ରାୟଗଡ଼ା: ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ବାଘୁନା ଡିଭିଜନ୍‌ର ୧୫ ନକ୍ସଲ। ପୁଲିସକୁ ବନ୍ଧୁକ ହସ୍ତାନ୍ତର କରି ଗୋଲାପ ଧରିଛନ୍ତି। ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ନକ୍ସଲ ବିରୋଧୀ ଅପରେସନ୍‌) ସଞ୍ଜୀବ ପଣ୍ଡାଙ୍କ ଉପସ୍ଥିତିରେ ନକ୍ସଲଙ୍କ ଘର ବାହୁଡ଼ା କାର୍ଯ୍ୟକ୍ରମ ହୋଇଛି। ଆତ୍ମସର୍ମପଣ କରିଥିବା ନକ୍ସଲଙ୍କ ମଧ୍ୟରେ ୭ ମହିଳା ଥିବାବେଳେ ୧୫ ନକ୍ସଲଙ୍କ ମୁଣ୍ଡରେ ଥିଲା ୧ କୋଟି ୯୮ ଲକ୍ଷ ଟଙ୍କାର ପୁରସ୍କାର। ମାଓ ଦମନ କ୍ଷେତ୍ରରେ ପୁଲିସ ପାଇଁ ଏହା ସବୁଠାରୁ ବଡ଼ ସଫଳତା ବୋଲି ଏଡିଜି ଶ୍ରୀ ପଣ୍ଡା କହିଛନ୍ତି।

Advertisment

High Court: ୩ ପୁଲିସ ଅଧିକାରୀଙ୍କ ଉପରେ ବର୍ଷିଲେ ହାଇକୋର୍ଟ

ଶୁକ୍ରବାର ବାଘୁନା ଡିଭିଜନ୍‌ର ୧୫ ନକ୍ସଲ ଆତ୍ମସର୍ମପଣ କରିଥିବା ନେଇ ଡିଜିପି ସୂଚନା ଦେଇଥିଲେ। କିନ୍ତୁ ଶନିବାର ରାୟଗଡ଼ା ପୁଲିସ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ୨ ରାଜ୍ୟ କମିଟି ସଦସ୍ୟ ନିଖିଲ ଓରଫ୍‌ ନିରଞ୍ଜନ ରାଉତ, ତାଙ୍କ ପତ୍ନୀ ଇନ୍ଦୁ ଓରଫ୍‌ ରଶ୍ମିତା ଲେଙ୍କା ଆତ୍ମସମର୍ପଣ କରିଥିଲେ। ଉଭୟଙ୍କ ନାମରେ ୫୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଛି। ସେହିପରି ଆତ୍ମସମର୍ପଣ କରିଥିବା ଅନ୍ୟ ୧୩ ନକ୍ସଲଙ୍କ ନାମରେ ୮୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଛି।

ବନ୍ଧୁକ ଛାଡ଼ି ‌ଗୋଲାପ ଧରିଲେ ୧୫ ନକ୍ସଲ
୧୪ ବନ୍ଧୁକ, ୩୬୨ ରାଉଣ୍ଡ ଗୁଳି, ୧୫ ମାଗାଜିନ୍‌ ଜବତ
ମୁଣ୍ଡରେ ଥିଲା ୧.୯୮ କୋଟି ୪ ଜିଲ୍ଲାରେ ସକ୍ରିୟ ୩୫ ନକ୍ସଲ

ଆତ୍ମସମର୍ପଣ କରିଥିବା ଅନ୍ୟ କ୍ୟାଡର ନକ୍ସଲ ହେଲେ ଡିସିଏମ୍‌ ବିକାଶ ଓରଫ୍‌ ସୁନୀଲ, ଏସିଏମ୍‌ ସୁନ୍ଦର ଓରଫ୍‌ ଗମ୍ପା ଓୟମ, ପ୍ରଦୀପ ଓରଫ୍‌ ସୋନୁ ଟାଟି, ରୋଷନୀ ଓରଫ୍‌ ପାଲ୍ଲି ମାଧବୀ, ଅରୁଣା ଓରଫ୍‌ ଆର୍ଣା, ନାନ୍ଦେ ଓରଫ୍‌ ରାମେ ପୁନେମ, ପାର୍ଟି ମେମ୍ବର ନିକିତା ଓରଫ୍‌ ପାଇକେ କାର୍ଜମ, କୁମାରୀ ଓରଫ୍‌ ପୋଜେ କର୍ମା, ଦୀପକ ଓରଫ୍‌ ବାମନ, ରାକେଶ  ଓରଫ୍‌ ଜଗା କାୱାସି, ଲଲିତ ଓରଫ୍‌ ସାନ କୁଞ୍ଜମ, ରାଜେ ଓରଫ୍‌ ଛୋଟି ଉଇକା ଓ ମାଲତୀ ଇଦମେ ସୋଧି। ବାଘୁନା ଡିଭିଜନ୍‌ର କ୍ୟାଡର ମାଓବାଦୀଙ୍କଠାରୁ ୨ଟି ଏକେ ୪୭, ୫ଟି ଏସ୍‌ଏଲ୍‌ଆର୍‌, ଗୋଟିଏ ଷ୍ଟେନ୍‌ଗନ୍‌, ଗୋଟିଏ ଇନ୍‌ସାସ୍‌, ଗୋଟିଏ ୩୦୩ ରାଇଫଲ୍‌, ୪ଟି ସିଙ୍ଗଲ ସଟ୍‌ ଗନ୍, ୩୬୨ ରାଉଣ୍ଡ ଗୁଳି ଓ ୧୫ଟି ମାଗାଜିନ୍‌ ଜବତ ହୋଇଛି।

Weekly Horoscope 2026 Feb 8 To Feb 14: ଜାଣନ୍ତୁ ଏ ସପ୍ତାହର ରାଶିଫଳ

ବାଘୁନା ଡିଭିଜନ୍‌ରେ ଆହୁରି ୧୨ ନକ୍ସଲ ଅଛନ୍ତି। ସେହିପରି କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଜିଲ୍ଲାରେ ୩୦ରୁ ୩୫ ନକ୍ସଲ ସକ୍ରିୟ ରହିଛନ୍ତି। ସକ୍ରିୟ ନକ୍ସଲ ମୁଖ୍ୟସ୍ରୋତକୁ ଫେରି ଆସିବାକୁ ଆହ୍ବାନ ଦେଇଛନ୍ତି ଏଡିଜି ଶ୍ରୀ ପଣ୍ଡା। ଓଡ଼ିଶାର ୫ ଜିଲ୍ଲା ମାଓମୁକ୍ତ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶାକୁ ମାଓମୁକ୍ତ କରାଯିବ। ଏହି ସମୟ ମଧ୍ୟରେ ସକ୍ରିୟ ଥିବା ନକ୍ସଲ ଆତ୍ମସମର୍ପଣ କଲେ ସରକାରଙ୍କ ପୁନର୍ବାସ ନୀତି ଅନୁଯାୟୀ ଥଇଥାନ କରାଯିବ ବୋଲି ଏଡିଜି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆଇଜି ଅପରେସନ୍‌ ଦୀପକ କୁମାର, ସିଆର୍‌ପିଏଫ୍‌ ଆଇଜି ଅମିତେନ୍ଦ୍ରନାଥ ସିହ୍ନା, ଡିଆଇଜି (ଏସ୍‌ଆଇଡବ୍ଲ୍ୟୁ) ଅଖିଳେଶ୍ୱର ସିଂ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଲ ସିଂ, ରାୟଗଡ଼ା ଆରକ୍ଷୀ ଅଧୀକ୍ଷକ ସ୍ୱାଥୀ ଏସ୍‌.କୁମାର, କନ୍ଧମାଳ ଏସ୍‌ପି ହରିଶ ବିସି, କଳାହାଣ୍ଡି ଏସ୍‌ପି ନାଗରାଜ ଦେବରକଣ୍ଡା, ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ସିଆରପିଏଫ୍‌ ୪ର୍ଥ ବାଟାଲିଅନ୍‌ କମାଣ୍ଡାଣ୍ଟ ଫିରୋଜ କୁଜୁର, ଏସଆଇଡବ୍ଲ୍ୟୁ ଡିଏସ୍‌ପି ସୁରେଶ ବଳ ଓ ପୁଲିସର ବହୁ ଅଧିକାରୀ ଉପସ୍ଥିତ ଥିଲେ।