ଭୁବନେଶ୍ବର: ରାଜନୀତିରେ ସବୁ ସମ୍ଭବ। କୌଣସି ସମୀକରଣ ଓ ସମ୍ପର୍କ ଲମ୍ବା ସମୟ ଧରି ପ୍ରାସଙ୍ଗିକତା ରଖେନି। ତାହା ଆଜି ପୁଣି ପ୍ରମାଣିତ ହୋଇଛି। ବିଜେଡି ଓ କଂଗ୍ରେସ ଏକାଠି ବସିଛନ୍ତି। ବିଜେପିର ମୁକାବିଲା କରିବାକୁ ମିଳିତ ରଣନୀତି କରିଛନ୍ତି। କଂଗ୍ରେସକୁ ଏକ ନମ୍ବର ଶତ୍ରୁ ତାଲିକାରେ ରଖିଥିବା ବିଜେଡି ଘଟଣାକ୍ରମେ କଂଗ୍ରେସ ସହ ହାତ ମିଳାଇଛି। ପୁଣି ‘ଧର୍ମନିରପେକ୍ଷତା’ ପ୍ରସଙ୍ଗ ଉଠାଇ ବିଜେପିକୁ ଅଡ଼ୁଆରେ ପକାଇବାକୁ ଚେଷ୍ଟା କରିଛନ୍ତି ଖୋଦ୍ ବିଜେଡି ସଭାପତି ନବୀନ ପଟ୍ଟନାୟକ। ଆଗକୁ ଏହା ବଡ଼ ରାଜନୈତିକ ସମୀକରଣର ଇଙ୍ଗିତ ଦେଇଛି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି।
ଦେଶର ଅଣକଂଗ୍ରେସ ରାଜନୀତିରେ ବିଜେଡି ଏକ ଆଗଧାଡ଼ିର ନାମ। କଂଗ୍ରେସ ସରକାର ବିରୋଧରେ ଆନ୍ଦୋଳନ କରି ବିଜେଡି ଓଡ଼ିଶାରେ ନିଜକୁ ମଜଭୁତ କରିଥିଲା। ୨୦୦୦ ମସିହାରେ ବିଜେଡି କ୍ଷମତାକୁ ଆସିଲା ପରେ ସବୁବେଳେ କଂଗ୍ରେସ ଶାସନ ସମୟର ଦୁର୍ବଳତାକୁ ହିଁ ପ୍ରସଙ୍ଗ କରିଥିଲା। ଏପରିକି ୨୦୦୪ରୁ ୨୦୧୪ ମସିହା ପର୍ଯ୍ୟନ୍ତ କେନ୍ଦ୍ରରେ ଉପା ସରକାର ଥିଲା ବେଳେ ବି ବିଜେଡି ସଭାପତି ନବୀନ ପଟ୍ଟନାୟକ କଂଗ୍ରେସର ଉପର ସ୍ତରରେ ଭଲ ସମ୍ପର୍କ ରଖିଥିଲେ। କିନ୍ତୁ ଓଡ଼ିଶାରେ କଂଗ୍ରେସ ସହ ସର୍ବନିମ୍ନ ବୁଝାମଣା କରୁ ନଥିଲେ। ବିଜେପି ସହ ବିଜେଡିର ମେଣ୍ଟ ଭାଙ୍ଗିଥିଲେ ବି ବିଜେପି ପ୍ରତି ନବୀନ ସବୁବେଳେ ନରମ ଆଭିମୁଖ୍ୟ ଦେଖାଇ ଆସିଛନ୍ତି।
ଏକାଠି ବସିଲେ ବିଜେଡି-କଂଗ୍ରେସ
ନବୀନଙ୍କ ପ୍ରଶଂସାରେ ଭକ୍ତ ଗଦ୍ଗଦ୍
ନବୀନଙ୍କ ମୁହଁରେ ଏବେ ‘ଧର୍ମନିରପେକ୍ଷତା’
ନବୀନଙ୍କ ପ୍ରଶଂସାରେ ଭକ୍ତ ଗଦ୍ଗଦ୍
ନବୀନଙ୍କ ମୁହଁରେ ଏବେ ‘ଧର୍ମନିରପେକ୍ଷତା’
ରାଜ୍ୟସଭା ନିର୍ବାଚନ ଏବେ ବିଜେଡି ଓ କଂଗ୍ରେସକୁ ନିକଟତର କରାଇଛି। ଉଭୟ ଦଳ ମିଳିତ ଭାବେ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ପ୍ରାର୍ଥୀ କରିଛନ୍ତି। ସିପିଆଇ(ଏମ୍) ମଧ୍ୟ ସମର୍ଥନ ଦେବ ବୋଲି ଘୋଷଣା କରିଛି। କଂଗ୍ରେସ ଓ ବାମପନ୍ଥୀ ଦଳ ସହ ବିଜେଡିର ଏହି ସମୀକରଣକୁ ଧର୍ମନିରପେକ୍ଷତା ଓ ଦେଶର ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ ବୋଲି ନିଜେ ନବୀନ ବାର୍ତ୍ତା ଦେଇଛନ୍ତି। ଆଜି ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ବିଜେଡି ଓ କଂଗ୍ରେସ ବିଧାୟକମାନଙ୍କର ଏକ ମିଳିତ ବୈଠକ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ହୋଇଥିଲା। ଏଥିରେ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ସ୍ବାଧୀନ ପ୍ରାର୍ଥୀ ଡା. ଦତ୍ତେଶ୍ବର ହୋତା ଉପସ୍ଥିତ ଥିଲେ। କଂଗ୍ରେସର ବିଧାୟକମାନଙ୍କ ସହ ପିସିସି ସଭାପତି ଭକ୍ତଚରଣ ଦାସ, ପ୍ରଭାରୀ ଅଜୟ ଲଲୁ, ବରିଷ୍ଠ ନେତା ନରସିଂହ ମିଶ୍ର, ଶ୍ରୀକାନ୍ତ ଜେନା, ଶରତ ପଟ୍ଟନାୟକ, ଅନନ୍ତ ସେଠୀ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଉପସ୍ଥିତ ଥିଲେ। ସିପିଆଇ(ଏମ୍) ବିଧାୟକ ଲକ୍ଷ୍ମଣ ମୁଣ୍ଡା ଆସି ନଥିଲେ ମଧ୍ୟ ସିପିଆଇ ଓ ସିପିଆଇ(ଏମ୍)ର ବରିଷ୍ଠ ନେତା ସୁରେଶ ପାଣିଗ୍ରାହୀ ବୈଠକରେ ସାମିଲ ହୋଇଥିଲେ। ବୈଠକରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ପିସିସି ସଭାପତି ଶ୍ରୀ ଦାସ ନିଜ ବକ୍ତବ୍ୟରେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। ନବୀନଙ୍କ ସୁଶାସନକୁ ଲୋକ ଏ ଯାଏଁ ଭୁଲି ନାହାନ୍ତି। ସେ ରାଜ୍ୟର ସର୍ବାଧିକ ଲୋକପ୍ରିୟ ନେତା। ୨୪ ବର୍ଷର ଶାସନରେ ଓଡ଼ିଶାର ଅନେକ ବିକାଶ ହୋଇଛି। ଗତ ନିର୍ବାଚନରେ ନବୀନଙ୍କ ନେତୃତ୍ବରେ ବିଜେଡି ସର୍ବାଧିକ ଭୋଟ୍ ପାଇଥିଲା। ବର୍ତ୍ତମାନ ବିଜେପିର ଦୁଇ ବର୍ଷର ଶାସନରେ ରାଜ୍ୟବାସୀ ଅତିଷ୍ଠ ହୋଇଗଲେଣି। ତେଣୁ ଆଜିର ଘଟଣା ନିଶ୍ଚିତ ଭାବେ ରାଜନୀତିରେ ଏକ ଐତିହାସିକ ଘଟଣା ହୋଇ ରହିବ।
ବର୍ତ୍ତମାନର ରାଜନୈତିକ ଘଟଣାକ୍ରମକୁ ନେଇ ନବୀନ ସଂକ୍ଷିପ୍ତ ମନ୍ତବ୍ୟ ରଖିଥିଲେ। ସେ କହିଥିଲେ, ଗୁରୁତ୍ବପୂର୍ଣ୍ଣ ଘଟଣା ହେଲା ଧର୍ମନିରପେକ୍ଷ ଦଳମାନେ ଏକାଠି ହୋଇଛନ୍ତି। ଧର୍ମନିରପେକ୍ଷତା ଓ ଦେଶର ସ୍ବାର୍ଥ ପାଇଁ ଏହି ଭୋଟ୍ ହେଉଛି। ଧର୍ମନିରପେକ୍ଷ ରାଜନୀତି ପାଇଁ ସମସ୍ତେ ଏକାଠି ହେବା ଉଚିତ। ଗଣମାଧ୍ୟମରେ ମଧ୍ୟ ନବୀନଙ୍କୁ ଢେର୍ ପ୍ରଶଂସା କରିଥିଲେ ଭକ୍ତ। କହିଥିଲେ, ବହୁ ବର୍ଷ ପରେ ରାଜ୍ୟରେ ସମଭାବାପନ୍ନ ଦଳ ଏକାଠି ହେଲେ। ନବୀନ ବାବୁଙ୍କ ପ୍ରସ୍ତାବକୁ ଏଆଇସିସି ଗ୍ରହଣ କଲା। ରାଜ୍ୟର ହିତ ପାଇଁ କମନ୍ ପ୍ରାର୍ଥୀ ଦିଆଯାଇଛି। ନବୀନ ବାବୁଙ୍କର ଓଡ଼ିଶାରେ ନାହିଁ ନଥିବା ଲୋକପ୍ରିୟତା ରହିଛି।
କଂଗ୍ରେସ ଓ ବାମପନ୍ଥୀଦଳଗୁଡ଼ିକ ଜାତୀୟ ସ୍ତରରେ ବିଜେପି ପ୍ରତି କଠୋର ଆଭିମୁଖ୍ୟ ନେଇ ଅଭିଯାନ ଚଳାଇଛନ୍ତି। କିନ୍ତୁ ବିଜେଡି କଥା ଭିନ୍ନ। ସମଦୂରତ୍ବ କଥା କହୁଥିବା ବିଜେଡି ସଂସଦରେ ଅଧିକାଂଶ ବିଲରେ ବିଜେପିକୁ ନିସର୍ତ୍ତ ସମର୍ଥନ ଦେଇଛି। ଏପରିକି ବିଜେଡି କ୍ଷମତାଚ୍ୟୁତ ହେଲା ପରେ ବି ଜାତୀୟ ସ୍ତରରେ ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ଅନୁକୂଳ ହେଲା ପରି ଆଭିମୁଖ୍ୟ ପୋଷଣ କରିଛି। ପ୍ରଥମ ଥର ବିଜେପି ବିରୋଧରେ ବିଜେଡି ଖୋଲାଖୋଲି ମଇଦାନକୁ ଓହ୍ଲାଇଛି। ତେଣୁ ବିଜେଡିକୁ ଭରସାରେ ରଖି କଂଗ୍ରେସ କେତେ ବାଟ ଆଗକୁ ଯାଉଛି, ତାହା ଉପରେ ରାଜନୈତିକ ମହଲର ନଜର ରହିଛି।
ତେବେ ବିଜେଡି-କଂଗ୍ରେସର ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ବିଜୟ ଉପରେ ଏହି ନୂଆ ସମୀକରଣର ଭବିଷ୍ୟତ ନିର୍ଭର କରୁଛି। ଯଦି ବିଜେଡି ଓ କଂଗ୍ରେସର କ୍ରସ୍ ଭୋଟିଂ ନହୁଏ, ତେବେ ଡାକ୍ତର ହୋତାଙ୍କର ଜିତିବାରେ କୌଣସି ସମସ୍ୟା ନାହିଁ। ଯଦି ଏହି ଦୁଇ ଦଳର କିଛି ବିଧାୟକ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦିଅନ୍ତି, ତେବେ ସମୀକରଣ ଓଲଟପାଲଟ ହୋଇଯିବ। ବିଜେଡିରେ ନବୀନଙ୍କ ନେତୃତ୍ବ ଓ କଂଗ୍ରେସରେ ଭକ୍ତଙ୍କ ନେତୃତ୍ବ ପ୍ରତି ଶକ୍ତ ଧକ୍କା ହେବ। ଉଭୟ ନିଜ ନିଜ ଦଳ ଭିତରେ ହିଁ ଅଡ଼ୁଆରେ ପଡ଼ିଯିବେ। ଏମାନଙ୍କ ନେତୃତ୍ବ ଯେ ସର୍ବସମ୍ମତ ଭାବେ ଗ୍ରହଣୀୟ ହେଉନି, ସେହି ବାର୍ତ୍ତା ଯିବ। ବର୍ତ୍ତମାନ ଉଭୟ ନେତା ନିଜ ବିଧାୟକମାନଙ୍କୁ ଏକାଠି ରଖିବା ହିଁ ସବୁଠାରୁ ବଡ଼ ଦାୟିତ୍ବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।
ମଇଦାନରେ ୫ ପ୍ରାର୍ଥୀ, ମନୋନୟନପତ୍ର ଯାଞ୍ଚ ଆଜି
ଭୁବନେଶ୍ବର: ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ୧୬ରେ ନିର୍ବାଚନ ହେବ। ଏଥି ପାଇଁ ଆଜି ୫ଜଣ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଛନ୍ତି। ସେମାନେ ହେଲେ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର, ବିଜେଡି ଓ କଂଗ୍ରେସ ସମର୍ଥିତ ଡାକ୍ତର ଦତ୍ତେଶ୍ବର ହୋତା, ବିଜେପି ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର, ସ୍ବାଧୀନ ପ୍ରାର୍ଥୀ (ବିଜେପି ସମର୍ଥିତ) ଦିଲ୍ଲୀପ ରାୟ। ପୂର୍ବରୁ ହାଇଦ୍ରାବାଦର କାନ୍ତେ ସୟନ୍ନା ସ୍ବାଧୀନ ପ୍ରାର୍ଥୀ ଭାବେ ମନୋନୟନପତ୍ର ଦାଖଲ କରିଛନ୍ତି। ଏହିପରି ମୋଟ୍ ୬ ଜଣ ପ୍ରାର୍ଥୀ ରାଜ୍ୟସଭା ନିର୍ବାଚନ ପାଇଁ ମନୋନୟନପତ୍ର ଦାଖଲ କରିଛନ୍ତି।
ଆସନ୍ତାକାଲି (ଶୁକ୍ରବାର) ମନୋନୟନପତ୍ର ଯାଞ୍ଚ ହେବାକୁ ଥିବା ବେଳେ ସ୍ବାଧୀନ ପ୍ରାର୍ଥୀ କାନ୍ତେ ସୟନ୍ନାଙ୍କର ଜଣେ ବି ପ୍ରସ୍ତାବକ ନଥିବାରୁ ତାଙ୍କ ମନୋନୟନପତ୍ର ଖାରଜ ହେବ। ଯଦି ଆଉ କାହାର ମନୋନୟନପତ୍ର ଖାରଜ ନହୁଏ ତେବେ ରାଜ୍ୟସଭା ନିର୍ବାଚନ ମଇଦାନରେ ୫ ଜଣ ପ୍ରାର୍ଥୀ ରହିବେ। ଆଉ ଚତୁର୍ଥ ଆସନ ପାଇଁ ଡାକ୍ତର ଦତ୍ତେଶ୍ବର ହୋତା ଓ ଦିଲ୍ଲୀପ ରାୟଙ୍କ ମଧ୍ୟରେ କଡ଼ା ମୁକାବିଲା ହେବ। ୧୬ ତାରିଖରେ ବିଧାନସଭା ପରିସରରେ ମତଦାନ ହେବ। ଆଜି ରାଜ୍ୟସଭା ନିର୍ବାଚନ ପାଇଁ ମନୋନୟନପତ୍ର ଦାଖଲର ଶେଷ ଦିନ ଥିବାରୁ ତିନି ପ୍ରମୁଖ ଦଳର ସମର୍ଥିତ ପ୍ରାର୍ଥୀମାନେ ନିଜ ପ୍ରସ୍ତାବକମାନଙ୍କ ସହ ଆସି ରିଟର୍ଣ୍ଣିଂ ଅଧିକାରୀ ସତ୍ୟବ୍ରତ ରାଉତଙ୍କ ନିକଟରେ ମନୋନୟନପତ୍ର ଦାଖଲ କରିଥିଲେ। ବିଜେଡି ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଥିବାବେଳେ ତାଙ୍କ ପାଇଁ ନବୀନ ପଟ୍ଟନାୟକଙ୍କ ସମେତ ୧୦ଜଣ ବିଧାୟକ ପ୍ରସ୍ତାବକ ରହିଛନ୍ତି। ସେ ୨ ସେଟ୍ ମନୋନୟନପତ୍ର ଦାଖଲ କରିଛନ୍ତି। ସେହିପରି ଡାକ୍ତର ଦତ୍ତେଶ୍ବର ହୋତାଙ୍କ ମନୋନୟନପତ୍ରରେ ଉଭୟ ବିଜେଡି ଓ କଂଗ୍ରେସ ପ୍ରସ୍ତାବକ ରହିଛନ୍ତି। ଏହି ଦୁଇ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ସମୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ, ପିସିସି ସଭାପତି ଭକ୍ତଚରଣ ଦାସ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର, କଂଗ୍ରେସ ପ୍ରଭାରୀ ଅଜୟ ଲଲୁ, ସିପିଆଇ(ଏମ୍) ନେତା ସୁରେଶ ପାଣିଗ୍ରାହୀଙ୍କ ସମେତ ବିଜେଡି ଓ କଂଗ୍ରେସର ବହୁ ବିଧାୟକ, ବରିଷ୍ଠ ନେତା ଉପସ୍ଥିତ ଥିଲେ।
ଏହା ପରେ ବିଜେପି ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର ଏକ ଶୋଭାଯାତ୍ରାରେ ରାଜ୍ୟ କାର୍ଯ୍ୟାଳୟରୁ ବାହାରି ରାମ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ଏବଂ ସେଠାରୁ ବିଧାନସଭା ଯାଇଥିଲେ। ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ସିଧାସଳଖ ବିଧାନସଭା ଆସି ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପ୍ରାର୍ଥିପତ୍ର ଦାଖଲ କରିବାକୁ ଯାଇଥିଲେ। ବିଜେପି ପ୍ରାର୍ଥୀଙ୍କ ସହ ଏକାଠି ଯାଇ ମନୋନୟନପତ୍ର ଦାଖଲ କରିଥିଲେ। ସମସ୍ତେ ୨ ସେଟ୍ ଲେଖାଏଁ ମନୋନୟନପତ୍ର ଦାଖଲ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ୧୦ ଜଣ ବିଜେପି ବିଧାୟକ ମନମୋହନ ସାମଲଙ୍କ ପ୍ରସ୍ତାବକ ଅଛନ୍ତି। ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ସମେତ ୧୦ ଜଣ ବିଧାୟକ ସୁଜିତ କୁମାରଙ୍କ ପ୍ରସ୍ତାବକ ଥିବାବେଳେ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ସମେତ ୧୦ ଜଣ ବିଧାୟକ ଦିଲ୍ଲୀପ ରାୟଙ୍କ ପ୍ରସ୍ତାବକ ରହିଛନ୍ତି। ମନୋନୟନପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ପ୍ରଭାରୀ ବିଜୟପାଲ ସିଂହ ତୋମାରଙ୍କ ସମେତ ବହୁ ମନ୍ତ୍ରୀ, ବିଧାୟକ, ତିନି ସ୍ବାଧୀନ ବିଧାୟକ ଉପସ୍ଥିତ ଥିଲେ। ଆଜି ମନୋନୟନପତ୍ର ଦାଖଲ ପରେ ସମସ୍ତ ୫ ଜଣ ପ୍ରାର୍ଥୀ ନିର୍ବାଚନରେ ନିଶ୍ଚିତ ଜିତିବେ ବୋଲି କହିଛନ୍ତି।
ଦିଲ୍ଲୀପ ରାୟ କହିଛନ୍ତି, ମୋ ନାମାଙ୍କନ ଭରିବା ପାଇଁ ବିଜେପି ପୂରା ସମର୍ଥନ ଦେଇଛି। ଏଥିରେ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ମୁଖ୍ୟମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତିଙ୍କର ସମର୍ଥନ ରହିଛି। ଆସନ୍ତାକାଲିଠୁ ପ୍ରଚାର ଆରମ୍ଭ ହେବ। ୨୦୦୨ ପରି ଏଥର ବି ନିଶ୍ଚିତ ଜିତିବି। କଂଗ୍ରେସ-ବିଜେଡି ହାତ ମିଶାଇବା ପ୍ରଶ୍ନରେ ଶ୍ରୀ ରାୟ କହିଛନ୍ତି, ଆମେ ବି ହାତ ମିଶାଇ ଦେବୁ। ଦିଲ୍ଲୀପ ଏଭଳି ମନ୍ତବ୍ୟ ଦେଇ ଇସାରା ଦେଇଛନ୍ତି ଯେ ୨୦୦୨ରେ ସେ ଯେମିତି ବିଜେଡି ଓ କଂଗ୍ରେସକୁ ବିଭାଜନ କରିଥିଲେ ଏଥର ବି ସେମିତି ଦୁଇ ଦଳର କିଛି ବିଧାୟକଙ୍କ ଭୋଟ୍ ପାଇ ନିଶ୍ଚିତ ଜିତିବେ। ଡାକ୍ତର ଦତ୍ତେଶ୍ବର ହୋତା କହିଛନ୍ତି, ଏ ଲଢ଼େଇ ନୀତି, ନୈତିକତା ଓ ଆଦର୍ଶର। ମୋ ଭଳି ଜଣେ ସାଧାରଣ ବ୍ୟକ୍ତିଙ୍କୁ ବିଜେଡି, କଂଗ୍ରେସ ଓ ସିପିଆଇ(ଏମ୍) ଦଳ ପ୍ରାର୍ଥୀ କରିଛନ୍ତି। ସେଥିପାଇଁ ତିନି ଦଳର ନେତୃବୃନ୍ଦଙ୍କୁ ଧନ୍ୟବାଦ। ମୋତେ ସୁଯୋଗ ମିଳିଲେ ଓଡ଼ିଶାର ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି କରିବାକୁ ଚେଷ୍ଟା କରିବି, ବିଶେଷକରି ସ୍ବାସ୍ଥ୍ୟ କ୍ଷେତ୍ରରେ ରାଜ୍ୟର କିପରି ଅଧିକ ଉନ୍ନତି ହେବ ସେ ନେଇ କାମ କରିବି।
ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ସମେତ ଆମର ତିନି ଜଣ ନାମାଙ୍କନ କରିଛନ୍ତି। ଆମେ ଜିତିବା ନେଇ ଶତପ୍ରତିଶତ ଆଶାବାଦୀ। ବିଜେଡି ଓ କଂଗ୍ରେସ ମେଣ୍ଟ ଦ୍ବାରା କିଛି ପ୍ରଭାବ ପଡ଼ିବନି। କଂଗ୍ରେସ ଓ ବିଜେଡି ପୂର୍ବରୁ ମିଶିକି ଅଛନ୍ତି। ଏଥିରେ କୌଣସି ନୂଆ କଥା ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/15/bjd-congress-2025-11-15-00-57-16.jpg)