ଭୁବନେଶ୍ବର: ରାଜ୍ୟ ଓ ଦେଶର ଆର୍ଥିକ ଅଭିବୃଦ୍ଧିରେ ଯେଉଁ କେତେକ କ୍ଷେତ୍ର ଉତ୍ପ୍ରେରକ ସାଜିଥାନ୍ତି, ସେଗୁଡ଼ିକ ମଧ୍ୟରେ ବିଦ୍ୟୁତ୍ କ୍ଷେତ୍ର ଅନ୍ୟତମ। ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ବିନା ଅଭିବୃଦ୍ଧିର ପ୍ରମୁଖ କ୍ଷେତ୍ର ଯଥା ଶିଳ୍ପ, କୃଷି ଓ ଆନୁସଙ୍ଗିକ କ୍ଷେତ୍ରଗୁଡ଼ିକର ପ୍ରଗତି କଥା ଚିନ୍ତା କରାଯାଇ ନ ପାରେ। ସମ୍ଭବତଃ ଏହାକୁ ଦୃଷ୍ଟିରେ ରଖି ୯୦ ଦଶକରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ବିଦ୍ୟୁତ୍ ସଂସ୍କାର ଆପଣାଇଥିଲା। ତେବେ ବିଦ୍ୟୁତ୍ ସଂସ୍କାରର ୩ ଦଶନ୍ଧି ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ରାଜ୍ୟରେ ଏ ପର୍ଯ୍ୟନ୍ତ ସୁଲଭ, ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ୍ ସେବା ଅପହଞ୍ଚ। ଏହି କାରଣରୁ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ମଧ୍ୟ ଆଶାନୁରୂପ ନୁହେଁ। ଅପରପକ୍ଷରେ ବହୁ ପଛରେ ଆଂଶିକ ଭାବେ ବିଦ୍ୟୁତ୍ ସଂସ୍କାର କାର୍ଯ୍ୟକାରୀ କରିଥିବା ଆମ ପଡ଼ୋଶୀ ରାଜ୍ୟଗୁଡ଼ିକ ନିଜ ନିଜ ବିଦ୍ୟୁତ୍ ବ୍ୟବସ୍ଥାକୁ ଯଥେଷ୍ଟ ଉନ୍ନତ କରିଥିବାରୁ ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ଆମ ତୁଳନାରେ ବେଶ୍ ବଢ଼ିଛି। ଠିକ୍ ଏତିକି ବେଳେ କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ (ସିଇଏ) ବିଭିନ୍ନ ରାଜ୍ୟର ବିଦ୍ୟୁତ୍ ବ୍ୟବସ୍ଥା ସମ୍ପର୍କରେ ଯେଉଁ ରିପୋର୍ଟ ପ୍ରକାଶ କରିଛନ୍ତି, ତାହାର ତୁଳନାତ୍ମକ ଚିତ୍ର ଓଡ଼ିଶାର ଯୋଜନା ନିର୍ଦ୍ଧାରକଙ୍କ ପାଇଁ ଯଥେଷ୍ଟ ଗୁରୁତ୍ବ ରଖେ।
Dandakaranya : ଆମେ ଆଦିବାସୀ ଆମ ପ୍ରତି ବି ନଜର ପଡୁ: ଦଣ୍ଡକାରଣ୍ୟ ବିକାଶ ମଞ୍ଚର ସତ୍ୟାଗ୍ରହ
ଗତ ନଭେମ୍ବର ୨୦୨୫ରେ ପ୍ରକାଶ ପାଇଥିବା ୨୦୨୩-୨୪ ବର୍ଷର ସିଇଏ ରିପୋର୍ଟ ଅନୁସାରେ, ଓଡ଼ିଶାର ବିଦ୍ୟୁତ୍ କ୍ଷେତ୍ର ତୁଳନାରେ ଆନ୍ଧ୍ର କେତେ ଆଗରେ ଓ ଏହି କାରଣରୁ ଆନ୍ଧ୍ରର ଅର୍ଥନୀତି କେତେ ଆଗୁଆ ସେ ସଂକ୍ରାନ୍ତରେ ଅନୁଧ୍ୟାନ ଜରୁରି। ଭୌଗୋଳିକ ସୀମା ଓ ଲୋକସଂଖ୍ୟା ଦୃଷ୍ଟିରୁ ଆନ୍ଧ୍ର, ଓଡ଼ିଶା ତୁଳନାରେ ସେତେ ବଡ଼ ନୁହେଁ। କିନ୍ତୁ ବିଦ୍ୟୁତ୍ ବ୍ୟବସ୍ଥା ଦୃଷ୍ଟିରୁ ବହୁ ଆଗରେ। ଓଡ଼ିଶା ଓ ଆନ୍ଧ୍ରର କ୍ଷେତ୍ରଫଳ ଯଥାକ୍ରମେ ୧.୫୬ ଲକ୍ଷ ବର୍ଗ କିଲୋମିଟର ଓ ୧.୬ ଲକ୍ଷ ବର୍ଗ କିଲୋମିଟର, ଉଭୟ ରାଜ୍ୟର ଜନସଂଖ୍ୟା ଯଥାକ୍ରମେ ୪.୭୫ କୋଟି ଏବଂ ୫.୩୨ କୋଟି। ଆନ୍ଧ୍ରରେ ବିଦ୍ୟୁତ୍ ଉପଭୋକ୍ତାଙ୍କ ସଂଖ୍ୟା ଓ ମୁଣ୍ଡ ପିଛା ବିଦ୍ୟୁତ୍ ବ୍ୟବହାର ଓଡ଼ିଶା ତୁଳନାରେ ପାଖାପାଖି ୨ ଗୁଣ। ଏହାର ପ୍ରତ୍ୟକ୍ଷ ପ୍ରଭାବ ସ୍ବରୂପ ଆନ୍ଧ୍ରର ମୁଣ୍ଡପିଛା ବାର୍ଷିକ ଆୟ ୨.୬୯ ଲକ୍ଷ ଟଙ୍କା ହୋଇଥିବା ବେଳେ ଓଡ଼ିଶାରେ ତାହା ୧.୮୨ ଲକ୍ଷ ଟଙ୍କା, ଯାହା ଜାତୀୟ ହାର ତୁଳନାରେ ୧୦ ପ୍ରତିଶତ କମ୍। ଓଡ଼ିଶାରେ ଏବେ ବିଦ୍ୟୁତ୍ ସରବରାହ ଲାଇନ୍ର ଦୈର୍ଘ୍ୟ ୪.୫୬ ଲକ୍ଷ କିଲୋମିଟର ଥିବା ବେଳେ ଆନ୍ଧ୍ରରେ ୭.୧୩ ଲକ୍ଷ କିମି। ଓଡ଼ିଶାରେ ୧୬,୩୨୦ ମେଗା ଭୋଲ୍ଟ ଆମ୍ପିୟର୍ (ଏମ୍ଭିଏ) ବିଦ୍ୟୁତ୍ ବିତରଣ ପାଇଁ ସମୁଦାୟ ୩ ଲକ୍ଷ ୭ ହଜାର ଟ୍ରାନ୍ସଫର୍ମର୍ ସ୍ଥାପିତ ହୋଇଥିବା ବେଳେ ଆନ୍ଧ୍ରରେ ୪୫ ହଜାର ୪୭୮ ଏମ୍ଭିଏ କ୍ଷମତାର ବିଦ୍ୟୁତ୍ ବିତରଣ ପାଇଁ ରହିଛି ୧୩ ଲକ୍ଷ ୯୫ ହଜାର ଟ୍ରାନ୍ସଫର୍ମର୍।
ଓଡ଼ିଶାରେ ୩୩ କିଲୋ ଭୋଲ୍ଟ (କେଭି) ଲାଇନ୍ର ଦୈର୍ଘ୍ୟ ୧୭,୨୩୨ କିମିରେ ସୀମିତ ଥିବା ବେଳେ ଆନ୍ଧ୍ରରେ ତାହା ୩୦ ହଜାର ୪୮୫ କିମି। ସେହିପରି ଓଡ଼ିଶାରେ ୧୧ କେଭି ଲାଇନ୍ର ଦୈର୍ଘ୍ୟ ୧.୭୯ ଲକ୍ଷ କିମି ଥିବା ବେଳେ ଆନ୍ଧ୍ରରେ ତାହା ୨.୮୩ ଲକ୍ଷ କିମିକୁ ସଂପ୍ରସାରିତ। ଓଡ଼ିଶାରେ ଗ୍ରାମାଞ୍ଚଳ ବିଦ୍ୟୁତ୍କରଣ ପାଇଁ ବ୍ୟବହୃତ ଏଲ୍ଟି (୫ଶହ ଭୋଲ୍ଟ ମଧ୍ୟରେ) ଲାଇନ୍ର ଦୈର୍ଘ୍ୟ ୨.୩୧ ଲକ୍ଷ କିମି, ଆନ୍ଧ୍ରରେ ତାହା ୩.୮୪ ଲକ୍ଷ କିମି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ମଧ୍ୟମଧରଣ ଶିଳ୍ପ ଓ କୃଷି କ୍ଷେତ୍ର ପାଇଁ ବହୁଳ ଭାବେ ବ୍ୟବହୃତ ୬.୬/୪.୪ କେଭି ଲାଇନ୍ର ଦୈର୍ଘ୍ୟ ଆନ୍ଧ୍ରରେ ୨୨ ହଜାର ୬୬୯ କିମି ଥିବାବେଳେ ଓଡ଼ିଶାରେ ଏହି କ୍ଷମତାର ବିଦ୍ୟୁତ୍ ଲାଇନ୍ ଆଦୌ ନାହିଁ। ଏହି କାରଣରୁ କୃଷିପ୍ରଧାନ ଓଡ଼ିଶାର ଗ୍ରାମ୍ୟ ଅର୍ଥନୀତି ବର୍ଷବର୍ଷ ଧରି ମନ୍ଥର। ଅପରପକ୍ଷରେ ଆନ୍ଧ୍ରର ମୋଟ୍ ଆଭ୍ୟନ୍ତରୀଣ ଉତ୍ପାଦ (ଜିଏସ୍ଡିପି)କୁ ରାଜ୍ୟ କୃଷି ଓ ଆନୁସଙ୍ଗିକ କ୍ଷେତ୍ରର ଅବଦାନ ୩୭%ରୁ ଅଧିକ ଥିବାବେଳେ ଓଡ଼ିଶାରେ ତାହା ଆଗାମୀ ବର୍ଷରେ ୧୯.୬%ରେ ପହଞ୍ଚିବ ବୋଲି ସରକାର ଆଶା କରୁଛନ୍ତି।
Horoscope 2026 March 10: ଜାଣନ୍ତୁ ଆଜିର ରାଶିଫଳ
ଯଦିଓ ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ୍ ଆଣିବାକୁ ଓଡ଼ିଶା ବିଦ୍ୟୁତ୍ ନିଗମ ଲିମିଟେଡ୍ (ଓପିଟିସିଏଲ୍) ରାଜ୍ୟରେ ୩୦୫ କିଲୋମିଟର ଦୈର୍ଘ୍ୟର ୭୬୫ କେଭି ଲାଇନ୍ ନିର୍ମାଣ କରିଛି, ଆନ୍ଧ୍ରରେ ତାହା ୩୬୪ କିଲୋମିଟର। ଓଡ଼ିଶାରେ ୪୦୦ କେଭି, ୨୦୦ କେଭି ଓ ୧୩୨ କେଭି ବିଦ୍ୟୁତ୍ ଲାଇନ୍ର ଦୈର୍ଘ୍ୟ ଯଥାକ୍ରମେ ୨୮୦୦ କିମି, ୧୨୮୭୮ କିମି ଓ ୧୧୯୯୬ କିମି ଥିବାବେଳେ ଆନ୍ଧ୍ରରେ ତାହା ଯଥେଷ୍ଟ ଅଧିକ। ସେଠାରେ ଉପରୋକ୍ତ ୩ ପ୍ରକାର ଉଚ୍ଚଶକ୍ତିସମ୍ପନ୍ନ ଲାଇନ୍ର ଦୈର୍ଘ୍ୟ ଯଥାକ୍ରମେ ୫୬୧୧ କିମି, ୧୩୨୩୩ କିମି ଓ ୧୪୦୮୬ କିମି ପର୍ଯ୍ୟନ୍ତ ସଂପ୍ରସାରିତ। ଅପରପକ୍ଷରେ ଓଡ଼ିଶାରେ ସ୍ଥାପିତ ଷ୍ଟେପ୍ ଅପ୍ -ଷ୍ଟେପ୍ ଡାଉନ୍ ଟ୍ରାନ୍ସଫର୍ମର୍ କ୍ଷମତା ଯଥାକ୍ରମେ ୫୪୯୬ ଓ ୪୦୩୫୬ ଏମ୍ଭିଏ ଥିବାବେଳେ ଆନ୍ଧ୍ରରେ କାହିଁ କେତେ ଗୁଣ ଅଧକ। ସେଠାରେ ଏହି ଧରଣର ଟ୍ରାନ୍ସଫର୍ମର୍ ସଂଖ୍ୟା ୧୮୮୪୮ ଓ ୧୦୦୭୩୬ ଏମ୍ଭିଏ। ଅନୁନ୍ନତ ବିଦ୍ୟୁତ୍ ବ୍ୟବସ୍ଥା ଯୋଗୁଁ ଆମ ଗ୍ରାମ୍ୟ ଅର୍ଥନୀତିର ଦୀର୍ଘ ମିଆଦି ବିକାଶ ସାଧିତ ହେବା ବଦଳରେ ପ୍ରତିବନ୍ଧକର ସମ୍ମୁଖୀନ ହେଉଥିଲେ ମଧ୍ୟ ଯୋଜନା ନିର୍ଦ୍ଧାରକମାନେ ଏହି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ପ୍ରତି ଦୃଷ୍ଟି ନଦେବା ଚିନ୍ତାଜନକ।
ସିଇଏ ରିପୋର୍ଟ ଅନୁସାରେ, ଗୁରୁତ୍ବପୂର୍ଣ୍ଣ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ର ଯଥା ଘରୋଇ, ବାଣିଜ୍ୟ, କ୍ଷୁଦ୍ର-ମଧ୍ୟମ ଶିଳ୍ପ, ଜଳଯୋଗାଣ ଓ କୃଷିରେ ଜାତୀୟ ମୁଣ୍ଡପିଛା ବିଦ୍ୟୁତ୍ ବ୍ୟବହାର ଯଥାକ୍ରମେ ୨୬୪ ୟୁନିଟ୍, ୯୨ ୟୁନିଟ୍, ୬୪ ୟୁନିଟ୍, ୧୯୭ ୟୁନିଟ୍ ଓ ୨୩ ୟୁନିଟ୍ ଥିବାବେଳେ ଓଡ଼ିଶାରେ ତାହା ଯଥାକ୍ରମେ ୧୭୮ ୟୁନିଟ୍, ୭୫ ୟୁନିଟ୍, ୬ ୟୁନିଟ୍, ୧୫ ୟୁନିଟ୍ ଏବଂ ୧୦ ୟୁନିଟ୍। ମାତ୍ର ଆନ୍ଧ୍ରରେ ଉପରୋକ୍ତ କ୍ଷେତ୍ରଗୁଡ଼ିକରେ ମୁଣ୍ଡପିଛା ବିଦ୍ୟୁତ୍ ବ୍ୟବହାର ଯଥାକ୍ରମେ ୩୨୮ ୟୁନିଟ୍, ୧୦୪ ୟୁନିଟ୍, ୨୫ ୟୁନିଟ୍, ୨୯୨ ୟୁନିଟ୍ ଓ ୨୧ ୟୁନିଟ୍ ରହିଛି। ଆନ୍ଧ୍ରର ବିଦ୍ୟୁତ୍ ବିତରଣ ଓ ସରବରାହ କ୍ଷମତା ଓଡ଼ିଶାଠାରୁ ଢେର ଅଧିକ ଥିବାରୁ ସେଠାରେ ଉପଭୋକ୍ତା ସଂଖ୍ୟା ଓ ମୁଣ୍ଡପିଛା ବିଦ୍ୟୁତ୍ ବ୍ୟବହାର ଓଡ଼ିଶା ତୁଳନାରେ ପ୍ରାୟ ୨ଗୁଣରୁ ଅଧିକ। ଏହି କାରଣରୁ ଆନ୍ଧ୍ରର ସାମାଜିକ ଓ ଅର୍ଥନୈତିକ ବିକାଶ ବେଶ୍ ଆଖିଦୃଶିଆ ଏବଂ ତୁଳନାତ୍ମକ ଭାବେ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ମନ୍ଥର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/08/12/electriccity-2025-08-12-01-53-42.jpg)