ଭୁବନେଶ୍ବର: ଖୋଦ ଭୁବନେଶ୍ବରରେ ଡେରା ପକାଇ ରୢାକେଟ୍ ଚଳାଇଥିବା ଏକ ୧୨ଜଣିଆ ସାଇବର ଠକ ଗ୍ୟାଙ୍ଗ୍ କମିସନରେଟ୍ ପୁଲିସ ପଞ୍ଝାରେ ପଡ଼ିଛି। ‘କାଟ୍ରି ସରାଇ ଗ୍ୟାଙ୍ଗ୍’ ନାଁରେ ଜଣାଶୁଣା ଏହି ରୢାକେଟ୍ରେ ବିହାରୀ, କେରଳୀ ଠକଙ୍କ ସହ ଜଣେ ଓଡ଼ିଆ ଯୁବକ ଅଛନ୍ତି। ବଡ଼ଗଡ଼ ଥାନା ଅଞ୍ଚଳରୁ ଧରାପଡ଼ିଥିବା ଏହି ଅଭିଯୁକ୍ତମାନେ ହେଲେ ଘରମାଲିକ ବଡ଼ଗଡ଼ ଟଙ୍କପାଣିରୋଡ୍ର ଦେବାଶିଷ ତ୍ରିପାଠୀ(୪୪), ବିହାରର ବିଜୟ କୁମାର(୨୪), ପିଣ୍ଟୁ କୁମାର(୨୭), ସଞ୍ଜୟ କୁମାର ରୟ(୪୨), ଗୁଞ୍ଜନ କୁମାର(୪୦), ମନିଷ କୁମାର(୨୦), ଅର୍ଜୁନ ରାଜା ଓରଫ ବିଟୁ ରାଜା(୨୨), ପଙ୍କଜ କୁମାର ଓରଫ ପଙ୍କଜ ଚାନ୍ଦିନୀ(୨୨), କେରଳର ଅଜୟ ରାଜା(୩୯), ସନ୍ଥୁର ଭି(୨୫), ଅଜିତ୍ ଏମ୍(୨୮) ଓ ସରଥ ଶଶି(୨୫)। ପୁଲିସ ସେମାନଙ୍କ ନିକଟରୁ ଥାର୍ ଗାଡ଼ି, ବାଇକ୍, ୬୦ଟି ମୋବାଇଲ୍ ଫୋନ୍, ୨ଟି ଲ୍ୟାପ୍ଟପ୍, ବିପୁଳ ସିମ୍, ସ୍କ୍ରାଚ୍ କାର୍ଡ ଓ ବହୁ ଗୁୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ ଓ ଡିସିପି ଜଗମୋହନ ମିନା ଏହି ଗ୍ୟାଙ୍ଗ୍ର ଚୂନ ଲଗାଇବା ଅପରେସନ୍ ସମ୍ପର୍କରେ ସୂଚନା ଦେଇଥିଲେ।
The sisira saras: ଶିଶିର ସରସ, ଜମିଲା ରବିବାରିଆ ଭିଡ଼
୨୦୨୧ ମସିହାରେ ଅଭିଯୁକ୍ତ ତଥା ଘରମାଲିକ ଦେବାଶିଷ ଏକ ସାଇବର ଠକେଇର ଶିକାର ହୋଇଥିଲା। ଏହି ସମୟରେ ସେ ବିହାରର ସଞ୍ଜୟ ସହ ଯୋଗାଯୋଗରେ ଆସିିଥିଲା। ଦେବାଶିଷ ଜଣେ ଗ୍ରାଫିକ୍ସ ଡିଜାଇନର୍ ହୋଇଥିବାରୁ ବିହାରୀ ସଞ୍ଜୟ ତାକୁ ସାଇବର ଠକେଇ ଗ୍ୟାଙ୍ଗ୍ରେ ମିଶାଇବାକୁ ଯୋଜନା କରି ପ୍ରଲୋଭିତ କରିଥିଲା। ଠକେଇର ଶିକାର ଦେବାଶିଷ ରାଜି ହେବା ପରେ ବିହାରୀ ସଞ୍ଜୟ କାଟ୍ରି ସରାଇ ଗ୍ୟାଙ୍ଗ୍ ସହ ଯୋଗାଯୋଗ କରିଥିଲା। ୨୦୨୨ ମସିହାରେ ଠକ ଗ୍ୟାଙ୍ଗ୍ ଦେବାଶିଷ ଘରକୁ ଆସି ଡେରା ପକାଇଲେ ଏବଂ ଆରମ୍ଭ କଲେ ଠକେଇ ଅପରେସନ୍। ଓଡ଼ିଶାରେ ଡେରା ପକାଇଥିବାରୁ ପୁଲିସ ନଜରରୁ ବର୍ତ୍ତିବାକୁ ସେମାନେ ଓଡ଼ିଆ ଲୋକଙ୍କୁ ଟାର୍ଗେଟ୍ କରୁନଥିଲେ। ଏହି ଗ୍ୟାଙ୍ଗ୍ର ଚେର ଆସାମ, ପଶ୍ଚିମବଙ୍ଗ, କେରଳ, ହରିଆଣା ଆଦି ରାଜ୍ୟକୁ ମାଡ଼ିଥିଲା। ଲଟେରି, ଗିଫ୍ଟ ଭାଉଚର୍ ଓ ଋଣ କରାଇବା ଭଳି ବିଭିନ୍ନ ସ୍କିମ୍ରେ ଏହି ଠକ ଦଳ ଲୋକଙ୍କୁ ଚୂନ ଲଗାଉଥିଲା। ଏମାନଙ୍କ ଜାଲ ବିଛାଇବାରେ ସହଯୋଗ କରୁଥିବା ଏଜେଣ୍ଟମାନଙ୍କୁ ଠକେଇର ୧୬ ପ୍ରତିଶତ ଦିଆଯାଉଥିଲା।
କେମିତି ଧରାପଡ଼ିଲେ
୩ବର୍ଷ ଧରି ରାଜଧାନୀରେ ଏହି ରୢାକେଟ୍ ସକ୍ରିୟ ଥିଲେ ବି କେହି ଟେର୍ ପାଇନଥିଲେ। କିନ୍ତୁ ବାହାର ରାଜ୍ୟର ଗୁଇନ୍ଦା ସଂସ୍ଥା ଟେର୍ ପାଇବା ପରେ କମିସନରେଟ୍ ପୁଲିସ ସହ ଯୋଗାଯୋଗ କରିଥିଲେ। ବଡ଼ଗଡ଼ରେ ଏକ ସାଇବର ଠକର ନମ୍ବର ସକ୍ରିୟ ଥିବା ଜାଣିବା ପରେ କମିସନରେଟ୍ ପୁଲିସର ସ୍ପେସାଲ୍ ସ୍କ୍ବାଡ୍ ଓ ବଡ଼ଗଡ଼ ଥାନା ପୁଲିସକୁ ନେଇ ୨ଟି ଟିମ୍ ଗଠନ କରାଯାଇଥିଲା। ପୁଲିସ ଟିମ୍ ଦେବାଶିଷ ଘରକୁ ଠାବ କରିଥିଲେ ହେଁ ସବୁ ଠକ ବା ଗ୍ୟାଙ୍ଗ୍କୁ ଏକାଠି ଧରିବା ପାଇଁ ଛକି ରହିଥିଲା। ଗତକାଲି ରାତିରେ ଠକମାନେ ଦେବାଶିଷ ଘରେ ଏକାଠି ହୋଇଥିଲେ ଏବଂ ଛକି ରହିଥିବା ପୁଲିସ ଟିମ୍ ଅତର୍କିତ ଚଢ଼ଉ କରିଥିଲା।
କମର୍ସିଆଲ୍ ସାଇଟ୍ରୁ ତଥ୍ୟ ନେଇ ଲୁଟୁଥିଲେ
ଏହି ଗ୍ୟାଙ୍ଗ୍ ନାପ୍ତୋଲ୍, ମୋସୋ ଭଳି ସୋସିଆଲ୍ ମିଡିଆରେ ଥିବା ଇ-କମର୍ସ ସାଇଟ୍ରୁ ଗ୍ରାହକଙ୍କ ତଥ୍ୟ ହାତେଉଥିଲା। ସେହି ଗ୍ରାହକମାନଙ୍କୁ ଗିଫ୍ଟ ଭାଉଚର, ଲୋନ୍ ଓ ଲଟେରି ଲୋଭ ଦେଖାଇ ଲୁଟୁଥିଲେ। ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ସେମାନେ ସ୍କ୍ରାଚ୍ କାର୍ଡ, ଗିଫ୍ଟ ଭାଉଚର୍, ଲକି କୁପନ୍, ଅଫର୍ ଲେଟର୍ ଓ ଫେସବୁକ୍ ପେଜ୍ ଡିଜାଇନ୍ ଓ ପ୍ରିଣ୍ଟ କରୁଥିଲେ। ଚିଠିଗୁଡ଼ିକୁ ବସ୍ କୋଲକାତା ପଠାଯାଉଥିଲା। ସେଠାରେ ଥିବା ଏଜେଣ୍ଟମାନେ ସ୍ପିଡ୍ ପୋଷ୍ଟ ଷ୍ଟାମ୍ପ ଲଗାଇ ଗ୍ରାହକଙ୍କ ଠିକଣାକୁ ପଠାଉଥିଲେ। ଲକ୍ଷ ଟଙ୍କାର ପୁରସ୍କାର ଓ ମୂଲ୍ୟବାନ ଚାରିଚକିଆ ଗାଡ଼ି ଜିତିଥିବା ଦେଖି ଗ୍ରାହକମାନେ ଚିଠିରେ ଥିବା ମୋବାଇଲ୍ ନମ୍ବରରେ ଯୋଗାଯୋଗ କରୁଥିଲେ। ଏହାପରେ ଗ୍ରାହକ ଜଣକ ଫସୁଥିଲା। ସେହିପରି ଫେସ୍ବୁକ୍ରେ ମୁଦ୍ରା ଫାଇନାନ୍ସ ଲୋନ୍, ଇଣ୍ଡିଆ ବୁଲ୍ସ, ବଜାଜ ଫାଇନାନ୍ସ ଭଳି ସଂସ୍ଥାର ନାମ ବ୍ୟବହାର କରି କମ୍ ସୁଧରେ ଋଣ ମିଳିବ ବୋଲି ବିଜ୍ଞାପନ ଦେଇ ଲୋଭରେ ପଡ଼ୁଥିବା ଗ୍ରାହକକୁ ଲୁଟୁଥିଲେ। ସେହିଭଳି ସୋସିଆଲ୍ ମିଡିଆରେ ୪୯ ଟଙ୍କିଆ କେରଳ ଲଟେରି ବିକୁଥିଲେ ଏବଂ କିଛି ଗ୍ରାହକଙ୍କୁ ମିଛରେ ମୋଟା ଅଙ୍କର ଲଟେରି ଉଠିଥିବା କହୁଥିଲେ। ଯିଏ ବିଶ୍ବାସ କରୁଥିଲା, ତାକୁ କମିସନ ବାବଦରେ ୧୫ରୁ ୨୦ ହଜାର ଟଙ୍କା ଦେବାକୁ କହୁଥିଲେ। କିଛି ଲୋଭୀ ଗ୍ରାହକ ଏହି ଚାଲ୍ରେ ଫସୁଥିଲେ, ସେମାନଙ୍କ ଆକାଉଣ୍ଟ ମାଗି ନେଇ ଠକେଇ କରୁଥିଲେ। ଠକେଇ ଟଙ୍କାକୁ ମ୍ୟୁଲ୍ ଆକାଉଣ୍ଟ ଜରିଆରେ ଖେଳାଇ ସାରି ପୁଣି ନିଜ ଆକାଉଣ୍ଟକୁ ଫେରାଇ ଆଣୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/12/untitled-8-2026-01-12-04-22-05.jpg)