କଟକ: ଶୈଳବାଳା ମହିଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି ଆନ୍ଦୋଳନ ଆଜି ପୁଣି ତେଜିଛି। ଆଜି ଛାତ୍ରୀମାନେ ସଂଧ୍ୟାରୁ କଲେଜ ପରିସରରେ ଧାରଣା ଆରମ୍ଭ କରିଥିବା ବେଳେ ସେମାନଙ୍କୁ ସମର୍ଥନ ଜଣାଇ ପୁରାତନ ଛାତ୍ରୀ, ସହରର ବୁଦ୍ଧିଜୀବୀ ଓ ବିଭିନ୍ନ ସଂଗଠନ କଲେଜ ଫାଟକ ବାହାରେ ଧାରଣା ଦେଇଛନ୍ତି। ଧାରଣାରତ ଛାତ୍ରୀଙ୍କ ସହିତ କଲେଜର ଅଧ୍ୟକ୍ଷ ଓ ଅଧ୍ୟାପକମାନେ ମଧ୍ୟ ବସି ରହିଛନ୍ତି। ଜିଲ୍ଲା ପ୍ରଶାସନ ଗତ ଶନିବାର ରାତିରେ ଶୈଳବାଳା କଲେଜ ଛାତ୍ରୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ଆଜି ପାଳନ ନ କରିବାରୁ ପୁଣି ଥରେ ଆନ୍ଦୋଳନ ଆରମ୍ଭ ହୋଇଛି। ଆଜି ଏବିଭିପି ପକ୍ଷରୁ ମଧ୍ୟ ଶୈଳବାଳା ମହିଳା କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ଦାବିକୁ ସମର୍ଥନ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଆଲୋଚନା ପାଇଁ ବୈଠକ ଡାକି ଆସିଲେ ନାହିଁ ଅଧିକାରୀ
ସଂଧ୍ୟା ପରେ ଧାରଣାରେ ବସିଲେ ଛାତ୍ରୀ
ସମର୍ଥନ ଜଣାଇଲେ ଅଧ୍ୟାପକ, ପୁରାତନ ଛାତ୍ରୀ, ବୁଦ୍ଧିଜୀବୀ
ଶୈଳବାଳା ମହିଳା କଲେଜକୁ ବିଶ୍ବବିଦ୍ୟାଳୟ ଘୋଷଣା ଦାବି ନେଇ ଗତ ଶନିବାର ଦିନ ଛାତ୍ରୀମାନେ ଧାରଣା ଦେଇଥିବା ବେଳେ ଜିଲ୍ଲା ପ୍ରଶାସନର ଅଧିକାରୀ ସେଠାରେ ପହଞ୍ଚି ବୁଝାସୁଝା କରିଥିଲେ। ସୋମବାର ଦିନ ବୈଠକ ବସିବ ଏବଂ ଛାତ୍ରୀଙ୍କ ଦାବି ଉପରେ ସରକାରଙ୍କୁ ବିଧିବଦ୍ଧ ଭାବେ ଅବଗତ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଅଜି ଜିଲ୍ଲା ପ୍ରଶାସନ, ଛାତ୍ରୀ, ପୁରାତନ ଛାତ୍ରୀ, ସହରର ବୁଦ୍ଧିଜୀବୀଙ୍କ ମଧ୍ୟରେ ସକାଳ ସାଢ଼େ ୧୦ଟାରେ କଲେଜ ପରିସରରେ ବୈଠକ ବସିବ ବୋଲି କୁହାଯାଇଥିଲା। ଏଥିପାଇଁ ଆଜି ସକାଳେ କଲେଜକୁ ଛାତ୍ରୀ, ପୁରାତନ ଛାତ୍ରୀ ସଂଘର ସଦସ୍ୟ, ବିଭିନ୍ନ ସଂଗଠନର ସଦସ୍ୟ ଓ ବୁଦ୍ଧିଜୀବୀ ଆସିଥିଲେ। ମାତ୍ର ପ୍ରଶାସନିକ ଅଧିକାରୀଙ୍କ ଦେଖା ମିଳି ନ ଥିଲା।
Arrest: ଆସିକା ପୋଲିସ ଉପଖଣ୍ଡରେ ଅପରେସନ ସାଇବର କବଚ ଅଧୀନରେ ୯ ଗିରଫ
ପରେ ଅପରାହ୍ଣ ୨ଟାରେ ଏବଂ ପୁଣି ଅପରାହ୍ଣ ୪ଟାରେ ବୈଠକ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଗଲା। ଶେଷରେ ଛାତ୍ରୀ ଓ ଅନ୍ୟମାନଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିବାକୁ ପ୍ରଶାସନ ପକ୍ଷରୁ କୁହାଗଲା। ମାତ୍ର ଦିନ ତମାମ ଅପେକ୍ଷାରେ ଥିବା ଛାତ୍ରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବାକୁ ମନା କରିଦେଲେ। ସଂଧ୍ୟା ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ କେହି ଜଣେ ବି କଲେଜକୁ ଆସିଲେ ନାହିଁ। ଶେଷରେ ସଂଧ୍ୟା ୬ଟା ପରେ ଛାତ୍ରୀମାନେ ସେମାନଙ୍କ ଦାବି ପୂରଣ ନହେବା ଯାଏଁ ଧାରଣାରେ ବସି ରହିବେ ବୋଲି ଘୋଷଣା କରିବା ସହ ଧାରଣାରେ ବସିଥିବା ବେଳେ ସେମାନଙ୍କ ସମ୍ମୁଖରେ କଲେଜ ଅଧ୍ୟକ୍ଷ, ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ବସି ରହିଥିଲେ। ତେବେ ରାତି ୧୨ଟା ପରେ ପୁଲିସ ପହଞ୍ଚି ଧାରଣାରୁ ଉଠିଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୁଲିସର ନାଲିଆଖି ଯୋଗୁ ଛାତ୍ରୀମାନେ ଧାରଣାରୁ ଉଠିଥିବା ଜଣାପଡ଼ିଛି।
Follow Us