ଯାଜପୁର: ଏସିଆ ମହାଦେଶରେ ସର୍ବାଧିକ କ୍ରୋମାଇଟ୍‌ ଗଚ୍ଛିତ ରହିଛି ଯାଜପୁର ସୁକିନ୍ଦା ଅଞ୍ଚଳରେ। ପ୍ରାୟ ୬-୭ ଦଶନ୍ଧି ଧରି ଏହି ଅଞ୍ଚଳରୁ ଅନେକ କମ୍ପାନି କ୍ରୋମାଇଟ୍‌ ଉତ୍ତୋଳନ କରିଆସୁଛନ୍ତି। ତେବେ ରତ୍ନଗର୍ଭା ସୁକିନ୍ଦାରୁ ଯେଉଁଭଳି କ୍ରୋମାଇଟ୍‌ ଉତ୍ତୋଳନ ଚାଲିଛି ସେଥିରେ ଅଙ୍କୁଶ ନ ଲାଗିଲେ ଆଉ କିଛିବର୍ଷ ମଧ୍ୟରେ ଏହାର ଅକାଳ ମୃତ୍ୟୁ ଘଟିବା ସୁନିଶ୍ଚିତ। ଖଣି ସୁରକ୍ଷା ଦାୟିତ୍ୱରେ ଥିବା ସରକାରୀ ଅଧିକାରୀଙ୍କୁ ହାତବାରିସି କରି ମାଫିଆମାନେ ବେଆଇନ ଭାବେ ହଜାର ହଜାର କୋଟି ଟଙ୍କାର ମୂଲ୍ୟବାନ କ୍ରୋମାଇଟ୍‌ ଲୁଟ୍‌ କରି ଚାଲିଛନ୍ତି। 

Advertisment

Road Accident: ରାସ୍ତାରେ ମାଡ଼ିଗଲା ମୃତ୍ୟୁ... ଟ୍ରାକ୍ଟର ଦୁର୍ଘଟଣାରେ ୫ ବର୍ଷ ଶିଶୁର ଚାଲିଗଲା ଜୀବନ

ସୁକିନ୍ଦା ଖଣି ଅଞ୍ଚଳ ଚତୁଃପାର୍ଶ୍ୱରେ ଦେଶର ବହୁ ପ୍ରତିଷ୍ଠିତ କମ୍ପାନି ନିଜସ୍ବ ଲିଜ୍‌ ଖଣିରୁ ଉତ୍ତୋଳନ ଜାରି ରଖିଛନ୍ତି। ତେବେ ଏହି ଅଞ୍ଚଳରୁ ଆଜି ପର୍ଯ୍ୟନ୍ତ କେତେ ପରିମାଣର କ୍ରୋମାଇଟ୍‌ ଉତ୍ତୋଳନ ସରିଛି ଓ କେତେ ବଳକା ରହିଛି ତାହାର ପ୍ରକୃତ ହିସାବ କାହା ପାଖରେ ନାହିଁ। ପୂର୍ବରୁ କ୍ରୋମାଇଟ୍‌ ଉତ୍ତୋଳନ ଓ ବିପଣନକୁ ନେଇ ସେତେଟା ସରକାରୀ ନିୟମ କିମ୍ବା କଟକଣା ନଥିଲା। ଫଳରେ ଅସାଧୁ ଖଣି ଅଧିକାରୀ, ରାଜନେତାଙ୍କ ସହଯୋଗରେ କମ୍ପାନି ମାଲିକମାନେ ମନଇଚ୍ଛା ମୂଲ୍ୟବାନ ଖଣିଜ ସମ୍ପଦ ଉତ୍ତୋଳନ କରୁଥିବା ଅଭିଯୋଗ ହୋଇଥିଲା। ‌ଯେଉଁଥିରେ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଥିଲେ। ପରବର୍ତ୍ତୀ ସମୟରେ ଏହି ଅଭିଯୋଗ ଆଧାରରେ ଶାହା କମିସନ ତଦନ୍ତରେ ୬୫ ହଜାର କୋଟିର ଖଣି ଲୁଟ୍‌ ପ୍ରମାଣିତ ହେବା ପରେ ଖଣି କମ୍ପାନିଗୁଡ଼ିକ ନାମରେ ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ଶାହା କମିସନ ରିପୋର୍ଟରେ ତତ୍କାଳୀନ ସରକାର ଅଡ଼ୁଆରେ ପଡ଼ିବାରୁ କାର୍ଯ୍ୟାନୁଷ୍ଠାନ ଉପରେ ଆଉ ଗୁରୁତ୍ବ ଦିଆଯାଇନଥିଲା। ଯାହାକୁ ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ସେତେବେଳେ ପାଖାପାଖି ୨୦ଟି ଖଣିର ଦୁର୍ନୀତି ସମ୍ପର୍କିତ ତଥ୍ୟ ଦେଇ ପୂର୍ବ ସରକାର ଉପରେ ଆଙ୍ଗୁଳି ଉଠାଇଥିଲେ। ସେ କହିଥିଲେ, ୨୦୧୯-୨୦ ଆର୍ଥିକ ବର୍ଷରେ ଯେଉଁ ଖଣିରୁ ଉଚ୍ଚମାନର ଖଣିଜ ପଦାର୍ଥ ବାହାରୁଥିଲା, ତାକୁ ନିମ୍ନମାନର ଦର୍ଶାଇ ବାହାରକୁ ରପ୍ତାନି ହେବାରୁ ସେଥିରେ ଏକ୍ସପୋର୍ଟ ଡ୍ୟୁଟି କମିବା ସହ ବିକ୍ରିମୂଲ୍ୟ କମିଲା।

NIA : ଜମ୍ମୁ ଏନଆଇଏ କାର୍ଯ୍ୟାଳୟ ନିକଟରୁ ମିଳିଲା ରାଇଫଲର ଟେଲିସ୍କୋପ୍

ରାଜ୍ୟ ମଧ୍ୟ ପ୍ରିମିୟମ୍‌ ଦେଲା ଏବଂ ସେହି ଆଳରେ ଜିଲ୍ଲା ଖଣିଜ ପାଣ୍ଠିକୁ ଯେଉଁ ୧୦ ପ୍ରତିଶତ ରୟାଲ୍‌ଟି ଆସିଥାନ୍ତା, ତାହା ମଧ୍ୟ ହ୍ରାସ ପାଇଲା। ଫଳରେ ଖଣି ପ୍ରଭାବିତ ଅଞ୍ଚଳରେ ବିକାଶମୂଳକ କାମଗୁଡ଼ିକ ବ୍ୟାପକ ଭାବରେ ପ୍ରଭାବିତ ‌ହେଲା। ରାଜ୍ୟ ସରକାର ଯଦି ଶାହା କମିସନଙ୍କ ରିପୋର୍ଟକୁ ଗୁରୁତ୍ବ ଦେଇଥା’ନ୍ତେ ରାଜ୍ୟର ରାଜସ୍ବ ବଢ଼ିଥାନ୍ତା ବୋଲି ଅପରାଜିତା ସେତେବେଳେ ଟାର୍ଗେଟ୍‌ କରିଥିଲେ। ତେବେ ରାଜ୍ୟରେ ସରକାର ବଦଳିବା ପରେ ମଧ୍ୟ ବେଆଇନ ଖଣି ଉତ୍ତୋଳନ ଓ ଧାତୁପଥର ପୂର୍ବ ପରି ଲୁଟ୍‌ ଜାରି ରହିଛି। ଯଦିଓ ବର୍ତ୍ତମାନର ଖଣି ଓ ଇସ୍ପାତ ବିଭାଗ ପକ୍ଷରୁ ଏହା ଉପରେ ରୋକ୍‌ ଲଗାଯିବା ସହିତ ଖଣି ଉତ୍ତୋଳନ ଉପରେ ନୂଆ ନିୟମ ଲାଗୁ କରାଯିବ ବୋଲି ବାରମ୍ବାର ଘୋଷଣା କରାଯାଉଛି, ତାହା କିନ୍ତୁ କାର୍ଯ୍ୟକାରୀ ହୋଇନାହିଁ। ବିଭିନ୍ନ ଅଞ୍ଚଳରେ କ୍ରୋମ୍‌ ଖଣି ମାଫିଆ ମାତିଛନ୍ତି। ପରିବେଶ ପ୍ରଦୂଷଣକୁ ଆଖିଠାର ମାରି ସମସ୍ତ ପ୍ରକାର ନିୟମକୁ ଉଲ୍ଲଂଘନ କରାଯାଉଛି। ରାଜ୍ୟ ସରକାର କୋଟିକୋଟି ଟଙ୍କା ରାଜସ୍ବ ହରାଉଛନ୍ତି। ଏଭଳି ସ୍ଥିତିରେ କ୍ରୋମ୍‌ ଉତ୍ତୋଳନକୁ ସରକାର ସୁନିୟନ୍ତ୍ରିତ କରିବା ସହିତ ଏଥିରେ ସ୍ୱଚ୍ଛତା ଆଣିବାର ଆବଶ୍ୟକତା ରହିଛି ବୋଲି ସୁକିନ୍ଦାବାସୀ ମତପ୍ରକାଶ କରିଛନ୍ତି।