ମାଲକାନଗିରି: ଓଡ଼ିଶାର ବାରମ୍ବାର ବିରୋଧର ପ୍ରଭାବ ପଡ଼ିଲା ନାହିଁ। ମାଲକାନଗିରି ଜିଲ୍ଲାର ଶହ ଶହ ଏକର ଜମି ଓ ଜଙ୍ଗଲ ବୁଡ଼ିଯିବ। ହଜାର ହଜାର ପରିବାର ବିସ୍ଥାପିତ ହେବେ। କାରଣ ଆନ୍ଧ୍ର ସରକାରଙ୍କ ମହତ୍ତ୍ବାକାଂକ୍ଷୀ ପ୍ରକଳ୍ପ ଇନ୍ଦିରା ସାଗର ଡ୍ୟାମ୍‌ (ପୋଲାଭରମ) ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

Advertisment

ଗୋଦାବରୀ ନଦୀରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପ ଯୋଗୁଁ ଆନ୍ଧ୍ରପ୍ରଦେଶର ୧ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବିସ୍ଥାପିତ ହେବେ। ସେହିପରି ମାଲକାନଗିରି ଜିଲ୍ଲା ମୋଟୁ ତହସିଲ ଅନ୍ତର୍ଗତ ମୋଟୁ, ପୁଶୁଗୁଡ଼ା, ତାଣ୍ଡବାଇ, ମାରାଭରମ, ଟେଟରାଇ, ଲୋକନଗୁଡ଼ା, ମୁରଲୀଗୁଡ଼ା, କୋତାଗୁଡ଼ା, କମଳାପୁରମ, ବିନାୟକପୁର, ଆଲମା, ଇଚ୍ଛାପୁରମ, ପରସନପାଲୀ, ମାକନପାଲୀ, ଗାରସାପାଲୀ, ରାମଭରମ, ସୁନାବେଡ଼ା, ପେଟା, ସମିଳିବାଞ୍ଛା ପଞ୍ଚାୟତର ଗୋରଖପାଲୀ, ପୁଟମପା, ଏମ୍‌ଭି-୬୦, ଏମ୍‌ଭି-୬୧, ଏମ୍‌ଭି-୬୯, ଏମ୍‌ଭି-୧୧୦, ଏମ୍‌ଭି-୧୧୬, ଏମ୍‌ଭି-୬୨, କାଲଦାପାଲୀ, ମାଲାଭରମ, ପଡ଼ିଆ ସହ କାଲିମେଳା ବ୍ଲକର ମାଲାଭରମ ପଞ୍ଚାୟତର ଅନେକ ଗାଁ ବୁଡିଯିବ। ପ୍ରକଳ୍ପ ପାଇଁ ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନାର ୨୫୦ରୁ ଅଧିକ ଗାଁ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି। ୭,୬୫୬ ହେକ୍ଟର ଚାଷ ଜମି ଏବଂ ୫,୫୩୮ ହେକ୍ଟର ସଂରକ୍ଷିତ ଜଙ୍ଗଲ କ୍ଷତିଗ୍ରସ୍ତ ହେବ ବୋଲି କୁହାଯାଉଛି। ପ୍ରତିବର୍ଷ ବର୍ଷା ଦିନେ ଗୋଦାବରୀ ନଦୀର ପଛୁଆ ପାଣି ପାଇଁ ମାଲକାନଗିରି ଜିଲ୍ଲାର ଅନେକ ଅଞ୍ଚଳ ଜଳମଗ୍ନ ହେଉଥିଲା ବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଉଛି। ମାଲକାନଗିରି ଜିଲ୍ଲା ଦେଇ ପ୍ରବାହିତ ସିଲେରୁ ଓ ସାବେରୀ ନଦୀରୁ ମଧ୍ୟ ବନ୍ୟାଜଳ ନିଷ୍କାସନ ହୋଇପାରୁନି।

E-KYC: ଏମ୍‌ଜିନରେଗା ଇ-କେୱାଇସି ୬୩.୨୧ ପ୍ରତିଶତ, ରାଜ୍ୟ ହାରରୁ କମ୍

୧୯୭୮ ମସିହାରେ ଆନ୍ଧ୍ର ସରକାର ଅନ୍ତଃରାଜ୍ୟ ଚୁକ୍ତି ଅନୁସାରେ ପୋଲାଭରମ ପ୍ରକଳ୍ପ ପାଇଁ ପରିକଳ୍ପନା କରିଥିଲେ। ସେତେବେଳେ ଡ୍ୟାମ୍‌ ଉଚ୍ଚତା ୧୫୦ଫୁଟ କରିବାକୁ ଡିଜାଇନ୍‌ ହୋଇଥିଲା। ୧୯୯୭ ମସିହାରେ ପ୍ରକଳ୍ପର ଡିଜାଇନ୍‌ ପରିବର୍ତ୍ତନ କରି ୧୮୨ ଫୁଟ କରାଗଲା। ଏହାପରେ ହିଁ ପ୍ରକଳ୍ପକୁ ନେଇ ବିରୋଧ ଆରମ୍ଭ ହୋଇଥିଲା। ଏକାଧିକ ରାଜ୍ୟର ବିରୋଧ ସତ୍ତ୍ବେ ଏହି ପ୍ରକଳ୍ପକୁ କେନ୍ଦ୍ର ସରକାର ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇଛନ୍ତି। ଯାହାଫଳରେ ଆନ୍ଧ୍ର ସରକାର ପ୍ରକଳ୍ପ କାମକୁ ତ୍ବରାନ୍ବିତ କରି ୨୦୨୭ ମସିହା ସୁଦ୍ଧା ସଂପୂର୍ଣ୍ଣ କରିବାକୁ ଯୋଜନା ରଖିଛନ୍ତି। ୮୫ ପ୍ରତିଶତରୁ ଅଧିକ କାମ ସଂପୂର୍ଣ୍ଣ ହୋଇସାରିଲାଣି। ପ୍ରକଳ୍ପକୁ ବିରୋଧ କରି ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ରହିଛି। କେନ୍ଦ୍ର ସରକାର ପ୍ରକଳ୍ପ ଯୋଗୁଁ କ୍ଷତିଗ୍ରସ୍ତ ହେବାକୁ ଥିବା ରାଜ୍ୟ ନିମନ୍ତେ କୌଣସି କ୍ଷତିପୂରଣ ଆବଶ୍ୟକ ନାହିଁ ବୋଲି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ସିଲେରୁ ଓ ସାବେରୀ ନଦୀକୂଳରେ ଆଡ଼ିବନ୍ଧ ନିର୍ମାଣ କରାଯିବ। ଯାହାଫଳରେ ଓଡ଼ିଶା କିମ୍ବା ଛତିଶଗଡ଼କୁ ବନ୍ୟାଜଳ ପ୍ରବେଶ କରିବ ନାହିଁ ବୋଲି କେନ୍ଦ୍ର ସରକାର ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।

Sad news again from the jatra world: ଯାତ୍ରା ଜଗତରୁ ପୁଣି ଆସିଲା ଦୁଃଖଦ ଖବର: ଆରପାରିକୁ ଚାଲିଗଲେ ଜ୍ଞାନ

ଏନେଇ ଜିଲ୍ଲା ବିଜେଡି ସଭାପତି ମାନସ ମାଡକାମୀଙ୍କୁ ଯୋଗାଯୋଗ କରିବାରୁ ଆନ୍ଧ୍ର ଓ କେନ୍ଦ୍ର ସରକାର ପ୍ରକଳ୍ପକୁ ସଂପୂର୍ଣ୍ଣ ପାଇଁ ଜୋର୍‌ ଲଗାଇଛନ୍ତି। ଓଡ଼ିଶା ଓ ଛତିଶଗଡ଼ର ଯାହା କ୍ଷତି ହେବ ସେଥିପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ନା ଗ୍ରାମସଭା ହେଉଛି ନା କେତେ ଜଙ୍ଗଲ ଜମି, କେତେ ଗଛ, କେତେ ରାଜସ୍ବ ଜମି, କେତେ ଚାଷ ଜମି ବୁଡିବ ତାହାର ଆକଳନ କରାଯାଉଛି। ତେଣୁ ବିଜେଡି ପକ୍ଷରୁ ଆଗାମୀ ଦିନରେ ପୁଣି ଆନ୍ଦୋଳନ ହେବ ବୋଲି ସେ ସୂଚନା ଦେଇଛନ୍ତି।