ଭୁବନେଶ୍ବର: ଲାଇଟ୍‌, ସାଉଣ୍ଡ୍‌ ଓ ଆକ୍ସନ୍‌ ଏଠାରେ ବି ଥାଏ। ହେଲେ ନଥାଏ ରିଟେକ୍‌। ବିନା କଟ୍‌ରେ ଚାଲେ ପୂରା ନାଟକ। ଥକା ମାରିବାକୁ ତାଙ୍କୁ ଫୁର୍‌ସତ୍‌ ନଥାଏ। ରିଟେକ୍‌ ବିନା ସେମାନେ ଅନର୍ଗଳ ଗାଇ ଚାଲନ୍ତି ଅଧଘଣ୍ଟା ବା ଘଣ୍ଟାଏର ସଂଳାପ। ମୁଖଭଙ୍ଗୀଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ଭାବ ପ୍ରବଣତାକୁ ନିଖୁଣ ଭାବେ ଦର୍ଶକଙ୍କୁ ପରଷି ଦିଅନ୍ତି ଏ କଳାକାରମାନେ। ଏମାନଙ୍କ ପାଇଁ ଦିନ ରାତିର ସଂଜ୍ଞା ଭିନ୍ନ, ବାସସ୍ଥାନ ଭ୍ରାମ୍ୟମାଣ। ମନର ଦୁଃଖ ଓ ଆଖିର ଲୁହକୁ ଚାପି ଏମାନେ କରନ୍ତି ମନୋରଞ୍ଜନ। ପ୍ରତି ବଦଳରେ ଚାହାନ୍ତି କଳାକାରର ସମ୍ମାନ। କଳାର ସାଧକ ହୋଇ ମଧ୍ୟ ମିଳେନି ଏମାନଙ୍କୁ କଳାକାରର ସ୍ବୀକୃତି। କାରଣ ‘ଚଳଚ୍ଚିତ୍ର’ କି ‘ମଞ୍ଚ ନାଟକ’ ଭଳି ‘ଗଣନାଟ୍ୟ’ ଏ ଯାଏଁ ପାଇନି କଳାର ସ୍ବୀକୃତି।

Advertisment

A few minutes of delicious: କିଛି ମିନିଟ୍‌ ସୁସ୍ୱାଦୁ ବ୍ୟଞ୍ଜନ ‘ପ୍ୟାକେଜ୍‌ଡ ଫୁଡ୍’

    
ବଡ଼ ପରଦାର କଳାକାରମାନେ ସମାଜରେ, ମଞ୍ଚରେ ସର୍ବସମ୍ମୁଖରେ ସମ୍ମାନିତ ହୁଅନ୍ତି। ନୃତ୍ୟ, ସଙ୍ଗୀତ, ଅଭିନୟ, ନିର୍ଦ୍ଦେଶନାଠାରୁ ଆରମ୍ଭ କରି ପୋଷାକ, ମେକ୍‌ଅପ୍‌ କଳାକାରଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ଉତ୍କର୍ଷ ପାଇଁ ସମ୍ବର୍ଦ୍ଧିତ ହୁଅନ୍ତି। ଏଥିପାଇଁ ରାଜ୍ୟ ସରକାର ପ୍ରତିବର୍ଷ ପ୍ରଦାନ କରନ୍ତି ‘ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର’। ଛୋଟ ପରଦା ଅର୍ଥାତ ଟିଭିରେ ଅଭିନୟ କରୁଥିବା କଳାକାରଙ୍କୁ ବି ବିଭିନ୍ନ ବର୍ଗରେ ପ୍ରଦାନ କରାଯାଏ ‘ରାଜ୍ୟ ଟେଲିଫିଲ୍ମ ପୁରସ୍କାର’। ସେହିଭଳି ନୃତ୍ୟ, ସଙ୍ଗୀତ, ନାଟକ ଓ ଲୋକକଳାର କଳାକାରମାନେ ଆମ କଳା ଓ ସଂସ୍କୃତିର ପ୍ରଚାରପ୍ରସାର କରନ୍ତି। ତାଙ୍କର ଏହି ଅବଦାନ ଓ ଅଧିକରୁ ଅଧିକ କଳାକାରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ‘ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି’ ପକ୍ଷରୁ ବିଭିନ୍ନ ବର୍ଗରେ ପ୍ରଦାନ କରାଯାଏ ବହୁ ପୁରସ୍କାର। ହେଲେ ଯାତ୍ରା କଳାକାରଟିଏ  ଅଭିନୟ, ନିର୍ଦ୍ଦେଶନା ପାଇଁ, ମଞ୍ଚସଜ୍ଜା, ସଂଳାପ ବା ସଙ୍ଗୀତ, ନୃତ୍ୟ ପାଇଁ ପୁରସ୍କାର ବା ସମ୍ମାନ ଟିକିଏ ପାଏ ନାହିଁ।
ଚଳଚ୍ଚିତ୍ର ଓ ଟେଲି ଦୁନିଆର ଅଭିନେତା, ଅଭିନେତ୍ରୀମାନେ ଓଡ଼ିଶାର ଭାଷା, ସାମାଜିକ ଚଳଣି, ସଂସ୍କୃତି, ପରମ୍ପରା ଆଦିକୁ ଗୋଟିଏ ପିଢ଼ିରୁ ଅନ୍ୟପିଢ଼ିକୁ ନେବାରେ ସହାୟ ହୁଅନ୍ତି। ଯାତ୍ରା କଳାକାରମାନେ ମଧ୍ୟ ସେଇ ସମାନ କାମ କରନ୍ତି। କିନ୍ତୁ ଉଭୟ କଳାକାରଙ୍କ ଭିତରେ ସରକାର ଯେମିତି ଟାଣିଦେଇଛନ୍ତି ଲକ୍ଷ୍ମଣରେଖା।

Gadgets in Focus ଫୋକସ୍‌ରେ ଗ୍ୟାଜେଟ୍: ବଜାରରେ ମୋଟୋ ଵାଚ୍‌

 
ଓଡ଼ିଶା ଭଳି କୃଷିପ୍ରଧାନ ରାଜ୍ୟରେ ଦିନତମାମ ଲୋକମାନେ ପରିଶ୍ରମ କରି ଫେରିଲା ବେଳକୁ ସେମାନଙ୍କ ମନୋରଞ୍ଜନର ମାଧ୍ୟମ ସାଜେ ‘ଯାତ୍ରା ବା ଅପେରା’। ଏଣୁ ରାଜଧାନୀ ହେଉ ବା ରାଜ୍ୟର ପ୍ରତିଟି ସହର ଓ ଗାଁରେ ଯାତ୍ରାର ଚାହିଦା ଖୁବ୍‌ ଅଧିକ ଥାଏ। ରାଜଧାନୀର ଖଣ୍ଡଗିରି କୁମ୍ଭମେଳା ସମୟରେ ଯାତ୍ରା ଦେଖିବାକୁ ଲୋକଙ୍କ ଭିଡ଼ ଏହାର ଏକ ଉଦାହରଣ ହୋଇପାରେ। ପାଲା, ଦାସକାଠିଆ, ସଂକୀର୍ତ୍ତନ ହେଉ ଅବା ଘୋଡ଼ାନାଚ ବା ପାଇକ ଆଖଡ଼ା.. ଏସବୁ ଲୋକକଳା ଆମ ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେଉଛନ୍ତି। ସେହିଭଳି ‘ଯାତ୍ରା’ ମାଧ୍ୟମରେ ସାମାଜିକ ଚାଲିଚଳଣି, ସମ୍ପର୍କର ସଂଜ୍ଞା, ଆମ ଓଡ଼ିଆ ଓ ହଜି ଯାଉଥିବା ବିଭିନ୍ନ ଗାଉଁଲି ଭାଷା, ଓଡ଼ିଶାର ବିଭିନ୍ନ ପରମ୍ପରା ଆଦି ସମ୍ପର୍କରେ ପ୍ରଚାର ପ୍ରସାର ହୋଇପାରେ। ଯାତ୍ରା ପାଇଁ ମଧ୍ୟ ସୃଜନଶୀଳତାର ଆବଶ୍ୟକତା ରୁହେ। ଯାତ୍ରାକୁ ‘ଗଣନାଟ୍ୟ’ କୁହାଯାଉଥିବା ବେଳେ ଓଡ଼ିଶାର ବିଭିନ୍ନ ଲୋକକଳା ସରକାରୀ ସ୍ତରରେ ସ୍ବୀକୃତି ପାଉଥିବା ବେଳେ ‘ଗଣନାଟ୍ୟ’ ସ୍ବୀକୃତି ନ ପାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଯାତ୍ରାପ୍ରେମୀମାନେ ଅଭିଯୋଗ କରିଛନ୍ତି।
ଏନେଇ ରାଜ୍ୟ ଯାତ୍ରା କଳାକାର ଓ କର୍ମଚାରୀ ସଂଘର ସମ୍ପାଦକ ଆର୍‌ କେ ହୀରାଲାଲ କହିଛନ୍ତି, ୨୦୧୮ ମସିହାରୁ ଯାତ୍ରାକୁ ଏକ ‘କଳା’ ଭାବେ ସରକାରୀ ସ୍ତରରେ ସ୍ବୀକୃତି ପ୍ରଦାନ କରିବାକୁ ଆମେ ଦାବି କରି ଆସୁଛୁ। ପୂର୍ବ ସରକାର ସମୟରେ ଏହି ଦାବି କରିଥିଲୁ। ହଜାର ହଜାର କଳାକାର ଯାତ୍ରାକୁ ବୃତ୍ତି କରି ପେଟପାଟଣା ପୋଷୁଥିବା ବେଳେ ଆମକୁ କଳାକାର ଭାବେ କେହି ଗ୍ରହଣ କଲେ ନାହିଁ କି ସରକାରୀ ପୁରସ୍କାର ପ୍ରକ୍ରିୟାରେ ସାମିଲ କଲେ ନାହିଁ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପ୍ରତିବର୍ଷ ପ୍ରତି ବିଭାଗର କଳାକାରଙ୍କୁ ସମ୍ବର୍ଦ୍ଧିତ କରେ। ସେମାନଙ୍କ କାମକୁ ସ୍ବୀକୃତି ଦିଏ ଓ କଳାର ବିକାଶ ପାଇଁ ପ୍ରୋତ୍ସାହନ ଦିଏ। ଯଦିଓ ଆମେ ଯାତ୍ରା କଳାକାରମାନେ କଳାକାର ଭତ୍ତା ପାଉଛୁ, କିନ୍ତୁ ଏଯାଏ ସଙ୍ଗୀତ ନାଟକ ଏକାଡେମୀର ଏତେ ଲମ୍ବା ପୁରସ୍କାର ତାଲିକାରେ ଆମକୁ ସାମିଲ କରାଗଲା ନାହିଁ। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଥରେ ଅବଗତ କରାଯାଇଥିଲୁ। ଖୁବ୍‌ଶୀଘ୍ର ଆଉ ଥରେ ଭେଟିବୁ। 
ଏନେଇ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା କହିଛନ୍ତି, ଯାତ୍ରାକୁ କଳାର ସ୍ବୀକୃତି ବହୁ ପୂର୍ବରୁ ମିଳିଛି। ଏହା ଲୋକନାଟକ ଅନ୍ତର୍ଗତ। ପୂର୍ବରୁ ବହୁ ଯାତ୍ରା କଳାକାର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମଧ୍ୟ ପାଇଛନ୍ତି। ତେବେ ‘ରାଜ୍ୟ ଯାତ୍ରା କଳାକାର ଓ କର୍ମଚାରୀ ସଂଘ’ ପକ୍ଷରୁ ଯାତ୍ରାକୁ ଏକ ସ୍ବତନ୍ତ୍ର ବର୍ଗରେ ସାମିଲ କରିବାକୁ ଦାବି କରାଯାଇଛି। ଯାତ୍ରାରେ ସମାନତା ରହୁ ନ ଥିବାରୁ ଓ ଅଶ୍ଳୀଳତା ଯୋଗୁଁ ଏହାକୁ ବୋଧହୁଏ କେହି ସ୍ବୀକୃତି ଦେଇନାହାନ୍ତି। କିନ୍ତୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂଘର ଦାବିକୁ ନେଇ ବିଚାର ଚାଲିଛି। କିଛି ଗୋଟେ ଏସ୍‌ଓପି ଆଣି ଯାତ୍ରାକୁ ଏକାଡେମୀର ଏକ ସ୍ବତନ୍ତ୍ର ବର୍ଗ ଭାବେ ସାମିଲ କରାଯାଇପାରେ। ତେବେ ଏବେ ଏ ନେଇ କୌଣସି ସ୍ପଷ୍ଟତା ନାହିଁ।