ଭୁବନେଶ୍ୱର: ସଡ଼କ ସୁରକ୍ଷା ପାଇଁ ରାଜ୍ୟ ସରକାର ୪ଟି ‘ଇ’ ପାଳନ କରିବା ଉପରେ ଗୁରୁତ୍ବ ଦେଇଛନ୍ତି। ସେଗୁଡ଼ିକ ହେଲା ‘ଏଜୁକେସନ୍’ ବା ଶିକ୍ଷା, ‘ଏନ୍ଫୋର୍ସମେଣ୍ଟ’ ବା ନିୟମର କଡ଼ାକଡ଼ି ଅନୁପାଳନ, ‘ଇଞ୍ଜିନିୟରିଂ’ ବା ଯୋଗାଯୋଗ ଭିତ୍ତିଭୂମି ଓ ଯାନବାହନରେ ଉନ୍ନତ ଇଞ୍ଜିନିୟରିଂ ବିଦ୍ୟା ପ୍ରୟୋଗ କରି ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ‘ଏମର୍ଜେନ୍ସି’ ବା ଜରୁରୀ ସମୟରେ ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ କରିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିରେ ଆଉ ଦୁଇଟି ‘ଇ’ ଯଥା ‘ଏନଭାଇରନମେଣ୍ଟ’ ଏବଂ ‘ଇଭାଲ୍ୟୁଏସନ୍’ ଯୋଡ଼ି କହିଛନ୍ତି, ସମସ୍ତେ ଏଣିକି ଯାନବାହନର ପ୍ରଦୂଷଣ ନିୟମକୁ ଠିକ୍ ଭାବେ ପାଳନ କରନ୍ତୁ ଏବଂ ସଡ଼କ ସୁରକ୍ଷାର ଯେଉଁ ନିୟମ ଗୁଡ଼ିକ ଅଛି, ତାହାର ଫଳାଫଳ ସମ୍ପର୍କରେ ଉପଯୁକ୍ତ ମୂଲ୍ୟାୟନ କରନ୍ତୁ। ଏହି ମୂଲ୍ୟାୟନକୁ ଭିତ୍ତିକରି ବିଭିନ୍ନ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମକୁ ପରିବର୍ତ୍ତନ କିମ୍ବା ଆହୁରି ଉନ୍ନତ କରାଯାଇ ପାରିବ। ସମସ୍ତେ ଏହି ୬ଟି ନିୟମକୁ ଅନୁପାଳନ କରିଲେ ସଡ଼କ ଦୁର୍ଘଟଣାକୁ ବହୁ ମାତ୍ରାରେ କମାଯାଇପାରିବ।
ସାରା ରାଜ୍ୟରେ ଏବେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ ହେଉଥିବାବେଳେ ଏହି ଉପଲକ୍ଷେ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ସଡ଼କ ଦୁର୍ଘଟଣା ଏବଂ ଦୁର୍ଘଟଣାଜନିତ ମୃତ୍ୟୁ ବଢ଼ିବା ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ଏହାସହ ସମସ୍ତେ ସଡ଼କ ସୁରକ୍ଷା ନିୟମଗୁଡ଼ିକୁ ପାଳନ କରିବାକୁ ଆହ୍ବାନ ଦେଇ କହିଛନ୍ତି ‘ଡ୍ରାଇଭ୍ ସେଫ୍, କମ୍ ହୋମ୍ ସେଫ୍’। ଏହି ଅବସରରେ ସଡ଼କ ସୁରକ୍ଷା ଉପରେ ଗୁରୁତ୍ବାରୋପ କରି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଆଜିଠାରୁ ସଡ଼କ ସୁରକ୍ଷାକୁ ସୁଶାସନର ଅଂଶ ଭାବେ ଗ୍ରହଣ କରାଗଲା। ଏହା ଦ୍ବାରା ସରକାରୀ ଅଧିକାରୀମାନେ ଅଧିକ ସତର୍କ ରହିବେ। ଏହାକୁ ଭିତ୍ତିକରି ମୁଖ୍ୟମନ୍ତ୍ରୀ ଆଜି ‘ମୁଖ୍ୟମନ୍ତ୍ରୀ ସଡ଼କ ସୁରକ୍ଷା ଯୋଜନା ସମ୍ମାନ’ ଘୋଷଣା କରିଛନ୍ତି। ଏହି ଯୋଜନାରେ ସମସ୍ତ ଜିଲ୍ଲା, ଶିକ୍ଷାନୁଷ୍ଠାନ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକୁ ସଡ଼କ ସୁରକ୍ଷା କ୍ଷେତ୍ରରେ ନେଇଥିବା ପଦକ୍ଷେପକୁ ଭିତ୍ତିକରି ସମ୍ମାନିତ କରାଯିବ। ଯେଉଁ ଜିଲ୍ଲାଗୁଡ଼ିକ ଭଲ ପ୍ରଦର୍ଶନ କରିବେ ସେମାନେ ପୁରସ୍କୃତ ହେବେ, ଯେଉଁମାନଙ୍କ ପ୍ରଦର୍ଶନ ଖରାପ ହେବ, ସେମାନଙ୍କୁ ଉତ୍ତରଦାୟୀ କରାଯିବ। ସେହିପରି ବିଦ୍ୟାଳୟ ଓ ଅନ୍ୟ ଅନୁଷ୍ଠାନଗୁଡ଼ିକୁ ମଧ୍ୟ ସଡ଼କ ସୁରକ୍ଷା ପାଇଁ ଗ୍ରହଣ କରିଥିବା ଉତ୍ତମ ପଦକ୍ଷେପ ଭିତ୍ତିରେ ପୁରସ୍କାର ପ୍ରଦାନ କରାଯିବ।
ସଡ଼କ ସୁରକ୍ଷା ହେଲା ସୁଶାସନର ଅଂଶ
ଆରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ ସଡ଼କ ସୁରକ୍ଷା ଯୋଜନା ସମ୍ମାନ’
କଳିଙ୍ଗା ଘାଟିରେ ଚାଳକଙ୍କୁ ସତର୍କ କରିବ ‘ଘଣ୍ଟି’
‘ଶିକ୍ଷାରୁ ସୁରକ୍ଷା’ ଧାରାରେ ସଡ଼କ ଦୁର୍ଘଟଣାକୁ ରୋକିପାରିବା: ପରିବହନ ମନ୍ତ୍ରୀ
ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଛନ୍ତି, ସଡ଼କ ଦୁର୍ଘଟଣା କେବଳ ଆମ ରାଜ୍ୟ କି ଦେଶରେ ନୁହେଁ, ସମଗ୍ର ମାନବ ସଭ୍ୟତା ସମ୍ମୁଖରେ ବଡ଼ ଚିନ୍ତାର ବିଷୟ ପାଲଟିଛି। ଏଣୁ ଶିକ୍ଷାରୁ ସୁରକ୍ଷା ଏବଂ ଟେକ୍ନୋଲୋଜିରୁ ପରିବର୍ତ୍ତନ ଧାରାରେ ଆମେ ସଡ଼କ ଦୁର୍ଘଟଣାକୁ ରୋକି ପାରିବା। ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଅତିଥି ଭାବେ ଯୋଗଦେଇ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ନୂଅା ରାସ୍ତା ନୀତି ମାଧ୍ୟମରେ ରାସ୍ତା ପ୍ରଶସ୍ତୀକରଣ ହେଉଛି। ସମସ୍ତ ରାସ୍ତା ‘ପଟ୍ହୋଲ୍’ ମୁକ୍ତ ହେବ ଏବଂ ରାସ୍ତାରେ ଅଯଥା ଜାମ୍ କମିବ। ଅପରପକ୍ଷେ ଆଜିଠାରୁ ରାଜ୍ୟର ଘାଟି ରାସ୍ତାଗୁଡ଼ିକରେ ସଡ଼କ ସୁରକ୍ଷା ପାଇଁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। କଳିଙ୍ଗା ଘାଟିରେ ଗାଡ଼ି ଚାଳକଙ୍କୁ ସତର୍କ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସତର୍କ ସୂଚନା ଘଣ୍ଟିର ଶୁଭାରମ୍ଭ କରିଛନ୍ତି। ଏହି ବ୍ୟବସ୍ଥାରେ ଘାଟିର ଉଭୟ ପଟୁ ଗାଡ଼ି ଆସୁଥିଲେ ସାଇରନ ବାଜି ସତର୍କ କରାଇବ। ଏହା ଏକ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ କରାଯାଇଛି। ଏହାର ସଫଳତାକୁ ଦେଖି ଅନ୍ୟାନ୍ୟ ଘାଟି ରାସ୍ତାରେ ଏହି ବ୍ୟବସ୍ଥା ଆରମ୍ଭ ହେବ।
GPLF Building: ୧୫କୋଟି ଜିପିଏଲଏଫ କୋଠା ନିର୍ମାଣ ଅଧାରୁ ବନ୍ଦ
ସେହିପରି କଟକ-ଭୁବନେଶ୍ବରର ଟ୍ବିନସିଟିରେ ଉନ୍ନତ ଟ୍ରାଫିକ ପରିଚାଳନା ପାଇଁ ଆଇଆଇଟି ଖଡ଼ଗପୁର ସହିତ ଏକ ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି। ଆଇଆଇଟିର ରିପୋର୍ଟ ଆଧାରରେ ଦୁଇ ସହରର ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ରାଜ୍ୟ ସରକାର ଇ-ଯାନ ଚଳାଚଳକୁ ଗୁରୁତ୍ବ ଦେଉଥିବାବେଳେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଭୁବନେଶ୍ବରରେ ନିର୍ମାଣ ହୋଇଥିବା ୧୫ଟି ଚାର୍ଜିଂ ଷ୍ଟେସନକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ଆହୁରି ୮୫ଟି ଚାର୍ଜିଂ ଷ୍ଟେସନ ସାରା ରାଜ୍ୟରେ ନିର୍ମାଣ ହେଉଥିବାବେଳେ ଏହାକୁ ଖୁବ୍ ଶୀଘ୍ର ଲୋକାର୍ପିତ କରାଯିବ। ସେହିପରି ୧୦ଟି ଜିଲ୍ଲାରେ ୧୫୬.୫୩କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ୧୪ଟି ନୂତନ ଅଟଳ ବସଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି। ପୂର୍ବରୁ ୫୫ଟି ଅଟଳ ବସ୍ଷ୍ଟାଣ୍ଡ ଲୋକାର୍ପିତ ହୋଇଥିବାବେଳେ ଆଗାମୀ ଦିନରେ ରାଜ୍ୟର ସମସ୍ତ ଜିଲ୍ଲା, ଉପଖଣ୍ଡ, ପଞ୍ଚାୟତ ସମିତି ଓ ପୌରପାଳିକା ଗୁଡ଼ିକରେ ଅଟଳ ବସଷ୍ଟାଣ୍ଡ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଓଏସ୍ଆର୍ଟିସି ପକ୍ଷରୁ ୪୬କୋଟି ଟଙ୍କା ମୂଲ୍ୟର ୧୦୦ଟି ନୂତନ ବିଏସ୍-୬ ମାନର ଆଧୁନିକ ବସ୍ ଚଳାଚଳର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଏସ୍ଆର୍ଟିସି ବସ୍ ପାଇଁ ସ୍ମାର୍ଟ କାର୍ଡ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଡ ବ୍ୟବହାର କରି ଯାତ୍ରୀମାନେ କ୍ୟାସଲେସ୍ ଟିକେଟ୍ କାଟି ସୁବିଧାରେ ଯାତ୍ରା କରିପାରିବେ। ବ୍ରହ୍ମପୁରରେ କ୍ରୁଟ୍ ପକ୍ଷରୁ ନିର୍ମିତ ହୋଇଥିବା ଏକ ଅତ୍ୟାଧୁନିକ ବସ୍ ଡିପୋରୁ ୨୫ଟି ନୂତନ ଇ-ବସ୍ ଚଳାଚଳର ମଧ୍ୟ ଶୁଭାରମ୍ଭ ହୋଇଛି।
ଉତ୍ସବରେ ମୁଖ୍ୟମନ୍ତ୍ରୀ ୫ ଜଣ ମହିଳା ଗାଡ଼ି ଚାଳକଙ୍କୁ ‘ଆମ ସୁବାହକ’ ଯୋଜନା ଅଧୀନରେ ଗାଡ଼ି ଚାବି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଏକାମ୍ର ବିଧାୟକ ବାବୁ ସିଂହ, ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ, ଓଏସ୍ଆରଟିସି ସିଏମ୍ଡି ଏନ୍ବିଏସ୍ ରାଜପୁତ, ପରିବହନ କମିସନର ଅମିତାଭ ଠାକୁର୍ ପ୍ରମୁଖ ମଞ୍ଚାସୀନ ଥିବାବେଳେ ଆଭାସୀ ମାଧ୍ୟମରେ ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀମାନେ ଯୋଗଦେଇଥିଲେ।
Follow Us