ଘୁ.ଉଦୟଗିରି: କ୍ଷମତା ଗଲେ ଦଳରେ ଆଉ ଶୃଙ୍ଖଳା ରହୁ ନଥିବା ଏବଂ ଦଳୀୟ କନ୍ଦଳ ତୀବ୍ର ହେଉଥିବା ଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଏନ୍‌ଏସିରେ। ଏନ୍‌ଏସିର ଉପାଧ୍ୟକ୍ଷ ସନ୍ତୋଷ ବାଘଙ୍କ ବିରୁଦ୍ଧରେ ବିଭିନ୍ନ ଦୁର୍ନୀତି ଅଭିଯୋଗ ଆଣି ଅନାସ୍ଥା ଆଣିଛନ୍ତି ୯ଜଣ କାଉନସିଲର। ଗତ ୧୫ଦିନ ତଳେ କନ୍ଧମାଳ ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଲିଖିତ ଅନାସ୍ଥା ପତ୍ର ପ୍ରଦାନ କରିଛନ୍ତି। ବିଜେଡିର କାଉନସିଲରମାନେ ଏହି ଅନାସ୍ଥା ଆଣିଛନ୍ତି।

Advertisment

ଏହି ଖବର ପଢ଼ନ୍ତୁ: ପୁଷ୍ପା-୨ ଦେଖିବାକୁ ଯାଇଥିବା ମହିଳାଙ୍କ ହେଲା ମୃତ୍ୟୁ

ନଗର ବିଜେଡି ସଭାପତି ଏହାର ନେତୃତ୍ୱ ନେଉଥିବା ବେଳେ ବିଜେପିର ତିନି କାଉନସିଲର ଅଛନ୍ତି। ବିଜେଡି ଏବଂ ବିଜେପି ମିଳିତ ଭାବେ ଉପାଧ୍ୟକ୍ଷଙ୍କୁ ଗାଦିଚ୍ୟୁତ କରିବା ପାଇଁ ଦୀର୍ଘ ୧୫ଦିନ ହେଲା କାଉନସିଲରମାନେ ସହର ବାହାରେ ଅଛନ୍ତି। ଇତି ମଧ୍ୟରେ ଏନ୍‌ଏସି ଉପାଧ୍ୟକ୍ଷଙ୍କ ସମେତ ଏନ୍‌ଏସି ଅଧ୍ୟକ୍ଷା ଏବଂ ତିନିଜଣ ବିଜେଡି କାଉନସିଲର ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କ ସାକ୍ଷାତ କରି ଅନାସ୍ଥା ବିଷୟରେ ଆଲୋଚନା କରିବା ସହ ବରିଷ୍ଠ ନେତା ଦେବୀ ମିଶ୍ର, ପୂର୍ବତନ ବିଧାୟକ ସାଲୁଗା ପ୍ରଧାନ ଏବଂ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କୁ ଭୁବନେଶ୍ୱରରେ ସାକ୍ଷାତ କରି ଏହିବିଷ୍ୟରେ ଆଲୋଚନା କରି ଫେରିଥିବାର ଇତି ମଧ୍ୟରେ ୧୩ଦିନ ବିତିଗଲାଣି ହେଲେ ବିଜେଡି ନେତା ଏହି ସମସ୍ୟାର ସମାଧାନ କରିପାରୁନାହାନ୍ତି।

ଏହି ଖବର ପଢ଼ନ୍ତୁ: ବିଜେଡିରେ ଗୋଷ୍ଠୀ କନ୍ଦଳ

ଦିନ ଯେତେ ଗଡୁଛି, ଅଡ଼ୁଆ ସେତେ ବଢ଼ୁଛି। ବିଜେଡି ନେତାଙ୍କ ନିୟନ୍ତ୍ରଣରେ ନାହାନ୍ତି ବିଜେଡିର ନିର୍ବାଚିତ ଅସନ୍ତୁଷ୍ଟ କାଉନସିଲର ଏବଂ ନଗର ସଭାପତି। କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ଇସ୍ତଫା ଦେବାପରେ ନେତୃତ୍ୱ ହୀନ ହୋଇପଡିଛି କନ୍ଧମାଳ ବିଜେଡ଼ି। ଜିଲ୍ଲାର ଦଳୀୟ ସମସ୍ୟା ବୁଝିବାକୁ କେହି ନେତା ନାହାନ୍ତି। ଏଣୁ ଦିନକୁ ଦିନ ବିଜେଡି କନ୍ଦଳ ବଢ଼ିବାରେ ଲାଗିଛି। 

ଗତକାଲି ରାଜ୍ୟ ବିଜେଡି ସଭାପତିଙ୍କ ନିର୍ଦେଶ କ୍ରମେ କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକ ଫୁଲବାଣୀ ଆସି ପହଂଚି ଘୁ.ଉଦୟଗିରି ନଗର ସଭାପତିଙ୍କୁ ସାକ୍ଷାତ କରିବାକୁ ଅପେକ୍ଷା କରି ନିରାଶ ହୋଇ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରି ବିଫଳ ହୋଇ ଭୁବନେଶ୍ୱର ଫେରି ଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି। ଆଜି ପର୍ଯ୍ୟନ୍ତ ଅନସ୍ତା ପ୍ରସ୍ତାବ ନିମନ୍ତେ ତାରିଖ ଧର୍ଯ୍ୟ ହୋଇନଥିବା ବେଳେ ସମସ୍ତ ୯ଜଣ କାଉନସିଲରମାନେ ସହର ବାହାରେ ରହିଥିବା ଜଣାପଡିଛି। ବିଜେଡି କ୍ଷମତାରୁ ହଟିବା ପରେ ଦଳ ଭିତରେ ଆଉ ଶୃଙ୍ଖଳା ନଥିବା ଭଳି ଜଳ ଜଳ ଦେଖାଗଲାଣି। ନିଜନିଜ ଭିତରେ ଚାଲିଛି କନ୍ଦଳ।

ଏହି ଖବର ପଢ଼ନ୍ତୁ: ସରକାରୀ ଯୋଜନା ସାତସପନ

ରାଜ୍ୟ ରାଜନୀତିରେ ବିଜେଡି ବିଜେପିର ସମ୍ପର୍କ କିଭଳି ରହିଛି ସମସ୍ତେ ଜାଣିଥିବା ବେଳେ ଘୁ.ଉଦୟଗିରି ଏନଏସିରେ ବିଜେଡି ଏବଂ ବିଜେପି କାଉନସିଲରମାନେ ମିଳିତ ଭାବେ ଅନାସ୍ଥା ଆଣିବା ଏବଂ ଦୀର୍ଘ ୧୫ଦିନ ହେଲା ସହର ବାହାରେ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସହରର ବିଭିନ୍ନ ଚା ଖଟିରେ ଚର୍ଚ୍ଚାର ଖୋରାକ ଯୋଗେଇଛି।

ଏହି ଖବର ପଢ଼ନ୍ତୁ: ୩ ବର୍ଷରେ ବ୍ରଜପାତ ନେଲାଣି ୧୦୫୭ ଜୀବନ