ରାଉରକେଲା: ଗରିବଙ୍କୁ ଆହାର କେନ୍ଦ୍ରରେ ୫ ଟଙ୍କାରେ ପେଟପୂରା ଭାତ, ଡାଲ୍‌ମା ଓ ଆଚାର ଦେବାକୁ ସରକାରଙ୍କର ସ୍ପ‌ଷ୍ଟ ନିର୍ଦ୍ଦେଶନାମା ରହିଛି। ହେଲେ ସ୍ମାର୍ଟସିଟି ରାଉରକେଲାରେ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ। ‘ଆହାର’ ନାଁରେ ଗରିବଙ୍କୁ ଲୁଟୁଛନ୍ତି। ଥାଳି ପିଛା ଭାତ, ଡାଲ୍‌ମା ଓ ଆଚାର ପାଇଁ ୫ ଟଙ୍କା ବଦଳରେ ନିଆଯାଉଛି ୧୦ ଟଙ୍କା। ଆହାର କେନ୍ଦ୍ରରେ ରଖାଯାଇଛି ଦୁଇପ୍ରକାର ଥାଳି। ଛୋଟଥାଳି ଭୋଜନକୁ ୫ ଟଙ୍କା, ବଡ଼ଥାଳିରେ ଭୋଜନକୁ ୧୦ ଟଙ୍କା। ଗୋଟିଏ କି ଦୁଇଟି ଆହାର କେନ୍ଦ୍ରରେ ନୁହେଁ, ସହରର ପ୍ରାୟ କେନ୍ଦ୍ରରେ ଏପ୍ରକାର ସ୍ଥିତି ଦେଖିବାକୁ ମିଳିଛି।

Advertisment

Child marriage: ବାଲ୍ୟବିବାହରୁ ବଙ୍କୁଲି ବାଡ଼ି ଯାଏଁ...

ଯାହାକୁ ନେଇ ଅନେକ ସମୟରେ କେନ୍ଦ୍ର ଚଳାଉଥିବା ଏସ୍‌ଏଚ୍‌ଜି ମହିଳା ଓ ଗରିବ (ହିତାଧିକାରୀ)ଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଛି। ବିଭାଗୀୟ ଅଧିକାରୀଙ୍କ ପର୍ଯ୍ୟନ୍ତ କଥା ଯାଉଛି, କିନ୍ତୁ ଫଳ ଶୂନ। ବାଧ୍ୟ ହୋଇ ଭୋକ ମେଣ୍ଟାଇବାକୁ ଗରିବ ହିତାଧିକାରୀ ପେଟପୂରା ଭୋଜନକୁ ୧୦ ଟଙ୍କା, ଅଧାପେଟ ପାଇଁ ୫ ଟଙ୍କା ଦେଉଛି। ସହରର ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନ ନୂଆ ବସ୍‌ଷ୍ଟାଣ୍ଡ ଆହାର କେନ୍ଦ୍ରରେ ଏଭଳି ବ୍ୟବସ୍ଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କେନ୍ଦ୍ରରେ ଦିନକୁ ୯୦୦ ଗରିବଙ୍କ ପାଇଁ  ଭାତ, ଡାଲ୍‌ମା ଆସୁଛି। ହେଲେ ଗରିବଙ୍କୁ ଦୁଇପ୍ରକାର ଥାଳିରେ ପରଷା ଯାଉଛି। ସେକ୍ଟର-୨ ସରକାରୀ ବସ୍‌ଷ୍ଟାଣ୍ଡ କେନ୍ଦ୍ରରେ ଦିନକୁ ୫୦୦, ସେକ୍ଟର-୧୯ ଅନ୍ତର୍ଗତ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌) ସମ୍ମୁଖ ଆହାର କେନ୍ଦ୍ରରେ ମଧ୍ୟାହ୍ନରେ ୫୦୦ ଓ ରାତିରେ ୧୦୦, ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ପରିସର କେନ୍ଦ୍ରରେ ମଧ୍ୟାହ୍ନରେ ୧୦୦୦ ଓ ରାତିରେ ୩୦୦, ପାୱାର ହାଉସ୍‌ ରୋଡ୍‌ସ୍ଥିତ କେନ୍ଦ୍ରରେ ମଧ୍ୟାହ୍ନରେ ୯୦୦, ବେଦବ୍ୟାସ କେନ୍ଦ୍ରରେ ଗୋଟିଏ ଓଳି ଦୈନିକ ୧୦୦୦ ଗରିବଙ୍କୁ ଏମିତି ଦିନକୁ ମୋଟ ୫,୨୦୦ ଆହାର ଆର୍‌ଏମ୍‌ସି ପକ୍ଷରୁ ଯୋଗାଇ ଦିଆଯାଉଛି। ପ୍ରତ୍ୟେକ ଆହାର ‌ଭୋଜନ ମୂଲ୍ୟ ସରକାର ୨୭ ଟଙ୍କା ଧାର୍ଯ୍ୟ କରିଛନ୍ତି। ୨୨ ଟଙ୍କା ସରକାର ବହନ କରୁଛନ୍ତି।

Young man: ପ୍ରେମିକା କିନ୍ନରଙ୍କ ହାତ ଧରିଲେ ଯୁବକ

 ହିତାଧିକାରୀ ଦେବା କଥା ୫ ଟଙ୍କା। ବଣାଇର ସୁଭଦ୍ରା ପ୍ରଧାନ, ବାସନ୍ତୀ କଲୋନିର ତପନ କୁମାର, ବନ୍ଧମୁଣ୍ଡାର ସନୋଜ କୁମାର ସାହୁଙ୍କ କହିବା ମୁତାବକ ପାଣିଆ ଡାଲ୍‌ମା ଓ ଭାତ ବାବଦରେ ୧୦ ଟଙ୍କା ନିଆଯାଉଛି। ୨୦୦ରୁ ଅଧିକ ଥାଳି କଳଙ୍କି ଲାଗି ପଡ଼ିଛି। ଯେତିକି ଥାଳି ଅଛି, ଜଣେ ଖାଇ ସାରିଲା ପରେ ଅନ୍ୟମାନଙ୍କୁ ଦିଆଯାଉଛି। ୧୦୦ ଲୋକ ପାଣି ପିଇବାକୁ ରହିଛି ଗୋଟିଏ ମାତ୍ର ଗ୍ଲାସ୍‌। ଆହାର କେନ୍ଦ୍ରର ପରିମଳ ବ୍ୟବସ୍ଥା ନ କହିବା ଭଲ। ଆର୍‌ଏମ୍‌ସିର ଡେପୁଟି କମିସନର ଅଜିତ ପଟ୍ଟନାୟକ କହିଛନ୍ତି, ଏମିତି ଅଭିଯୋଗ ଆଦୌ ଗ୍ରହଣୀୟ ନୁହେଁ। ପ୍ରତ୍ୟେକ ଆହାର କେନ୍ଦ୍ରର ନିଶ୍ଚିତ ଭାବେ ତଦନ୍ତ କରାଯିବ। ଯେଉଁମାନେ ଏଭଳି କରୁଥିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।