ଭୁବନେଶ୍ବର: ପୁଲିସ ଗୃହନିର୍ମାଣ ନିଗମ ବାଲେଶ୍ବର ଡିଭିଜନ୍‌ କାର୍ଯ୍ୟାଳୟରେ ମହିଳା କର୍ମଚାରୀଙ୍କୁ ଅଧିକାରୀଙ୍କ ଯୌନଶୋଷଣ ପ୍ରସଙ୍ଗ ଏବେ ଅତ୍ୟନ୍ତ ଗମ୍ଭୀର ରୂପ ନେଇଛି। ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ପ୍ରୋଜେକ୍ଟ ମ୍ୟାନେଜର୍‌ ଅଧସ୍ତନ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଓ ଯୌନଶୋଷଣ କରିବା ମାମଲାର ତଦନ୍ତ ଆଉ ପାଦେ ଆଗେଇଥିବା ବେଳେ ଆଜି ଭୁବନେଶ୍ବରସ୍ଥିତ ଓଡ଼ିଶା ପୁଲିସ ଗୃହନିର୍ମାଣ ଓ କଲ୍ୟାଣ ନିଗମ(ଓପିଏଚ୍‌ଡବ୍ଲ୍ୟୁସି) ମୁଖ୍ୟାଳୟରେ ଅଭିଯୋଗକରିଣୀଙ୍କ ବୟାନ ରେକର୍ଡ଼ କରାଯାଇଛି। ପ୍ରିଭେନ୍‌ସନ୍‌ ଅଫ୍‌ ସେକ୍ସୁଆଲ୍‌ ହାରାସ୍‌ମେଣ୍ଟ କମିଟି ଓ ଇଣ୍ଟରନାଲ୍‌ କମ୍ପ୍ଲେନ୍‌ କମିଟି ସଦସ୍ୟଙ୍କ ଉପସ୍ଥିତିରେ ତାଙ୍କ ବୟାନ ରେକର୍ଡ଼ ହୋଇଛି। ପୂର୍ବାହ୍ନ ପାଖାପାଖି ୧୧ଟାରେ ଅଭିଯୋଗକାରିଣୀ ତାଙ୍କ ପରିବାର ସଦସ୍ୟଙ୍କ ସହିତ ଓପିଏଚ୍‌ଡବ୍ଲ୍ୟୁସି ମୁଖ୍ୟାଳୟରେ ପହଞ୍ଚିଥିଲେ। ତଦନ୍ତ କମିଟି ଅଧିକାରୀମାନେ ତାଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ। କେବେଠାରୁ ପ୍ରୋଜେକ୍ଟ ମ୍ୟାନେଜର ସୌମ୍ୟକାନ୍ତ ମହାନ୍ତି ତାଙ୍କୁ ଦୁର୍ବ୍ୟବହାର କରୁଥିଲେ, କଲ୍‌ କରି କ’ଣ କହୁଥିଲେ, ମେସେଜ୍‌ରେ କ’ଣ ସବୁ ଲେଖିଥିଲେ, ସେ ସମସ୍ତ ଦିଗକୁ ନେଇ କମିଟି ଆଗରେ ପୀଡ଼ିତା ତଥ୍ୟ ରଖିଥିଲେ।

Advertisment

Indrabati: ଅପର ଇନ୍ଦ୍ରାବତୀ ପ୍ରକଳ୍ପ ବିସ୍ଥାପିତଙ୍‌କ ଦୁଖ ଦୂର ହେଉନି

ପୀଡ଼ିତା କମିଟି ଆଗରେ ଦେଇଥିବା ବୟାନରେ ସୌମ୍ୟକାନ୍ତଙ୍କ ଚରିତ୍ର ଓ କଳା କାର୍‌ନାମାର ସମସ୍ତ ଫର୍ଦ୍ଦ ଖୋଲିଥିଲେ। କାମ ନଥାଇ ତାଙ୍କୁ କିଭଳି ଚାମ୍ବରକୁ ଡ଼ାକି ଅଶାଳୀନ ବ୍ୟବହାର କରୁଥିଲେ, ବିଳମ୍ବିତ ରାତିରେ ହ୍ବାଟ୍‌ସଆପ୍‌ କଲ୍‌ କରି ହରକତ କରୁଥିଲେ, ମେସେଜ୍‌ କରି ପ୍ରେମ ନିବେଦନ କରିଥିଲେ। ଘଟଣା ସମ୍ପର୍କରେ ପ୍ରଘଟ ନକରିବା ପାଇଁ ତାଙ୍କୁ ଓ ତାଙ୍କ ପରିବାରକୁ ଧମକ ଚମକ ଦେଇଥିଲେ। ଯାହାର ଅନେକ ଚାଟ୍‌, କଲ୍‌ ଏବଂ ମେସେଜ୍‌ ସଂପର୍କିତ ତଥ୍ୟ କମିଟିକୁ ଦେଇଥିଲେ। କମିଟି ସଦସ୍ୟମାନେ ପାଖାପାଖି ୨ଘଣ୍ଟା କାଳ ପଚରାଉଚରା ପରେ ପୀଡ଼ିତା ପରିବାର ଲୋକଙ୍କ ସହ ବାଲେଶ୍ବର ଫେରି ଯାଇଥିଲେ। 

କ୍ୟାପିଟାଲ୍ କ୍ଲାସ୍-୨୦୨୬ ଉଦ୍‌ଘାଟିତ

ଅନ୍ୟପଟେ ଅଭିଯୋଗ ଆସିଥିବା ପ୍ରୋଜେକ୍ଟ ମ୍ୟାନେଜର ସୌମ୍ୟକାନ୍ତଙ୍କ ବିରୋଧରେ ବାଲେଶ୍ବର ଓପିଏଚ୍‌ଡବ୍ଲ୍ୟୁସି କାର୍ଯ୍ୟାଳୟର ଜଣଙ୍କ ପରେ ଜଣେ ମହିଳା କର୍ମଚାରୀ ମୁହଁ ଖୋଲିଛନ୍ତି। ବୁଧବାର ଆଉ ଜଣେ ମହିଳା କର୍ମଚାରୀ ସମାନ ଅଭିଯୋଗ ଆଣିଥିଲେ। ଆଜି କାର୍ଯ୍ୟାଳୟର ତୃତୀୟ ମହିଳା କର୍ମଚାରୀ ସୌମ୍ୟକାନ୍ତଙ୍କ ବିରୋଧରେ ସେହି ସମାନ ଅଭିଯୋଗ ଆଣି କିଭଳି ସେମାନେ କାର୍ଯ୍ୟାଳୟରେ ଅସୁରକ୍ଷିତ ମଣୁଛନ୍ତି ତାହା କହିଛନ୍ତି। ସେ ମଧ୍ୟ କହିଛନ୍ତି, ସାର୍‌ ଅଫିସ୍‌କୁ ନିଶାସକ୍ତ ଅସ୍ଥାରେ ଆସନ୍ତି, ପୀଡ଼ିତାଙ୍କୁ ହଇରାଣ ହରକତ କରନ୍ତି। ଖୁବ୍‌ଶୀଘ୍ର ପ୍ରିିଭେନ୍‌ସନ୍‌ ଅଫ୍‌ ସେକ୍ସୁଆଲ୍‌ ହାରାସ୍‌ମେଣ୍ଟ କମିଟି ଓ ଇଣ୍ଟରନାଲ୍‌ କମ୍ପ୍ଲେନ୍‌ କମିଟିର ସଦସ୍ୟ ବାଲେଶ୍ବର ଯାଇ ପୀଡ଼ିତାଙ୍କ ଅନ୍ୟ ମହିଳା ସହକର୍ମୀଙ୍କ ବୟାନ ରେକର୍ଡ଼ କରିବେ। ସେହିପରି ସୌମ୍ୟକାନ୍ତଙ୍କୁ ମଧ୍ୟ ଜେରା ପାଇଁ ଭୁବନେଶ୍ବର ଡକାଯିବ ବୋଲି ଜଣାପଡ଼ିଛି। ପୀଡ଼ିତାଙ୍କ ଅଭିଯୋଗ, ଦାଖଲ କରିଥିବା ପ୍ରମାଣ, ରେକର୍ଡ଼ ହୋଇଥିବା ବୟାନ ଓ ଅନ୍ୟ ମହିଳା କର୍ମଚାରୀଙ୍କ ବୟାନ ଆଧାରରେ ତାଙ୍କୁ ପଚରାଉଚରା ହେବ ବୋଲି କମିଟି ସଦସ୍ୟ ସୂଚନା ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଧରାଛୁଆଁ ଦେଉନଥିବା ପ୍ରୋଜେକ୍ଟ ମ୍ୟାନେଜର୍‌ ସୌମ୍ୟକାନ୍ତ ତିନିଦିନ ପରେ ଆଜି ମୁହଁ ଖୋଲିଛନ୍ତି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ, ଏଥିରେ କୌଣସି ସତ୍ୟତା ନାହିଁ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତିି। ତାଙ୍କ ବିରୋଧରେ ଏହା ଏକ ଷଡ଼୍‌ଯନ୍ତ୍ର, କାରଣ ଅଭିଯୋଗକାରିଣୀ ଅଫିସ୍‌ରେ ଠିକ୍‌ଭାବେ କାମ କରୁନଥିଲେ। ତେଣୁ ତାଙ୍କୁ ଚାକିରିରୁ ବାହାର କରାଯାଇଥିଲା। ଯେଉଁଥିପାଇଁ ସେ ଉଦ୍ଦେଶ୍ୟମୂଳକ ଭାବେ ଏଭଳି ଅଭିଯୋଗ ଆଣିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସମସ୍ତ ପ୍ରକାର ତଦନ୍ତକୁ ସେ ସମ୍‌ନା କରିବାକୁ ପ୍ରସ୍ତୁତ।