ରାଜନଗର: ରାଜ୍ୟର ବିଭିନ୍ନ ସ୍ଥାନର ଯୁବକମାନଙ୍କ ଆକାଉଣ୍ଟକୁ ଆସୁଛି ବିଦେଶରୁ କୋଟିକୋଟି ଟଙ୍କା। ଅତ୍ୟନ୍ତ ଆଶ୍ଚର୍ଯ୍ୟ ଢଙ୍ଗରେ ଜଣେଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ୫୦ ଲକ୍ଷରୁ ଆରମ୍ଭ କରି କୋଟିଏ ଟଙ୍କା ପର୍ଯ୍ୟନ୍ତ ଆସୁଛି। ତେବେ ଏ ଦିଗରେ ଖୋଳତାଡ଼ କରାନଯିବା ଘଟଣା ଏବେ ସନ୍ଦେହର କାରଣ ହୋଇଛି। ନିକଟରେ ଜଣେ ଯୁବକଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କା ଭାଗବଣ୍ଟାକୁ ନେଇ ଦଲାଲଙ୍କ ସହ ବଚସା ହେବା ଏବଂ ବନ୍ଧୁକ ଦେଖାଇ ଧମକ ଦେବା ଯାଏଁ କଥା ଯାଇଛି।
ଜଳୁଛି ଇଟାଭାଟି, ଦୂଷିତ ହେଉଛି ପରିବେଶ: ପ୍ରଶାସନ ନୀରବ
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଏକମାଣିଆ ଗାଁର ଅନନ୍ତ କରଣ ୨୦୦୯ରେ ଆଫଗାନିସ୍ତାନରେ କାମ କରୁଥିଲେ। ୨୦୧୧ରୁ ସେ ଗାଁକୁ ଫେରି ଆସିଥିଲେ। ୧୫ଦିନ ତଳେ ତାଙ୍କ ଆକାଉଣ୍ଟକୁ ୪୭ଲକ୍ଷ ଟଙ୍କା ଆସିଥିଲା। ବ୍ୟାଙ୍କ ଆକାଉଣ୍ଟକୁ ଆସିବା ପରେ ସେ ସମସ୍ତ ଟଙ୍କା ଉଠାଇ ନେଇଥିଲେ। ତେବେ ଏହି ଟଙ୍କାରୁ ୩୩ ପ୍ରତିଶତ ଅର୍ଥ ପାଇବାକୁ ଦାବି କରି କିଛି ଯୁବକ ୬ଦିନ ତଳେ ତାଙ୍କ ଗାଁରେ ପହଞ୍ଚିଥିଲେ। ଗାଁରେ ତାଙ୍କୁ ନ ପାଇ ପରିବାର ଲୋକଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି। ଅନ୍ୟପଟେ କେବଳ ଅନନ୍ତ ନୁହନ୍ତି ଶହଶହ ଯୁବକଙ୍କ ଆକାଉଣ୍ଟକୁ ପ୍ରତିମାସରେ ଏଭଳି ବିଦେଶରୁ ପୁଳାପୁଳା ଟଙ୍କା ଆସୁଥିବା ସୂଚନା ମିଳିଛି। ନକଲି ଡାକ୍ତରୀ ପ୍ରମାଣପତ୍ର ଓ ଡାକ୍ତରଙ୍କ ନକଲି ପ୍ରେସ୍କ୍ରିପ୍ସନ୍ ବଳରେ ଏହି ଅର୍ଥ ବିଦେଶରୁ ଆସୁଥିବା ଜଣାପଡ଼ିଛି। ଏହି ବିଦେଶୀ ଅର୍ଥ ଆକାଉଣ୍ଟକୁ କିପରି ଆସିବ ସେଥିପାଇଁ ରାଜନଗରରୁ ଭୁବନେଶ୍ବର ଓ ଦିଲ୍ଲୀ ଯାଏଁ ଯୋଜନାବଦ୍ଧ ରୢାକେଟ୍ କାମ କରୁଛି।
କମିସନ୍ ପାଇଁ ଧମକଚମକ, ଛକାପଞ୍ଝା
ଏହି ରୢାକେଟ୍ରେ ଡାକ୍ତରଙ୍କଠାରୁ ଆରମ୍ଭ କରି ଦଲାଲ ଓ ବିଭିନ୍ନ ବୀମା କମ୍ପାନି କର୍ମଚାରୀ ସମ୍ପୃକ୍ତ ଅଛନ୍ତି। ଏ ସମ୍ପର୍କରେ ଅନନ୍ତ କରଣଙ୍କୁ ପଚାରିବାରୁ ସେ କହିଛନ୍ତି ଯେ କିଛି ଯୁବକ ତାଙ୍କର ମେଡିକାଲ୍ କାଗଜପତ୍ର ପ୍ରସ୍ତୁତ କରିଥିଲେ। ସେହି କାଗଜପତ୍ର ନେଇ ସେମାନେ ଅର୍ଥ ପାଇଁ ଆବେଦନ କରିଥିଲେ। ସେମାନେ ଟଙ୍କା ଆସିଲେ ସମୁଦାୟ ଅର୍ଥର ୩୩ପ୍ରତିଶତ ନେବେ ବୋଲି ପୂର୍ବରୁ ଦୁଇଟି ଚେକ୍ ଓ ଏଗ୍ରିମେଣ୍ଟରେ ଦସ୍ତଖତ କରାଇ ନେଇଥିଲେ। ତାଙ୍କର ଓ ତାଙ୍କ ପତ୍ନୀଙ୍କ ବିରୋଧ ସତ୍ତ୍ବେ ସେମାନେ ଜୋର୍ଜବରଦସ୍ତ ବ୍ଲାଙ୍କ ଚେକ୍ ଓ ବଣ୍ଡ୍ ପେପର୍ରେ ଦସ୍ତଖତ କରାଇ ନେଇଥିଲେ। ସେଥିପାଇଁ ସେମାନେ ୧୫ ଲକ୍ଷ ଟଙ୍କା ଦାବି କରୁଛନ୍ତି ବୋଲି ଅନନ୍ତ କହିଛନ୍ତି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ଏକ ବଡ଼ଧରଣର ବେଆଇନ କାରବାର ସାମନାକୁ ଆସିବ।
Follow Us