଇପାରିଛି। ୨୦୨୪-୨୫ରେ ୨୦ ଲକ୍ଷ ଚାଷୀଙ୍କଠାରୁ ୯୨.୬ ଲକ୍ଷ ଟନ୍ ଧାନ ସଂଗ୍ରହ କରାଯାଇଛି। ସେମାନଙ୍କୁ ଏମ୍ଏସ୍ପି ବାବଦରେ ୨୧,୩୦୦ କୋଟି ଟଙ୍କା ଓ ଇନ୍ପୁଟ୍ ସବ୍ସିଡି ଆକାରରେ ୭୧୪୦ କୋଟି ଟଙ୍କା ଦିଆଯାଇଛି। ରାଜ୍ୟରେ ଉତ୍ପାଦନ ହେଉଥିବା ୭୮ ପ୍ରତିଶତ ଧାନକୁ ସରକାର ସଂଗ୍ରହ କରିଛନ୍ତି। ୨୦୨୩-୨୪ରେ ଏହି ହାର ୬୧ ପ୍ରତିଶତ ଥିଲା। ଦୁଇ ବର୍ଷରେ ସେଥିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବା ରିପୋର୍ଟରେ କୁହାଯାଇଛି। ଜଳସେଚନ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ସରକାର ନିବେଶ ବଢ଼ାଇବା ପରେ ରାଜ୍ୟର ଜଳସେଚନ ସମ୍ଭାବନା କ୍ଷେତ୍ର ୭୪.୨ ହେକ୍ଟରକୁ ବୃଦ୍ଧି ପାଇଛି।
ସର୍ଭେ ରିପୋର୍ଟ ଅନୁଯାୟୀ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ୩ ପ୍ରତିଶତ ବୃଦ୍ଧି ପାଇ ୨୭.୧ ଲକ୍ଷ ମେଟ୍ରିକ୍ ଟନ୍ ହୋଇଛି। ଅଣ୍ଡା ଉତ୍ପାଦନ ୨୦୨୦-୨୧ରୁ ୨୦୨୪-୨୫ ମଧ୍ୟରେ ବାର୍ଷିକ ୧୪ ପ୍ରତିଶତ ହାରରେ ବୃଦ୍ଧି ପାଇ ୪୦୬ କୋଟିରେ ପହଞ୍ଚିଛି। ଓଡ଼ିଶା ହେଉଛି ଦେଶର ଚତୁର୍ଥ ବୃହତ୍ତମ ମତ୍ସ୍ୟ ଉତ୍ପାଦନକାରୀ ରାଜ୍ୟ। ୨୦୨୪-୨୫ରେ ମାଛ ଉତ୍ପାଦନ ୬.୧ ପ୍ରତିଶତ ବୃଦ୍ଧି ପାଇ ୧୧.୯୨ ଲକ୍ଷ ଟନ୍ ହୋଇଛି। ଚିଙ୍ଗୁଡ଼ି ରପ୍ତାନି ବାର୍ଷିକ ୭.୭ ପ୍ରତିଶତ ହାରରେ ବୃଦ୍ଧି ପାଇ ୪୭୦୮.୧ କୋଟି ଟଙ୍କାରେ ପହଞ୍ଚିଛି।
ରାଜ୍ୟର ମୋଟ୍ ମୂଲ୍ୟ ଯୋଗ (ଜିଭିଏ)କୁ ଶିଳ୍ପ କ୍ଷେତ୍ରର ଅବଦାନ ୪୧.୩ ପ୍ରତିଶତକୁ ବୃଦ୍ଧି ପାଇ ୩.୬ ଲକ୍ଷ କୋଟି ଟଙ୍କା ହୋଇଛି। ମାନୁଫାକ୍ଚରିଂ (ବିନିର୍ମାଣ) କ୍ଷେତ୍ରର ଅଭିବୃଦ୍ଧି ୮.୩ ପ୍ରତିଶତ ହୋଇଛି, ଯାହା ଜାତୀୟ ହାର ୭ ପ୍ରତିଶତଠାରୁ ଅଧିକ। ୨୦୨୫ରେ ରାଜ୍ୟ ସରକାର ୫.୬୬ ଲକ୍ଷ କୋଟି ଟଙ୍କାର ୨୪୪ଟି ନୂଆ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରିଛନ୍ତି, ଯାହା କାର୍ଯ୍ୟକାରୀ ହେଲେ ୩.୩୫ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ବର୍ଷ ୧.୭୫ ଲକ୍ଷ କୋଟି ଟଙ୍କା ନିବେଶର ୮୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରାଯାଇଛି, ଯେଉଁଥିରେ ୧.୪ ଲକ୍ଷ ନିଯୁକ୍ତି ସମ୍ଭାବନା ରହିଛି। ଓଡ଼ିଶା ଅର୍ଥନୀତିକୁ ସେବା କ୍ଷେତ୍ରର ଅବଦାନ ୩୯.୧ ପ୍ରତିଶତକୁ ବୃଦ୍ଧି ପାଇଛି। ଏହି କ୍ଷେତ୍ର ୯.୩ ପ୍ରତିଶତ ହାରରେ ବଢ଼ିବା ଆକଳନ କରାଯାଇଛି।
Health: ପୁଅର ଚିକିତ୍ସା ପାଇଁ ଅର୍ଥ ଅଭାବ, ଚିନ୍ତାରେ ଦାଦନ ପରିବାର
ଆର୍ଥିକ ସେବା କ୍ଷେତ୍ରର ଅଭିବୃଦ୍ଧି ହାର ୧୧.୯ ପ୍ରତିଶତ ରହିବା ଆକଳନ କରାଯାଇଛି। ରାଜ୍ୟର ଦୃଢ଼ ଅର୍ଥନୈତିକ ସ୍ଥିତି ଉପରେ ଆଲୋକପାତ କରି ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ଜିଏସ୍ଡିପିକୁ ଋଣ ଅନୁପାତ ୧୩.୬ ପ୍ରତିିଶତ ରହିଛି, ଯାହା ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ସର୍ବନିମ୍ନ। ରାଜସ୍ବ ପ୍ରାପ୍ତିକୁ ସୁଧ ପ୍ରଦାନ ଅନୁପାତ ୨.୮ ପ୍ରତିଶତ ଭଳି ନିମ୍ନ ସ୍ତରରେ ରହିଛି। ଜିଏସ୍ଡିପିକୁ ପୁଞ୍ଜି ବ୍ୟୟ ଅନୁପାତ ଦେଶରେ ସର୍ବାଧିକ ୬.୬ ପ୍ରତିଶତ ରହିଛି। ରାଜ୍ୟ ସରକାର ବନ୍ଦର ପଣ୍ୟ ପରିବହନ କ୍ଷମତାକୁ ୨୦୦ ନିୟୁତ ଟନ୍ରୁ ବଢ଼ାଇ ୫୦୦ ନିୟୁତ ଟନ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଦେଶର ୧୮ ପ୍ରତିଶତ ପଣ୍ୟକୁ ରାଜ୍ୟରେ ଥିବା ତିନି ବନ୍ଦର ଜରିଆରେ ପରିଚାଳନା କରାଯାଉଛି।
କିଛି ବର୍ଷ ମଧ୍ୟରେ ରାଜ୍ୟରେ ରେଳ ସଂଯୋଗରେ ବ୍ୟାପକ ଉନ୍ନତି ଘଟିଛି। ୨୦୨୪-୨୫ରେ ୨୦୦ କିମି ରେଳପଥ ଯୋଡ଼ାଯାଇଛି। ଫଳରେ ମୋଟ୍ ରେଳପଥ ୩,୨୪୩ କିମିକୁ ବଢ଼ିଛି। ରାଜ୍ୟର ରେଳଯାତ୍ରୀ ସଂଖ୍ୟା ୨୦୨୧-୨୨ ପରଠାରୁ ବାର୍ଷିକ ୩୯.୫ ପ୍ରତିଶତ ହାରରେ ବୃଦ୍ଧି ପାଇ ୯.୩୫ କୋଟିରେ ପହଞ୍ଚିଛି। ବିମାନ ଚଳାଚଳ କ୍ଷେତ୍ରରେ ଓଡ଼ିଶା ଯଥେଷ୍ଟ ଅଗ୍ରଗତି ହାସଲ କରିଛି। ଦେଶର ୩୦ଟି ସହରକୁ ରାଜ୍ୟରୁ ସିଧା ବିମାନ ସଂଯୋଗ ରହିଛି। ୨୦୨୪-୨୫ରେ ରାଜ୍ୟରୁ ୧୨୦୦ରୁ ଅଧିକ ବିମାନ ଚଳାଚଳ କରିଥିଲା। ବିମାନ ଯାତ୍ରୀ ସଂଖ୍ୟା ବାର୍ଷିକ ୩୧ ପ୍ରତିଶତ ହାରରେ ବୃଦ୍ଧି ପାଇଛି।
ସାର୍ବଜନୀନ ସ୍ବାସ୍ଥ୍ୟରେ ନିବେଶ ପରିମାଣ ୨୦୨୪-୨୫ରେ ୧୯.୭ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି। ରାଜ୍ୟରେ ୮୫୦୦ରୁ ଅଧିକ ସାର୍ବଜନୀନ ସ୍ବାସ୍ଥ୍ୟ ଅନୁଷ୍ଠାନ ରହିଛି। ରାଜ୍ୟ ସରକାର ବିଦ୍ୟାଳୟ ଶିକ୍ଷା ବ୍ୟୟକୁ ଦୁଇ ବର୍ଷରେ ୩୧,୧୮୫ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ୨୦୨୩-୨୪ରେ ତାହା ୨୨,୫୨୭ କୋଟି ଟଙ୍କା ଥିଲା। ସରକାରୀ ବିଦ୍ୟାଳୟଗୁଡ଼ିକରେ କମ୍ପ୍ୟୁଟର ସୁବିଧା ହାର ୨୯ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ୨୦୨୪-୨୫ରେ ୮୪ ପ୍ରତିଶତ ବିଦ୍ୟାଳୟରେ ଇଣ୍ଟରନେଟ୍ ସୁବିଧା ଥିଲା। ରାଜ୍ୟର ଛାତ୍ରଛାତ୍ରୀ-ଶିକ୍ଷକ ଅନୁପାତ ଜାତୀୟ ହାରଠାରୁ ଉନ୍ନତ ରହିଛି। ରାଜ୍ୟ ଜନସଂଖ୍ୟାର ୬୯ ପ୍ରତିଶତ ଲୋକ କର୍ମକ୍ଷେତ୍ର ପାଇଁ ପ୍ରସ୍ତୁତ ରହିଛନ୍ତି। ୨୦୨୫ରେ ୧୬.୪୨ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି।
ସର୍ଭେ ଅନୁସାରେ, ରାଜ୍ୟର ପରିବାରଗୁଡ଼ିକ ସମୃଦ୍ଧ ହେବାରେ ଲାଗିଛନ୍ତି। ଅଧିକରୁ ଅଧିକ ପରିବାରରେ ଦୁଇଚକିଆ ଗାଡ଼ି, କାର୍, ମୋବାଇଲ୍ ଫୋନ୍, ରେଫ୍ରିଜରେଟର, ଏସିି ରହିଛି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗରେ ମୋଟ ନାମଲେଖା ଅନୁପାତ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ୧୦୦ ପ୍ରତିିଶତ ପାଖାପାଖି ବୃଦ୍ଧି ପାଇଛି। ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାରେ ନାମ ଲେଖାଇଥିବା ବେଳେ ସେଥିରୁ ୭୦ ହଜାର ହେଉଛନ୍ତି ଏସ୍ସି, ଏସ୍ଟି। ଓଡ଼ିଶା ଦେଶର କ୍ରୀଡ଼ା ରାଜଧାନୀ ଭାବେ ଉଭା ହୋଇଛି। ୨୦୨୫-୨୬ରେ କ୍ରୀଡ଼ା ଓ ଯୁବସେବାକୁ ୧,୩୧୯ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ୬୦୦ କୋଟି ଟଙ୍କା ବିନିଯୋଗରେ ଛଅଟି ଜିଲ୍ଲାକୁ ଆଞ୍ଚଳିକ କ୍ରୀଡ଼ା ହବ୍ ଭାବେ ବିକାଶ କରାଯାଇଛି।
Follow Us