କଟକ: ଦ୍ବିତୀୟ ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇ ଜେଲ୍ରେ ଥିବା କନେଷ୍ଟବଳ ଦୀପକ କୁମାର ରାଉତ ତା’ର ପ୍ରଥମ ପତ୍ନୀଙ୍କୁ ବି ହତ୍ୟା କରିଥିଲା। ଏ ସଂପର୍କିତ ତଥ୍ୟ ପ୍ରମାଣ ମିଳିବା ପରେ ଦୀପକ ବିରୋଧରେ କୋର୍ଟରେ ବିଏନ୍ଏସ୍ର ଦଫା ୧୦୧ର ରିମାଣ୍ଡ ଦେଇଛି ପୁଲିସ। କିନ୍ତୁ ଖୁଣ୍ଟୁଣୀ ଥାନା ପୁଲିସ କେଉଁ ଆଧାରରେ ପୂର୍ବରୁ ଦୁର୍ଘଟଣା ଜନିତ ମୃତ୍ୟୁ ଦର୍ଶାଇ ମାମଲାକୁ ବନ୍ଦ କରିଥିଲା, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ତଦନ୍ତ ଆଗକୁ ବଢ଼ିଲେ ଖୁଣ୍ଟୁଣୀ ଥାନା ପୁଲିସ ଅକଳରେ ପଡ଼ିବା ଏକ ପ୍ରକାର ସ୍ପଷ୍ଟ ହୋଇଛି।
Freedom Fighter Chakra Bisoi: ସ୍ଵାଧିନତା ସଂଗ୍ରାମୀ ବୀର ଚକରା ବିଷୋୟୀଙ୍କ ଜୟନ୍ତୀ ପାଳିତ
ଦର୍ଶାଇଥିଲା ଦୁର୍ଘଟଣା ଜନିତ ମୃତ୍ୟୁ
ତଥ୍ୟ ଅନୁଯାୟୀ ୨୦୨୫, ଅଗଷ୍ଟ ୨୬ ତାରିଖରେ କମିସନରେଟ୍ ପୁଲିସରେ କାର୍ଯ୍ୟରତ ଦୀପକ ରାଉତ ତା’ର ଦ୍ବିତୀୟ ପତ୍ନୀ ଟ୍ରାଫିକ୍ କନେଷ୍ଟବଳ ଶୁଭସ୍ମିତା ସାହୁଙ୍କୁ ହତ୍ୟା କରିଥିଲା। ଶୁଭସ୍ମିତାଙ୍କ ମୃତଦେହ କେନ୍ଦୁଝର ଜିଲ୍ଲା ଘଟଗାଁରୁ ମିଳିବା ପରେ ପୁଲିସ ଦୀପକକୁ ଗିରଫ କରିଥିଲା। ସେହି ସମୟରେ ଦୀପକର ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ପରିବାର ଲୋକ ବି ଅପର୍ଣ୍ଣାଙ୍କୁ ଦୀପକ ହତ୍ୟା କରିଥାଇପାରେ ବୋଲି ଅଭିଯୋଗ ଆଣିଥିଲେ। ଏଥିରେ ଦୀପକ ପ୍ରାୟ ଦେଢ଼ କୋଟି ଟଙ୍କା ବୀମା ବାବଦକୁ ପାଇଥିଲା। ଆର୍ଆଇ ଭାବେ କାର୍ଯ୍ୟରତ ଅପର୍ଣ୍ଣାଙ୍କୁ ଦୀପକ ୨୦୧୮ରେ ବିବାହ କରିଥିଲା। କିନ୍ତୁ ୨୦୨୨ରେ ଖୁଣ୍ଟୁଣୀ ନିକଟରେ ଏକ ଟ୍ରକ୍ ଧକ୍କାରେ ଅପର୍ଣ୍ଣାଙ୍କର ମୃତ୍ୟୁ ଘଟିଥିଲା ବୋଲି ଦୀପକ ଦର୍ଶାଇଥିଲା। ଖୁଣ୍ଟୁଣୀ ଥାନା ପୁଲିସ ବି ଏହାକୁ ଏକ ଦୁର୍ଘଟଣା ଦର୍ଶାଇ ମାମଲାକୁ ବନ୍ଦ କରିଥିଲା। କିନ୍ତୁ ଏବେ ଖୋଳତାଡ଼ରୁ ଜଣାପଡ଼ିଛି ଯେ ଯେଉଁ ଟ୍ରକ୍ ଧକ୍କାରେ ଅପର୍ଣ୍ଣାଙ୍କର ମୃତ୍ୟୁ ଘଟିଛି ବୋଲି ପୁଲିସ ରେକର୍ଡରେ ଅଛି ସେହି ନମ୍ବରର ଟ୍ରକ୍ ଦୁର୍ଘଟଣା ସମୟରେ ଖୁଣ୍ଟୁଣୀ କିମ୍ବା ଆଖପାଖ ଅଞ୍ଚଳରେ ନଥିଲା। କିନ୍ତୁ ପୁଲିସ କିଭଳି ଏହାକୁ ସେତେବେଳେ ଦୁର୍ଘଟଣା ବୋଲି ଦର୍ଶାଇଲା ତାହା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଏବେ ଦୀପକ ବିରୋଧରେ ଦୁଇଟି ହତ୍ୟା ମାମଲା ଚାଲିବା ସହିତ ଏ ସଂପର୍କିତ ଚାର୍ଜସିଟ୍ କୋର୍ଟରେ ଦାଖଲ ହେବ ବୋଲି ସୂଚନା ମିଳିଛି।
Follow Us